Unknown

 

 

 

 

 

 

 

 

 

 

 

ଅସ୍ତିରୁ ନାସ୍ତି

ଶ୍ରୀ ବିଚିତ୍ରାନନ୍ଦ ପାଇକରାୟ

 

ଉତ୍ସର୍ଗ ପତ୍ର

 

ଯେଉଁମାନେ ପ୍ରଗାଢ଼ ସ୍ନେହ ଦେଇ ଅସ୍ତିରୁ ନାସ୍ତି ପର୍ଯ୍ୟନ୍ତ ମୋତେ ଗଢ଼ିଛନ୍ତି, ସେମାନଙ୍କ ମଧ୍ୟରେ ଶୀର୍ଷସ୍ଥାନ ଲାଭ କରିଥିବା ମୋ ବୋଉ ଏବଂ ଶ୍ରୀମତୀ ଗୀତା ରାୟଙ୍କୁ ମୋର ଏ ଆଦ୍ୟ ନୈବେଦ୍ୟ ବାଢ଼ିଦେଲି.....

 

–ବିଚିତ୍ରାନନ୍ଦ

Image

 

ସେମାନେ ଓ ମୁଁ

 

ଅସ୍ତିରୁ ନାସ୍ତି କି ନାସ୍ତିରୁ ଅସ୍ତି, ଏହା ଏକ ଅସମାହିତ ପ୍ରଶ୍ନ । ଅସ୍ତିରୁ ନାସ୍ତି ଯେପରି ସମ୍ଭବ, ନାସ୍ତିରୁ ଅସ୍ତି ମଧ୍ୟ ସେପରି ସମ୍ଭବ ।

 

ବୀଜରୁ ବୃକ୍ଷ ନା ବୃକ୍ଷରୁ ବୀଜ ? ବାପରୁ ପୁଅ ନା ପୁଅରୁ ବାପ ? ଏସବୁ ପ୍ରଶ୍ନ ସେହିପରି ଦ୍ୱନ୍ଦାତ୍ମକ ହେଲେ ବି ଦ୍ଵନ୍ଦ୍ୱାତୀତ । କାରଣ ପ୍ରଶ୍ନ ଓ ଉତ୍ତର ଉଭୟ ହିଁ ବାସ୍ତବ । ଯାହା ବୃକ୍ଷ, ତାହାବୀଜ—ଯେ ପିତା, ସେ ପୁତ୍ର ଏବଂ ଯାହା ଅସ୍ତି ତାହା ହିଁ ନାସ୍ତି । ଯେ ତାକୁ ନିଜ ଭିତରେ ଓ ନିଜକୁ ତାଙ୍କ ଭିତରେ ଦେଖେ, ସେ ଅସ୍ତି ଭିତରେ ନାସ୍ତିକୁ ଏବଂ ନାସ୍ତି ମଧ୍ୟରେ ଅସ୍ତିକୁ ଦେଖେ । ଏହା ହିଁ ଦାର୍ଶନିକ ପ୍ରଶ୍ନଗୁଡ଼ିକର ସମାଧାନ ସୂତ୍ର !

 

ମୋ ଗଳ୍ପଗୁଡ଼ିକରେ ସେହି କଥା ଦେଖାଇବାକୁ ମୁଁ ଚେଷ୍ଟା କରିନି କିନ୍ତୁ ସେୟା ଦେଖିବାକୁ ମିଳିଛି । ତେଣୁ ସମସ୍ତ ଗଳ୍ପକୁ ଏକ ସୂତ୍ରରେ ସଂଯୁକ୍ତ କରିଦେବା ପାଇଁ ଏହି ନାମକରଣ ରଖିଦେଲି । ସାଧାରଣ କ୍ରମେ ଅସାଧାରଣ ହୁଏ । ସାକାର ମାଧ୍ୟମରେ ନିରାକାରର ଅବଧାରଣା କରିହୁଏ । ସିମିତ ଅସ୍ତିକୁ ସମ୍ବଳ କରି ନାସ୍ତିକୁ ଲାଭ କରାଯାଏ । ସାକାର ଓ ନିରାକାର ମିଶି ପୂର୍ଣ୍ଣତାର ପରିଚୟ ଦିଏ । ସେହିପରି ଅସ୍ତି ଏବଂ ନାସ୍ତି ମିଶି ପୂର୍ଣ୍ଣତାକୁ ପରିପୂର୍ଣ୍ଣ କରେ ।

 

ବସ୍ତୁରେ ସୁଖ ମିଳେ; କିନ୍ତୁ ଗଭୀରତର ଆନନ୍ଦ ପାଇଁ ଅବସ୍ତୁକ ପ୍ରାପ୍ତ କରିବାକୁ ହୁଏ । ତେଣୁ ଗଳ୍ପଗୁଡ଼ିକ ଯଦି ସେହିଭଳି ବିଭବ ମଧ୍ୟକୁ ନେଇଯିବା ପାଇଁ ପଥମୁକ୍ତ କରିଥାଆନ୍ତି ଶ୍ରମ ସାର୍ଥକ ହୋଇଯିବ । ଉତ୍ସର୍ଗ ପତ୍ରରେ ମୋ ବୋଉ ଓ ଶ୍ରୀମତୀ ଗୀତା ରାୟ ଉଭୟଙ୍କୁ ଏକାଠି ଗୁନ୍ଥିଦେଲି । କାରଣ ଦୁହିଁଙ୍କ ମଧ୍ୟରେ କିଏ ଅଧିକ ସ୍ନେହ ବୋଳି ମୋତେ ‘ଅସ୍ତିରୁ ନାସ୍ତି’କୁ ଉଠେଇଛି, ତାହା ବାରି ପାରିଲି ନାହିଁ । ଯେଉଁ ଶ୍ରଦ୍ଧାସ୍ପଦ ପାଠକ ଶ୍ରେଣୀ ମୋତେ ଉତ୍ସାହିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି । ମୋର ଅନେକ ଛାତ୍ର, ବନ୍ଧୁ, ଗୁରୁଜନ । ସେମାନଙ୍କୁ ମୋର କୃତଜ୍ଞତା ଜଣାଉଛି ।

 

ପାଣ୍ଡୁଲିପିଟି ପ୍ରସ୍ତୁତ କରିବାରେ ମୋର ଶ୍ରଦ୍ଧେୟା ଛାତ୍ରୀ ବସନ୍ତ, ସଞ୍ଜୁ, ପ୍ରତିଭା, ବିଳାସ, ରେଣୁ ଓ ବିଜୟା ମୋତେ ଋଣୀ କରିଛନ୍ତି । ସେମାନଙ୍କୁ ଶୁଭେଚ୍ଛା ପଠାଉଚି, ଯଦିଓ ସେମାନଙ୍କୁ ସେତିକି ଯଥେଷ୍ଟ ନୁହେଁ । ପ୍ରଚ୍ଛଦପଟର ପରିକଳ୍ପନା କରିଛନ୍ତି ମୋର ହିତାକଂକ୍ଷୀ ସୁଖ୍ୟାତ ଚିତ୍ରଶିଳ୍ପୀ ଉତ୍କଳ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜିତ୍ କେଶରୀ ରାୟ ଏବଂ ତାହାର ରୂପାୟନରେ ତୁଳୀ ଚଳାଇଛନ୍ତି ତାଙ୍କର ଛାତ୍ର ତରୁଣ ଉଦୀୟମାନ ଶିଳ୍ପୀ ଶ୍ରୀମାନ୍‍ ପ୍ରଭାତ କୁମାର ରାଉତରାୟ । ପ୍ରତିଦାନରେ ମୋ ଜୀବନର କିଛି ‘ଅସ୍ତି’ ସେ ଦୁହିଁଙ୍କୁ ଅର୍ପଣ କରୁଛି ।

 

ଯେଉଁ ଗାଳ୍ପିକଙ୍କର ମୁଁ ଜଣେ ଅନୁରକ୍ତ ପ୍ରେମିକ, ତାଙ୍କୁ ହିଁ ମୋ ପୁସ୍ତକଟିର ମୁଖଶାଳା ଗଢ଼ିବାକୁ ଅନୁରୋଧ କରିଛି ଏବଂ ତାଙ୍କରି ଉଦ୍ୟମରେ ହିଁ ମୋର ପାଣ୍ଡୁଲିପି ଆଲୋକ ପାଇଛି । ତେଣୁ ଅବଶେଷରେ ସେହି ରସଗ୍ରାହୀ ଓ ରସସ୍ରଷ୍ଟା ପ୍ରେମାସ୍ପଦ କଥାକାର ଶ୍ରୀଯୁକ୍ତ ମହାପାତ୍ର ନୀଳମଣି ସାହୁଙ୍କୁ ମୋର କିଛି ‘ଅସ୍ତି’ ଓ କିଛି ‘ନାସ୍ତି’ ବାଢ଼ିଦେଲି । ଇତି ।

 

ବିଚିତ୍ରାନନ୍ଦ ପାଇକରାୟ

ଖଲ୍ଳିକୋଟ ସରକାରୀ ଟ୍ରେନିଂ ସ୍କୁଲ, ଖଲିକୋଟ,

ତା ୨୨ । ୨ । ୮୧ ଗଞ୍ଜାମ

 

ଖଣ୍ଡିଏ ଚିଠି

 

ସ୍ନେହର ଶ୍ରୀମାନ୍ ପାଇକରା !

 

ତୁମର “ଅସ୍ତିରୁ ନାସ୍ତି” ପାଣ୍ଡୁଲିପିଟି ଶ୍ରୀମତୀ ଗୀତା ରାୟଙ୍କଠାରୁ ପାଇ କିଛି ଦିନ ସେଲ୍‍ଫରେ ରଖିଦେଲି । ଖଲ୍ଲିକୋଟ ଯାଇଥିଲା ବେଳେ ତା ଗୋଟିଏ ଦିଓଟି ପଢ଼ିଥିଲି । ଖୁବ୍ ଭଲ ଲାଗିଥିଲା । ବିଶେଷତଃ “କୃଷ୍ଣା ଓ କୃଷ୍ଣ” ଗଳ୍ପଟି ପଢ଼ିଲା ବେଳେ ଆଖି ମୋର ଅଶ୍ରୁସିକ୍ତ ହୋଇ ଯାଇଥିଲା । କି ଅନବଦ୍ୟ ଗଳ୍ପ । ସ୍ୱର୍ଗୀୟ ଓ ପାର୍ଥିବ ଭାବର କି ଅପୂର୍ବ ମଧୁର ସମ୍ମିଳନୀ ! ପଞ୍ଚପତିଙ୍କୁ ଯାଜ୍ଞସେନୀ ଯେଉଁପରି ଭାବେ ପ୍ରେମରେ ଲାଳନ-ପାଳନ କରୁଥିଲେ—ସେ ପ୍ରେମ କି ଅଦ୍ଭୂତ ! ସେହି ପ୍ରେମ ସେ କେଉଁଠାରୁ ପାଉଥିଲେ ? ସବୁରି ମୂଳରେ ସେହି ପରମ ପ୍ରେମମୟ ପୁରୁଷ ଶ୍ରୀକୃଷ୍ଣ ସିନା । କୃଷ୍ଣ-ପ୍ରେମର ସ୍ପର୍ଶ ମାତ୍ର ନ ପାଇଲେ, ଆମେ ପାର୍ଥିବ ମାନେ କେବଳ ସ୍ଥୂଳ ପ୍ରାପଞ୍ଚିକ ଯୌନ-ପ୍ରଦେଶରେ ହନ୍ତସନ୍ତ ହୋଇ ଅନ୍ୟକୁ ହନ୍ତସନ୍ତ କରୁଥାଉଁ । ଏ ଗଳ୍ପଟି ନିଶ୍ଚେ ଓଡ଼ିଆ ସାହିତ୍ୟରେ ଅମର ହୋଇ ରହିବ ।

 

ଇତି ମଧ୍ୟରେ ପ୍ରତିଦିନ ଟ୍ରେନରେ ବସି ଭୁବନେଶ୍ୱରରୁ ପୁରୀ ଯିବାବେଳେ ସେଇ ଟ୍ରେନରେ ବସି ବସି ଆପଣଙ୍କ “ଅସ୍ତିରୁ ନାସ୍ତି” ପାଣ୍ଡୁଲିପିଟିକୁ ଆମୂଳଚୂଳ ପଢ଼ି ସାରିଦେଲି ଏବଂ ଆପଣଙ୍କ ଅନୁମତି ନ ନେଇ ଅତ୍ରତତ୍ର କିଛି ପରିବର୍ତ୍ତନ ସାମାନ୍ୟ କରି ଦେଇଛି । ମାଷ୍ଟ୍ରିଆ ସ୍ଵଭାବତ । ଗଳ୍ପଗୁଡ଼ିକ ମତେ ଖୁବ୍ ଭଲ ଲାଗିଲା । କେତୋଟି ଗଳ୍ପ ତ ଖୁବ୍ ଉତ୍କୃଷ୍ଟ ମନେହେଲା । ସବୁ ଗଳ୍ପରେ ଆପଣଙ୍କ ଶିଳ୍ପୀ-ଅନ୍ତରର ନିଷ୍କପଟ ଆନ୍ତରିକତା, ସଜୀବତା ଓ ଗଭୀର ଅନୁଭବଶୀଳତା ପ୍ରକାଶ ପାଇଛି । ଘଟଣାଗୁଡ଼ିକରେ ସମାବେଶ ଓ ଚରିତ୍ର ଗୁଡ଼ିକର ବିଶ୍ଳେଷଣାତ୍ମକ ବର୍ଣ୍ଣନା ଯେପରି ଚିତ୍ରଧର୍ମୀ, ସେହିପରି ବ୍ୟକ୍ତିତ୍ଵ-ପ୍ରକାଶକ । ତଦୁପରି ଆପଣଙ୍କର ଶିଳ୍ପୀ-ଜନୋଚିତ ରସିକତା (sense of humour) ସର୍ବତ୍ର ଖୁବ୍ ପ୍ରାଣବନ୍ତ ରୀତିରେ ପ୍ରକାଶ ପାଇଛି । ସର୍ବୋପରି ସବୁ ଗଳ୍ପର କଳାତ୍ମକ ପରିଣତିର ପ୍ରଭାବ ମଧ୍ୟ ଉଚ୍ଚ-ଚେତନାର ଦ୍ୟୋତକ । “ଆତ୍ମାର ଯୌନକ୍ରୀଡ଼ା” ଗଳ୍ପଟି ଖୁବ୍ ଭଲ ହୋଇଛି । ମାତ୍ର ମୋର କିପରି ମନେହୁଏ—ଏଥିରେ ଲୀଳା ଭାଗଟି ଅପେକ୍ଷା ତତ୍ତ୍ଵବ୍ୟାଖାନ ଟିକିଏ ଅଧିକ ହୋଇଯାଇଛି ପରା । “ନାରୀ ତଟିନୀ ରାଜକନ୍ୟା” ଗଳ୍ପଟିର ପରିବେଶ ଏତେ ଜୀବନ୍ତ ଓ ଛବିଳ ଯେ ତାହା ବର୍ତ୍ତମାନ ସୁଦ୍ଧା ମୋର ମନ ଭିତରେ ସ୍ଵପ୍ନ ପ୍ରାୟ ଲାଖିରହିଛି ।

 

ଅନ୍ୟାନ୍ୟ ଗଳ୍ପଗୁଡ଼ିକ ନିଶ୍ଚିନ୍ତ ଭାବେ ଗଳ୍ପ ରଚନାରେ ଆପଣଙ୍କର ପ୍ରତିଭା ଓ ସ୍ଵତନ୍ତ୍ର୍ୟର ସ୍ୱାକ୍ଷର ବହନ କରିଛନ୍ତି । ମୋର ଦୃଢ଼ ବିଶ୍ୱାସ, ଏ ଗଳ୍ପଗୁଡ଼ିକ ଗଳ୍ପାମୋଦୀମାନଙ୍କୁ ଆନନ୍ଦ ଓ ଆଲୋକଦେବାରେ ସମର୍ଥ ହେବ ।

 

ଆପଣଙ୍କ ସହିତ ଯେତିକି ମିଶିଛି—ସେତିକିରେ ଆପଣଙ୍କ ଉପରେ ମୋର ଖୁବ୍ ଉଚ୍ଚ ଧାରଣା ହୋଇଯାଇଛି । ଆପଣ ରସଜ୍ଞ, ବୋଧା ଏବଂ ପ୍ରତିଭାବାନ୍ । ମନୁଷ୍ୟର ଚରିତ୍ର ବୁଝିବା ଲାଗି ଓ ଜୀବନକୁ ବୁଝିବା ଲାଗି ଯେଉଁ ଧରଣର ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ଜଣେ କଥାକାରର ରହିବା କଥା ତାହା ଆପଣଙ୍କର ନିଶ୍ଚୟ ରହିଛି । ଗଳ୍ପ ଲେଖିବା ସହଜ କଥା ନୁହଁ ଆଦୌ । ତା’ ଛଡ଼ା, ଗଳ୍ପଟିଏ ଲେଖିବା ଅପେକ୍ଷା, ଏ ପୃଥିବୀକୁ ଗଳ୍ପଦୃଷ୍ଟିରୁ ଦେଖିବା ଓ ବୁଝିବା ଖୁବ୍ ଅଧିକ କଷ୍ଟକର ବ୍ୟାପାର । ବହୁ ଲେଖକ ଫନ୍ଦାଫନ୍ଦି କରି ଗୀତ କବିତା ଲେଖନ୍ତି—ଗଳ୍ପ, ଉପନ୍ୟାସ ବି ଲେଖନ୍ତି । ମାତ୍ର ଫନ୍ଦାଫନ୍ଦି ଜିନିଷ କିଛି ନୁହଁ । ଅସଲ ହେଲା ସ୍ଵକୀୟ ଅଭିଜ୍ଞତା ଓ ଅନୁଭୂତି । ମଣିଷ ସଙ୍ଗେ ଘେନାଘେନି ଘନିଷ୍ଠ ସମ୍ପର୍କ ଥାପି ନ ପାରିଲେ ଓ ଅନ୍ୟପାଖରେ ନିଜକୁ ସମର୍ପି ନ ପାରିଲେ ଓ ଅନ୍ୟକୁ ନିଜ ଭିତରକୁ ଟାଣିଆଣି ନ ପାରିଲେ, କେହି ମଣିଷକୁ ବୁଝି ପାରେନା । ମଣିଷର ମର୍ମକଥା ବା ମର୍ମବ୍ୟଥା ମର୍ମାନନ୍ଦକୁ ନ ବୁଝିଲେ କି ଗଳ୍ପ କିଏ ଲେଖିପାରିବ ? ମୋର ବିଶ୍ୱାସ, ଜଣେ ଉଚ୍ଚକୋଟୀର ଗାଳ୍ପିକ ହେବା ଲାଗି ଯେଉଁ ଯୋଗ୍ୟତା ଓ ସମ୍ଭାବନା ଥିବା ଉଚିତ, ତାହା ଆପଣଙ୍କ ପାଖେ ନିଶ୍ଚୟ ରହିଛି । ଆପଣ ସାଧନା କରି ଚାଲନ୍ତୁ । ଓଡ଼ିଆ ଗଳ୍ପ ସାହିତ୍ୟରେ ଆପଣ ନିଶ୍ଚେ ଦିନେ ପ୍ରତିଷ୍ଠା ଲାଭ କରିବେ ।

 

ଏହି ପାଣ୍ଡୁଲିପିଟି ଓଡ଼ିଆ ବୁକଷ୍ଟୋରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ଚରଣ ପାତ୍ର ଛପାଇବାର ଦାୟିତ୍ଵ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ନୂତନ ପ୍ରତିଭାକୁ ଉତ୍ସାହିତ କରିବାରେ ସେ ଅକୃପଣ ଓ ଅକୁଣ୍ଠିତ । ବହିଟି ଡିସେମ୍ବର ସୁଦ୍ଧା ପ୍ରକାଶ ପାଇଯିବ । ମହାଶୟ ନିଶ୍ଚିତ ଜାଣିବେ; ଆଉ ଅଧିକ କି ଲେଖିବି ? ଶ୍ରୀମାଙ୍କ କୃପାରୁ ଆପଣ ସର୍ବେବ କୁଶଳରେ ଥିବେ ବୋଲି ଆଶା କରୁଛି । (ଇତି)

 

 

ଆପଣଙ୍କ ଗୁଣମୁଗ୍ଧ ଶୁଭାମୁଧ୍ୟାୟୀ

ତା ୧୫ । ୪ । ୮୧

ମହାପାତ୍ର ନୀଳମଣି ସାହୁ

 

ଭୁବନେଶ୍ୱର

Image

 

ସୂଚୀପତ୍ର

 

୧.

ନାରୀ-ତଟନୀ-ରାଜକନ୍ୟା

୨.

ମୃଗକନ୍ୟା

୩.

ମଧ୍ୟାହ୍ନର କର୍ମଯୋଗ

୪.

କୃଷ୍ଣା ଓ କୃଷ୍ଣ

୫.

ଭଗ୍ନାବଶେଷ

୬.

ନିର୍ବାଣ ଶୋଭା

୭.

ଦୃଷ୍ଟି ଓ ଦୃଶ୍ୟ

୮.

ଦୁର୍ଯୋଗ ଯୋଗ

୯.

ଅପରିଶୋଧନୀୟ

୧୦.

ରାମନାମ ସତ୍ୟ

୧୧.

ତରୁଣୀ ଥିଲେ ବୋଲି

୧୨.

ଶୋଭନା ଶୋଭାହୀନା

୧୩.

ଆତ୍ମାର ଯୌନକ୍ରୀଡ଼ା

୧୪.

କିଛି ନାହିଁ

Image

 

ନାରୀ ତଟିନୀ ରାଜକନ୍ୟା

 

ରାମନଗର

ପନ୍ଦର-ସେପ୍ଟେମ୍ୱର, ଅଠଷଠୀ ।

 

ଅନ୍ତରର ଚିତ୍ରସେନ,

 

ଏ ଚିଠିଟି ତୁମକୁ କିପରି ଲାଗିବ ଜାଣେନା, ତଥାପି କୌଣସି ଆଶଙ୍କା ନ କରି ଲେଖୁଛି-। ତୁମମାନଙ୍କ ପରି ଅବିବାହିତ ପୁରୁଷମାନଙ୍କୁ ଚିଠି ଲେଖିବାରେ ସବୁ ରମଣୀ ପ୍ରାୟ କିଛି ନା କିଛି ଆଶଙ୍କା କରି ବସନ୍ତି । ଏହାଦ୍ଵାରା ତୁମର ଅବିବାହିତ ପଣିଆକୁ ଜଣେ ନାରୀ ନିନ୍ଦିତ କରୁଛି ବୋଲି ଭାବିବି ନାହିଁ କି ଭୟ କରୁଛି ବୋଲି ଭାବିବି ନାହିଁ । ବିଶେଷତଃ ସେ ନାରୀ ମୁଁ ନୁହେଁ ।

 

ନାରୀ ମୁଁ । ଛନ୍ଦମୟୀ ତଟିନୀ ପରି ଚପଳ ଛଳ ଛଳ ଭଙ୍ଗୀରେ ବହିଯିବା ମୋ ଜୀବନର ଧର୍ମ । କିନ୍ତୁ ତା’ର ଏ ଖେଳାଲୋଳା ଖଞ୍ଜନ ଗତି କି ସାଗର ସଙ୍ଗମରେ ଆଉ ରହିଛି । ପହିଲି ବିବାହିତ ଜୀବନର ସାଗରବେଳାରେ ଦିନାକେତେ ସେ ଲହରୀର ଲୀଳା ସାଙ୍ଗ କରିବା ପରେ ଆସେ ଗଭୀର ସାଗରର ନିଶ୍ଚଳତା । ଛଳ ଛଳ ଭଙ୍ଗୀ ଯାଏ । କୁରୁଙ୍ଗୀ, କଟାକ୍ଷ ମରେ । ମଧୁରତା ଲବଣାକ୍ତ ହୋଇଯାଏ । ଏଭଳି ଜୀବନଟା କେଜାଣି ପୁରୁଷମାନଙ୍କୁ ଭଲ ଲାଗିପାରେ ! କିନ୍ତୁ ନାରୀର ସେ ଧର୍ମ ନୁହେଁ । ଅନ୍ତତଃ ମୋ ପରି ନାରୀର ।

 

ସାଗର ମଝିରେ ପ୍ରଶାନ୍ତିର ନିଗଡ଼ ବନ୍ଧନରେ ବନ୍ଦୀ ରହି ତଟିନୀ କ’ଣ କମ୍ ଛଟପଟ ହୁଏ ? ସାଗର ତା’ ପୁରୁଣା ଦୀକ୍ଷା ଦେଇ କହେ—“ତଟିନୀ, ତୁମେ ପରା ଏହି ସାଗରକୁ ପାଇବା ପାଇଁ ପର୍ବତର କଣ୍ଟାଖୁଞ୍ଚ ନ ମାନି, ଟାଙ୍ଗର ଭୂଇଁର ପଥୁରିଆ ବନ୍ଧୁର ଦେହରେ ରକ୍ତାକ୍ତ ହୋଇ, କୃଷକର ଫସଲ ଉଜାଡ଼ି ବ୍ୟାକୁଳ ମନରେ ଧାଇଁ ଆସିଥିଲ ? ଆଜି ପୁଣି ଉଚ୍ଛନ୍ନ ହେଉଛ, କେଉଁଆଡ଼େ ବହିଯିବ ? ସାଗର ତୁମର ଉପାସ୍ୟ ଦେବତା, ସେ ତୁମର ଇହକାଳର ଗତି, ପରକାଳର ମୁକ୍ତି ।”

 

ବନ୍ଧନ ରଜ୍ଜୁଟି ଅଧିକ ହୋଇଯାଏ ମୋ ଚାରିପଟେ ଦେହ ଓ ମନକୁ ଅଧିକ ପୀଡ଼ିତ କରି । ହଲଚଲ ହେବାକୁ ଉପାୟ ନାହିଁ । ମୁକ୍ତିପଥ ବା କାହିଁ ? ମୁକ୍ତି ଯେତେବେଳେ ଅସମ୍ଭବ, ସେତେବେଳେ ମୁକ୍ତି ଦିଅ କହି ବିକଳ ଅନୁରୋଧ କରିବାଦ୍ୱାରା କାର୍ଯ୍ୟସିଦ୍ଧ ହୁଏ ନାହିଁ । କେବଳ ଆନୁଗତ ପ୍ରକାଶ କରି ସାଗରକୁ ଆୟତ୍ତ କରାଯାଇପାରେ । ତୁମେ ଭାବିବନି, ନାରୀ ଛଳନା କରେ, ନାରୀର ଧର୍ମ ଛଳନା କରିବା ଏବଂ ମୁଁ ଛଳନା କରୁଛି । କହିଲ, ସାଗର ତା’ର ଅସାମର୍ଥକୁ ଅପ୍ରକାଶ୍ୟ ରଖିବା ପାଇଁ ମୋ ପାଖରେ ଛଳନା କରେ ନାହି ? ତା’ର ନିଶ୍ଚଳତା ଏକ ମସ୍ତବଡ଼ ଅସାମର୍ଥ୍ୟ ନୁହେଁ ତ ଆଉ କ’ଣ ?

 

ରୂପସୀ ରାଜକନ୍ୟା ଦାନ୍ତୁରା ବୁଢ଼ା ଅସୁରର ଅନୁଗତ ହୋଇଯାଏ । ସନ୍ଧ୍ୟାବେଳେ ଯେବେ ଅସୁର ଫେରେ, ରାଜକନ୍ୟା ହସି ହସି ତାକୁ ସ୍ୱାଗତ ଜଣାଏ । ଖୁସି କରାଏ । ଅସୁର ଖୁସି ହୋଇ ଉଠୁଥିବ, କାରଣ ଦୀର୍ଘକାଳର ବହୁ ପ୍ରଲୋଭନ ପରେ ଏ ଦୁର୍ଦ୍ଦାନ୍ତ ନାରୀ ବଶୀଭୂତ ହୋଇଛି । କିନ୍ତୁ ରାଜକନ୍ୟାର ହସ ହସ ସମ୍ବର୍ଦ୍ଧନାର ପ୍ରତିଦାନରେ ଅସୁର ହସିପାରେ ନାହିଁ ।

 

ନ ହସିବା ହିଁ ଭଲ । କାରଣ ସେ ମୁହଁରେ ପାହାଡ଼ିଆ ଦାନ୍ତଗୁଡ଼ିକ ଆହୁରି ଭୟଙ୍କର ହୋଇଉଠନ୍ତା । ବସ୍, ଏଇ ସମ୍ବର୍ଦ୍ଧନା ଟିକକ ସେ ଅସୁରକୁ ଲୋଡ଼ା କ୍ଳାନ୍ତ ଅସୁର ସନ୍ଧ୍ୟାରୁ ଦିବସ ଦୁଇଘଡ଼ି ଯାଏ ନିଘୋଡ଼ ନିଦ୍ରାଯାଏ । ଏଣେ ରାଜକୁମାରୀ ତା’ ପ୍ରକୋଷ୍ଠରେ ଛଟପଟ ହୁଏ ମୁକ୍ତି ପାଇଁ । କେବେ ସେ ସୁଯୋଗ ଆସିବ, ବୁଢ଼ା ତା’ର ଜୀବନଶୁଆ କେଉଁଠାରେ ରଖିଛି କହିଦେବ ।

 

ସେଇ ପ୍ରକୋଷ୍ଠରେ ତଟିନୀର ମନେପଡ଼େ—ତା’ ଅରଣ୍ୟ-ଜନ୍ମ କାହାଣୀ । ସେଇଠି ତା’ର ଶୈଶବକାଳ ମଧୁମୟ ହୋଇଛି । ଦୁଇ ପାଖରେ ଦୁଇଟି ପାହାଡ଼ । ମଝିରେ ସେ ଗଡ଼ି ଗଡ଼ି କେତେ ହସିଛି, ଧୂଳି ଖେଳିଛି, ପଥର ଫିଙ୍ଗିଛି ! ଚିକିଟା କଳାପଙ୍କ ମୁହଁରେ ବୋଳିଛି ! ପାର୍ଶ୍ଵ ତରୁପତ୍ରରୁ ଟପ୍ ଟପ୍ ବର୍ଷାବିନ୍ଦୁ ଝରିଛି ତା’ ଉପରେ । ପତ୍ର ପୁଷ୍ପ ପଡ଼ିଛି ତା’ ଶିରରେ । ମୟୂର ନାଚିଛି । ମେଘ ମହୁରୀ ଫୁଙ୍କିଛି ! ଭରତିଆ, କପୋତ ମିଶି ହୁଳହୁଳି ଦେଇଛନ୍ତି ! ବାହା କରୁଛନ୍ତି ବୋଲି କୌତୁକ କରି ତା’ ମୁହିଁ ନାଲି କରି ପକାଇଛନ୍ତି ! ସେ ରାଗରେ ତାଙ୍କୁ ମୁହଁ ମୋଡ଼ି, ଦାନ୍ତ ଦେଖାଇ ଖତେଇ ହୋଇ ଦୁମ୍ ଦୁମ୍ ହୋଇ ଗଡ଼ିଯାଇଛି ତଳକୁ !

 

ବାଃ, ଏତେ ଆଲୋକ । ପିତାମାତାଙ୍କ ପର୍ବତଗୃହ ଛାଡ଼ି ଆସିଲା ପରେ ବାହାରେ ଏତେ ଉତ୍ସବ । ଏଇ ତ ମୁକ୍ତିର ଆଲୋକ ।

 

ସଞ୍ଜ ସକାଳର ରଙ୍ଗିଲା କିରଣରେ ତା’ କିଶୋରୀ ମୁହଁ ରଙ୍ଗିନ୍ ହୋଇଉଠିଲା । ଦିପହରର ରୂପା ଆଲୋକରେ ଗୌରୀ ହୋଇଉଠିଲା । ପଥର ଶଯ୍ୟା ତାକୁ କେତେ ଅନୁରୋଧ କରିଛି, ଅଟକି ଯିବାପାଇଁ । ଛି, ଛି, ସେଠି କି କିଏ ରହେ ? ଆଲୋକର ଆହ୍ୱାନରେ ସେ ଧାଇଁ ଧାଇଁ ଚାଲିଲା ଆଗକୁ । ପଥରେ ଟାଙ୍ଗରା ମାଙ୍କଡ଼ା ଭୂଇଁ ତାକୁ ଅଟକାଇ ଦେବାପାଇଁ ଭାରି ବଳ ପ୍ରୟୋଗ କଲା । କିନ୍ତୁ ଦେହକୁ କ୍ଷତବିକ୍ଷତ କରି ତା’ କବଳରୁ ସେ ଖସି ଆସିଲା ଆଗକୁ ।

 

ପାଖ ଆଖରୁ ଆଉ କେତେ ଜଳଧାର ତା’ ଦେହରେ ମିଶିଗଲେ । ସେ ବଢ଼ିଲା ହୋଇଗଲା । କିଶୋରୀ ଗୌରୀପଣ ତା’ର ଗଲା । ସେ ଯୁବତୀ ହୋଇଗଲା । ଯୌବନର ତେଜ ତା’ ଭିତରେ ଉଚ୍ଛୁଳି ଉଠିଲା । କୃଷାଣର ସବୁଜ ଶସ୍ୟକ୍ଷେତ୍ରରେ ମାଡ଼ିଚାଲିଲା କୂଳ ଲଙ୍ଘି । ସେ ଯେମିତି ଆଉ ମୁହୂର୍ତ୍ତେ ଏଠି ନ ରହେ ! କୃଷି କ୍ଷେତ୍ରରେ କେତେ କୃଷକ ନରନାରୀ ଭେଟିଛି । ସଙ୍ଗୀତମୟୀ କୃଷକ-କନ୍ୟା ଭେଟିଛି । କୃଷକ ଯୁବାଙ୍କୁ ଥଟ୍ଟାରେ ଠେଲିଦେଇ ହସି ଉଠିଛି । ତା’ର ମନ, ଏ ସମସ୍ତଙ୍କୁ ନେଇ ପଳାଇଯିବ ମୁକ୍ତି ପଥରେ ।

 

ଏଥର ଗତି ତା’ର ମନ୍ଥର ହୋଇଆସିଲା । ସମତଳ ଶଯ୍ୟାରେ ମନ୍ଥର ହେବାକୁ ପଡ଼େ-। ନୋହିଲେ କିଏ କେତେ କଥା କହିବେ । ଗତି ଧୀର ହେଲା ସିନା, ଆଖିରେ କୁରଙ୍ଗୀର ଚପଳତା ଦେଖାଦେଲା । ଚଞ୍ଚଳ ହୋଇ ଉଠିଲା ଅନ୍ତରଟା ନୟନ ପଥଦେଇ, କିନ୍ତୁ ବାହାରଟାକୁ ଗମ୍ଭୀର କରିଦେଲା ଗଜ ଗମନରେ । ତା’ପରେ ବିବାହ ତୁମର ଏ ସାଗର ଭାଇ ସହିତ ।

 

ଏବେ ମୋର ମନେ ପଡ଼ୁଛି, ଅଭିଆଡ଼ୀ ଝିଅର ସେ ଛଳନାକରା ଗାମ୍ଭୀର୍ଯ୍ୟ ! କିଶୋରୀ ବୟସର କୁରଙ୍ଗ-ଗତି ଭାରି ଅସ୍ଥିର କରିଛି । ଶୈଶବର ଧୂଳିଖେଳ ସ୍ୱାପ୍ନାବିଷ୍ଟ କରୁଛି । ଏସବୁ ସେତେବେଳେ ବନ୍ଧନ ପରି ମନେ ହେଉଥିଲେ ମଧ୍ୟ, ବର୍ତ୍ତମାନ ସେସବୁ ତା ପାଖରେ ମଧୁମୟ ହୋଇଉଠିଛନ୍ତି ।

 

ସେ ମଧୁର ସ୍ମୃତି ଏବେ ବି ମୋତେ ଆହ୍ୱାନ କରୁଛି ଫେରିଯିବାକୁ ସେ ପଥରେ । କିନ୍ତୁ ତୁମେ ଜାଣ, ସେ ପଥରେ ଫେରିଯିବା କେତେ ଦୁଷ୍କର । ଅସୁର ବୁଢ଼ାର ଅନ୍ତଃପୁରରୁ ଖସି ପଳାଇବାକୁ ପଥ କାହିଁ ?

 

ଚିତ୍ରସେନ, ଚିଠିଟା ଭାରି ଦୀର୍ଘ ହୋଇ ଯାଉଛିନା ? ଏସବୁ ପଢ଼ିବାକୁ ତୁମକୁ ଭଲ ଲାଗିବ କି ନା ଜାଣେନା । ତେବେ ଏସବୁ ଲେଖିବାକୁ କେତେ ଭଲଲାଗେ ! ତୁମେ ଅବିବାହିତ । ପୁରୁଷ ହେଲେ ବି ଅବିବାହିତ ମନଟା ପୁଅ, ଝିଅ ବୋଲି କିଛି ଅଲଗା ନାହିଁ । ତୁମ ପାଖକୁ ଏ ପତ୍ର ଲେଖିଲାବେଳେ ମୋର ସେ ଅତୀତ ଅଭିଆଡ଼ା ଜୀବନଟା ଚେଇଁ ଉଠୁଛି ମୋ ଭିତରେ । ଲେଖା ବନ୍ଦ କରିବାକୁ ମନ ହେଉନି । ସେ ରଙ୍ଗିନ୍ ଜୀବନଟା ଫିଙ୍ଗି ଦେବାକୁ କାହାରି କି ଇଚ୍ଛା ହୁଏ ?

 

ଭାଇ କହୁଥିଲେ, ତୁମେ ବର୍ତ୍ତମାନ ବିବାହୋତ୍ତୀର୍ଣ୍ଣ ବୟସରେ, କିନ୍ତୁ ବିବାହ କରିବନି । ଭଲ କରିଛି । ସେ ଜୀବନଟା ସଦା ସରସ ହୋଇ ରହିଥାଉ । ସ୍ଥବିରତା ସେ ଜୀବନର ସୀମା ମାଡ଼ିବାକୁ ସବୁବେଳେ ଡରୁଥାଉ । ମୋରି ଭଳି ତ ତୁମର ଅତୀତଟା କ୍ଷତବିକ୍ଷତ ହୋଇପାରିବନି ! ଅତୀତଟା ବର୍ତ୍ତମାନରେ ବନ୍ଦୀ ହୋଇ ରହିଛି ଓ ରହିଥିବ, ତୁମେ ଇଚ୍ଛା କରୁଥିଲାଯାଏ !

 

କେବଳ ସେ ସ୍ମୃତିଟି ମୋର ସମ୍ବଳ ହୋଇ ରହୁ । ମୋ ଅନ୍ତରର ଉଛୁଳା ପ୍ରୀତି ନେବ । ରହିଲି । ଇତି ।

 

ତୁମ ସ୍ନେହର,

ନୂଆବୋଉ ।

 

ଠିକଣା :

ରେଣୁକା ଦେବୀ

ସ୍ୱାମୀ: —ଶ୍ରୀ ଶଙ୍କର ପ୍ରସାଦ ଦାସ

ଡେପୁଟୀ କଲେକ୍ଟର, ରାମନଗର,

ଜିଲ୍ଲା: —କଟକ ।

 

X X X

 

ରାମନଗର,

ତା ୧୫ । ୧୦ । ୬୮

 

କଲ୍ୟାଣୀୟ ଚିତ୍ରସେନ,

 

ମୋର ଗତ ଚିଠିଟି ପଢ଼ି କ’ଣ ଭାବିଲି କେଜାଣି । ଦୀର୍ଘ ଏକମାସ ବିତିଗଲା, ଉତ୍ତର ଦେଲ ନାହିଁ । ଏଇଥିପାଇଁ ସବୁ ରମଣୀ ଅବିବାହିତ ଯୁବକମାନଙ୍କୁ ଡରନ୍ତି । ତମେ ତ ଜାଣିଛ, ମୁଁ ଡରିବାବାଲୀ ନୁହେଁ । ହୋଇଥିଲେ ପୁଣି ଚିଠି ଲେଖନ୍ତି କି ? ତୁମ ଉତ୍ତରକୁ ଚାହିଁ ଚାହିଁ ଆଖିରୁ ପାଣିମଲା ପଛେ ଉତ୍ତର ମିଳିଲା ନାହିଁ । ପ୍ରଥମ ପନ୍ଦର ଦିନର ଉତ୍କଣ୍ଠିତ ପ୍ରତୀକ୍ଷା ପରେ ଭାବିଲି, ଆଉ ଉତ୍ତର ଆସିବ ନାହିଁ । ଉତ୍ତର ନ ଦେବାର କାରଣ ଖୋଜି ବସିଲି । ମୋ ଚିଠିର ସବୁ ତ୍ରୁଟି । ଏଥିରେ ତୁମେ କିପରି ଉତ୍ତର ଦିଅନ୍ତି ?

 

ପ୍ରଥମେ ତୁମେ ସନ୍ଦେହରେ ପଡ଼ିଥିବ, ମୁଁ କିଏ ? ନୂଆବୋଉ ସିନା, ଏ କେଉଁ ନୂଆବୋଉ ? ଆଗରୁ କେବେ ପରିଚୟ ନାହିଁ, ଦେଖା ନାହିଁ, ଶୁଣିଥିଲେ ଖାଲି ଶୁଣିଥିବ ।

 

ଦ୍ଵିତୀୟରେ ତୁମ ଭାଇଙ୍କ ବିରୁଦ୍ଧରେ ମୋର ଅଭିଯୋଗ ତୁମକୁ ଭଲ ଲାଗି ନ ଥିବ । ତୁମର ସହୋଦର ଭାଇ ନ ହେଲେ ବି ତୁମରି ପୁରୁଷ ଜାତି ତ । ତେଣୁ ଜାତି ଭାଇଙ୍କଠାରୁ ଏକାନ୍ତ ନାରୀଧର୍ମୀ ଏ ରମଣୀଟି ଉତ୍ତର ଆଶା କରିବା ବୃଥା ।

 

ପୁଣି ଚିଠିରେ ତ ଖାଲି ମୋ ମନକଥା ଲେଖିଗଲି; ସେଥିରେ ତୁମ କଥା ଜାଣିବା ପାଇଁ କିଛି ଗୋଟାଏ ପ୍ରଶ୍ନ କରିପାରି ନାହିଁ—କିମିତି ଅଛ ? ବାଡ଼ୁଅ ଜୀବନଟା କେମିତି ଲାଗୁଛି ? ମାଳୁଆ ଜଳବାୟୁ ବାଡ଼ୁଅ ଦେହରେ ଯାଉଛି ତ ? ଆଦିବାସୀ ଝିଅଗୁଡ଼ାକ ଭାରି ଟାଣୁଆ ବୋଲି କହନ୍ତି, ସତ କି ? ଏମିତି କେତେ କ’ଣ ତ ପଚରାଯାଇ ପାରିଥା’ନ୍ତା ?

 

ତା’ପରେ ମୋର ଉଚିତ ଥିଲା, ଉତ୍ତର ଦେବାକୁ ଅନୁରୋଧ କରିବା । ଉତ୍ତର ଦେବାକୁ ଅନୁରୋଧ ନ କରି ଉତ୍ତରକୁ ଅପେକ୍ଷା କରିବା କେତେ ମୁର୍ଖତା ସତେ !

 

ଏସବୁ ଭାବିଲେ କୁହାଯାଇ ପାରିବ—ମୋର ସେ ଚିଠିଟି, ଚିଠି ତ ନୁହେଁ, ଗୋଟିଏ ତ୍ରୁଟି ।

 

ଆଚ୍ଛା କହିଲ, ଚିଠି ଦେବାକୁ ଅନୁରୋଧ ସିନା କରି ନ ଥିଲି, ମୋ ଠିକଣାଟି ଦେଇ ନ ଥିଲି ? ସେ’ଟା କ’ଣ ପ୍ରତ୍ୟୁତ୍ତର ପାଇବାର ଦାବୀ ନୁହେଁ ?

 

ତୁମ କଥା ପଚାରି ନାହିଁ ସତ, କିନ୍ତୁ ମୋ ମନ କଥାରୁ କିଛି କ’ଣ ଠଉରେଇ ପାରିଲ ନାହିଁ ଯେ, ମୁଁ ତୁମ କଥା ଜାଣିବାକୁ ବ୍ୟାକୁଳ ହୋଇ ଉଠିଥିବି ? ତୁମେ ସବୁ ପୁରୁଷ ଜାତି ପରା ନାରୀର ମନକଥା ଭାରି ଜାଣିପାରି ବୋଲି ଡିଣ୍ଡିମ ପିଟ ? ତୁମ ଭାଇଙ୍କଠାରୁ ଶୁଣିଛି, କେବଳ ନାରୀର ମନକଥା ଜାଣିବାପାଇଁ କୁଆଡ଼େ ତୁମ ପୁରୁଷଜାତିର ଜନ୍ମ !

 

ତୁମ ଭାଇଙ୍କ ପ୍ରତି ଯେଉଁ ଅଭିଯୋଗ କରିଛି ବୋଲି ଭାବିଛି, ସେ’ଟା କ’ଣ ସତରେ ଅଭିଯୋଗ ? ସବୁ ତଟିନୀ କ’ଣ ସାଗର ପୁରୀରେ ଛଟପଟ ହୁଅନ୍ତି ? ଯେଉଁମାନେ ସାଗରକୁ ମୁକ୍ତିର ପରମଧାମ ବୋଲି ମନେ କରନ୍ତି, ସେମାନେ କାହିଁକି ଛଟପଟ ହେବେ ? ସେମାନେ ପରା ନିଜ ନିଜର କର୍ମ ଅନୁମାପ କିଏ ପଦରେ, କିଏ ବକ୍ଷରେ, କିଏ ମସ୍ତକରେ ଶାନ୍ତ ନିଶ୍ଚଳ ନିର୍ବାଣ ଭୋଗନ୍ତି । ଦେଖୁନା, ସାଗରରେ କେତେ ତଟିନୀର ସଂଯୋଗ ! ସାଗର କହିଲେ ଆଉ କ’ଣ କି ? କେବଳ ବହୁ ସତ୍ତା ବିଲୁପ୍ତ ତଟିନୀର ଗୋଟାଏ ଅନନ୍ତ ଅକୂପାର ରୂପ ତ ! ଏ ରୂପକୁ ଅରୂପ କୁହାଯାଇପାରେ, ସରୂପ ବି କୁହାଯାଇ ପାରେ । ଏହିପରି ସେ “ହଁ—ନାହିଁ”ର ଏକ ବିରୋଧାଭାସ-। ଅଛି ଭାବିଲେ ଅଛ, ନାହିଁ ଭାବିଲେ ନାହିଁ । ଅସ୍ତି କହି ଆସ୍ତିକ ଯେଉଁଠି ପହଞ୍ଚିବ, ନାସ୍ତି କହି ନାସ୍ତିକ ସେଇଠି ପହଞ୍ଚିବ । ଚେତସ ଧ୍ୟାନରତ ହୋଇ ଯେଉଁ ଆଲୋକମଣ୍ଡଳର ଅସ୍ତିତ୍ୱ ଘୋଷଣା କଲେ, ବୁଦ୍ଧ ଧ୍ୟାନରତ ହୋଇ ତାହାକୁ ହିଁ ଶୂନ୍ୟମଣ୍ଡଳ କହି ନାସ୍ତିତ୍ୱ ଘୋଷଣା କଲେ ।

 

ହଁ, ତୁମ ଭାଇଙ୍କ କଥା କହୁ କହୁ କଲେଜ ଜୀବନର ଦର୍ଶନ କ୍ଳାସରେ ପହଞ୍ଚିଗଲି । ଏଇମିତି ଅନେକ ସମୟରେ ଅତୀତର ସ୍ମୃତି ବର୍ତ୍ତମାନକୁ ଚାଲିଆସେ । ଭାବୁ ଭାବୁ କ’ଣ ଭାବିଯାଏ, ଲେଖୁ ଲେଖୁ କ’ଣ ଲେଖିଯାଏ !

 

ବାସ୍ତବରେ ତୁମପରି ଯାହାର ଅତୀତ ଓ ବର୍ତ୍ତମାନ ସମାନ, ଅତୀତକୁ ଯେ ବର୍ତ୍ତମାନ ଭିତରେ ମିଶାଇ ରଖିଛନ୍ତି, ତାଙ୍କରି ଜୀବନ ଧନ୍ୟ । ଏହି ଧନ୍ୟ ଜୀବନମାନଙ୍କୁ ଦେଖିଲେ କିମ୍ବା ତାଙ୍କ ସଙ୍ଗେ ସମ୍ପର୍କ ରଖିପାରିଲେ ହଜା ଅତୀତ ଫେରି ପାଇଲା ଭଳି ଲାଗେ ।

 

ଆଚ୍ଛା କହିଲ, ତୁମ ଭାଇ ଯେବେ ମୋତେ ମୁକ୍ତି ଦିଅନ୍ତି, ତେବେ ତୁମ ଭାଇ କ’ଣ ମୋର ସେହି ମଧୁମୟ ଅତୀତରେ ମିଶିଯାଇ ଗୋଟିଏ ସ୍ମୃତି ରତ୍ନରେ ପରିଣତ ହୋଇ ଯାଆନ୍ତେନି-? ଆଉ ସେହି ସ୍ମୃତିରତ୍ନ ମୋ ପାଖରେ କେତେ ମହନୀୟ ହୋଇଉଠନ୍ତା ?

 

ନିର୍ବାଣ କାମନା କରୁ ନ ଥିବା ମୁକ୍ତି ପାଗଳିନୀ ତଟିନୀ ମୁକ୍ତିପାଏ ଜାଣିଛି ? ରବିଙ୍କ ତାପରେ ସେ ଉଠିଯାଏ ବହୁ ଉର୍ଦ୍ଧ୍ଵକୁ । କିନ୍ତୁ ସେଇଠି ସେ ତା’ର ମେଘ ମୁହଁକୁ ଫୁଲେଇ ସକାଏ କାହିଁକି ? ଅଶ୍ରୁ ଝରାଇ ଝରିପଡ଼େ କାହିଁକି ? ଏହି ସାଗର ପାଇଁ କି ନୁହେଁ ?

 

ପୁଣି ଉମା ଜନ୍ମନିଏ ହିମ ପର୍ବତରେ ପାର୍ବତୀ ହୋଇ ତ ? ପାର୍ବତୀର ଶୈଶବ କଟିଯାଏ ପୁଣି ପାର୍ବତ୍ୟ ଭୂମିରେ । ତା’ପରେ ସେ ଉଦ୍ଦେଳିତ ହୋଇଉଠେ ଶଙ୍କରଙ୍କୁ ପାଇବା ପାଇଁ । ଏଥର ତାକୁ କଠିନ ତପସ୍ୟା କରିବାକୁ ପଡ଼େ । ଏହି କଠିନତା ଦ୍ୱାରା ପ୍ରାପ୍ତି ହିଁ ତା’ର ଶାଶ୍ୱତ ପ୍ରାପ୍ତି ।

 

ତଟିନୀ ପୁଣି ଗ୍ରାମ, ପ୍ରାନ୍ତର ଶସ୍ୟକେଦାର ଦେଇ ଉଦବେଳିତ ଯୌବନ ଧରି ବହିଆସେ ତା’ର ପ୍ରିୟ ସାଗର ଭିତରକୁ । ତୁମେ ଭାବୁଥିବ, ସାଗରକୁ ଆସିବା ଯେବେ ସତ୍ୟ, ତେବେ ସାଗରରୁ ମୁକ୍ତି ଅଭିଳାଷ କାହିଁକି ? ଭାବିଲ, ଜଗତ କଲ୍ୟାଣ ପାଇଁ ମୁକ୍ତି ପାଗଳୀ ତଟିନୀରେ ଏହି ମୁକ୍ତି ନିର୍ବାଣ ଅପେକ୍ଷା ବେଶି କାମ୍ୟ କି ନୁହେଁ ?

 

ନିର୍ବାଣ ଚରମ ଲକ୍ଷ୍ୟ ହେଲେ ବି ଯଥା କାଳରେ ତାହା ହେବା ଉଚିତ । ରୂପଶ୍ରୀ ରାଜକୁମାରୀ ଯେତେବେଳେ ସଂଘର୍ଷ ଓ ସାଧନା ଦ୍ଵାରା ମହାକାଳ ଦ୍ୱାରରେ ଶ୍ଳଥ ଅଙ୍ଗ ବହନ କରିବ, ସେତେବେଳେ ଜୀବନ ଭଅଁର ଥିବା ଫରୁଆ ଖୋଜିବା କି ଆବଶ୍ୟକ ? ତେଣୁ ସମୟର ସଦୁପଯୋଗ କରି ନିର୍ବାଣ ଲାଭ କରିବାଟା ଯଥାର୍ଥ ପନ୍ଥା । ମୁକ୍ତି, ସ୍ୱର୍ଗ ଓ ନିର୍ବାଣ ଅଲଗା ଅଲଗା କଥା । ସଂସାରରେ ଥାଇ ବି ଜଣେ ମୁକ୍ତ ରହିପାରେ, ସ୍ଵର୍ଗରେ ଥାଇ ବି ଜଣେ ମୁକ୍ତ ହୋଇ ନ ପାରେ । କିନ୍ତୁ ମୁକ୍ତ ନ ହେଲେ ନିର୍ବାଣ ଲାଭ ସମ୍ଭବ ନୁହେଁ ।

 

ତୁମକୁ ଏତେବେଳ ଯାଏଁ ମୋର ପରିଚୟ ନ ଦେଇ ନିତାନ୍ତ ଅପରିଚିତ କଥା ବାଢ଼ି ଚାଲିଛି । ମୁଁ ତୁମର ଗୋଟିଏ ନୂଆବୋଉ ସତ, ତେବେ କେଉଁ ନୂଆବୋଉ ? ମନେ ପକାଅ, ତୁମେ କେଉଁ ଭାଇଙ୍କ ବିଭାଘରକୁ ତାଙ୍କ ଗାଆଁ କୁ ଯାଇଥିଲ, କିନ୍ତୁ ତୁମ ଭାଇ ବରବେଶରେ ଯେତେବେଳେ ଆମ ଗାଆଁକୁ ଆସିଲେ, ତାଙ୍କ ସଙ୍ଗେ ଆସି ପାରିଲ ନାହିଁ ?

 

ତୁମ ଭାଇଙ୍କର ତ କେହି ସହୋଦର ଭାଇ ନାହାନ୍ତି । ସତରେ ଦିଅର ନ ଥିବା ଭାଉଜ ଗୁଡ଼ାକ ଭାରି ହତଶିରୀ । ସେମାନେ ସବୁ ପାଇଥାନ୍ତୁ, ତେବେ ସେ ପାଇବାଟା ବଡ଼ ମନୋଟନସ୍ । ଲକ୍ଷ୍ମଣ ଅଭାବରେ ସୀତାଙ୍କ ବନବାସ ଜୀବନଟା କେତେ ବିରକ୍ତିକର ହୋଇ ନ ଥାନ୍ତା । ତୁମେ ବୁଝିପାରିବ କି ନା ଜାଣିନ ତେବେ ଥଟ୍ଟା ପରିହାସ କରିବାକୁ ଯେବେ ଦିଅରଟେ ନାହିଁ, ପୋଡ଼ୁ ସେ ନୂଆବୋଉ ହେବାର ମୁହଁ । ନବରସ ମଧ୍ୟରେ ନାଁକୁ ମାତ୍ର ସିନା କେଉଁ ରସଟା ଆସି ଆଦିରସ ହୋଇ ଆଗରେ ଠିଆ ହୋଇପଡ଼ିଛି, ହେଲେ ହାସ୍ୟରସଟା ସେ ଆସ୍ଥାନର ଯୋଗ୍ୟ ଅଧିକାରୀ । ପୁଷ୍ପର ସଦ୍ୟ ପ୍ରସ୍ଫୁଟିତ ହସଟା ଭଲ, ନା ଭ୍ରମର ଦଂଷ୍ଟତାର ମ୍ଲାନ-ଗମ୍ଭୀର ମୁହଁଟା ଭଲ ?

 

ବହୁତ ଦିନପରେ ତୁମ ଭାଇଙ୍କ ଲୁହାର ସିନ୍ଦୁକ ଫିଟାଇ ତୁମର ସନ୍ଧାନ ପାଇଛି । ଏ ପ୍ରାପ୍ତି ମୋର ମୁକ୍ତି ପଥର ସହାୟକ ହେଉ । ତୁମକୁ ମୋ ରାଣ, ଏଥର ଯେମିତି ଉତ୍ତର ଦେବାକୁ ଡେରି ନ ହୁଏ । ଯଦି ମୋତେ ଉତ୍ତର ଦେବା ଅନୁଚିତ ମନେ କରୁଥାଅ, ତେବେ ଅନ୍ତତଃ ମୋ ଚିଠି ଦୁଇଟି ପାଇଛ ବୋଲି ପ୍ରାପ୍ତି ସ୍ଵୀକାର କରିବ । ପ୍ରତୀକ୍ଷାରେ ରହିଲି । ଇତି ।

 

ତୁମର କଲ୍ୟାଣୀ

ନୂଆବୋଉ ।

 

X X X

 

ପଞ୍ଚବଟୀ,

କୋଡ଼ିଏ-ଅକ୍ଟୋବର, ଅଠଷଠୀ ।

 

ମହନୀୟା ନୂଆବୋଉ,

 

ତୁମ ପତ୍ର ଦୁଇଟିର ପ୍ରାପ୍ତି ସ୍ଵୀକାର କରିବା ସଙ୍ଗେ ସଙ୍ଗେ ନମସ୍କାର ଜଣାଉଛି ଏବଂ କ୍ଷମା ପ୍ରାର୍ଥନା କରୁଛି ଯେ ତୁମ ବିନାନୁମତିରେ ‘ଆପଣ’ ବଦଳରେ ‘ତୁମେ’ ସମ୍ବୋଧନ କରିଛି । ନୂଆବୋଉଙ୍କୁ ‘ଆପଣ’ ସମ୍ବୋଧନ କଲେ ସେ ପଦଟିର ମଧୁରତା ନଷ୍ଟ ହୋଇଯିବା ଭୟରେ ଏପରି ଗର୍ହିତ କାର୍ଯ୍ୟ କଲି ବୋଲି ସଫେଇ ଦେଉଛି । ତା’ପରେ ତୁମ ପ୍ରଥମ ଚିଠିର ଉତ୍ତର ନ ଦେଇ ଯେଉଁ ଅମାର୍ଜନୀୟ ତ୍ରୁଟି କରିଛି, ସେଥିପାଇଁ କ୍ଷମଣୀୟ ହେବି ବୋଲି ଆଶା ପୋଷଣ କରୁଛି । ତୃତୀୟତଃ ତୁମ ଚିଠି ଦୁଇଟି ପଢ଼ି ମୋ ମନରେ ଯେଉଁ ଭାବରାଜି ଜାତ ହେଲା, ତାହା ପ୍ରକାଶ କଲାବେଳେ କେତେ କୁହା କଥା ଅକୁହା ରହିଯିବ ଓ କିଛି ଅକୁହା କଥା ବି କହି ହୋଇଯିବ–ସେଥିପାଇଁ ଆଗରୁ କ୍ଷମା ମାଗି ନେଉଛି । ମୋଟ ଉପରେ ମୋତେ ତୁମର ଗୋଟିଏ କ୍ଷମାର ପାତ୍ର ବୋଲି ଧରି ନେଲେ ହିଁ ସବୁଠାରୁ ଭଲ ହେବ ।

 

ସତରେ ନୂଆବୋଉ, ତୁମର ପ୍ରଥମ ଚିଠିଟି ପଢ଼ି କେତେ ଯେ କଳ୍ପନା ଭିତରେ ବୁଡ଼ିଗଲି, ତାହା ତୁମେ କଳ୍ପନା କରି ପାରିବ ନାହିଁ । ଏକେତ ତାହା ନାରୀ ହାତର ଲିପି, ଦୁଜେ ନୂଆବୋଉଙ୍କର ଶ୍ରୀହସ୍ତ ପରଶା ପ୍ରୀତିର ବ୍ୟଞ୍ଜନ । ନୂଆବୋଉ ପଦଟାରେ ଯେଉଁ ମଧୁ ବୋଳି ହୋଇଥାଏ, ଆଉ ସେ ଚିଠିରେ ଯେଉଁ ରସାଳ ଆତ୍ମୀୟତା ଫୁଟି ଉଠିଥିଲା, ସେଇ ଭିତରେ ମୁଁ ହଜିଗଲି । ଚିଠି ଦେଇପାରିଲି ନାହିଁ । ନୋହିଲେ ଲୋକେ—“ନାହିଁ—ନୂଆବୋଉ” ଠାରୁ “କାଣୀ ନୂଆବୋଉ”କୁ ଭଲବୋଲି କହି ଗର୍ବିତ ହେଉଥିଲା ବେଳେ, ମୁଁ ରାଣୀପରି ଏତେ ସୁନ୍ଦରିଆ ନୂଆବୋଉଟିଏ ପାଇ ଚିଠିଖଣ୍ଡେ ଦେଇ ନ ଥାନ୍ତି ।

 

ତୁମକୁ ମୁଁ ଦେଖିନି ନୂଆବୋଉ, ତେବେ ମୋ କଳ୍ପନା ଭିତରେ ତୁମ ରୂପର ଯେଉଁ ବିଶ୍ଵସୁନ୍ଦରୀ ଛବି ଆଙ୍କିଛି, ତାହା ନିଶ୍ଚୟ ତୁମ ଚରଣଘଷା ପଥରକୁ ବି ସରି ହେବ ନାହିଁ !

 

ଭାଇଙ୍କ ବିଭାଘର ବେଳେ ତାଙ୍କ ଘରକୁ ନିମନ୍ତ୍ରଣ ପାଇ ଯାଇଥିଲି । ସେଠାକୁ ତୁମ ସାନଭାଇ ଆସିଥିଲେ କନ୍ୟାମାର୍କଣ୍ଡୀ ହୋଇ ନକଲି ବରବେଶରେ ଅସଲି ବରଙ୍କୁ ନିମନ୍ତ୍ରଣ ଜଣାଇ । ତାଙ୍କୁ ଦେଖି ତୁମର ଅନେକଟା ଜାଣି ପାରିଛି । ଯିମିତି ବାଘ ନ ଦେଖିଲେ ବି ବିରାଡ଼ିକ ଦେଖି ବାଘର ଅନେକଟା ଜାଣିହୁଏ ।

 

ମୋ ଗଢ଼ା ତୁମ ପ୍ରତିଚ୍ଛବିଟି ଗୋଟିଏ ସାଙ୍କେତିକ ରୂପମାତ୍ର । ଠିକ୍ ଯେମିତି ଜ୍ଞାନମୂଢ଼ ଅଥଚ ଭକ୍ତିଗାଢ଼ ଗ୍ରାମିଣ ମଣିଷଙ୍କର ଚୁଆସିନ୍ଦୁରବୋଳା ପାଷାଣୀ ମୂର୍ତ୍ତି ବିରାଟ ଶକ୍ତିର ଗୋଟାଏ ସିମ୍ବଲ୍‍ । ସତରେ ତୁମର ଦର୍ଶନ ମୋ ଜୀବନର ଏକ ଦିଗ୍‍ଦର୍ଶନ । ତୁମ ପ୍ରୀତିରୂପେଣ ସଂସ୍ଥିତା ମହାଦେବୀ । ମୁଁ ସେ ଦର୍ଶନର ଭକ୍ତ ।

 

ଆଚ୍ଛା, ତୁମେ ଲକ୍ଷ୍ମଣର ସନ୍ଧାନ ପାଇଛ ବୋଲି ଲେଖିଛ ଯେ, ସେ ନିଷ୍ଠୁର-ହୃଦୟ-ଲକ୍ଷ୍ମଣ ଜନକ ନନ୍ଦିନୀଙ୍କୁ ବାଲ୍ମୀକିଙ୍କ ଆଶ୍ରମ ଉପକଣ୍ଠରେ ଛାଡ଼ି ଦେଇ ଚାଲି ଆସିଲା, ଜାଣିଥିବ ତ-? ଓଃ, ତାକୁ ପରା ତୁମେ ମୁକ୍ତି କହ ? ତେବେ ପଞ୍ଚବଟୀରେ ପତ୍ରକୁଟୀର ଅଧିଷ୍ଠିତା ଦେବୀଙ୍କୁ ଜଗି ରହିଥିବାବେଳେ ରାମଙ୍କୁ ବିପତ୍ତି ପଡ଼ିଛି ବୋଲି କହି ରାମ ପାଖକୁ ପଠାଇବା ବେଳେ, ଲକ୍ଷ୍ମଣ ନ ଯିବାରୁ ଦେବୀ କି ସନ୍ଦେହ କରିଥିଲେ ଜାଣ ? ସେ ଘଟଣାଟିକୁ ବି ତୁମେ ‘ମୁକ୍ତି’ ନ ଛାଡ଼ିବ ନାହିଁ, ନା ?

 

ତୁମ ନାଁ ରେଣୁକା । ଭାରି ଚମତ୍କାର ନାଁଟା ସତେ । ରେଣୁକାଙ୍କୁ ଚିହ୍ନିଛ ତ ? ମୋ ନାଁଟା ବି ଯୋଗକୁ ଚିତ୍ରସେନ ! ସେଦିନ ଜଳଘାଟରେ ଜଳଘଟ ବୁଡ଼ାଇବା ବେଳେ ଆକାଶରେ ରଥାସୀନ ଗନ୍ଧର୍ବ ଚିତ୍ରସେନର ପ୍ରତିବିମ୍ୱକୁ ଜଳ ଭିତରେ ଦେଖି ଉପରକୁ ଚାହିଁ ଦେଲେ ବୋଲି, ଯମଦଗ୍ନି କି କାଣ୍ଡ ଭିଆଇଲେ ତାହା ତ ତୁମପରି ଦାର୍ଶନିକା ନୂଆବୋଉଙ୍କୁ ଅଜଣା ନ ଥିବ ? ତାକୁ ବି କ’ଣ ମୁକ୍ତି ଆଖ୍ୟା ଦେବ ?

 

ଇମିତି କହୁଛି ବୋଲି ତୁମର ‘ମୁକ୍ତିତତ୍ତ୍ଵ’କୁ ମୁଁ ଭୁଲ ବୁଝିଛି, ଏହା ଯେମିତି ଭୁଲ ନ ବୁଝ-। ମୋର କହିବା କଥା—ସେ ମୁକ୍ତିର ପଥ ଭାରି ଦୁର୍ଗମ । ଯେଉଁ ‘ଦୁର୍ଗମ ପଥ ଏ ଭଜନ’ କୁ “ଭୟେ ଭଜନ୍ତି ଯୋଗୀଜନ’ ସେଇଠି ତୁମର ଏ କର୍ମ ସାଧନା କେତେ କୁଚ୍ଛ୍ରା ହେବ, ତାହା ମୁଁ ଜଣେ-। ତଥାପି ଏହି ପଥ ହିଁ ନିର୍ବାଣର ଠିକ୍ ରାସ୍ତା । ହଠାତ୍ ଜଣକୁ ନେଇ ହିମଗିରି ଶିଖରେ ଛାଡ଼ିଦେବା ଓ ଜଣେ ଦୁର୍ଗମ ପଥ ଦେଇ ନିଜ ଶକ୍ତି ବଳରେ ସେଠାରେ ପହଞ୍ଚିବା ଏକା କଥା ନୁହେଁ-। ତେଣୁ ତୁମ ମୁକ୍ତିତତ୍ତ୍ୱ ମୋ କଞ୍ଚାମନକୁ ଭାରି ପାଇଛି ।

 

ସତରେ ନୂଆବୋଉ, ମୋ ମନଟା ଏ ବୟସରେ ବି କଞ୍ଚା ରହି ଯାଇଛି । କଞ୍ଚା ବୟସରେ ଭଲ ପାଇଥିଲି ଉର୍ମିଳାକୁ । ସେ ଉର୍ମିଳା ହଜିଛି ସଂସାର ଗହଳିରେ । ମୁଁ ବନ୍ଦୀ କରିଥାଆନ୍ତି, ନୋହିଲେ ବା ଏବେ ସେ ତା ଘରେ ପତିପୁତ୍ର ମେଳରେ ବନ୍ଦୀ ହୋଇରହିଛି । କିନ୍ତୁ ତୁମରି ଭାଷାରେ କହିଲେ ବା ତୁମରି ତତ୍ତ୍ଵ ଦୃଷ୍ଟିରେ ଦେଖିଲେ ମୋ ପାଖରେ ସେ ଚିରମୁକ୍ତ ।

 

ବିଶ୍ୱାସ କରିବ, ନୂଆବୋଉ, ସେଦିନ ଓ ଆଜିର ଏ ଦୀର୍ଘ ବ୍ୟବଧାନ ମଧ୍ୟରେ ମୁଁ ଆଉ କାହାକୁ ଭଲପାଇ ପାରିନାହିଁ । ଆଜି ମୁଁ ଯଦି ତୁମକୁ ଭଲପାଇ ବସିଥାଏ ବୋଲି କହିବି, ତେବେ କିଛି ଭାବିବ ନାହିଁ ତ ?

 

ସେତେବେଳେ ସେ ଥିଲା ମୋର ଭକ୍ତ, ଆଜି ମୁଁ ତୁମର ଭକ୍ତ । ତେଣୁ ଭଲ ପାଇବାର ଏକମାତ୍ର ଯା ପାର୍ଥକ୍ୟ, ତା ମଧ୍ୟରେ ତୁମକୁ ମୁଁ ଭଲ ପାଇଛି । ସେଦିନ ମୁଁ ମୋ ଭକ୍ତକୁ ସ୍ନେହ କରୁଥିଲି, ସେଇ ଅଧିକାରରେ ତୁମେ ଆଜି ତୁମର ଭକ୍ତକୁ ସ୍ନେହ କରିବାକୁ ଦାବୀ କରୁଛି ।

 

ପ୍ରଥମ ପତ୍ରରେ ମୋତେ ଅନ୍ତର ପ୍ରୀତି ଦେଇ ସମ୍ବୋଧନ କରିଛ, କିନ୍ତୁ ଦ୍ଵିତୀୟ ପତ୍ରରେ କଲ୍ୟାଣ କରିଛ । ଏଥର ତୁମକୁ ଅନୁରୋଧ କରୁଛି ନୂଆବୋଉ କଲ୍ୟାଣ କରିବ ନାହିଁ । ତୁମ ଅନ୍ତରର ସ୍ନେହ ମୋର ପ୍ରାପ୍ୟ ।

 

ତୁମେ ଲେଖିଛ, ରମଣୀମାନେ ଅଭିଆଡ଼ା ପୁରୁଷଗୁଡ଼ାକୁ ଭାରି ଡ଼ରନ୍ତି, ଆଉ ତୁମେ କିନ୍ତୁ ଡ଼ର ନାହିଁ । ମୁଁ କହିବି ତୁମେ କିନ୍ତୁ ଖୁବ୍ ଡ଼ରକୁଳୀ । ନୋହିଲେ ପ୍ରଥମଚିଠିର ‘ପ୍ରୀତି ଅର୍ପଣ’ଟା ଦ୍ୱିତୀୟ ଚିଠିରେ କଲ୍ୟାଣ ବର୍ଷଣର ରୂପ ଧାରଣ କରିଥାନ୍ତା ? ମୋ ରାଣ ପକାଇ ସତ କହିଲ ନୂଆବୋଉ, ପ୍ରଥମ ପତ୍ରର ଉତ୍ତର ନପାଇ, ତୁମ ପ୍ରୀତି ମୁଁ ଗ୍ରହଣ କରିନାହିଁ ଭାବୀ, ଭୟରେ ଦ୍ୱିତୀୟ ପତ୍ରରେ କଲ୍ୟାଣକୁ ଓହ୍ଲାଇ ଆସିନ ?

 

ମୁଁ ଶୁଣିଥିଲି—ତୁମେ ଭାଇଙ୍କୁ ଅନୁରୋଧ କରିଥିଲ, ଚାକିରୀ କରି ତୁମ ଉଚ୍ଚଶିକ୍ଷାର ବିନିଯୋଗ କରିବାକୁ । ଭାଇ ମୁକ୍ତି ଦେଲେ ନାହିଁ । ସତରେ, ତୁମ ଭଳି ପ୍ରୀତିପ୍ରଦା, ଶିକ୍ଷିତା, ଦାର୍ଶନିକା ଓ ପରମ ରୂପବତୀ ନୂଆବୋଉଙ୍କୁ ପାଖରୁ ଛାଡ଼ିବାକୁ ସିମିତ ହତଭାଗ୍ୟ ନ ହେଲେ କେଉଁ ଭାଇ ରାଜିହେବ ? ଆଚ୍ଛା, ତୁମ ମୁଁ ମୁକ୍ତିତତ୍ତ୍ଵର ଏ ଭକ୍ତ, ଭାଇଙ୍କ ପାଖକୁ ଚିଠି ଲେଖି, ତୁମରି ମୁକ୍ତି ପାଇଁ ପୁଣିଥରେ ଚେଷ୍ଟା ଚଳାଇବ କି ? ଏଥିପାଇଁ ଦେବୀଙ୍କର ଅନୁମତି ସାପେକ୍ଷ ।

 

ଏ ପଞ୍ଚବଟୀ ଆଡ଼େ ଘେରାଏ ବୁଲି ଆସିଲେ ହୁଅନ୍ତାନି ?

 

ମୁଁ ତ ଆଉ ରାବଣ ନୁହେଁ, କି ଏ ବନଭୂମି ତ ସେ ଅଶୋକବନ ନୁହେଁ ! ଏକା ଆସିବାକୁ ଯେବେ ଡରୁଛ, ତେବେ ରାମଚନ୍ଦ୍ରଙ୍କ ସହିତ ଥରେ ଆସନା ! ମୋର ଏ ପତ୍ରକୁଟୀର ଭିତରେ ମୁଁ କିମିତି କଞ୍ଚା ହୋଇରହିଛି ଦେଖିଯିବ । କିନ୍ତୁ ପ୍ରତିଶ୍ରୁତି ଦେବାକୁ ହେବ, ସ୍ୱର୍ଣ୍ଣ ହରିଣୀ ଆସିଲେ ଭାଇଙ୍କୁ ନ ପଠାଇ ଧରି ଆଣିବାକୁ ମୋତେ ଯେପରି ନିର୍ଦ୍ଦେଶ ଦିଅ ଏଥର ।

 

ତୁମ ପାଖକୁ ମୋର ପ୍ରଥମ ଚିଠି ଏ । କାଳେ କେଉଁଠି କଞ୍ଚା ମନର ଦୁର୍ବଳତା ପ୍ରକାଶ ପାଇଥିବ, ସେଥିପାଇଁ ଏ କ୍ଷମାର ପାତ୍ର ଡରି ଡରି ଲେଖିଛି । ଯଦି ତଥାପି କେଉଁଠି ପ୍ରକାଶ ପାଇଥିବ, ସେଥିପାଇଁ କ୍ଷମା ଦେବାକୁ ଅନୁରୋଧ ଜଣାଇ ଲେଖା ବନ୍ଦ କରୁଛି । ସ୍ନେହରୁ ବଞ୍ଚିତ କରିବ ନାହିଁ ।

 

ମୁଁ ଜାଣେ ଭାଇ ତୁମକୁ ଖୁବ୍ ଭଲ ପାଆନ୍ତି । ଆଉ ଜଣେ, ଭାଇଙ୍କ ପ୍ରତି ତୁମର ଅଭିଯୋଗ ଭିତରେ ପ୍ରଗାଢ଼ ପ୍ରେମ ରହିଛି । ତଥାପି ଯେବେ କେବେ ଭାଇଙ୍କ ପ୍ରୀତିର ନିଗଡ଼ ବନ୍ଧନରୁ ମୁକ୍ତି ମିଳେ, ତୁମର ଏ ସ୍ନେହ କାଙ୍ଗାଳ ଚିତ୍ରସେନଟିକୁ ପତ୍ରଦ୍ୱାରା ମୁକ୍ତିମନ୍ତ୍ର ପଢ଼ାଉଥିବ । ନମସ୍କାର ଜଣାଇ ରହିଲି । ତୁମ ଜରିଆରେ ଭାଇଙ୍କୁ ନମସ୍କାର ଜଣାଇଲି । ସୁବିଧା ମନେ କଲେ ତାଙ୍କୁ ଜଣାଇବ । ଇତି ।

 

ତୁମର

ଅଯାଚିତ ପ୍ରୀତିଭିକ୍ଷୁ ଦେବର,

ଚିତ୍ରସେନ ।

Image

 

ମୃଗକନ୍ୟା

 

ଫରେଷ୍ଟ ସାହେବଙ୍କ ସାଙ୍ଗରେ ରାତିଟି ଶୀତଳପାଣି ଡାକବଙ୍ଗଳାରେ କଟାଇଲି ।

 

ବଙ୍ଗଳାଟି ମହାନଦୀ କୂଳରେ । ଟିକରପଡ଼ାର ପ୍ରାୟ ଆଠମାଇଲ ଉପରକୁ । ଚତୁର୍ଦ୍ଦିଗରେ ଅରଣ୍ୟାନି । ନିକଟରେ ଜନବସତି ନାହିଁ । କେବଳ ବଙ୍ଗଳା ଚଉକିଦାର ଓ ତା’ର ପରିବାର ରହୁଥିବା ସରକାରୀ ଘର କେତେଟା ମାତ୍ର । କିଛି ଦୂରରେ ହୁଏତ ଛୋଟ ପଲ୍ଲୀ ଗୋଟାଏ ଅଧେ ଅଛି । ନିକଟସ୍ଥ ପଥୁରିଆ ଭୂଇଁରେ ରାଶି ଫୁଲ ଫୁଟି ତାର ପ୍ରମାଣ ଦେଉଛି ।

 

ପହିଲି ଅକ୍ଟୋବର ହେଲେ ମଧ୍ୟ ରାତି ଭାରି ଥଣ୍ଡା ଜଣା ପଡ଼ିଲା । ମହାନଦୀ ମଧ୍ୟ ସେ ସ୍ଥାନରେ ଭାରି ଥଣ୍ଡା । ସ୍ଥାନଟିର ନାମ ‘ଶୀତଳପାଣି’ ବୋଲି ଜାଣିପାରି ରାତି ଓ ମହାନଦୀ ଯେମିତି ଏଠି ଥଣ୍ଡା ହୋଇ ପଡ଼ିଛନ୍ତି ।

 

ଡାକବଙ୍ଗଳାରେ ରହିବାକୁ ସୁବ୍ୟବସ୍ଥା ଅଛି । ସୋଫା, ଡନ୍‍ଲପ୍ ଗଦି, ଡ୍ରେସିଂ ଟେବୁଲ, ସେପ୍‍ଟିକ ଲାଟ୍ରିନ୍, ବାଥରୁମ୍ । ନୂଆ ସ୍ଥାନ, ନୂଆ ଶାଢ଼ୀ, ନୂଆ ପରିବେଶ । ବେଶ୍ ନିଦ ଜମିଲା ରାତିରେ ।

 

ପରଦିନ ସକାଳୁ ବେହେରା ପାଣି ଦେଇଗଲା । ଜଙ୍ଗଲ ସାହେବଙ୍କର ସ୍ନାନ ବଢ଼ିଲା ବାଥ୍‍ରୁମରେ । ମୁଁ କିନ୍ତୁ ମହାନଦୀର ନିର୍ମଳ ସତେଜ ଜଳ ଲୋଭରେ ବାହାରି ପଡ଼ିଲି । ଶହେ ଦିଶହ ହାତ ଦୂରରେ ମହାନଦୀ ବହୁଛି ।

 

ଏ କୂଳରେ ବଣୁଆ ମଣିଷ ପରି ଅନେକ ଆମ୍ବଗଛ । ସେ ପାଖରେ ନବକୁମାରୀର ମୁକୁଳା ପିଠିପରି ପ୍ରଶସ୍ତ ବାଲିପଠା । ମଝିରେ ମହାନଦୀ ଆଦିମ ସଙ୍ଗୀତର ମୂର୍ଚ୍ଛନା ଲମ୍ୱେଇ ବହି ଲାଗିଛି । ବାଲିପଠାରେ କେତୋଟି ମୟୂର ଚୂଳିଆ ଚଢ଼େଇ ଟିଁ ଟିଁ ଶବ୍ଦ କରି ଉଡ଼ି ଉଡ଼ି ବସୁଛନ୍ତି । ମୋଠାରୁ କୌଣସି ପ୍ରତ୍ୟୁତ୍ତର ନ ପାଇ ପୁଣି ଉଡ଼ି ଟିଁ ଟିଁ ସ୍ୱନରେ ପଚାରି ଲାଗିଛନ୍ତି ମୋର ପରିଚୟ । ଲାଞ୍ଜକୁ ଟିପି ଟିପି ମୋତେ ପୁଣି ସ୍ୱାଗତ କରୁଥିଲେଁ । ଆମ୍ବଗଛଗୁଡ଼ାକ ସକାଳୁଆ ପବନରେ ଶିରି ଶିରି ଶବ୍ଦରେ ମହାନଦୀ ସଙ୍ଗେ କଥାବାର୍ତ୍ତା କରୁଥିଲେ ।

 

ବନଭୂମିର ନୀରବ କଥା । ନୀରବ ସ୍ଵାଗତିକା । ମୁଁ ମହାନଦୀରେ ପ୍ରବେଶ କଲି ।

 

ନିର୍ମଳ ନୀରା ମହାନଦୀ । ସାକ୍ଷାତ୍ ଗଙ୍ଗା । ପବିତ୍ର-କାରିଣୀ । ମୋ ଦେହରୁ ସକଳ କଳା ଓ କଳଙ୍କ ଧୋଇ ମୋତେ ପବିତ୍ର କରୁଥିଲା । ମା’ ଇମିତି ତା ସନ୍ତାନ ଦେହରୁ ଧୂଳି, କାଦୁଅ ପୋଛି ପରିଚ୍ଛନ୍ନ କରିଦିଏ ।

 

ବାସ୍ତବିକ ଏହାରି କୂଳରେ ଯେଉଁମାନେ ବସବାସ କରୁଛନ୍ତି, କି ପବିତ୍ର ସେମାନେ ! ଏହି ପବିତ୍ରତା ପାଇଁ ଦିନେ ନଦୀକୂଳ ସଭ୍ୟତା ଗଢ଼ି ଉଠିଥିଲା ସିନ୍ଧୁ-ଗଙ୍ଗା-ଟାଇଗ୍ରୀସ୍ କୂଳରେ !

 

ମନ ପୂରେଇ ଗାଧୋଇଲା ପରେ ବି ଇଚ୍ଛା ହେଉ ନ ଥିଲା ମହାନଦୀର ଉତ୍ସଙ୍ଗରୁ ବାହାରି ଆସିବାକୁ । ମୟୂର ଚୂଳିଆ ଚଢ଼େଇଗୁଡ଼ିକ ମୋତେ ଅନାଇ ସେମିତି ଟିପି ଟିପି ହେଉଥିଲେ । ଆମ୍ବଗଛର ପତ୍ରମାନେ ମର୍ମର କରି ଚାଲିଥିଲେ ।

 

ସେଦିନର କାର୍ଯ୍ୟକ୍ରମ ଭିତରେ ଥିଲା ଜଙ୍ଗଲ ସାହେବଙ୍କ ସହିତ ପଦ୍ମତୋଳା ସାଙ୍କଚୁଆରୀ ଦେଖିବା ଓ ତା’ପରେ ମୁଁ ଏକାକୀ ଯିବି ଟିକରପଡ଼ା ବୁଲିବାକୁ ।

 

ସୂର୍ଯ୍ୟ ଉପରକୁ ଉଠିଲେ ଏବଂ ଜଣାଇ ଦେଲେ—ସମୟ ହୋଇଯାଉଛି, ଶୀଘ୍ର ଗାଧୁଆ ସାର ।

 

ସୂର୍ଯ୍ୟଙ୍କର ସମୟାନୁବର୍ତ୍ତିତା ଅଛି, ତେଣୁ ସେ ଅନ୍ୟକୁ ସମୟର ମହତ୍ଵ ବୁଝିବାକୁ ଉପଦେଶ ଦେବାଟା ଯଥାର୍ଥ । ତେବେ ତା’ ଭିତରେ ଯେଉଁ ନିଷ୍ଠୁରତା ରହି ସୁକୁମାର ଚିତ୍ତକୁ ବ୍ୟଥିତ କରେ, ତା’ ଦୁଃସହ । ଏହି ନିଷ୍ଠୁରତା ଯୋଗୁଁ ଅତି ପ୍ରିୟଠାରୁ ଆମକୁ ଦୂରେଇ ଯିବାକୁ ହୁଏ-!

 

ଭାରତୀୟମାନେ ହୃଦୟର ସୁକୁମାର ଭାବକୁ ସମ୍ମାନ ଦିଅନ୍ତି । ତେଣୁ ସମୟାନୁବର୍ତ୍ତିତା ତାଙ୍କ ପାଖରେ ଅବହେଳିତ ବୋଲି, “ଇଣ୍ତିଆନ୍ ପଙ୍କଚୁଆଲିଟି” ର ଲୋକାପବାଦ ଅଛି । ପୂର୍ବପୁରୁଷମାନେ ମାଟିଘଡ଼ିରୁ ପାଣି ଟୋପା ଟୋପା ଝରାଇ ମାପୁଥିଲେ ସମୟ, ଦିନ, ମାସ, ବର୍ଷରେ । ଏବେ ମପା ହେଉଛି ପାଶ୍ଚାତ୍ୟ ଢଙ୍ଗରେ—ଘଣ୍ଟା, ମିନିଟ, ସେକେଣ୍ଡରେ । ଏବେ ଆମେ ଧୀରେ ଧୀରେ ସମୟାନୁବର୍ତ୍ତିତା କିଣୁଛୁ, ହୃଦୟର ସୂକ୍ଷ୍ମବୃତ୍ତି ବିନିମୟ କରି । ହୃଦୟ ଦିନକୁ ଦିନ କ୍ଷୀଣତର ହୋଇଯାଉଛି ।

 

ମୋର ଗାଧୁଆ କେତେବେଳୁ ସରିଥିଲା । କେବଳ ବାକି ଥିଲା ଉଠିବାକୁ ।

 

ଏଥର ଉଠିଲି । ଡ଼ାକବଙ୍ଗଳାରୁ ଦୁହେଁ ବାହାରିଲୁ ସାଙ୍କଚୂଆରୀ ଅଭିମୁଖରେ ।

 

ପଦ୍ମତୋଳା ସାଙ୍କଚୁଆରୀ । ପ୍ରାକୃତିକ ଜନ୍ତୁଶାଳା । ବଣ୍ୟପ୍ରାଣୀ ସଂରକ୍ଷଣ ଅଭିପ୍ରାୟରେ ଏହା ଏକ ଶିକାର ନିଷିଦ୍ଧ ଅଞ୍ଚଳ । ଏହାରି ଭିତରେ ସମ୍ବର, ହରିଣ, ମୃଗ ଆଦି ନିରୀହ ବଣ୍ୟଜୀବ ନିରାପଦ ଅଛନ୍ତି । ଚତୁଃସୀମାରେ କୌଣସି ପ୍ରାଚୀର ନାହିଁ କିମ୍ବା କଣ୍ଟକିତ ଲୌହତାର ଅର୍ଗଳି ବେଷ୍ଟିତ ହୋଇନାହିଁ । କେବଳ ସୀମାରେଖାର ଚିହ୍ନଟ ପାଇଁ ସ୍ଥାନେ ସ୍ଥାନେ ଅନୁଚ୍ଚ ନୋଟିସ୍ ବୋର୍ଡ଼ମାନ ଟଙ୍ଗା ଯାଇଛି ।

 

ଆମେ ଏହି ପ୍ରାକୃତିକ ପଶୁଦ୍ୟାନ ମଧ୍ୟରେ ପ୍ରବେଶ କଲୁ । ଜନମାନବ ଶୂନ୍ୟ ଏହି ଅରଣ୍ୟାନି ଆମକୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ ଯେପରି କହୁଥାଏ—ଆସ, କିନ୍ତୁ ଶାନ୍ତିଭଙ୍ଗ କରନାହିଁ । ତୁମେ ମଣିଷ ମାତ୍ରେଇ ଅଶାନ୍ତିର ଶକୁନ । ଯେଉଁଠି ତୁମର ଆତଯାତ, ସେଠି ଖାଲି ହୋ, ଘୋ, ଗାଉଣ ବାଜଣା, ନାନାରକମ ବଦମାସି । କେତୋଟି ପକ୍ଷୀ ମଧୂର କାକଳିରେ ବନଭୂମିର ଏହି ନିର୍ଦ୍ଦେଶ ଆମକୁ ପଢ଼ି ଶୁଣାଇ ଦେଉଥା’ନ୍ତି ।

 

ମୟୂରଟିଏ ଆମକୁ ଦେଖି ତା’ର ଚନ୍ଦ୍ରିକାୟିତ ଦୀର୍ଘ ପୁଚ୍ଛକୁ ଭୂଇଁରେ ପିଟି ପିଟି ଦୂରେଇ ଗଲା । ସହରର ପୋଷା ମୟୂର ଏତେ ସୁନ୍ଦର ଦିଶନ୍ତି ନାହିଁ । ମଣିଷର ହାତ ବାଜିଲେ ସୁନ୍ଦରତା ଯେମିତି ଶୂନ୍ୟ ହୋଇଯାଏ । ଈଶ୍ଵର ହିଁ ସୁନ୍ଦର । ସୁନ୍ଦର ତାଙ୍କର ସକଳ ସୃଷ୍ଟି । ବନ ମୟୂର ସେହି ଦିବ୍ୟ ସ୍ପର୍ଶ ବହନ କରି ସୁନ୍ଦର ହୋଇଉଠିଛି ! ସାକ୍ଷାତ ସେ ଯେପରି ନିଜେ ଈଶ୍ଵର ! ଠେକୁଆଗୁଡ଼ାଏ କାନ ଟେକି ଟେକି ବୁଦା ଭିତରେ ଲୁଚିଗଲେ ।

 

କିଛି ଦୂରରେ ମଇଁଷିପରି ଠିଆ ହୋଇଛି ଗୋଟିଏ ସମ୍ଵର । ପିଲାଟିଏ ସ୍ତନରୁ କ୍ଷୀର ପିଉଛି । ଦୂରରେ ଦିଶୁଥିଲେ ମୃଗଯୂଥ । ପତ୍ର ଛିଣ୍ଡାଇ ଖାଇଲାବେଳେ କେନା କେନା ଶିଙ୍ଗରେ ଅଣ୍ଡିରା ମିରିଗଗୁଡ଼ାକ ଆକାଶକୁ ଭୁସି ପକାଉଛନ୍ତି । ସାନବଡ଼ ଛୁଆମାନେ ପାଖରେ, ସମସ୍ତେ ଲଙ୍ଗଳା । ଭାରି ସଫାସୁତୁରା । ସଦ୍ୟସ୍ନାତ ଠିକ୍-ଠ-ବର୍ତ୍ତୁଳ ଉଲଗ୍ନ ଆଦିବାସୀ ଧେଙ୍ଗଡ଼ା ଧେଙ୍ଗେଡ଼ୀଙ୍କ ପରି ।

 

ଆମେ ନିକଟକୁ ଗଲୁନାହିଁ । କାଳେ ମଣିଷର ଦୁର୍ଗନ୍ଧ ସେମାନଙ୍କୁ ଶ୍ଵାସରୁଦ୍ଧ କରିଦେବ-

 

ଛି, ଛି, ମଣିଷ ଏମାନଙ୍କୁ ଶିକାର କରିବାପାଇଁ ବଣକୁ ଯାଏ । ତା’ର ହାତ କେମିତି ଯାଏ, ମଣିଷ ପିଲାଠାରୁ ଆହୁରି ସରଳ, ଆହୁରି ସୁନ୍ଦର ଏହି ଲଙ୍ଗଳା ପ୍ରାଣୀଗୁଡ଼ାକୁ ମାରିଦେବାପାଇଁ !!

 

ମଣିଷ ତା’ର ଆଇଁଷିଆ ପ୍ରାକୃତିକ ପରିତୁଷ୍ଟ କରିବାକୁ ଘରେ ପୋଷିଲା ଛେଳି, କୁକୁଡ଼ା-! ତଥାପି ବଣୁଆ ନିରୀହ ଜୀବନକୁ ବିନାଶ କଲା ! ତା’ର ହୀନ ଦୁର୍ଗନ୍ଧ ପ୍ରକୃତି କେବେ ବଦଳିବ କେଜାଣି !

 

ମୁଁ ଫରେଷ୍ଟ ହାକିମଙ୍କୁ କହିଲି—ଘୋଷବାବୁ, ଶିକାରୀଗୁଡ଼ାଙ୍କୁ ଥରେ ଆଣି ମୃଗ ସମ୍ୱର ବୁଲାଚଲା କରୁଥିବା ବେଳେ ଛୁଆମାନଙ୍କର ଏପରି ସ୍ତନପାନ କରିବା ଦୃଶ୍ୟଟା ଦେଖାଇ ଦିଅନ୍ତୁ ତ, କାଳେ ସେମାନଙ୍କର ହିଂସ୍ରତା ଦୂର ହୋଇଯାଆନ୍ତା ।

 

ଉତ୍ତର ପାଇଲି—ଶିକାରୀ ଦଳ ଏପରି ଆତତାୟୀ ଯେ, ମୃଗଶିଶୁଙ୍କୁ ଦେଖି ତରଳିବା ତ ଦୂରର କଥା, ବରଂ ଭୂଆବିରାଡ଼ି ପରି ନିଜ ଛୁଆମାନଙ୍କୁ କଅଁଳିଆ ଦେଖିଲେ ସେମାନେ ଖାଇଯିବେ । ଅନେକ ବୁଦ୍ଧଦେବ ଜନ୍ମଗ୍ରହଣ କଲେ ମଧ୍ୟ ହଂସମାଂସଲୋଭୀ ଗୋଟାଏ ମାତ୍ର ଦେବଦତ୍ତକୁ ବଦଳାଇ ପାରିବେନି । ଅନେକ ସମୟରେ ଏଇ ମାଂସ ରକ୍ତ ଲୋଲୁପୀ ଦେବଦତ୍ତଗୁଡ଼ାକ ଶିକାର କରିବା ପାଇଁ ଆଖପାଖ ଜଙ୍ଗଲକୁ ଆସନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ହେବେ, ଜନ୍ତୁଗୁଡ଼ିକ ଏମାନଙ୍କ ଗନ୍ଧ ବାରିପାରି ସାଙ୍ଗେ ସାଙ୍ଗେ ସାଙ୍କ୍ ଚୁଆରୀ ସରହଦ ଭିତରକୁ ଦୌଡ଼ି ପଶି ଆସନ୍ତି । ସେମାନେ କିମିତି ଜାଣି ପାରନ୍ତି ଏହି ନିଷିଦ୍ଧ ସୀମାରେଖା ଡେଇଁ ପଡ଼ିଲେ ତାଙ୍କର ଆଉ ବିପଦ ନାହିଁ । ଶିକାରୀ ଏ ଭିତରକୁ ପଶିବାକୁ ସାହସ ନକରି ଫେରିଯାଏ । ସେ ଜାଣେ ଏ ନିଷିଦ୍ଧ ଅଞ୍ଚଳକୁ ପ୍ରବେଶ କଲେ ଆଦାମ୍‍ ଇଭର ନିଷିଦ୍ଧ ଫଳ ଭକ୍ଷଣ ଦଣ୍ଡଠାରୁ ମଧ୍ୟ ଅଧିକ ବିଷମ ଶାସ୍ତି ସରକାରଙ୍କଠାରୁ ଭୋଗିବାକୁ ପଡ଼ିବ ।

 

ସମୟ ହେଲାଣି । ରାସ୍ତା ଉପରକୁ ଫେରିବାକୁ ହେବ । ଘୋଷବାବୁ ଫେରିଯିବେ ଶୀତଳପାଣି । ମୁଁ ଗୋଟାଏ ଟ୍ରକ୍ ରେ ବସିଯିବ ଟିକରପଡ଼ା । ପୁଣି ସନ୍ଧ୍ୟାବେଳକୁ ବାଉଁଶ ବୋଝେଇ କରି ଟ୍ରକ୍ ଫେରିବ । ମୁଁ ସେଇଥିରେ ଫେରି ଆସିବି ଶୀତଳପାଣି ।

 

ଏଠାରେ ମଧ୍ୟ ସେଇ ସମୟାନୁବର୍ତ୍ତିତା ଦରକାର । ନୋହିଲେ ଟ୍ରକ୍ କାହାକୁ ଅପେକ୍ଷା କରିବ ନାହିଁ । କିନ୍ତୁ ଫେରି ଯିବାକୁ ମନ ହେଉନି । ରମଣୀୟ ଅରଣ୍ୟ ପରିବେଶ । ସମ୍ବରୀ ଚରୁଛି, କନ୍ୟାଟିଏ ଡେଇଁ ଡେଇଁ ଲୁଚକାଳି ଖେଳୁଛି ।

 

ଠେକୁଆ ପଲେ ଗୋଟିଏ ଧାଡ଼ିରେ ଶୃଙ୍ଖଳିତ ସୈନ୍ୟଦଳ ପରି ଧାଇଁ ଧାଇଁ ପଳାଇଲେ-। ନେପୁରୀ ମୂଷାଟିଏ ଚିଂ ଚିଂ କରି ଲାଞ୍ଜ ଟିପି ଟିପି କଞ୍ଚନଗଛ ଡାଳରେ ଛପି ଛପିକା ଖେଳୁଛି ।

 

ଦୂରରେ ରହି କପୋତୀ ଗୁମୁରୁଛି—ସବୁ ନିରାପଦ ।

 

ବାଉଁଶ ବୁଦା ସିଁ ସିଁ ସ୍ୱନରେ ଜଣାଇ ଦେଉଛି—ଶାନ୍ତି ।

 

ଏ ସବୁ ଛାଡ଼ି କେମିତି ଫେରିବି । ପ୍ରକୃତିର ଏ ମହାନୀୟ ବିଭବ ଏଡ଼ି ମଣିଷ ସହରରେ କ’ଣ ପାଏ ! ସେ କ’ଣ ପ୍ରକୃତରେ ଅଶାନ୍ତିପ୍ରିୟ ? ନୋହିଲେ ନିତିଦିନ ହାଣ, କାଟ୍, ମାର୍, ଯୁଦ୍ଧ, ଆକ୍ରମଣ ଲଗାଇଥା’ନ୍ତା କାହିଁକି ?

 

ଏ ପଦ୍ମତୋଳାରେ ମୋ ପରି ଏକ ଅକିଞ୍ଚନର ଆଉ କେବେ ପାଦପଡ଼ିବା ସମ୍ଭବ ନୁହେଁ-। ତେଣୁ ଏଇଥର ଏହାର ଦୁର୍ଲ୍ଲଭ ଶୋଭାକୁ ମନପୂରାଇ ପିଇ ନେବାକୁ ହେବ । ଯେତେ ଦେଖୁଥିଲେ ବି କ’ଣ ତୃପ୍ତି ଅଛି !

 

ଅତୃପ୍ତ ମନ ଧରି ହିଁ ମୋତେ ଫେରିବାକୁ ହେଲା । ଘୋଷବାବୁ ଫେରିଗଲେ ଶୀତଳପାଣି । ମୁଁ ଟ୍ରକରେ ବସି ବଣୁଆ ସଡ଼କରେ ମହାନଦୀର ଧାରେ ଧାରେ ଚାଲିଲି ଟିକରପଡ଼ା-

 

ଏଇ ଟିକରପଡ଼ା ଭୂଗୋଳ ପୋଥିରେ ଏକ ନୂତନ ସ୍ଥାନ ଦଖଲ କରିବାକୁ ବସିଥିଲା । ହୁଏତ ପାରିଲା ନାହିଁ । ହୀରାକୁଦଭଳି ଏଠି ଗୋଟେ ବନ୍ଧ ପଡ଼ିଥା’ନ୍ତା । ବିଜୁଳି ଯୋଗାଇ ଥାଆନ୍ତା ଏ ଦେଶର ପ୍ରଗତି ଖୁଣ୍ଟରେ । ନେହେରୁ ଆସି ଶିଳାନ୍ୟାସ କରିଗଲେ ଶୁଭଲଗ୍ନ ଦେଖି । କିନ୍ତୁ ଶୁଭ ହେଲା ନାହିଁ । କାମ ବନ୍ଦ ରହିଲା । ନେହେରୁ ବି ସେଇଦିନଠୁଁ ରୋଗଶଯ୍ୟାରେ ପଡ଼ି ମୃତ୍ୟୁ ବରଣ କଲେ ।

 

ସେପାଖ ପର୍ବତରେ ଦେଖା ଯାଉଛି ନେହେରୁ ସ୍ପର୍ଶିତ ସେଇ ଧବଳ ଶିଳାଖଣ୍ଡ ।

 

ଟିକରପଡ଼ା ଘାଟରୁ ପ୍ରାୟ ଏକ ଫର୍ଲଙ୍ଗେ ଦୂରରେ ଟ୍ରକ୍‍ଟି ରହିଲା । ସେଇଟି ବାଉଁଶ ବୋଝେଇ ହୋଇ ସନ୍ଧ୍ୟାକୁ ସେ ଫେରିବ । ମୋ ହାତରେ ପାଞ୍ଚଘଣ୍ଟା ମାତ୍ର । ସେଇ ସମୟ ମଧ୍ୟରେ ଟିକରପଡ଼ା ଦେଖି ଫେରି ଆସିବାକୁ ହେବ ଟ୍ରକ୍‍କୁ ।

 

ଫର୍ଲଙ୍ଗେ ବାଟ ଚାଲି ଚାଲି ପହଞ୍ଚିଲି ନଦୀତଟରେ । ଏ କୂଳଟା ଫୁଲବାଣୀ ଜିଲ୍ଲାର ବୌଦ ସବ୍‍ଡ଼ିଭିଜନରେ । ସେ କୂଳଟା ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସବ୍‍ଡ଼ିଭିଜନରେ । ମଝିରେ ମହାନଦୀ । ଏ କୂଳଟା ମହାନଦୀର ଶୁଖିଲା ବାଲୁକାରାଶି, ସେ କୂଳରେ ନୀରଧାର । ସେଇ ପାଖରେ ଟିକରପଡ଼ା ।

 

ମହାନଦୀଟା ଏଇ ସ୍ଥାନରୁ ସଂକୀର୍ଣ୍ଣ ହୋଇଯାଇଛି ପ୍ରାୟ ସାଢ଼େ ତିନିକୋଶ ତଳକୁ ବଡ଼ମୂଳଯାଏଁ । ଦୁଇ ପାର୍ଶ୍ଵରେ ପ୍ରାଚୀର ପରି ଠିଆ ହୋଇଛି ଅତ୍ୟୁଚ୍ଚ ପର୍ବତ ଶ୍ରେଣୀ । ଟିକରପଡ଼ା ଉପରକୁ ପୁଣି ସାଢ଼େ ତିନିକୋଶ ଯାଏଁ ଗଭୀର ଗଣ୍ଡ ରହିଛି । ଏହିପରି ଏ ହେଲା ସାତକୋଶ । ନାମ ସାତକୋଶିଆ ଗଣ୍ଡ ।

 

ଏକ ସରକାରୀ ପାରିଆଡ଼ଙ୍ଗା ଛଡ଼ା, ଅନେକ ଡଙ୍ଗା ସେପାରି ଧାରରେ ଅଛି । କେତେକ ମାଛଡ଼ଙ୍ଗା, କେତେକ ଯାତ୍ରୀବାହୀ ।

 

ସରକାରୀ ଡଙ୍ଗାଟି ଏପାଖ ଛାଡ଼ି ଦେଲାଣି । ସେ ତଟରୁ ଫେରୁ ଫେରୁ ଅଧଘଣ୍ଟାଏରୁ ଅଧିକ ବିଳମ୍ବ ହେବ । ଭାରି ଖରା । ବାଲି ତାତିଛି ।

 

ଦୁଇଜଣ ଗଛ ଛାଇରେ ରାନ୍ଧୁଛନ୍ତି । ଜଣେ ପୁରୁଷ ଜଣେ ସ୍ତ୍ରୀ । କାମିକା ମଣିଷ । ହୁଏତ ଆଦିବାସୀ । ଏମାନେ କିନ୍ତୁ କୋରାପୁଟ ବା ଫୁଲବାଣୀର ଆଦିବାସୀଙ୍କ ପରି ଏବେ ପଛରେ ପଡ଼ି ନାହାନ୍ତି । କଥାବାର୍ତ୍ତା ପ୍ରାୟ ଓଡ଼ିଆ । ବୌଦର ଆଞ୍ଚଳିକ ଭାଷାଦ୍ୱାରା ପ୍ରଭାବିତ ।

 

ପଚାରିଲି—ସେ ପାଖକୁ ଯିବାକୁ କେତେବେଳେ ଡଙ୍ଗା ମିଳିବ ?

 

ସ୍ତ୍ରୀ ଜଣକ କହିଲେ—ହଁ ତ, ଆର୍ ଘଡ଼ିଏ ଦେର୍ ହେବା । ଡଙ୍ଗାଟା ଏବେ ଯାଇସି, ଫେରିଲେ ତ ଯାଇ !

 

ପୁରୁଷ ଜଣକ କହିଲେ—ବାବୁ, ତୁ ବୁଲି ଦେଖିବାର୍ ଲାଗି ଆଇସୁ କାଁ ? ସି ଫାଲ୍ କେ ଯିବୁ ? ଆମର୍ ହେଇସି ଡଙ୍ଗାଟା ଆଛେଁ । ସେଇଥିରେ ଯା ଭାରି ।

 

ଏତକ କହି ସେ ମୋତିକି ଡାକ ପକାଇଲା । ମୋତି ନିଶ୍ଚୟ ତାର ଝିଅ । ବୟସ ଅଠର ଉଣିସି । ଡଙ୍ଗା ବାହି ମହାନଦୀର ଉଜାଣି ସୁଅରେ ଖେଳୁଛି ଅବା ନିଳ ଯୌବନର ଅହମିକା ସାଥିରେ ମହାନଦୀର ବଳ କଷୁଛି ।

 

ବାପର ଡାକଶୁଣି ମୋତି ଡଙ୍ଗାକୁ କୂଳରେ ଲଗାଇଲା । ବାପ କହିଲା–ନେ,ଇ’ ବାବୁକୁ ଆର୍ ଫାଲ୍ କେ ଛାଡ଼ିଦେମୁଁ ।

 

ମୋତି ଚାହିଁଲା । ସେ ଚାହିଁ ରହିଲା କିଛି କ୍ଷଣଯାଏଁ ଏ ବାବୁଟାକୁ !

 

ବାପ କହିଲା—ଚାହିଁସୁ କାଣା ? କୁମ୍ପାନୀର ଡଙ୍ଗାଟା ଚାଲିଗଲାନ । ସେଟା ଫେରିବାକୁ ଦେରି ହବା ।

 

ମୋତି କହିଲା—ଆ ବାବୁ !

 

ଆହୁଲାର ମଝି ଡଙ୍ଗାମଙ୍ଗରେ ବନ୍ଧାଯାଇ ଏକ ପ୍ରଥମ ଶ୍ରେଣୀ ଲିଭର୍ ରେ ପରିଣତ କରାଯାଇଛି । ବନ୍ଧାସ୍ଥାନଟି ଫଲତ୍ରମ । ଆହୁଲାର ବେଣ୍ଟଟାକୁ ଶକ୍ତି ବାହୁ କରି ଶକ୍ତି ଖଟେଇବାକୁ ବସିଗଲା ମୋତି । ଡଙ୍ଗାଟି ଓ ମୁଁ ହେଲ ଭାର ।

 

ଆଦିବାସୀ ଝିଅ ଗୁଡ଼ାକ ଖୁବ୍ ସ୍ୱାସ୍ଥ୍ୟବତୀ । ଫୁଲବାଣୀରେ ରହି ଜାଣିଛି । କିନ୍ତୁ ଏତେ ସ୍ୱାସ୍ଥ୍ୟ ! ପ୍ରକୃତିର ପାଣି ପବନରେ ବଢ଼ି ଏ ଝିଅଟି ଦେଖାଯାଉଛି ପଦ୍ମ-ତୋଳାର ସେହି ମୃଗୁଣୀପରି । ଦେହଟାର ରଙ୍ଗ ହଳଦୀମଜା ସୁନା । ଏ ଆଉ ସେ ସୁନାହରିଣ ନୁହେଁ ତ !!

 

ପିନ୍ଧିଛି ବୌଦିଆ ଆଠହାତୀ ଆଣ୍ଠୁ ନ ଲାଚି ଶାଢ଼ୀ ଖଣ୍ଡେ । ଶାଢ଼ୀର ଓସାରିଆ ମୁହଁଟା ନିତମ୍ବ ଉପରେ ଲେସି ହୋଇ ରହିଛି । ଆଣ୍ଠୁ ତଳକୁ ଗୋଡ଼ଦୁଇଟି ଖୋଲା । ଗୋଡ଼ ତ ନୁହେଁ, ଲକ୍ଷ୍ମୀ ପୂଜାର ମାଣବସା ଖଟୁଲୀ ପାଇଁ କୁନ୍ଦ ହୋଇଥିବା ଦୁଇଟି ସୁନାଖୁରା ।

 

ଶାଢ଼ୀର ପଣତଟା ଛାତିକି ଚିପି ପିଠିର ଅଧାବାଟ ଦେଇ ଅଣ୍ଟା ପଛରେ ଖୋଷା ହୋଇଛି ଯେ, ଶେଷାଂଶଟି କଟି ଉପରକୁ ମିରିଗ ଲାଞ୍ଜପରି ବାହାରି ଆସିଛି ।

 

ମୁକୁଳା ହାତ ଦୁଇଟି ପଞ୍ଚଶର ଥିବା ତୁଣୀର ଅବା ହୋଇପାରେ । ମୁଣ୍ଡର ଖୋସାଟି ଗୋଲ୍ ପେଣ୍ଡୁ ପରି ଡାହାଣ କାନ ପଛରେ ଭିତରିଆ ଫୁଲି ଉଠିଛି ସମ୍ବଲପୁରୀ ଢଙ୍ଗରେ ରୂପ ବୈଦୁର୍ଯ୍ୟଭରା ପୋହଳାର ଏକ ଫରୁଆ ହୋଇ ।

 

ମଣିବନ୍ଧରେ ରୂପାର ପଣସଖୋସା ଖଡ଼ୁ । ତାର ମୁନିଆ ଶୃଙ୍ଗଗୁଡ଼ିକ ଭୀତି ଉତ୍ପାଦନ କରୁଥିଲା । ସେ ଦୁଇଟି ଅଳଙ୍କାର ତ ନୁହେଁ, ବରଂ ମହିଷାମର୍ଦ୍ଦିନୀଙ୍କର ଦୁଇଟି ଅସ୍ତ୍ର, ଯାହା ମହିଷାସୁରକୁ ଏକା ପାହାରକେ ନିପାତ କରିଦେବାରେ ତିଳେ ହେଲେ ବିଳମ୍ବ କରିବ ନାହିଁ । ମୋ ଭିତରର ମହିଷାସୁରକୁ ସାବଧାନ କରିଦେଇ ଚୁପଚାପ ବସିଗଲି ।

 

ଏତେବଡ଼ ନଦୀଟା ପାର ହେଲା କେବଳ ନୀରବତା ମଧ୍ୟରେ । ସେ ଶସ୍ତ୍ରଧାରୀ ରୂପସୀ ସହିତ ଆଳାପ କରିବାକୁ ଭୟହେଲା । ସେ ତ ମୋତେ ପିଠିଆଡ଼ କରି ବସିଥିଲା ଏବଂ ସେପରି ବସିଥିବା ମୋ ପକ୍ଷରେ ଏକ ପରମ ସୌଭାଗ୍ୟ । କାରଣ ସମସ୍ତ ଯାତ୍ରା ପଥଟି ତାକୁ ଚାହିଁ ଚାହିଁ ମୁଁ ଯେପରି ବିନା ସଙ୍କୋଚରେ କଟାଇ ଦେଲି, ମୁହାଁମୁହିଁ ବସିଥିଲେ ତା’ ହୋଇପାରି ନ ଥା’ ନ୍ତା । କେବଳ ଯା’ ଭାବୁଥିଲି—ଏବି ସଂରକ୍ଷିତ ସାଙ୍କ୍‍ଚୁଆରୀର ଏକ ଛନ୍ଦଚପଳା ହରିଣୀ । ସଙ୍କୋଚ ନାହିଁ, ଜଟିଳତା ନାହିଁ, ଭୟ ମଧ୍ୟ ନାହିଁ । ଆଉ ମୁଁ ?

 

ମୁଁ ଗୋଟିଏ ନିରସ୍ତ୍ର ମଣିଷ, ଶିକାରୀ ନୁହେଁ; ଶିକାରୀ ହୁଏ ବା ନ ହୁଏ, ସାଙ୍କୁଚୁଆରୀରେ ଶିକାର ଯେ ନିଷିଦ୍ଧ !

 

ଡଙ୍ଗାଟିକୁ ସେ ତଟରେ ଲଗାଇ ପଚାରିଲା—ବାବୁ, କେତେ ଦେରି କରି ଫେରିବୁ ?

 

ଦେଖିଲି—ମୋତିର ମୁହଁ ଶୁଖିଲା ଦିଶୁଛି । ମୁଁ କହିଲି—ଟିକରପଡ଼ା ଦେଖି ସାରି ଫେରିବି ।

 

ସେ କହିଲା—ମୁଇଁ ଯାଉସି । ଫେର୍ ଆସ୍‍ମି । ତୁଇ ଆର୍ କାର୍ ଡଙ୍ଗାରେ ଯିବୁ ନାହଁ ।

 

ମୁଁ ‘ହେଉ’ କହି ନଦୀର ଉଚ୍ଚା ହୁଡ଼ା ଉପରକୁ ଉଠିଲି ।

 

ଟିକରପଡ଼ା ଗୋଟିଏ ବଡ଼ ଗ୍ରାମ, ମାତ୍ର ଦୁଇଶ ପଚାଶ ବସ୍ତି । ଘାଟ ମୁହଁରେ ଦୋକାନ, ହୋଟେଲ ହୋଇ ଦି’ ଚାରିଟା ଅଛି । ତଳକୁ କିଛି ବାଟ ଗଲେ କେଉଟ ସାହି । ତା’ ପରେ ସରକାରୀ ବଙ୍ଗଳାଘର ଓ ସରକାରୀ କର୍ମଚାରୀଙ୍କ ଆଉ କେତୋଟି ଘର । ଉପରକୁ ଧାନକ୍ଷେତ । ମଝିରେ ଆମ୍ବତୋଟା । ସେଠାରେ ଦଳେ ଭ୍ରମଣକାରୀ ପିକନିକ୍ ରେ ବ୍ୟସ୍ତ ଥିଲେ ।

 

ନଦୀରେ ସ୍ନାନସାରି ଗୋଟିଏ ଶୋଭନା ତରୁଣୀ ଟିକରପଡ଼ା ଗାଆଁ ଭିତରକୁ ଚାଲିଗଲା । ଭ୍ରାମଣିକ ଦଳରୁ ଦୁଇଜଣ ତା’ର ଅନୁଗମନ କରୁଥିଲେ । ଏତିକିବେଳେ ସେ ଗାଆଁର ଗୋଟିଏ ମଳିଆକୋଚଟ ଯୁଆନ ଟୋକା ସ୍ୱର ଦେଇ ଗାଇଲା—

 

‘ରଙ୍ଗବତୀ, ତୋ ଲାଗି ଧରିଲି ଯୋଗୀବେଶ ।

ସେଦିନୁ ତୋ ପାଇଁ ବୁଲେ ନାନା ଗ୍ରାମ ଦେଶ ।’

 

ଭ୍ରାମଣିକ ଯୁଗଳ ଅଟକି ସିଗାରେଟ୍ କିଣିବା ବାହାନାରେ ଦୋକାନକୁ ପଶିଗଲେ ।

 

ନିକଟରେ ହୋଟେଲ । ହୋଟେଲ ମୁହଁରେ ଗୋଟିଏ କେଳୁଣୀ ସହିତ ମୋର ଦେଖାହେଲା । ସେ ଦିନେ କୁଆଡ଼େ ଥିଲା ବାଉଁଶରାଣୀ । ବୟସ ଖସିଥିଲେ ମଧ୍ୟ ବୁଢ଼ୀର କଥା ଓ ଆଖିରେ ସେହି ଯୁବାକାଳର ମନଲୋଭା ଠାଣିର ଅଭ୍ୟାସ ରହିଯାଇଛି ।

 

ତା’ର ସେକାଳର କାହାଣୀ କହି ମୋ ପାଖରେ ତା’ ବାହାଦୂରୀ ପ୍ରକାଶ କରୁଥିଲା । ସେ କୁଆଡ଼େ ସେତେବେଳେ ଶାଢ଼ୀଟାକୁ ଦେହରୁ ପିଙ୍ଗିଦେଇ ବାଉଁଶ ଆଗକୁ ତର ତର ହୋଇ ଚଢ଼ି ଯାଉଥିଲାବେଳେ ଦର୍ଶକମାନେ ପଲକ ନ ପକାଇ ଅନାଇ ରହୁଥିଲେ । ବାଉଁଶ ଆଗରେ ଘିରିଘିରି ବୁଲୁଥିଲାବେଳେ ଅଣ୍ଟାରେ ଥାଏ ଖାଲି ନାଲି ରଙ୍ଗର ଚିପା ଚେଡ଼ିଟିଏ, ଛାତିରେ ରୂପା ରଙ୍ଗର ଚିପା କାଞ୍ଚୁଲା ଖଣ୍ଡେ । ଲୋକେ ଅଜାଡ଼ି ଦେଉଥିଲେ ପଇସା । ତା’ ସାଥିରେ ଥାଆନ୍ତି, ଶାଶୁ, ଗେରସ୍ତ ଆଉ ଦି’ଟା ଟୋକା ଦିଅର । ଏଥର ସେ ମୋତେ ପଚାରିଲା—ତୁମ ଗାଁ କେଉଁଠି ବାବୁ ?

 

—ବାଣପୁର ।

 

—ତୁମ ରାଇଜକୁ ମିଶା ଆମେ ଯାଇଛୁ । ସାରା ଓଡ଼ିଶା ମୂଲକ ଆମେ ବୁଲିଛୁ । ଏବେ ଏଠାରେ ବନ୍ଧ ପକାଇବ ବୋଲି ପଟ୍ଟନାୟକବାବୁ ଆସିଥିଲା । ତା ବଙ୍ଗଳା ପାଖରେ ମୋ ପୁଅ, ବୋହୂ, ଝିଅ ଖେଳ ଦେଖାଇଥିଲେ । ଭାରି ଭଲ ବାବୁଟାଏ । ଆଜି ରାତିକ ଏଠାରେ ରହୁଛ ତ ବାବୁ ? ନା, ନା, ଚାଲିଗଲେ ହେବନି । ଆସିଛ, ଯେତେବେଳେ ରହିବାକୁ ପଡ଼ିବ ।

 

ବୁଢ଼ୀ ଏସବୁ କହିଲାବେଳେ ପୂର୍ବ ଅଭ୍ୟାସର ହସ ହସୁଥିଲା । ସେ ହସର ପ୍ରତ୍ୟୁତ୍ତରରେ “ଆଚ୍ଛା, ଦେଖିବା” କହି ଖାଇବାକୁ ହୋଟେଲ ଭିତରକୁ ପଶିଲି ।

 

ଖାଇସାରି ନଦୀଧାରକୁ ଓହ୍ଲାଇଲି । ମୋତି ଅପେକ୍ଷା କରିଛି ।

 

ସେ ହସିଲା, ମୁଁ ତା ଡଙ୍ଗାରେ ବସିଲି । ସେ ପୁଣି ତା’ ପ୍ରଥମ ଶ୍ରେଣୀ ଲିଭର ଚଳାଇଲା-। କିଛି ବାଟରେ କହିଲା—ବାବୁ, ନଦୀ ଉପରକୁ ବୁଲିବୁ ନାଇଁ ? ଚାଲ, ତୋତେ କିଛିବାଟ ବୁଲାଇ ଆଣିବି । ମୋଠାରୁ ମୌନେ ସମ୍ମତି ଲକ୍ଷଣ ଦେଖି ସେ ଆହୁଲା ମାରି ନଦୀର ଉଜାଣି ଉଠିଲା ।

 

ମୋତି ଏଥର ମୁଣ୍ଡର ଗଭାରେ ବଣୁଆ ଫୁଲ ପେନ୍ଥା ଏ ଖୋଷିଛି । ସେ ଫୁଲର ମହମ ଆମରି ସହରୀ ଫୁଲରେ କେବେ ଅନୁଭବ କରିଛି । ଡଙ୍ଗାଟିରେ ସେ ମହକ କରି ଯାଇଥିଲା ।

 

କିଛିକ୍ଷଣ ଚୁପଚାପ ବିତିଲା ପରେ ମୁଁ ପଚାରିଲି—ତୁମେ ଜାତିରେ କ’ଣ ? ସେ କହିଲା–ଆମେ ଶଉରା । ତା’ ପରେ ମୋର କହିବା ପାଳି । ମୁଁ ନୀରବ ରହିବାରୁ ସେ କହିଲା—ଆମେ ଶଉରା ହେଲୁ ତ ହେଲା କାଣା ? ଆମରି ଶଉରା ପଲ୍ଲୀରୁ ତ ଦିନେ ତୋ ଜାତିର ବାମୁଣ ଟୋକା ବିଦ୍ୟାପତି ଗୋଟାଏ ଟୋକିଲିକୁ ବାହା ହୋଇ ତା’ ରାଇଜକୁ ନେଇ ପଳାଇଥିଲା ।

 

ମୁଁ କହିଲି—ହଁ, ତୁମ ଲଳିତାକୁ ସେ ବ୍ରାହ୍ମଣ ବିବାହ କଲା ଏଇ ମହାନଦୀ କୂଳରେ ବାଘ ଗୁମ୍ଫାରେ । ଏହି ତଳକୁ କଣ୍ଟିଲୋ ବୋଲି ଗୋଟିଏ ଗାଆଁ ଅଛି, ସେଇଠି ସେ ଲଳିତାର ଘର ଥିଲା । ସେ ତ ଅନେକ ଦିନର ପୁରାଣ କଥା ।

 

ସେ କହିଲା—ନାଇଁରେ ବାବୁ, ଏବେ ମିଶା ତୋରି ଆଡ଼ର ଗୋଟେ ବାବୁ ଆମ ପଲ୍ଲୀରୁ ଗୋଟେ ଟୋକିଲି ଧରି ଲୁଚି ପଳାଇ ଗଲାନ । ଏଠାରେ ମୁଁ ବନ୍ଧ ପଡ଼ିବାର ଥିଲାନାଇଁ, ସେ ବାବୁ ଆସିଥିଲା ତାର୍ ମାପଚୁପ୍ କର୍‍ବାର୍ ଲାଗି । ଉଗ୍ରିସର୍ ବାବୁ । ଆଜିକାଲ୍ ଚଲିଲାନ୍ ବାବୁ-। ନେ ବାବୁ, ଏ କୋଲି ନେଖା । ତା’ର୍ ଲାଗି ଆନିଥିଲିନ ।

 

ମୋତି ଶବରୀ ବୋଲି ତା’ ହାତରୁ କୋଳି ଗ୍ରହଣ କରିବାକୁ ମୋତେ ଆଦୌ ସଙ୍କୋଚ ବୋଧ ହେଲାନାହିଁ । ମୋତି ହାତର ପରଶ ଓ ମୋତି ମନର ଶରଧାର ଗଭୀରତା ମାପୁ ମାପୁ କୋଳି ଖାଇବାର ଡେରିହେବା ଦେଖି ମୋତି କହିଲା—ଅଜାତିଆ ହେବୁ ନାଇଁରେ । ଦିନେ ଦେବତା ରାମଚନ୍ଦ୍ର ଶବରୀ ହାତରୁ କୋଲି ଖାଇଥିଲେନ । ମୁଁ କହିଲି—ହୁଁ, ସେ ସିନା ଅଇଁଠା କୋଲି ଦେଇଥିଲା ବୋଲି ଖାଇଥିଲେ, ଆଉ ତୁ ତ... !

 

ସେ ଶବରୀର ସେନ୍‍ତା ଭାଗ୍ୟଥିଲାନ । ଅଇଁଠା ବୋଲି ଖୁଆଇବାର ଭାଗ୍ୟ ଇ ଶବରୀର ଅଛି କାଁ ?

 

ମୁଁ କୋଳି ଖାଇଲି । କି କୋଳି, କେଜାଣି ! ଭାରି ମିଠା । ତା’ ସାଙ୍ଗକୁ ମୋତିର ଅନୁରାଗ ମିଶି ଆହୁରି ମିଠା ଲାଗୁଥିଲା ।

 

ମୋତି ତା’ର ଆହୁଲାକୁ ମହାନଦୀର ନୀଳଗଣ୍ଡରେ ପିଟିପିଟି ନାଆ ବାହୁଥିଲା । କାନର ଲୁହା ରିଙ୍ଗ୍ ଦି’ଟା ତା ସ୍ୱର୍ଣ୍ଣାଭ ଗଣ୍ଡଦେଶରେ ପିଟି ପିଟି ମନର ଗତିକୁ ବଢ଼ାଇ ଲାଗିଥିଲା ।

 

ମୁଁ ପଚାରିଲି—ତୁମ ଗାଆଁ କେଉଁଠି ମୋତି ?

 

—ଆମେ ଯୁଆଡ଼େ ଯାଉସେ, ସେଆଡ଼େ ! ଏ ଦେଖ, ଏ ଯୁ ଧୋବଲା ପଖନ୍ (ପଥର) ପରବତ୍ ଉପରେ ଦିଶ୍‍ସି, ସେଇଠାନେ ନେହେରୁ ବୁଢ଼ା ହାୱା ଜାହାଜରେ ଆସିଥିଲାନ । ଏଇଠାରେ ବନ୍ଧ୍ ପଡ୍‍ବା । ଆମର ପଲ୍ଲୀ ଇୟାର ପଛରେ । ବା, ମା’ ଆର୍ ମୁଇଁ ଆସ୍ ସୁଁ ଶଲ୍ କୀ ଗଛରୁ ଝୁନା ଧର୍‍ବାର୍ ଲାଗି ଇନ୍ତା ଝୁନା, ମହୁ ଆର୍ ଇମିତି ଫଲମୂଲ୍ ଧର୍ ବାର୍ ଲାଗି ଆମେ ଇନ୍ତା ଡଙ୍ଗାରେ ଆସ୍ ସୁଁ । ତୋର ଘର୍ କେତେ ଦୂର୍ ?

 

ମୁଁ କହିଲି—ଆମ ଘର ବହୁତ ଦୂର । ଏଠାକୁ ଦି’ଦିନର ବାଟ ।

 

ସେ ହସି ହସି ଅସ୍ୱୀକାର କରି କହିଲା—ନାଇଁ, ତୁ ଡରାଉସୁଁ । ତୋର୍ ଘର୍ କୁ ମୁଇଁ ନାଇଁ ଯିବିରେ । ହାଁରେ ବାବୁ, ତୁଇ ତ ଜାନିସୁ; ଦିନେ ଏଠାରେ ବନ୍ଧ ପଡ଼ିବ । ଆମର ଘର, ଖେତଖଲା ସଭିଁ ଡୁବିଯିବ ପାନିରେ ।

 

ମୁଁ ଦେଖିଲି—ଟିକରପଡ଼ା ବନ୍ଧ ଆଉ ପଡ଼ିବାର ସମ୍ଭାବନା ନ ଥିଲେ ମଧ୍ୟ ଏ ଲୋକମାନଙ୍କଠାରୁ ଆଶଙ୍କା ଯାଇନାହିଁ । ବନ୍ଧ ପଡ଼ିବ ବୋଲି ଲୋକେ ସେ ଅଞ୍ଚଳରେ ନୂଆଘର କି ନୂଆ ଜମି କରିବାକୁ ଡରୁଛନ୍ତି ।

 

ନାଆ ଚାଲିଛି ନଦୀ ଉଜାଣିରେ । ମୋତି ମାରୁଛି ଆହୁଲା ମୋ ମନ ଭିତରେ । ମନ ବି ଉଜାଣି ଉଠୁଛି ।

 

କୋଳିଖିଆ ସରିଲା । ପାଟିରେ ମିଠା ଲାଗି ରହିଛି । କହିଲି—ତୁମରି ଜାତି ଭଗବାନଙ୍କୁ ଅଇଁଠା କୋଳି ଖୁଆଇଛି । ପୁଣି ତୁମରି ଜାତି ଧନୁଶର ମାରି ଭଗବାନଙ୍କର ଜୀବନ ନେଇଛି ।

 

—ଓଃ, ସେ ଜାରା ଶବର କଥା କହୁଛୁ ? ସେଇଥିପାଇଁ ତୁ ମୋର ବା’କୁ ଡରୁଛୁ କାଁ ? ନାଇଁରେ ବାବୁ, ତାର ସାଥିରେ ଏକଲା ବୁଲୁଚ ବୋଲିନ ମ’ର ବା’ଗୋସା ହେବ, ଭାବୁଛୁଁ କାଁ ?

 

ଆରେ ଏ ବଣୁଆ ଝିଅଟା କେଉଁକଥା ନେଇ କେଉଁଠି ରଖୁଛି ? ମୁଁ କହିଲି—ଡର ଲାଗୁନି ଯେ, କୋଳି ମିଠା ଲାଗିଲା ବୋଲି ଭାବୁଛି ।

 

ସେ କହିଲା—ଇ’ ବଣ ରାଇଜର ସବୁ ଇନ୍‍ତା ମିଠା ବାବୁ ।

 

ଇମିତି କଥା କଥାକେ ବଣୁଆ ଝିଅଟା ମୋତେ ପରାସ୍ତ କରି ଚାଲିଲା । ମୁଁ କଥା ବଦଳାଇ କହିଲି— ଆଚ୍ଛା ମୋତ, ଚାଲେ ଏଥର ଫେରିବା । ସଞ୍ଜ ପୂର୍ବରୁ ମୁଁ ପହଞ୍ଚିଲେ, ଲଭୀ ଆସିଛି, ବାଉଁଶ ନେବ, ସେଥିରେ ଯିବି ।

 

ମୋତି ଡଙ୍ଗା ବୁଲାଇଲା ସ୍ରୋତର ଅନୁକୂଳରେ । ଏଥର ନଦୀର ଅନୁକୂଳରେ ଆମର ଯାତ୍ରା । ଅପରାହ୍ନ ଖରା ମଉଳିଲାଣି ।

 

ସୂର୍ଯ୍ୟ ନାଲି ରଙ୍ଗ ଫେଣ୍ଟୁଛି । ଆଉ ଟିକିଏ ଗଲେ ମୁହଁରେ ବୋଳିବ ।

 

ମୁଁ ଚାହିଁ ରହିଲି ମୋତିକୁ । ମୋତି ତା’ ମୁହଁକୁ ଫେରାଇ ନେଲାନାହିଁ ।

 

କହିଲି—ତୁମ ଏ ଆଡ଼ର ଝିଅଗୁଡ଼ିକ ବେଶ୍ ସୁନ୍ଦର । ଆଉ ତୁ ? ତୋ ଭଳି ସୁନ୍ଦରୀ ଝିଅ ମୁଁ, ଏ ପର୍ଯ୍ୟନ୍ତ ଦେଖିନି ।

 

ତା’ ଗଭାରୁ ଗୋଟିଏ ଫୁଲ ଛିଣ୍ଡାଇ ମୋତେ ଦେଲା । କହିଲା—ଦେଖ୍ ବାବୁ, ଆମର ଏ ଝାଡ଼୍ ଜଙ୍ଗଲର ଫୁଲ କେନ୍‍ତା ବାସନା ।

 

ଆମେ ଟିକରପଡ଼ା ଘାଟକୁ ପ୍ରାୟ ଫେରି ଆସିଥିଲୁ । ମୋ ଘଣ୍ଟାରେ ପାଞ୍ଚଟା ବାଜିଥିଲା-। ନାଲି ରଙ୍ଗର ଗୋଟିଏ ପରସ୍ତକୁ ପତଳା କରି ସୂର୍ଯ୍ୟ ତାଙ୍କ ମୁହଁରେ ବୋଳି ସାରିଥିଲେ-

 

ତୁ କେବେ ଫେର୍ ଆସିବୁରେ ବାବୁ ? ପଚାରି ଦେଇ ମୋତି ଆଖି ଛଳ ଛଳ କଲା ।

 

ଭାବିଲି—ମୁଁ କ’ଣ ସତରେ ଆଉ ଏତେ ଦୂର ଆସିବି ? କେଉଁ ଗୋଟାଏ ସୌଭାଗ୍ୟରୁ ଏସବୁ ଅରଣ୍ୟ ସୁଷମା ଦର୍ଶନ କରିବାର ସୁଯୋଗ ପାଇଲି । ଆଉ କ’ଣ ଆସି ପାରିବି ? ତେବେ କ’ଣ କହିବି ମୋତିକି ?

 

ମୋତି କହିଲା—ତୁ ଜାନିଛୁ, ସେ କାଳରେ ଅର୍ଜ୍ଜୁନ ବୋଲି କିଏ ଜଣେ ରାଜାପୁଅ ଥିଲାନ । ସେ ପାତାଳପୁରର ସାପରାଜାର ଝି’କୁ ବାହାହୋଇ ଥିଲାନ । ତା’ ନିଜର୍ ଦେଶରେ ଗୁଟେ, ଆର୍ ସେ ଦେଶରେ ଗୁଟେ ।

 

ଏତକ କହି ମୋତି ଜୋରରେ ହସିଲା । ଏପରି ହସି ସେ ଅର୍ଜ୍ଜୁନକୁ ଅଟ୍ଟହାସ କଲା କି ମୋତେ ଅଟ୍ଟହାସ କଲା କି ତା’ ନିଜକୁ ଅଟ୍ଟହାସ କଲା ଜାଣିପାରିଲିନି । ତେବେ ଏତିକି ଜାଣେ, ଏଟା ତା’ ପରିହାସ ନୁହେଁ, ଅଟ୍ଟହାସ । କାରଣ ସେ ହସ ଭିତରେ ବେଦନା ପୂରି ରହିଥିଲା ।

 

ଡଙ୍ଗା କୂଳରେ ଲାଗିଲା । ଓହ୍ଲଉ ଓହ୍ଲଉ ସେ ପୁଣି ପଚାରିଲା—ଆର୍ କେବେ ଆସ୍‍ବୁ-?

 

ମୁଁ କହିଲି—ତୋତେ ଦେଖିବାର ସୌଭାଗ୍ୟ ଥିଲେ ସିନା ଆସିବି ଲୋ ମୋତି ! ତୁମେମାନେ ସିନା ନିଜର ଭାଗ୍ୟ ନିଜେ ଗଢ଼, ଆମେ ସବୁ ସହରୀ ସଭ୍ୟ, ପରର ଚାକିରୀ କରୁଛୁ । ଆମ ଭାଗ୍ୟ ଗଢ଼ିବାକୁ ଆମେ ଆମକୁ ଅନ୍ୟ ହାତରେ ଛାଡ଼ି ଦେଇଛୁ ।

 

ମୋ କଥା ହୁଏତ ମୋତି ବୁଝିପାରିଲା ନାହିଁ । ନତୁବା ଭୁଲ ବୁଝି ଭାବିଥିବ—ମୁଁ ପୁଣି କେବେ ଆସିବାକୁ ପ୍ରତିଶ୍ରୁତି ଦେଇଛି । ବଣୁଆ ମଣିଷ ଆଶାବାଦୀ । ନୈରାଶ୍ୟ ସେ ବୁଝେନାହିଁ । ଯେତେବେଳେ ନୈରାଶ୍ୟ ତାଙ୍କ ପାଖକୁ ଆସେ, ନିରାଶରେ ଫେରିଯାଏ କେବଳ ।

 

ମୋତିର ବାପା ଓ ମା’ ଶାଳଗଛରୁ ଝୁଣା ସଂଗ୍ରହ କରିବାକୁ ଅରଣ୍ୟର ନିଘୋଡ଼ତା ମଧ୍ୟକୁ ଚାଲିଯାଇଥିଲେ ।

 

ମୁଁ ଫେରିଲି । ମୋତି କିଛିବାଟ ଯାଏଁ ମୋ ପଛରେ ଆସିଥିଲା । ମୁଁ କହିଲି—ମୋତି, ମୁଁ ଯାଉଛି, ତୁ ଏଥର ଫେରିଯା’ ।

 

ମୋତି ମୋତେ ଟିକିଏ ଚାହିଁଲା । ତା’ ଆଖିରୁ ବିନ୍ଦୁ ବିନ୍ଦୁ ମୁକ୍ତା ଖସି ଆସିଲା ଅଶ୍ରୁଳ ହୋଇ । ତା’ପରେ ଫେରିଗଲା ।

 

ମୋତି ଫେରିଗଲା । ମୁଁ ଚାହିଁ ରହିଲି ସେ ଅଦୃଶ୍ୟ ହେବା ପର୍ଯ୍ୟନ୍ତ । ସେ ଆଉ ଫେରି ଚାହିଁ ନାହିଁ । ମୁଁ ଫେରିଲି ।

 

ଟ୍ରକରେ ବାଉଁଶ ଲଦା ସରିଥିଲା ।

 

ଚାହିଁଲି । ଚତୁର୍ଦ୍ଦିଗରେ ଅରଣ୍ୟ ! ଅରଣ୍ୟ-ନଦୀ । ଅରଣ୍ୟ ଜୀବଜନ୍ତୁ । ଅରଣ୍ୟ ମଣିଷ-

 

ମୋ ହୃଦୟରେ ଅରଣ୍ୟ—ମୂର୍ଚ୍ଛନା ।

 

ସନ୍ଧ୍ୟା ସା’ତକୁ ଫେରିଆସିଲି ଶୀତଳପାଣି । ତା’ ପରଦିନ ଫୁଲବାଣୀ ସହରକୁ । ସବୁ ସହରପରି ଏ ଅରଣ୍ୟଶୋଭୀ ସହରଟି ବି ଦିନକୁଦିନ ତା’ର ଆରଣ୍ୟ ଛନ୍ଦ ହରାଇ କୃତ୍ରିମ ହୋଇପଡ଼ୁଛି ।

 

କିନ୍ତୁ ମୋତି ? ଆଉ ତାର ସ୍ମୃତି ?

Image

 

Unknown

ମଧ୍ୟାହ୍ନର କର୍ମଯୋଗ

 

ମୋ ଜୀବନ ମଧ୍ୟାହ୍ନରେ ଆଉ ଗୋଟିଏ ରୌଦ୍ରକ୍ଲିଷ୍ଟ ମଧ୍ୟାହ୍ନ—ଜୀବନର ଲିପି ଲେଖିବାକୁ ସୁଯୋଗ ମିଳିଥିଲା, କେତୋଟି ମଧ୍ୟାହ୍ନ ବେଳାରେ ।

 

ବୌଦ୍ଧରାଜର ମହାନଦୀ ଉପକଣ୍ଠରେ କେତେଟା ଦିନ ବିତାଇବା ପାଇଁ ମୋତେ ସୁଯୋଗ ମିଳିଥିଲା । ଶିକ୍ଷକର ଗସ୍ତହୀନ-ସ୍ଥାଣୁଜୀବନ ମହାନଦୀ ପୁଲିନରେ ସେଇ ଦିନ ଗୁଡ଼ିକ କଲ୍ଲୋଳିତ ହୋଇଉଠିଲା ।

 

ଛୋଟ ରେଭେନ୍ୟୁ ବଙ୍ଗଳାଟାରେ ରହିବାକୁ ବନ୍ଦୋବସ୍ତ ହୋଇସାରିଥାଏ । ବଙ୍ଗଳାରେ ପହଞ୍ଚୁ ପହଞ୍ଚୁ ଜଣେ ସ୍ଥାନୀୟ ଭଦ୍ରବ୍ୟକ୍ତି ଜନ୍ମମାଟିର ସ୍ଵାଭିମାନ ପ୍ରଦର୍ଶନ କରି ହସ ହସ ମୁଖରେ ସମ୍ବର୍ଦ୍ଧନା ଜଣାଇଲ—“ଫୁଲବାଣୀ ସହରରେ ରହିକି ଆପନଙ୍କର ଗୋରା ଦେହଟା କଳା ପଡ଼ିଯାଇଛି । ଆପନ ଇନେ କିଛି ଦିନ୍ ରହୁନ୍ ନା, ଦେଖିବେ, ରଙ୍ଗ୍ ବଦଳିଯିବା ।”

 

ମୁଁ ହସି ହସି ପଚାରିଲି, “କିମିତି ?” ସେଇ ହସ ମୁହଁରେ ସେ କହିଲେ—ଏଇ ମହାନଦୀଥି ଗାଧୁଇକିରି, ଆର୍ ଇତାର୍ ମାଛ ଖାଇ କିରି ।

 

ପ୍ରକୃତରେ ସେଠାକାର ପୁରୁଷ ଓ ମହିଳା ବେଶ୍ ସୁସ୍ଥ ଓ ସୁନ୍ଦର । ଏଠାରେ ରୌଦ୍ର ପ୍ରଖର ହେଲେ ବି ମନ ପ୍ରଶାନ୍ତରେ ହିଲ୍ଲୋଳ ।

 

ମହାନଦୀ ପ୍ରତି ଥିବା ମୋର ପୂର୍ବ ପ୍ରୀତି ବହୁଗୁଣିତ ହୋଇଗଲା ।

 

ସେତେବେଳକୁ ସନ୍ଧ୍ୟାରାଗ ପଶ୍ଚିମ ଆକାଶରୁ ଓହ୍ଲାଇ ମହାନଦୀର ନୀଳ ନୀରବେଣୀକୁ ରକ୍ତିମ କରିସାରିଥିଲା । ବଙ୍ଗଳାର ସମ୍ମୁଖରେ ଥିବା ଉନ୍ନତ ରାଧାଚୂଡ଼ା ତରୁ ପଂକ୍ତି ଏ ଶୋଭା ସନ୍ଦର୍ଶନ କରି ନିଜ ନିଜର ମୁଖମଣ୍ଡଳ ବି ରାଗ ରଂଜିତ କରି ସାରିଥିଲେ ।

 

ମହାନଦୀର ଏହି ସ୍ଥାନଟା ଅସଂଖ୍ୟ ଅକର୍ମଶିଳାରେ ପୂର୍ଣ୍ଣ । ଏହି ଶିଳା ଶଯ୍ୟା ଦୀର୍ଘ ବାର ମାଇଲ ନିମ୍ନକୁ ଆଠମଲ୍ଲିକ ଯାଏ ଲମ୍ବିଯାଇଛି ।

 

ସନ୍ଧ୍ୟା ଅତିକ୍ରାନ୍ତ ହେଲାପରେ—ଶୁକ୍ଳ ପଞ୍ଚମୀର ଚନ୍ଦ୍ର ଏଇ ଶିଳା ଓ ସଲିଳ ଉପରେ ଏକ ଆସ୍ତରଣ ବିଛାଇ ଦେଲା । ଶିଳା ସଲିଳ ଦମ୍ପତିପରି ଜ୍ୟୋସ୍ନାର ଏହି ଚିରନ୍ତନ ପ୍ରୀତି ଆଭରଣ ତଳେ ଅଭିନ୍ନ ହୋଇଗଲେ । କେବଳ ଶୁଭଥିଲା ନଦୀର ମର୍ମର ଧ୍ୱନି ପ୍ରୀତିକାନ୍ତ ଉଚ୍ଛ୍ୱାସ ପରି ।

 

ମୃଦୁ ସମୀରଣ କ୍ଳାନ୍ତି ଓ ଉଷ୍ଣତା ଦୂର କରି ଦେଉଥିଲା ।

 

ଏହି ଅପାର୍ଥିବ ପରିବେଶଟିକୁ ଅଧିକ ସ୍ୱପ୍ନିଳ କରି ଅନତିଦୂରରୁ ଭାସି ଆସିଲା ବଂଶୀସ୍ଵନ । ସେ ରାଗିଣୀ ଥିଲା କାରୁଣ୍ୟର । କେଉଁ ବିରହୀ ପ୍ରାଣର ମର୍ମଭେଦୀ ମୂର୍ଚ୍ଛନା ଅବା ସେ-

 

ପଞ୍ଚମୀର ଚନ୍ଦ୍ର ଲୁଚିଗଲେ ଏହି ଦିବ୍ୟ ଦୃଶ୍ୟରେ ଏକ କଳା ଯବନିକା ଟାଣି । ବଂଶୀର ବିଳାପ ସମୀରଣ ତରଙ୍ଗରେ ଦୋଳିଦୋଳି ଦୂର ଦିଗ୍‍ବଳୟ କୋଳରେ ଅନ୍ତନିର୍ହିତ ହୋଇଗଲା । ମହାନଦୀର ବକ୍ଷରେ ଦଶିଲା ମତ୍ସ୍ୟଜୀବୀମାନଙ୍କର ନିଆଁ ହୁଳା, ଡଙ୍ଗା ଉପରୁ ଜାଲଫିଙ୍ଗ ମାଛଧରା ଜୀବକାର ସଂକେତ ବହନ କରି ।

 

ମହାନଦୀର ପ୍ରଥମ ସନ୍ଧ୍ୟା ଓ ନିଶିଥନୀ ମୋ ମଧ୍ୟାହ୍ନ ଜୀବନର ଶୁଷ୍କସିକତାରେ ସିଞ୍ଚଲା ଶିକାର-ଶୀତ-ସଲିଳ ।

 

ପରଦିନ ମଧ୍ୟାହ୍ନରେ—ଆମର ପିଣ୍ଡା ଉପରକୁ ଉଠି ଆସିଥିଲେ ପ୍ରୌଢ଼ାଯୁବା ହୋଇ ଦଶ ବାରଜଣ ଶ୍ରମିକ ମହିଳା । କିନ୍ତୁ ମୋତେ ଦେଖି ପିଣ୍ଡା ଉପରକୁ ଆସିବାକୁ ସାହାସ କଲେ ନାହିଁ ।

 

ହଠାତ୍ ଯେମିତି ପଥିକ ଦଳେ ଅଦୂରରେ କୌଣସି ହିଂସ୍ର ଜୀବଟାଏ ଦେଖି ଅଟକି ଯାଇଛନ୍ତି :

 

ବଙ୍ଗଳା ଘରଟା ସାଧାରଣତଃ ଖାଲିଥାଏ । ଶ୍ରମିକମାନେ କାମ ଶେଷକରି ମଧ୍ୟାହ୍ନଟା ଏଇଠି ବିଶ୍ରାମ କରନ୍ତି । କିନ୍ତୁ ତାଙ୍କର ବିଶ୍ରାମ ସ୍ଥାନଟା ଆଜି ସେ ହିଂସ୍ରଜୀବ-ସଂକୁଳ ।

 

ମୁଁ ଦେଖିଛି, ସେମାନେ ଗୋଟାଏବେଳେ ନାମରୁ ଛୁଟି ହୋଇ ଆସିଲେ । ମହାନଦୀର ମନ ମତାଣିଆ ଜଳସୁଅରେ ଗାଧେଇବା ଶେଷକରି ଶାଢ଼ୀଟିମାନ ଶୁଖାଇ ଦେଲେ । ରାଧାଚୁଡ଼ା ଛାଇରେ ବସି ଘରୁ ଆଣିଥିବା ବାସିଭାତ ଖାଇନେଲେ । ଖାଇସାରିବାବେଳକୁ ପିନ୍ଧା ଲୁଗାଟାମାନ ଦରଶିଖୁଲା ହୋଇସାରିଥାଏ । ତାକୁ ପିନ୍ଧ ପକାଇ ଏ ପିଣ୍ଡା ଉପରକୁ ଝପଟି ଆସୁଥିଲେ ।

 

କେତୋଟି ଝିଅ ରାଧାଚୂଡ଼ା ଛାଇକୁ ଫେରିଯିବାକୁ ଆରମ୍ଭ କଲେଣି । ଜଣେ ପ୍ରୌଢ଼ା ଅନୁନୟ ଭଙ୍ଗୀରେ ମୋତେ ପଚାରିଲେ— “ଆମକୁ ଶୁଇବାର ଲାଗି ଜାଗା ନାଇଁ ମିଲବା ? କ୍ୟାଁ ବୁଲ ଚନ୍ ?”

 

ମୋ ତଥା କଥିତ ଶିକ୍ଷିତ ତଥା ଯୋଗ୍ୟତାସମ୍ପନ୍ନ ମନରେ ଦ୍ଵିଧା ଜାତ ହେଲା । ନୀରବ ରହୁଥିଲି, କିନ୍ତୁ ମୋ ଭିତରୁ ବିବେକଟା ମନର ଦ୍ଵିଧାକୁ ଅବଜ୍ଞା କରି କହିଲା—ଏଇଠି ଶୁଅ ଯେ, କିନ୍ତୁ ଗହଳି କର ନାହିଁ ।”

 

ପାଖ କୋଠରୀରେ ପରୀକ୍ଷାର୍ଥୀମାନେ ରହୁଥିଲେ ।

 

ପ୍ରୌଢ଼ାମାଉସୀ ମୋ ଚୁକ୍ତିରେ ସମ୍ମତ ହୋଇ ପିଣ୍ଡା ଉପରୁ ଡାକଦେଲେ— “ଆସ ଲୋ ଆସ, ଇନେ ଶୁଇଁମା ।”

 

ସମସ୍ତେ ଦୌଡ଼ି ଆସି ସାମାନ୍ୟ ଗହଳି ସହିତ ନିଜ ଦଳ ସ୍ଥାନ ଦଖଲ କରିନେଲେ ।

 

ପ୍ରୌଢ଼ାମାନେ ଗଡ଼ପଡ଼ ହୋଇ ରାଇଜଯାକର କଥା ଗପି ଲାଗିଲେ । ଝିଅ ମାନେ ଉକୁଣୀ ଖୋଳା ଆରମ୍ଭ କରି ଦେଇ ଖୁବ୍ ଗପି ଲାଗିଲେ । ମୁଁ ଅନୁଭବ କଲି, ସେମାନେ ତାଙ୍କର ନୀରବ ରହିବାର ଚୁକ୍ତିଭଙ୍ଗ କରିଛନ୍ତି । ସେମାନଙ୍କୁ ପିଣ୍ଡାରୁ ଛାଡ଼ିଦେବା କଥା । କିନ୍ତୁ ତଡ଼ି ପାରିଲି ନାହିଁ ।

 

ସେମାନଙ୍କ କଥାବାର୍ତ୍ତାରେ ପଲ୍ଲୀର ମାଧୁର୍ଯ୍ୟପୂର୍ଣ୍ଣ ହୋଇଥିଲା । ମୁଁ ଅନ୍ତରାଳରେ ରହି କେବଳ ଶୁଣିଥିଲି ନୁହେଁ । ମୋ ମଧ୍ୟାହ୍ନ-ଉତ୍ତପ୍ତ-ମାନସକୁ ସୁଶୀତଳ କରୁଥିଲି ।

 

ଏହି ଶ୍ରମିକ ଗୋଷ୍ଠୀ ଦୁଃଖକଷ୍ଟ ଭିତରେ କି ଆନନ୍ଦ ଉଚ୍ଛଳ । ସେମାନଙ୍କୁ ଦୁଃଖୀ କହିବାକୁ ମନ ବଳେ ନାହିଁ ।

 

କ୍ରମେ ସେମାନଙ୍କର ସରସତା କମି ଆସିଲା । ତାଙ୍କର ସରସମୁଖ ଓ ଉକୁଣୀ ଅନ୍ୱେଷୀ ହସ୍ତ ଶିଥିଳ ହୋଇଆସିଲା । ପୂର୍ବାହ୍ନର ଶ୍ରମକ୍ଳାନ୍ତ ଅଙ୍ଗପ୍ରତ୍ୟଙ୍ଗ ଅବଶ ହୋଇଆସିଲା । ତାଙ୍କର ଏହି ଗପ ଓ ଉକୁଣୀମରା ଏକପ୍ରକାର ଅବସର ବିନୋଦନ ବୋଲି ଭାବିଥିଲି, କିନ୍ତୁ ତାହା ଥିଲା ତାଙ୍କ ନିଦ୍ରାର ପୂର୍ବାଭାସ ।

 

ସେମାନେ ଶୋଇପଡ଼ିଲେ, ଯେମିତି ଦ୍ରୁତଗତିରେ ଧାବମାନ ରେଳଗାଡ଼ି କ୍ରମଶଃ ଗତି ଧୀର କରି ଷ୍ଟେସନରେ କିଛି ସମୟ ପାଇଁ ଥକା ହୋଇ ଶୋଇପଡ଼େ ।

 

କିଛି ସମୟ ରେଳଗାଡ଼ି ଗାର୍ଡ଼ ସାହେବର ହୁଇସିଲ୍‍ ଓ ନୀଳ ପତାକା ଦେଖି ସିଟି ମାରି ଧାଇଁଲା ପରି ଗୋଟିଏ ଠିକାଦାରର ଡାକରେ ସବୁ ଉଠି ପଡ଼ିଲେ । ବିଶ୍ରାମ ନେବାର ଅଧଘଣ୍ଟାଏ ହୋଇନାହିଁ, ପୁଣି ସେମାନେ ଯିବେ କର୍ମସ୍ଥଳକୁ ।

 

ଏତେବେଳକୁ ଜଣେ ଶ୍ରମିକ ଆସିଲେ । ବୟସ ଗଡ଼ିଯାଇଥିଲେ ବି ପ୍ରୌଢ଼ତ୍ଵର କଳାଗାର ତାଙ୍କ ଦେହରେ ପଡ଼ିନାହିଁ । ବର୍ଣ୍ଣ ଶ୍ୟାମ, ସୁଠାମ ଅଙ୍ଗଗଠନ, ହାତ ଗୋଡ଼ରେ ମାଂସପେଶୀ ଛାଡ଼ିଦେଲେ ତାଙ୍କର ଆଉ କିଛି ଶ୍ରମିକତ୍ୱର ଛାପା ବହନ କରିନାହିଁ ।

 

ପ୍ରୌଢ଼ା ଜଣକ ପଚାରିଲେ— “ଖାଇକରି ଆସିଲୁନ୍ କ୍ୟାଁ ? ରାନ୍ଧିଲୁ କାଣା ?”

 

ଶ୍ରମିକ ଉତ୍ତର କଲା— “ଭାତରେ ଆଲୁ, ଲୁନ୍, ହଲ୍ଦୀ ପକାଇ କରି ଗୁଟେ ନାଲ୍ ରାନ୍ଧନା କରିଦେଲି, ପେଟ ପୁର୍‍ଲେ ତ ହେଲା ।”

 

ଏ ଆଳାପଜନିତ ବିଳମ୍ବରେ ବିରକ୍ତ ହୋଇ ଠିକାଦାର ଏଥର ଧମକେଇ ପାଟିକଲେ–“ଚାଲ, ବସିଛ କାହିଁକି ? କାମ କରିବାକୁ କ’ଣ ମନ ନାହିଁ ?

 

ମୋତେ ଖରାପ ଲାଗିଲା । ମୁଁ କହି ପକାଇଲି—“ସେମାନଙ୍କୁ କ’ଣ ଦିନ ମଝିରେ ବିଶ୍ରାମ ଟିକେ ଦେବ ନାହିଁ କି ? ସେମାନେ ତ ଆସିଲେ ଦୁଇଟା ବେଳେ; ଏବେ ତ ତିନିଟା ବାଜି ନାହିଁ । କ’ଣ ଦିନସାରା କାମ କରୁଥିବେ ?”

 

ଠିକାଦାର ବୋଧହୁଏ ମୋତେ ଜଣେ ବଡ଼ ଅଫିସର ବୋଲି ଭାବିଲା, ତେଣୁ ଧମକା ଧମକି ନ କରି ଚାଲିଗଲା । କିନ୍ତୁ ତା’ ଧମକ ଅପେକ୍ଷା ଏହି ଚାଲିଯିବାଟା ଶ୍ରମଜୀବୀମାନଙ୍କ ନିକଟରେ ଅଧିକ ଭୟଙ୍କର ମନେ ହେଲା । ଜନୈକା ପ୍ରୌଢ଼ା ଶ୍ରମିକା କହିଲେ—“ଚାଲ୍ ଲୋ ଟୁକୁଲିମାନେ, ଆର୍ କାଇଁଲାଗି ଶୁଇଚ୍ ? ମଠ୍ କଲେ ଯେବେ ଉଲିକର ପାଉନା ଦେଇ ଫେରେଇ ଦବ !”

 

ସାମାନ୍ୟ ମାତ୍ର ମଜୁରି ପାଇଁ ସେମାନେ ଆସିଛନ୍ତି ଦିନେ ଖଟିବେ ବୋଲି । ସେଥିରେ ଚାରିପାଞ୍ଚପ୍ରାଣୀ ଚଳିବେ ! ବାସ୍ତବିକ, ଯେବେ ଗୋଟେ ଓଳି ପଇସା ଦେଇ ଫେରାଇ ଦିଏ !

 

ଟୁକୁଲିମାନେ ଫେରାଇ ଦେବାର ଭୟ ପାଇଥିଲେ ବି ବୟସର ଦାମ୍ବିକତାରେ କହିଲେ–‘‘ଫେରାଇ ଦେଲେ ଆମେ ଭାଗିଯିମାଁ ।”

 

କିନ୍ତୁ ଏତକ କହିଦେଇ ସେମାନେ ଆଗ ଉଠିଲେ କାମ ପାଇଁ । କହିଲେ—“ଆମେ ଧାଂଗରୀମାନେ, ଇଟା ବୁହିବୁ, ତୁମେ ବୁଢ଼ାବୁଢ଼ୀମାନେ ଯା ଯେ, ବଳି ବୁହିମ ।”

 

ବାଲି ବୁହାରେ ନଈର ଉଠାଣି ଉଠିବା ଅଛି । ତେଣୁ କଷ୍ଟ ଅଧିକ । ଇଟା ବୁହାରେ ଉଠାଗଡ଼ା ନାହିଁ ।

 

ଅଭାବ ଯୋଗୁଁ ଏ ସୁକୁମାର ବୟସରେ ଅଳ୍ପ ମଜୁରି ପାଇଁ ସେମାନେ କାମ କରିବାକୁ ଆସିଛନ୍ତି । ବୟସର ଓଜନ ନାହିଁ, ମନ ହାଲୁକା, ହାଲୁକା କାମ କରିବାକୁ ତାଙ୍କରି ମନ । ମହାନଦୀ ଶଯ୍ୟାରୁ ବାଲି ବୋଝ ମୁଣ୍ଡାଇ ନଦୀ ଉପରକୁ ଉଠୁ ଉଠୁ ଏହି ହାଲୁକା ମନଗୁଡ଼ିକ ଯେପରି ସକାଳବେଳା ଚିପି ହୋଇଯାଇଛି !

 

ଏକମାତ୍ର ଶ୍ରମିକଙ୍କୁ ଲକ୍ଷ୍ୟକରି ପଚାରିଲି—“ତୁମେ କ’ଣ ଏମାନଙ୍କ ସାଙ୍ଗରେ କାମ କର ?”

 

—ଆଜ୍ଞା, ହଁ !

 

—ତୁମେ କେତେ ମଜୁରି ପାଅ ?

 

—ଅଣ୍ଡିରା ଲୋକ ଟଙ୍କା ଦେଢ଼ଟା, ମାଇପି ଲୋକ ଟଙ୍କାଟେ ଲେଖାଁ ପାଇସୁଁ ।

 

ଆମ କଥାବାର୍ତ୍ତା ଆରମ୍ଭ ହେବାର ଦେଖି ଶ୍ରମିକମାନେ ପୁଣି ପିଣ୍ଡା ଉପରେ ବସିଲେ । ଖରାକୁ ଚାହିଁଲେ । ବେଳ ହୋଇନାହିଁ ।

 

—ତୁମର ନାମ ?

 

—ନାରଣ ମାଝି ।

 

—ମାଝି, ମାନେ ?

 

—ଚଷା ଲୋକ ।

 

—ତୁମେ ସବୁ ଏତେ ଅଳ୍ପ ମଜୁରିରେ ଚଳିଯାଅ ?

 

—ସେ ପ୍ରକାର ଚଲ୍‍ବା ଆର୍ ନ ଚଲ୍‍ବା ସମାନ୍, ବାବୁ । ଆମେ ବଲ୍ ଖଟାଇ କାମ କର ସୁଁ । ଦିନ୍ କରେ ଘଣ୍ଟେ କି ଦି ଘଣ୍ଟା ଫୁରୁସତ୍ ନାହିଁ । କାମର ଫଲ୍ ଯାହା ମିଲ୍ସି, ସେଥିରେ କାମ ନାଇଁ କର୍‍ବାର୍ କଥା । ହେଲେ କାଁ କର୍‍ବୁ । ମୁଲିଆ ପିଲା ଆମେ । କାମ୍ ନାଇଁ କଲେ, ନାଇଁ ରହିପାରୁ । ଏଇ କାମ ଭିତରେ ନ ଆମର୍ ଜୀବନ୍ । ଆର୍ ସେଥିଲାଗି କାମ୍ କରସୁଁ ।

 

ବାଃ, ଚମତ୍କାର କର୍ମଯୋଗର ବ୍ୟାଖ୍ୟା । ଗୀତାର ନିଷ୍କାମ କର୍ମଯୋଗ ମନେ ପଡ଼ିଲା । ଫଳରେ କଦାଚନ ଆସକ୍ତି ନାହିଁ । କେବଳ କର୍ମ ହିଁ ସେମାନଙ୍କର ଜୀବନ । କର୍ମରେ କେତେ ଆତ୍ମୀୟତା, କେତେ ଶ୍ରଦ୍ଧା ! ମୂଲିଆ ସେମାନେ, ସ୍ଵଧର୍ମ ପାଳନ କରୁଛନ୍ତି । “ସ୍ଵଧର୍ମୋ ନିଧନଂ ଶ୍ରେୟଃ ।”

 

ଏ ନାରଣ ମାଝିକୁ କିଏ ଯେପରି ଗାତାର ଶ୍ଳୋକ କୁହାଇ ଦେଉଛି । ଅବା ସେ ମାଝି ସାରଥୀ ହୋଇ ଏଇ ଅଳ୍ପ ମଜୁରିଆ (ସବ୍ୟସାଚୀ) ମାନଙ୍କୁ କର୍ମ ଓ ବିକର୍ମର ଉପଦେଶ ଦେଇଛି ଗୀତାର ଚତୁର୍ଥ ଅଧ୍ୟାୟରେ—କର୍ମଣୋହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟଂ ତ ବିକମଣଃ ।

 

—ତୁମର ପିଲାଛୁଆ କେତେ, ନାରଣ ?

 

ନାରଣ ଅଳ୍ପ ହସି ଶ୍ରମିକମାନଙ୍କ ଆଡ଼କୁ ଲାଜେଇ ଚାହିଁଲା । ମୁଁ ଭାବିଲି ନାରଣ ବୋଧହୁଏ ବାହା ହୋଇନି । କାରଣ ଗରିବ ସେ । ଦି’ ଟା ପେଟ ପୋଷିବାର ସମ୍ବଳକୁ ଡରି ସେ ଏକୁଟିଆ ରହିଯାଇଛି ।

 

—ତୁମେ ତାହାହେଲେ ବାହା ହେଇନ, କାରଣ ।

 

ଟୋକ୍‍ଲିଟାଏ କହିଲା—ଠିକ୍ ବାବୁ, ତାକୁ ହେକଥା ଆର୍ ଥରେ ପଚରା ।

 

ଅନେକ ସମୟରେ କିଛି ପଚାରିବାକୁ ଅନୁମତି ଓ ଅନୁରୋଧ ପାଇଲେ ମଧ୍ୟ ପଚାରି ହୁଏନି । ମୁଁ ପଚାରିଲି ନାହିଁ । ଦେଖିଲି, ନାରଣର ସେ ମୁହଁଟାରେ ନିର୍ଲିପ୍ତତା ଲାଗିରହିଛି ।

 

ମୋର ଓ ସେମାନଙ୍କ ମଧ୍ୟରେ କ୍ରମେ ଆତ୍ମୀୟତା ବଢ଼ି ଆସୁଥିଲା । ତେଣୁ ଏ ପ୍ରଶ୍ନ ବାରାନ୍ତରେ ପଚାରିବି ଭାବି ତୁନୀ ରହିଲି । ଆଉ ଜଣେ ଟୋକ୍‍ଲି କହିଲା— “ହେ ବୋ ନାରଣ, ତୁଇ କାଇଁଲାଗି କନିଆଁ ନାଇଁ ଆଣିବାକୁ ?”

 

ନାରଣ ନିର୍ଲିପ୍ତ ମୁହଁଟାରେ ଏଥର ଅଳ୍ପ ହସି କହିଲା— “ମୋର ଆର କନିଆଁ କାରବାର ବଅସ୍‍ ଅଛି କାଁ ?”

 

ନାରଣର ଅତୀତଟା ଏମିତି କେବେ ଆଗକୁ ଆସେ । ମହାନଦୀର ଢ଼େଉପରି ପଥର ବଣିଆ ଉପରେ ବାଡ଼େଇ କରି ହୋଇ ଗର୍ଜନ କରି ଗଡ଼ି ଗାଡ଼ି ଯାଏ । ତାର ଅନ୍ଧାରୁଆ ମନଆକାଶରେ ଉଅଁନ୍ତି ଅତୀତର କୁମାରୀ, ଖିରାଧି, ହୀରା, ବେଡ଼ି ଗୋଟି ଗୋଟି ତାର ହୋଇ । କେହି ନାରଣର ହେଲେ ନାହିଁ । ଗୋଟାଏ ପରେ ଗୋଟାଏ ଚାଲିଗଲେ ମହାନଦୀ ଢେଉପରି । ନାରଣ ପଡ଼ି ରହିଲା ନଦୀମଧ୍ୟସ୍ଥ ଅକର୍ମ ଶିଳାହୋଇ । ଢେଉ ଆସିଲା, ତା’ ଉପରେ ଖିଲ ଖିଲ ହସି ଅଜାଡ଼ି ହେଲା । ଶିଳା ଯେତେବେଳେ ଢେଉକୁ ଅଟକାଇବାକୁ ଗଲା, ଢେଉ ଚାଲିଗଲା ଦୂରକୁ । ଅକର୍ମଶିଳା ବ୍ୟର୍ଥ ଆଶା ନେଇ ପଡ଼ିରହିଲା ପୂର୍ବପରି । ବର୍ତ୍ତମାନ ଆଉ ସେ ଅକର୍ମ ଶିଳାର କମ୍ପନ ନାହିଁ, ଆଲୋଡ଼ନ ନାହିଁ, ସେ ନିର୍ବେଦ, ଜଡ଼, ନିର୍ଲିପ୍ତ ।

 

ନାରଣ କହିଲା—ଚାଲ ଲୋ ସଭିଏଁ, କାମକୁ ଯିବା । ମିସ୍ତ୍ରୀମାନେ ଆଇଲେନ ।

 

ସାରଥୀର ନିର୍ଦ୍ଦେଶରେ କ୍ଲୀବତ୍ଵ ଫିଙ୍ଗି ସେମାନେ ଚାଲିଲେ । ନାରଣ ଗଲାବେଳେ ମୋତେ ପଚାରିଲା— “ଆର୍ ଇନେ କେତେ ଦିନ୍ ରହିବ, ବାବୁ ?”

 

—ପାଞ୍ଚଦିନ ।

 

ନାରଣ ଚାଲିଗଲା କାମକୁ । ମୋତେ ତା’ର ଅତୀତର କାହାଣୀ ଏହି ପାଞ୍ଚ ଦିନ ଭିତରେ ସବୁ କହିଯିବ ବୋଲି ଯେପରି ଇଙ୍ଗିତ ଦେଇଗଲା ।

 

ରାଧାଚୂଡ଼ାର ଛଳରେ ଠିଆ ହୋଇ ଦେଖିଲି, ମହାନଦୀର ଚିରନୂତନ ଶୋଭା । ମଝିରେ ଅସଂଖ୍ୟ ଅକର୍ମଶିଳା । ସ୍ରୋତ ତ’ ଉପରେ ପିଟି ହୋଇ ବହିଚାଲିଛି ଦୂରକୁ ।

 

ଏ ପାଖରେ ଶ୍ରମିକମାନେ ବାଲିବୋଝ ମୁଣ୍ଡରେ ଧରି ଧାଡ଼ି ବାନ୍ଧି ଧୀରେ ଧୀରେ ଉଠିଲେଣି ନଦୀ ଉପରକୁ । ସେମାନେ ଯେପରି କର୍ମର ଜୀବନ୍ତ ବିଗ୍ରହ । ଏଇମାନଙ୍କର ପୂର୍ବପୁରୁଷମାନେ, ଏଇ ବଙ୍ଗଳା, ଏଇସବୁ ଇମାରତ୍‍ମାନ ଗଢ଼ିଛନ୍ତି ବାଲି ବୋହି, ପଥର ଟେକି, ଇଟା ଗଢ଼ି । ଅଥଚ ଏଇମାନେ ଆଜି ଏଇ ବାରଣ୍ଡାରେ ଟିକିଏ ଶୋଇବାକୁ ଅନୁମତି ପ୍ରାର୍ଥନା କରୁଛନ୍ତି ଗୋଟିଏ ଅଜ୍ଞାତ, ଅକର୍ମ ଅନଧିକାର ମଣିଷ ପାଖରେ । ଦାତା ଆଜି ଗ୍ରହୀତା ନିକଟରେ ପ୍ରାର୍ଥୀ । ସ୍ରଷ୍ଟା ଆଜି ସୃଷ୍ଟି ନିକଟରେ ଅନୁଗ୍ରହକାଂକ୍ଷୀ । ସୃଷ୍ଟି ଯେଉଁଠି ମୋହ ଯୋଗୁଁ ସ୍ରଷ୍ଟାଙ୍କୁ ଚିହ୍ନିପାରେ ନାହିଁ, ସେଇଠି ଦେଖାଦିଏ ବିଡ଼ମ୍ବନା । କିନ୍ତୁ ମୁଁ ଠିକ୍ ସ୍ରଷ୍ଟାଙ୍କୁ ଚିହ୍ନି ପାରିଛି ବୋଲି ନିଜକୁ ଧନ୍ୟ ମଣିଲି ।

 

ପରଦିନର ମଧ୍ୟାହ୍ନ ।

 

ପୂର୍ବପରି ଖାଇବା ଶେଷ କରି ଆମ ପିଣ୍ଡାରେ ସେମାନେ ହାଜର ହୋଇଗଲେ । ଏଥର ଆଉ ସେମାନେ ଅନୁମତି ମାଗିଲେ ନାହିଁ । ବରଂ ଆମଘରୁ ଦେହ ମୁଣ୍ଡରେ ମାଖିବା ପାଇଁ ତେଲ ମାଗିନେଲେ କେତେଟା ଟୋକିଲି ଖିଲି ଖିଲି ହସ ଭିତରେ ଦର୍ପଣ ମାଗି ଦେଖିଲେ, ତେଲ ଲଗାଇଲେ ମୁହଁ କିମିତି ଦିଶୁଛି । ସେମାନେ କିମିତି ତେଲ ଲଗାଇ ମୁହଁର ଶୋଭା ଆଗରୁ କେବେ ଦେଖି ନ ଥିଲେ ।

 

ମୋ ସହିତ ସେମାନଙ୍କର ଘନିଷ୍ଠତା ବଢ଼ିଯିବାର ଲକ୍ଷ୍ୟ କଲି । ଏଇ ସୁଯୋଗର ସେମାନଙ୍କର ଘରକରଣା ବିଷୟରେ ବି ପଚାରି ବସିଲି । ପ୍ରୌଢ଼ା ଜଣକ ମୋ ପୁଅ ଝିଅ ଅନୁସନ୍ଧାନ କରି ମାଗିଯାଚି କଲ୍ୟାଣ କରି ସାରିଲେଣି ।

 

ନାରଣ ଆଜି ଦିଶୁନାହିଁ । ହୁଏତ ଖାଇପିଇ ଆସୁଥିବ ।

 

ନାରଣର ଅବିବାହିତ ଜୀବନଟା ପୂର୍ବଦିନରୁ ମୋ ମନରେ କେତେଟା ରେଖା ଟାଣିଥିଲା । ଯେଉଁ ରେଖାଗୁଡ଼ିକର ପ୍ରସ୍ଥ ନାହିଁ, ଉଚ୍ଚତା ନାହିଁ, ଦୈର୍ଘ୍ୟ ହୁଏତ ଅଛି । ଏଇ ଦୈର୍ଘ୍ୟର ପରିମାଣ ଜାଣିବା ପାଇଁ ମୁଁ ପଚାରି ବସିଲି ସେମାନଙ୍କୁ ନାରଣ ବିଷୟ ।

 

ମାଣିକ ନାମ୍ନୀ ଧାଙ୍ଗଡ଼ୀ ଜଣଙ୍କ କରି କରି ହସି ତା’ ପାଖରେ ଗୋଟାଏ ଟୋକୀକୁ ଠେଲି ଦେଇ କହିଲା—କହଲୋ କୁମାରୀ, ନାର୍ ନର କଥା ପଚରୁଛନ୍, କାହା ବାବୁ, ଇତାକେ ପଚାରଂ, କହିବ । ଏଇ ପୋଡ଼ାମୁହିଁ ଲାଗି ପୋଡ଼ାମୁହାଁ ଘର୍ ନାଇଁ କଲା ।

 

କୁମାରୀ ସେତେବେଳକୁ ଦେହ ମୁଣ୍ଡରେ ତେଲ ବୋଳି ହୋଇ ଦର୍ପଣଟାକୁ ଚାହିଁ ହାତରେ ମୁହଁକୁ ରଗଡ଼ି ରଗଡ଼ି ଚିକ୍କଣ କରୁଥିଲା । ସାଙ୍ଗେ ସାଙ୍ଗେ ଦର୍ପଣକୁ ରଖିଦେଇ ମୁହଁଟାକୁ ହାଣ୍ଡି ପରି କରି ବସି ରହିଲା ।

 

ମାଉସୀ ଜଣକ କହିଲେ—ନାରନ୍‍ଟା ବାବୁ ଭାରି ଭଲ ପିଲା । ଦେଖିବାକୁ ଯେନ୍ତା, କଥା ସେନ୍ତା; ଆର କାମ୍ କର୍‍ ବାକ୍ ମିଶା ସେନ୍ତା । ଏଇ କୁମାରୀ ସାଥିରେ ବିହା ହେବାର ଲାଗି ନାରନ୍‍ର ଠିକ୍‍ଠାକ୍ ହୋଇଥିଲା । ଦୁହେଁଯାକ ଇ’ ମର୍ଜାକୁଦର । ପିଲା ଦିନରୁ ଦିହେଁ ସାଥୀ ହୋଇଥିଲେ । ସେତେବେଳକୁ ନାରନ୍‍ ରେ ମା’ ଜୀଇଁଥିଲା । ଏବେ ମରିଗଲାନ । ଦୁଃଖୀ ଘରର ପିଲା । ଆମେ ମିଶ, ସଭିଏଁ ଦୁଃଖୀ ଘରର । ହେଲେ ନାରନ୍‍ ରେ ଖେତଖଲା କିଛି ନାଇନ ବୋଲି ଏଇ କୁମାରୀର ବା’ ଇତାରେ ରାଜି ନାଇଁ ହେଲା ।

 

ପୁନମାସୀ ବୋଲି କୁମାରୀର ସମବୟସୀ ଗୋଟିଏ ଟୋକୀ କହି ପକାଇଲା—ଇ’ କୁମାରୀର ସବୁ ଦୁଷ, ବାବୁ ! ଇ’ ନାଇଁ କରୁଥିଲେ କାଣା ତାର ବା’ ଉନିଆଁ କେନ୍‍ଠାନେ ବିହା କରାଇ ଦେଇ ଥାଆତା ? ଥରେ କାଁ ହେଲା କି—ହେ ଜେନ ପଖନ (ପଥର), ତା’ର ଉପରେ ବସି ନାରନ୍ ଲାଠିଖିଚି ମାନ ମାର୍‍ଥିଲା । ସି ପାଖରେ କୁମାରୀ ବାଲି ରହୁଥିଲା । ନାରନ୍‍ର ମନ ଲାଠିରେ ଦିପନ, ଆଉ ଚଉଦପନ କୁମାରୀ ଠାନ୍ । ଏତିକିବେଲେ ଗୋଟାଏ ମାଛ ଲାଠିକି ଘିଚିନେଲା ପାନି ଭିତରକୁ । ନାରନ୍ ଦେଖିଲାବେଲ୍କୁ ଲାଠି ପାନି ସୁଅଥି । ନାରନ୍ କହିଲା–ଦେଖ୍, ତା’ର ଲାଗି ମର୍ ଲାଠିଟାକୁ ମାଛ ଘିଚିନେଲା । କୁମାରୀ କହିଲା—ଡଉଲ୍ ହେଲା । ବାର୍ ଆଡ଼େ ମନ୍ କଲେ ମାଛ ନେଇତା ନାଇଁ ?

 

“ନାରନ୍ ଡେଇଁଲା ନଈ ସୁଅକୁ । ଏକାବେଲକେ ମାଛ ସହିତ ଲାଠିଟାକୁ ଘିଚି ଆନି ଥୋଇଲା ପଖନ ଉପରେ । କୁମାରୀ କହିଲା—ଦେଖ୍ ନାରନ୍, ମର୍ ଲାଗି ତର୍ ଲାଠିରେ କେଡ଼େଟେ ମାଛ ଖାଇଲା ?”

 

— “ତୁଇ ଗୋଟେ ଲକ୍ଷିମୀ ଟେଲୋ, ତୁ ଯାର୍ ଘରକୁ ଯିମୁ,ତା’ର ଘର୍ ଲକ୍ଷିମୀ ହେବ-।”

 

“ମୁଇଁ ଥିଲି ପଖନ ପାଖରେ ଲୁକି । ତାଲି ମାରିକରି ଦିହିକିଯାକୁ ଛାନିଆଁ କରିଦେଲି । କହିଲି—”କୁମାରୀ, ତ’ର୍ ଘରକୁ ଯାଉଁନୁ, ଯାଉଁନୁ ତାର ଘର ଲକ୍ଷିମୀରେ ଭରତି ହୋଇଯିମ ।”

 

“ଏ ଟୋକିଲିକି କମ୍ କହିବ ! ନାରନ୍‍କୁ ଦିନେ ନ ଦେଖିଲେ ଉଛନ୍ ହୋଇଯାଉଥିଲାନ-। ପିଲାଦିନରେ ଧୂଳିର ବର କନ୍ୟା ଖେଲ୍, ଡଙ୍ଗା ବୁହାଁ, ମାଛମରା ସବୁ ଠେଲି ଦେଇ କରି ଏ ଟୋକ୍‍ଲି ବୁଟୁପାଲି ଗାଁଥି ବିହା ହୋଇ ପଲେଇଲା ।”

 

ମୁଁ କହିଲି—ସେଥିପାଇଁ କ’ଣ ନାରଣ ଆଉ ବିଭା ହେଲା ନାହିଁ ?

 

ପୁନମାସୀ କହିଲା—ସେଠାନୁ ବାବୁ, ନାରନ୍ ବରଷ୍ ତମାମୁ ଆର୍ କାର୍ ସାଥିରେ କଥା ନାହିଁ କଲା । ମାଆଁ ତା’ର ଯେତେ କହିଲା, ବିହା ହବାକୁ ନାଇଁ କଲା । ଶେଷ୍‍ ରେ ଦିନେ ମାଆଁ କହିଲା, ଘରକୁ ବହୁଟେ ଆନିବିରେ ନାରନ୍ । ଗୟା ପଧାନ୍ ତାର୍ ଟି ଖୀରା୍ଧିର୍ ଲାଗି କଥା ଦେଇ କରି ଯାଇଛେ । ମୁଇଁତ ଆର୍ ବେଶୀ ଦିନ୍ ନାଇଁ ବଞ୍ଚେ । ନାରନ୍ ହିଁ କଲା । ନାରନ୍ ଆର୍ ଖୀରାଧି ଗାଆଁ ମଝିରେ କଦମ୍ବ ଗଛଠାନ ନଦୀକି ଯିବା ରାସ୍ତାରେ କଥା ହେଲେ । ଦିହେଁ ରାଜି ହେଲେ । ହେଲେ ବାବୁ, ଶୁଭ୍ ନାଇଁ ହେଲା । ତା’ର ବା’ ଧନୀଘର ଦେଖି ଖୀରାଧିକି ସିଂହାରୟର ଗାଁ ଥି ବାହାହେଲା ।

 

“ତା’ର ପରେ ଆସିଲା ବେଡ଼ି । ସେଟା ମିଶାଗଲା ଡେବିରି ପାଲିକି । ନାରନ୍ ସେନ୍‍ତୁ ଏକଲାନ୍ ରହିଲା । ମର୍ଜାକୁଦ୍ ତାହାକେ ଆର୍ ଭଲ ନାଇଁ ଲାଗିଲା । ମା’ ମିଶା ତା’ର ମରିଗଲା-। ସେ ମର୍ଜାକୁଦ୍ ଛାଡ଼ିକରି ଏ ଫାଲ୍‍କେ ଭାଗ ଆସିଲା । ଆର୍ କେବେ ସେ ଫାଲ୍କୁ ନାଇଁ ଯାଏ ବାବୁ-।”

 

ନାରଣ ମାଝିର ତ୍ୟାଗେଦ୍ଦୀସ୍ତ ମୁଖମଣ୍ଡଳଟା ମୋ ଆଖିରେ ଝଲସି ଉଠିଲା । କୁମାରୀ ସେ ପାଖରେ ଅଶ୍ରୁ ଢାଳୁଥିଲା । ମହାନଦୀଟା ସୂର୍ଯ୍ୟତାପରେ ସିଝି ସିଝି ଜମାଟ ବାନ୍ଧି ହୃଦୟଟାକୁ ତରଳାଇ ବହି ଚାଲିଥିଲା ।

 

ଏତେବେଳେଯାଏଁ ନାରଣ ନ ଆସିବାର ଦେଖି ମୁଁ ପଚାରିଲ— ‘‘ନାରଣ ଏତେବେଳେଯାଏଁ ଆସିନି କାହିଁକି ?”

 

ମାଉସୀ ଜଣକ କହିଲେ—ଆଜି ନାରନ୍ କାମ୍ବେ ନାଇଁ ଆସେ ବାବୁ । ଦେହ କାଣା ବିଗିଡ଼ି ଥିବ ।

 

ସେମାନେ କାମକୁ ଚାଲିଗଲେ । ନଦୀ ଶଯ୍ୟାର ଉତ୍ତପ୍ତ ଶିଳାଗୁଡ଼ାକୁ ଶୀତଳ କରିବାର ବୃଥା ପ୍ରୟାସ କରି ଜଳସ୍ରୋତ କୁଳୁକୁଳୁ ନାଦରେ କ୍ଳାନ୍ତିର ବିଶ୍ୱାସ ଛାଡ଼ୁଛି । ନଈର ଦୁଇଧାର ମଝିରେ ମର୍ଜାକୁଦ ଗାଁ ଅନାଇ ରହିଛି ମହାନଦୀ ପ୍ରତି କୃତଜ୍ଞତାର ଚାହାଣୀରେ । ନଈଟା ତାକୁ ଦୟା ଦେଖାଇ ନିଜ ଛାତିରେ ଖଣ୍ଡେ ଶୁଖିଲା କୁଦ ଛାଡ଼ି ଦେଇଛି । ଗାଆଁ ମୁଣ୍ଡରେ ଗଛ ଛାଇରେ ଗାଁର ରକ୍ଷୟିତ୍ରୀ ଦେବୀ ‘ପିତାବଲ୍ଲୀ’ । ଏହି ଦେବୀଙ୍କ ମହିମାରୁ ମହାନଦୀରେ ଯେଡ଼େ ବନ୍ୟା ଆସୁପଛେ, ମର୍ଜାକୁଦରୁ ଖଣ୍ଡେ ପଥର କିମ୍ବା ମେଞ୍ଚାଏ ବାଲି ଖସିଯାଏ ନାହିଁ । ସେଥିପାଇଁ ବର୍ଷାର ପ୍ରକୋପ କମିଗଲେ ମାର୍ଗଶୀର ମାସରେ ଦେବୀଙ୍କ ପାଖରେ ହୁଏ ଟୁଟାଯାତ୍ରା । ବୋଦା ଓ ମେଣ୍ଢା ବଳି ଦିଆଯାଏ ଦେବୀଙ୍କ ଶକ୍ତିକୁ ମର୍ଯ୍ୟାଦା ଦେଖାଇ ।

ପରଦିନ ମଧ୍ୟାହ୍ନରେ ଦେଖାଗଲା—ନାରଣ ଆସିଛି ଅଥଚ କୁମାରୀ ଆସିନାହିଁ ।

ଛାଇଥିଲେ ଆଲୁଅ ନାହିଁ; ଆଲୁଅ ଥିଲେ ଛାଇନାହିଁ । ଅଥଚ ଦିହେଁ ଅଛନ୍ତି ଖୁବ୍ ପାଖାପାଖି । ଚାଲିଛି ଛାଇ ଆଲୁଅର ଖେଳ ।

ସେଦିନ ବିବାହ କଥା ପଡ଼ିବାରୁ କୁମାରୀଠାରୁ ନିଜକୁ ବିସ୍ମୃତ କରିବାପାଇଁ ନାରଣ ଆସିଲା ନାହିଁ ଏବଂ ଏବେ ହୁଏତ ଗତଦିନର ଅପ୍ରତ୍ୟାଶିତ କଥାବାର୍ତ୍ତା ଯୋଗୁଁ ଲାଜରେ କାମକୁ ଆସିଲା ନାହିଁ କୁମାରୀ । କିନ୍ତୁ କେତେଦିନ ଏ ଛପାଛପି ଢଙ୍ଗ ଚାଲିବ ?

ଗରିବ ସେମାନେ । ଶ୍ରମିକ ସେମାନେ । ଜୀବନର ବାସ୍ତବ ନିଷ୍ଠୁରତାରେ ନିଷ୍ପୀଡ଼ିତ ସେମାନେ । ଶ୍ରମବିନା ସେମାନଙ୍କର ଅସ୍ତିତ୍ଵ ନାହିଁ । କାଲି ନିଶ୍ଚୟ କୁମାରୀ ଆସିବ । ନାରଣ ବି ଆସିବ । ମୁଁ ଚାଲିଯିବି । ଆମେ ଚାଲିଯିବୁ । ଶ୍ରମିକର ଜୀବନ ଓ ଜୀବୀକ ଗଡ଼ିଚାଲିବ ମହାନଦୀର ପ୍ରବାହ ପରି । କବି ଟେନିସନ୍‍ଙ୍କ ତଟିନୀ କହିବ—“ମଣିଷ ଆସିପାରେ, ମଣିଷ ଯାଇପାରେ, କିନ୍ତୁ ମୁଁ ଚିରକାଳ ବହି ଚାଲିଥିବି ।”

ଶ୍ରମିକ ନାରଣ ମାଝି ଠିଆ ହୋଇଛି ମଧ୍ୟାହ୍ନର ରୌଦ୍ର ଶିରରେ ବହନ କରି । ହୃଦୟରେ ମଧ୍ୟାହ୍ନ ଜୀବନର ଶୁଷ୍କ ବାଲୁକା । ମୁଖମଣ୍ଡଳରେ ଖେଦନାହିଁ । ଅଛି ପ୍ରସନ୍ନତାର ପ୍ରଲେପ । ଆଶ୍ଚର୍ଯ୍ୟ ଏ ନାରଣ । ନୈରାଶ୍ୟର ଲେଶମାତ୍ର ଆଭାସ ନାହିଁ । “ଦୁଃଖଷ୍ଵନୁଦ୍ଵିଗ୍ନମନା ସୁଖେଷୁ ବିଗତସ୍ପହଃ ।” ଏ ଗୀତାଧର୍ମ ନାରଣକୁ କିଏ ଶିଖାଇଲେ ? ନାରାୟଣଙ୍କୁ ପୁଣି ଶିଖାଇବ କିଏ ? କର୍ମଯୋଗ ନାରଣକୁ ପୁଣି କର୍ମଯୋଗର ତତ୍ତ୍ଵ ବଖାଣି ନିବ କିଏ ?

ନାରଣକୁ ଦେଖି ଶ୍ରମିକାମାନେ ଚହଲି ଉଠିଲେ । ମୁଁ ବି ଉତ୍‍ଫୁଲିତ ହୋଇ ପଚାରିଲି–“ନାରଣ, ତୁମେ କାଲି ଆସି ନ ଥିଲ ତ ? “

—“ନାଇଁ ବାବୁ, ମଝିରେ ମଝିରେ ଏନ୍ତା ନାଇଁ ଆସେ ।’’

ମୁଁ ଆଶ୍ଚର୍ଯ୍ୟ ହେଲି । କର୍ମୀ ଜୀବନର ପୁଣି କ୍ଲାନ୍ତ ଓ ଆଳସ୍ୟ ? ନିନ୍ଦ୍ରା, ଆଳସ୍ୟ,ହେଳା, ମୋହ ଆଦି ତାମସିକ ଭ୍ରାନ୍ତି କର୍ମଯୋଗୀ ଜୀବନରେ କି ସମ୍ଭବ ?

ମୁଁ ପଚାରିଲି—କାଲି କାହିଁକି ଆସିଲ ନାହିଁ ? କାମ ନ କଲେ ତ ତୁମକୁ ଭଲ ଲାଗୁ ନ ଥିବ !

ସେ କହିଲା—“କାମ କରିବାଠାନୁ କାମ ନାଇଁ କରବାରେ ମିଶା ମଜା ଥାଇସି ବାବୁ । ମୁଇଁ କାନତରାଟିର କାମସିନା ନାଇଁ କରେ, ହେଲେ ଡଙ୍ଗା ବାହେସିଁ, ବଂଶୀ ବଜେଇସିଁ, ନ ହେଲେ ମହାନଦୀର ହେ ପଖନ ମଝିରେ ବସିକରି ବୁହିଗଲା ନଈ ସୁଅରେ ଶୁଖିଲା କାଠିକୁଟା ପକାଇକରି ଦେଖସିଁ, କେନ୍ତା ଭାସିକରି ଯାଉସି । ଦଇବର ସର୍ଜନା ଦେଖମାକା କାଣା କାମ୍ ନାଇଁ ବାବୁ ?”

ମୁଁ ସ୍ତମ୍ଭୀଭୂତ ହେଲି । ମୁଁ ତେବେ କାହାଠାରୁ ଗୀତାର ଏ କର୍ମ ଓ ଅକର୍ମର ବ୍ୟାଖ୍ୟା ଶୁଣୁଛି ? କର୍ମ ନ କରେ ନାହିଁ । କର୍ମ ଓ ସନ୍ନ୍ୟାସ ଉଭୟ ଏକା କଥା । ପଚାରିଲି—“ତାହାହେଲେ ନିର୍ଜନ ରାତ୍ରିରେ ମହାନଦୀ ବକ୍ଷରେ ଯେଉଁ କରୁଣ ବଂଶୀ ମୂର୍ଚ୍ଛନା ଶୁଭେ, ସେ କ’ଣ ତୁମରି ?”

—ହଁ, ବାବୁ ! ରକତ ମାଉଁସର ଦେହ ଯେତେଲେ ଛଟପଟ୍‍ ହେଇସି, ତାକେ ଥିର କରବା ଲାଗି ମୁଇଁ ବଇଁଶୀ ବନେଇସିଁ । ଇ ନଦୀ ପୁଅରେ ମାଛ ଡଙ୍ଗା ପୁଟେ ପର ଗୁଟେ ଭାସି ଭାସି ଗଲା ଲାଖେଁ ମ’ର ମନରେ ଯେତେଲେ ଧୋଇଲା ମେଘ ଗୁଟେ ପର ଗୁଟେ ଭାସସି, ସେତେଲେ ବଇଁଶୀ ବଜାଇ କରି ସେରାକୁ ଠେଲି ଦେଇସିଁ ।”

 

ନାରଣ ଅଳ୍ପ ହସିଲା । ମୁଁ ବି ହସିଲି । ହେଲେ ମଧୁର ଅତୀତଟାକୁ ଫୋପାଡ଼ି ଦେବାକୁ ନାରଣର ଏ କର୍ମପନ୍ଥା ମୋ ପ୍ରାଣରେ ଭାରି ଆଘାତ ଦେଲା ।

 

ମୁଁ କହିଲି—ମୁଁ ତୁମକୁ କିଛି ପଚାରିବି, ଖୋଲି କରି କହିବ । ତୁମେ ମୋତେ ତୁମର ଅତୀତ କଥା କହିବାକୁ ଇଚ୍ଛା କରୁଥିଲେ ବି କହିପାରୁ ନାହିଁ । କିନ୍ତୁ ତୁମର ଅନୁପସ୍ଥିତିରେ ମୁଁ କାଲି ତୁମର ସବୁ କାହାଣୀ ସଂଗ୍ରହ କରିସାରିଛି । ଆସ, ଘର ଭିତରକୁ ।

 

ଦୁହେଁ ଘର ଭିତରେ ବସିଲୁ । କିଛି ସମୟ ପରେ ମୁଁ ପଚାରିଲି—ତୁମେ କ’ଣ ବିବାହ କରିବ ନାହିଁ ?

 

କିଛିକ୍ଷଣ ନୀରବ ରହି ସେ କହିଲା—ବିହା କର୍ ବାର୍ ମନ୍‍ଟା ଇ’ ମହାନଦୀର ପାନି ଲାଖାଁ, ବାବୁ, ଭାରି ଛଲ୍‍ ଛଲ୍‍ । ସେ ଯେତେଲେ ସମୁନ୍ଦରରେ ମିଶି ଯାଇସି, ତା’ର ଛଲ୍‍ ଛଲ୍‍ ମନଟା କୂଲ୍‍ରେ ପିଟି ହୁଇ କରି ଲହରୀ ଭଙ୍ଗସି । ମୁଇଁ ପୁରୀ ଯାଇକରି ସମୁନ୍ଦର ଦେଖିସିଛଁ ବାବୁ-! ସମୁନ୍ଦର ମଝିଥି ଏଇ ଲହରୀ ନାଇଁନ୍ । ଇ’ ମହାନଦୀର ପାନି ସେନେ ଥିର । ଥିଲେ ଥିବା ଅଲପ୍‍ ଲହରୀ ବନ୍ଧର ଲହରୀ ଲାଖାଁ । ବିହା କର୍‍ ବାର୍‍ ମନଟା ଅବସର ସୁଅଥି ବୁହି ବୁହିକାଯାଇସି । ମା’ର ବଅସ–ତ ଢ଼େର-ବଲକା ହୋଇଗଲାନ୍ ବାବୁ ! ସମୁଦ୍ରର ମଝିରେ ମୁଇଁ ଇକ୍ଷଣା ପହଞ୍ଚି ସାଇଲିନ । ବାକି ଅଲପ୍ ଲହରୀ ଯା’ ଅଛେ ।

 

ମୁଁ ହସି ହସି କହିଲି—ତା’ ହେଲେ ଏ ଲହରୀକୁ ଦୂରକୁ ପେଲିବା ପାଇଁ ତୁମେ ଖାଲି ବଂଶୀ ଫୁଙ୍କୁଥିବ ?

 

—ବଇଁଶୀ ଫୁଙ୍କ୍‍ଲେ ଭାରି ଆନନ୍ଦ ଲାଗ୍‍ସି ବାବୁ ! ସକାଲ ସଞ୍ଜର ରଙ୍ଗିଆ ଆକାଶ ଆର-ମହାନଦୀଥି ତା’ର ଛାଇ ଦେଖିକରି ବି ଆନନ୍ଦ ମିଳେ । ଜହ୍ନ ରାତିରେ ଧୋବଲା ଦୁନିଆଁ ଟା ମିଶା ଭାରି ଭଲ୍‍ଲାଗ୍‍ସ । ଇକ୍ଷଣା ଭାବୁଚେଁ ବିହା କରୁଥିଲେ ମୁଇଁ ଆର-ଅଧିକ-କାଣା ପାଇଥାଇତି-? ଇ’ ସୁନ୍ଦରିଆ ଆକାଶ, ମାଟି, ପାନି, ପବନ କାଣା ପାଇଥାଇତି ବାବୁ ?

 

—ମହାନଦୀରେ ସିନ୍ଦୁରା ଫାଟେ । ତା’ ସଲିଳରେ ଫଗୁ ବୋଲି ହୋଇଯାଏ । ତୁମ ମନର ରଙ୍ଗ ଧୋଇବା ପାଇଁ ତୁମେ ସେତେବେଳେ ନଦୀରେ ବୁଡ଼ି ଗାଧୁଆ; କିନ୍ତୁ ତୁମ ଦେହ ଓ ମନରେ ଅଧିକ ରଙ୍ଗ ବୋଲି ହୋଇଯାଏ, ନୁହେଁ ?

 

ନାରଣ ହସିଲା । ସେ ହସ ଅନାବିଳ । ମୁଁ ହସି ହସି କହି ଚାଲିଲି—ରାତିରେ ଜ୍ୟୋତ୍ସ୍ନା ବିଛେଇ ହୋଇପଡ଼େ ମହାନଦୀର ଏ ଶିଳା ଓ ସିକତା ଉପରେ । ମହାନଦୀଟା ସତେ ଅବା ଗୋଟାଏ ଜ୍ୟୋତ୍ସ୍ନାର ସରିତ ହୋଇ ବହିଚାଲେ ତୁମ ମନ ଭିତରକୁ, ଆଉ ତୁମେ ସେତେବେଳେ ବଂଶୀ ଫୁଙ୍କି ମନ ଭିତରୁ ସେ ଜ୍ୟୋତ୍ସ୍ନାର ସ୍ରୋତଟାକୁ ଠେଲିପେଲି ବାହାର କରିଦେବାକୁ ଚେଷ୍ଠା କର—କିନ୍ତୁ ପାରନି ।

 

ନାରଣ ଅଧିକ ହସିଲା । ସେ ହସ ଅପୂର୍ବ । ମୁଁ କହି ଚାଲିଲି—ନାରଣକୁ କହିବା ପାଇଁ ମୁଁ ଯେମିତି ଉନ୍ନତ୍ତି ହୋଇ ଉଠିଛି—

 

“ନାରଣ, ସଞ୍ଜରେ ଏ ଅକର୍ମ ଶିଳା ଉପରେ ବସି ତୁମେ ଦେଖ, ତୁମରି କୁମାରୀ ପରି ଅନ୍ୟ କେଉଁ ଅଭିଆଡ଼ୀ କନ୍ୟାର ଗଭାଫୁଲ ଭାସି ଭାସି ଯାଉଛି ମହୋଦଧିର ଅଭିମୁଖରେ । ଗାଧୋଇବାବେଳେ ଯେବେ ଦେଖ ଦୀର୍ଘ କେଶଟାଏ ଭାସି ଭାସି ଚାଲିଛି, ତୁମର ମନେହୁଏ—ନଦୀର ଉପର ମୁଣ୍ଡରେ ଗାଧୋଉଥିବା କେଉଁ ସୁକୁମାରୀ କେଶବତୀ ରାଜକୁମାରୀର ବାରହାତୀ କେଶ ସେ । ଉପର ମୁଣ୍ଡକୁ ଉଠି ଉଠି ଯାଇ ରାଜକୁମାରୀକୁ ଭେଟିବାର ସମୟ କିନ୍ତୁ ତୁମେ ଡ଼େଇଁ ଆସିଛ; ସୁନାର ଫରୁଆରେ ସେଟାକୁ ସାଇତି ରଖିବାର ବୟସଟାକୁ ବି ଫିଙ୍ଗି ଦେଇଛ ତୁମ ନିଜ ହାତରେ ।”

 

ନାରଣ ଏଥର ହସିଲା ନାହିଁ । କିନ୍ତୁ ତା’ର ମୁଖମଣ୍ଡଳ ଏକ ସୌମ୍ୟ ଦୀପ୍ତି ପ୍ରକାଶ ପାଉଥିଲା ।

 

ଠିକାଦାର ସେଇ ବାଟ ଦେଇ ଗଲା । କିନ୍ତୁ ସେମାନଙ୍କୁ ଡ଼ାକିଲା ନାହିଁ । ନାରଣ କହିଲୁ–‘‘ଇଥର ଆମେ ଯିମୁଁ, ବାବୁ ! ଦେଖୁନ୍ ଠିକାଦାର ଯାଉଛନ୍, ହେଲେ ଆପନଙ୍କ ଡ଼ରରେ ଆମକୁ ନାଇଁ ଡାକି୍ଲେ।”

 

“ମୋତେ ଡ଼ରିବାରେ କୌଣସି କାରଣ ନାହିଁ, ବରଂ ସେମାନେ ନିଜର ବିବେକକୁ ଡ଼ରି ଥାଆନ୍ତି । କାରଣ ସେମାନେ ଶ୍ରମିକଠାରୁ ଶ୍ରମ ଦାନ ଗ୍ରହଣ ନ କରି ଶ୍ରମ ଲୁଣ୍ଠନ କରନ୍ତି ।”

 

ଆମେ ବାହାରକୁ ଆସିଲୁ । ସେମାନେ କାମକୁ ବାହାରିଲେ । ମୁଁ କହିଲି—ମାଉସୀ, ମୁଁ କାଲି ଚାଲିଯାଉଛି ! କାଲି ପିଲାମାନଙ୍କର ପରୀକ୍ଷା ଶେଷ ହୋଇଯିବ ।

 

ସମସ୍ତେ ଫେରିପଡ଼ି ଠିଆ ହୋଇଗଲେ । ମାଉସୀ ଜଣକ କହିଲେ—କାଲ-କେ ଭାଗ୍‍ବେ ? ଆହା, ଆମର-ଲାଗି ତେଲ–କେ ଦେବା ଯେ ମାଖ୍ମଁ ! ତୁମର ପିଲାସବୁ ଭଲ୍‍ ଥାଉନ୍ ବାବୁ ! ତୁମେ ବାବୁ ଭଲରେ ଥ ।

 

କେତୋଟି ମୂହୁର୍ତ୍ତର କରୁଣ ନୀରବତା ପରେ ସେମାନେ ଚାଲିଗଲେ କର୍ମ କ୍ଷେତ୍ରକୁ । ନାରଣ ମୋତେ କିଛି କହିବାକୁ ଇଚ୍ଛା କରୁଥିଲା; କିନ୍ତୁ କିଛି ନ କହି କର୍ମଯୋଗୀର ନିଷ୍ଠା ବହନ କରି ଚାଲିଲା ପଛରେ ।

 

ମୁଁ ଚାହିଁ ରହିଥିଲି ଅଶ୍ରୁଳ ଚାହାଣିରେ । ଦେଖୁଥିଲି ‘କର୍ମଯୋଗ’ ଯେପରି ମୂର୍ତ୍ତିମନ୍ତ ହୋଇ ଚାଲିଛି ମୋ ସମ୍ମୁଖରେ ।

Image

 

କୃଷ୍ଣା ଓ କୃଷ୍ଣ

 

କୃଷ୍ଣାଙ୍କ ଶୟନକକ୍ଷ ହଠାତ୍ ଅପରୂପ ହୋଇଉଠିଲା ! ଆସନ୍ନ ସନ୍ଧ୍ୟାର ପୀତବସନ ପ୍ରତିଫଳିତ ହେଲା କୃଷ୍ଣାଙ୍କ ଅନ୍ତଃପୁରରେ । ଅଂସଂଖ୍ୟ ବନ ଫୁଲର ମହକ ଭରିଗଲା ପ୍ରତି ରେଣୁରେ । କୃଷ୍ଣା ଉନନ୍ନା ହୋଇ ଉଠିଲେ । ବିଷ୍ମୟରେ ନିମଗ୍ନ ହୋଇଗଲେ ସେ ।

 

ଦୂରଦିଗନ୍ତରୁ ମୂରଲୀର ମଧୁର ମୂର୍ଚ୍ଛନା ଭାସିଆସି କୃଷ୍ଣାଙ୍କ ଅନ୍ତରତମ ଦେଶରେ ତୋଳିଦେଲା ମୃଦୁମନ୍ଦ କମ୍ପନ । ଶରୀରର ପ୍ରତି କୋଷାଣୁ ଯେମିତି ଥରି ଉଠିଲା ତାଙ୍କର !

 

ଧର୍ମରାଜ ଯୁଧିଷ୍ଠିର ପଶିଆସିଲେ କକ୍ଷକୁ । ଶ୍ମଶ୍ରୁମୁଖ । କେଶ ଅର୍ଦ୍ଧ ପକ୍ଵ; କିନ୍ତୁ ତାରୁଣ୍ୟର ଉଚ୍ଛଳ ହସ ମାଖି ସେ ଆଲିଙ୍ଗନ କଲେ କୃଷ୍ଣାଙ୍କୁ । କୃଷ୍ଣାଙ୍କର ପ୍ରୋଜ୍ଜ୍ୱଳ ଗଣ୍ଡମଣ୍ଡଳରେ ଆଙ୍କି ଦେଲେ ପ୍ରୀତିରେଖା ।

 

ଯୁଧିଷ୍ଠିର ଯେମିତି ପାଗଳ ହୋଇଉଠିଛନ୍ତି କୃଷ୍ଣାଙ୍କୁ ପାଇ ! ବହୁ ଦିନର ପ୍ରେମତୃଷ୍ଣା ନିବାରଣ କରିବାକୁ ଯାଇ ସେ ଯେମିତି ପାନ କରିଚାଲିଛନ୍ତି ପ୍ରେମାମୃତ । କୃଷ୍ଣା ସଲଜ୍ଜ ବଦନରେ ପ୍ରତି ଆଲିଙ୍ଗନ କଲେ ।

 

ପୀତବର୍ଣ୍ଣର ପ୍ରତିଫଳନ ଅଧିକତର ଭାବେ ସ୍ଵପ୍ନିତ ଆଲୋକ ଝରାଇବାକୁ ଲାଗିଲା । ମୁରଲୀ ସ୍ୱର ଅଧିକ ଗାମ୍ଭୀର୍ଯ୍ୟ ବହନ କରି ଦୁଇଟି ହୃଦୟକୁ ନିବିଡ଼ କରିଦେଲା । ବିବିଧ ବନକୁସୁମର ମିଶ୍ରିତ ମହକ ଘେରିଗଲା ଦୁଇଟି ପ୍ରାଣକୁ ।

 

ଆଲିଙ୍ଗନରୁ ମୁକ୍ତ ହୋଇ କୃଷ୍ଣା ହସ ହସ ମୁଖରେ ଦେଖୁଥିଲେ ଧର୍ମରାଜାଙ୍କୁ । ଧର୍ମରାଜାଙ୍କ ଓଷ୍ଠରେ ସ୍ଵପ୍ନପୁରୀର ଝଲକ ଆହୁରି ଅନ୍ତର୍ହିତ ହୋଇନାହିଁ । ତାଙ୍କ ଅଙ୍ଗସାରା ବନ ପୁଷ୍ପର ସୁରଭି । ହୃଦୟର ଗଭୀରତମ ପ୍ରଦେଶରେ ବଂଶୀର ମୂର୍ଚ୍ଛନା ।

 

ଅପଲକ ନେତ୍ରରେ ଯୁଧିଷ୍ଠିରଙ୍କୁ ଚାହିଁ ରହିଁଥିଲେ ସେ । କାହାକୁ ସେ ଦେଖୁଛନ୍ତି !

 

ଧର୍ମରାଜ ନା ବ୍ରଜରାଜ !!

 

ଯୁଧିଷ୍ଠିର ବିଦାୟ ଭିକ୍ଷା କଲେ । କୃଷ୍ଣା ସଂବିତ୍ କୁ ଫେରି ଆସିଲେ । ମନେ ପଡ଼ିଗଲା ଗୋଟାଏ ଭୁଲ ହୋଇଯାଇଛି । ସେ ଆଜି ଧର୍ମରାଜକୁ ପ୍ରଣତ ଅର୍ପି ନାହାଁନ୍ତି !

 

ଏତେ ବଡ଼ ଭୁଲ ହୋଇଗଲା କିମିତି !

 

ପ୍ରୌଢ଼ ଯୁଧିଷ୍ଠିର ସର୍ବଦା ତାଙ୍କୁ ପିତୃବ୍ୟ ଭଳି ବୋଧ ହୁଅନ୍ତି । ତାଙ୍କର ନୀତିବାଣୀ ଓ ସଂଯନଶୀଳତା କୃଷ୍ଣାଙ୍କ ନିକଟରେ ଖୁବ୍ ମହାନ୍ ଥାଏ ସବୁଦିନ । ଦିବସର ପ୍ରଥମ ଦର୍ଶନରେ ଯେ ତାଙ୍କର ପାଦତଳେ ପ୍ରଣତି ଢ଼ାଳନ୍ତି ଗୋଟାଏ ବାଧ୍ୟ କନ୍ୟାପରି । ଯୁଧିଷ୍ଠିର ଏ କନ୍ୟାଟିକୁ ତୋଳିନିଅନ୍ତି କୋଳକୁ । କନ୍ୟାର ଗଣ୍ଡରେ ଯେତେବେଳେ ଚୁମ୍ବନ ବୋଲନ୍ତି, କୃଷ୍ଣା ନୟନ ମୁଦ୍ରିତ କରନ୍ତି ବାତ୍ସଲ୍ୟ ବିଭୋର ପ୍ରାଣରେ । ଆଜି ଟିକିଏ ଏପଟ ସେପଟ ହୋଇଗଲେ ବି ଏଥିରେ ଗଭୀର ବାତ୍ସଲ୍ୟର ଅଭାବ ନ ଥିଲା ।

 

କୃଷ୍ଣା କହିଲେ—ଆଜି ମୁଁ ଭୁଲି ଯାଇଛି । କ୍ଷମା କରିବେନି ? ଗୋଟାଏ ନୂଆ ରଙ୍ଗରସ ଓ ମୂର୍ଚ୍ଛନା ଆଜି ମୋତେ ବିଭ୍ରାନ୍ତ କରିଦେଲା । ଆପଣଙ୍କୁ ଏତେବେଳଯାଏଁ ପ୍ରଣତ ବାଢ଼ି ପାରିନାହିଁ-

 

ବିଦାୟୋନୁଖ ଧର୍ମରାଜ ସ୍ଥିରହୋଇ କ୍ଷଣେ ଠିଆ ହୋଇଗଲେ । କୃଷ୍ଣା ପ୍ରଣତ ଢାଳିଲେ ଧର୍ମରାଜାଙ୍କ ପାଦ ତଳେ । ଯୁଧିଷ୍ଠିର ତୋଳିନେଲେ ପୁଣି କୃଷ୍ଣାଙ୍କୁ ନିଜ ବକ୍ଷକୁ । ଗୋଟିଏ ବାତ୍ସଲ୍ୟ ଚୁମ୍ବନ ଆଙ୍କି ଦେଇ ବିଦାୟ ନେଲେ ।

 

ପୀତରଙ୍ଗ ସେହିଭଳି ଟୁଳିଥିଲା କକ୍ଷ ମଧ୍ୟରେ । ବନକୁସୁମର ବାସ୍ନା ସେହିଭଳି ଭରିଗଲା ପ୍ରକୋଷ୍ଠରେ । ମୁରଲୀ ବି ଶୁଭୁଥିଲା ସେହିପରି । କୃଷ୍ଣାଙ୍କ ଅଙ୍ଗ ପ୍ରତ୍ୟଙ୍ଗରେ ଝରୁଥିଲା ସେହିପରି ପ୍ରେମର ଝରଣା !

 

ଦ୍ଵିତୀୟ ପାଣ୍ଡବ ଭୀମସେନ ପଶି ଆସିଲେ କକ୍ଷକୁ । ବିଶାଳ ବପୁରେ ବିରାଟ ନିଶ ଦୁଇଟି ଫୁଲି ଉଠିଛି ଆହୁରି । ଛାତି ଫୁଲାଇ, ପେଶୀବହୁଳ ବାହୁ ଉତ୍ତୋଳନକରି ବୀର ଦର୍ପରେ ମାଡ଼ି ଆସିଲେ ଭିତରକୁ । ଗଦାଟିକୁ ଛାଡ଼ି ଆସିବାକୁ ମଧ୍ୟ ଭୁଲି ନାହାନ୍ତି ଭୋଳାବୀର !

 

ଦ୍ରୌପଦୀ ହସି ହସି ଭୀମକୁ ସ୍ଵାଗତ କରୁଥିଲାବେଳେ କହିଲେ—ଦ୍ଵିତୀୟ ପାଣ୍ଡବ, କ’ଣ କୃଷ୍ଣାର ଏ କକ୍ଷକୁ ମରୁଭୂମି ଭଳି ମନେକଲେ କି ? ଗଦାଟିକୁ ମଧ୍ୟ ଛାଡ଼ି ଆସି ପାରିଲେ ନାହିଁ ।

 

ରାମ ସଂକୁଚିତ ହୋଇଗଲେ—ସତେତ, ଏଠିକି ଗୋଟାଏ ଗଦାଧରି ଆସିବା କେଡ଼େ ହାସ୍ୟାସ୍ପଦ କଥା ! ପ୍ରେମଭୂମିରେ ଗଦା ଗୋଟାଏ ମସ୍ତବଡ଼ ଭ୍ରାନ୍ତି ! କିନ୍ତୁ ପୌରୁଷ ଦର୍ପରେ ଦର୍ପୀ ଭୀମସେନ କହିଲେ—ଗଦାଟାକୁ ଛାଡ଼ି ଆସିବାକୁ ହେଲେ ସମୟତ ଦରକାର ! ଦ୍ଵିତୀୟ ପାଣ୍ତବର ସେ ସମୟ କାହିଁ ? ସିଧା ସିଧା କ୍ରୀଡ଼ାସ୍ଥଳୀରୁ କୁସ୍ତି କସରତ ସାରି ଫେରୁଛି ଏଠିକି । ଟିକିଏ କ୍ଳାନ୍ତି ଅପନୋଦନ କରିବା ନିତାନ୍ତ ଦରକାର ପଡ଼ିଲା । ତା’ପରେ ଦୁନିଆଁ ଟାର ସକଳ ସ୍ଥାନ ମୋତେ ମଲ୍ଲଭୂମି ଭଳି ବୋଧହୁଏ । ତୁମ କକ୍ଷଟି କ’ଣ ମଲ୍ଲଭୂମି ନୁହେଁ ବୋଲି ତୁମେ ଅସ୍ୱୀକାର କରିବ ?

 

ଏ ଶାଣିତ ବ୍ୟଙ୍ଗାଶ୍ରିତ ଶୃଙ୍ଗାର ବାଣୀରେ ଦ୍ରୌପଦୀ ଲଜ୍ଜିତ ହୋଇଗଲେ । ଏ ଶବ୍ଦ ପ୍ରୟୋଗ ଭିତରେ ଯେଉଁ ଅଶ୍ଳୀଳତା ଲୁଚି ରହିଛି, ତାହା ଭୀମ ହୃଦୟଙ୍ଗମ କରିଛନ୍ତି କି ନାହିଁ ଦ୍ରୌପଦୀ ବୋଧ କରିପାରିଲେ ନାହିଁ । ତଥାପି ସେ କହିଲେ—ଏ ପ୍ରକାର ମଲ୍ଲ ହେବାପାଇଁ ହିଡ଼ିମ୍ବିକୀର ଯୋଗ୍ୟତା ମୋ ଅପେକ୍ଷା ବେଶି ଭଳି ମନେହୁଏ ।

 

ହସି ହସି କୃଷ୍ଣାଙ୍କୁ ଗୋଟିଏ ବାହୁରେ ଆଲିଙ୍ଗନ କରି ଆଣିଲେ ପଲଙ୍କ ଉପରକୁ । ଅନ୍ୟ ହାତଟି ଗଦା ଉପରେ ସେହିପରି ଥିଲା । କୃଷ୍ଣା ହସି ହସି ବେଦମ୍ ହୋଇଗଲେ ଗୋଟାଏ ହୁଣ୍ଡା ମଣିଷର ଆଲିଙ୍ଗନ ଭିତରେ । କହିଲେ—ଗୋଟିଏ ହାତରେ ଗଦା, ଆଉ ଗୋଟାଏ ହାତରେ ମୁଁ—ତୁମେ ଗଦାଟିକୁ ଯେତିକି ଭଲପାଅ, ମୋତେ ବି ସେତିକି ଭଲପାଅ ।

 

ଭୀମ ନିଜର ଭ୍ରମ ବୁଝିପାରି ମଧ୍ୟ ଭ୍ରମଟିକୁ ଭ୍ରମ ନୁହେଁ ବୋଲି ପ୍ରମାଣିତ କରିବାକୁ ପଶ୍ଚାତ୍‍ପଦ ହେଲେ ନାହିଁ । କହିଲେ—ଏ କକ୍ଷରେ ଏଠାକାର ମଲ୍ଲ ମୋ ପାଖରେ ଯେତିକି ପ୍ରୀତିର ପାତ୍ର, ଯୁଦ୍ଧଭୂମିରେ ଗଦାଟି ସେତିକି ପ୍ରୀତିର ପାତ୍ର ।

 

କୃଷ୍ଣା ଚାହୁଁଥିଲେ ଏ ହୁଣ୍ଡା ସ୍ଵାମୀର ନିବିଡ଼ତା ମଧ୍ୟରେ ନିଜକୁ ହଜାଇ ଦେବାକୁ । କିନ୍ତୁ ଆତ୍ମସମ୍ମାନରେ ସଚେତନ ଭୀମ ତାଙ୍କୁ ଏଥିରୁ ବଞ୍ଚିତ କରୁଛନ୍ତି । ଭୀମ କ’ଣ ବୁଝନ୍ତି ନାହିଁ—ଯୁଦ୍ଧଭୂମିରେ ଆତ୍ମମର୍ଯ୍ୟାଦା ରକ୍ଷାକରି ବିଜୟୀ ହେବାରେ ଯେତିକି ଗୌରବ ଅଛି, ପ୍ରେମଭୂମିରେ ଆତ୍ମମର୍ଯ୍ୟାଦା ହରାଇ ପରାଜିତ ହେବାରେ ତାଠୁଁ ବଳି ଅଧିକ ଗୌରବ ରହିଛି ?

 

ଦ୍ରୌପଦୀ କହିଲେ—ଏ ତ ଆଉ ତୁମର ଯୁଦ୍ଧଭୂମି ନୁହେଁ, ତେଣୁ ଯୁଦ୍ଧଭୂମିର ସେ ପ୍ରୀତିର ପାତ୍ରଟିକୁ କାନ୍ଧରୁ ଓହ୍ଲାଇ ଦିଅ । ଭୀମ ଗୋଟାଏ ନିଃଶବ୍ଦ ଚୁମ୍ବନ କୃଷ୍ଣାଙ୍କ ଶିରରେ ଲେସି କାନ୍ଧରୁ ଓହ୍ଲାଇ ଆଣିଲେ ଗଦାଟିକୁ ଏବଂ ଗଦା ତନୁରେ ଗୋଟାଏ ସଶବ୍ଦ ଚୁମ୍ୱନ ଆଙ୍କି ଦୂରବର୍ତ୍ତୀ କରିଦେଲେ ।

 

ତା’ପରେ କୃଷ୍ଣା ଅନୁଭବ କଲେ ତାଙ୍କ ସତ୍ତାଟା ଯେମିତି ଗୋଟାଏ ବିରାଟ ପୁରୁଷଙ୍କ ମଧ୍ୟରେ ହଜି ହଜି ଯାଉଛି । ମୁରଲୀର ସ୍ଵନ ଭାସି ଆସୁଛି ସେହି ବିରାଟ ପୁରୁଷଙ୍କ ମଧ୍ୟରୁ । ବିରାଟ ତନୁରୁ ବନକୁସୁମର ବାସ୍ନା ଚହଟି ଆସୁଛି । କୃଷ୍ଣା ପଚାରୁଥିଲେ—ତୁମେ ଆଜି ଭାରି ବାସୁଛ ତ ? ଅସଂଖ୍ୟ ବନକୁସୁମର ସୁରଭି ତୁମେ ଅଙ୍ଗରେ ବୋଳିହେଲ କେଉଁଠୁ ? ଭୀମ କହୁଥିଲେ—ନା କୃଷ୍ଣା, ଅଙ୍ଗରେ ନୁହେଁ—ମନ ଭିତରେ । ମନ ଭିତରେ ମୋ ଅଜସ୍ର ସୁରଭିର ଜୁଆର । ସେ ଜୁଆର ତୁମକୁ ଠେଲି ନେଇଯିବାକୁ ଚାହେଁ । କିନ୍ତୁ ମୁଁ କ୍ଲାନ୍ତ । ମଲ୍ଲଭୂମିରୁ କୁସ୍ତିସାରି ଫେରୁଛି । ବିଶ୍ରାମ ଦରକାର । କୃଷ୍ଣା ଶୁଆଇ ଦେଲେ ସେ ବିରାଟ ପୁରୁଷଙ୍କୁ ନିଜ ଅଙ୍କ ସଂଲଗ୍ନ କରି ।

 

ମୁହୂର୍ତ୍ତ କେତେଟାରେ ଦ୍ଵିତୀୟ ପାଣ୍ଡବଙ୍କର ନାସାପଥଦେଇ ବାହାରି ଆସିଲା ଘୁଙ୍ଗୁଡ଼ି ଶବ୍ଦ ସୁଷୁପ୍ତିର ସଂକେତ ବହନ କରି; କିନ୍ତୁ ଅଳ୍ପ କେତୋଟି ମୁହୂର୍ତ୍ତର ସୁଖ ସୁପ୍ତି ପରେ ଜାଗି ଉଠିଲେ ସେ । ପଲଙ୍କରୁ ଓହ୍ଲାଇ ଆସି କାନ୍ଧରେ ପକାଇ ଧରିଲେ ଗଦାଟିକୁ । କହିଲେ—ମୁଁ ଯାଉଛି କୃଷ୍ଣା । କୃଷ୍ଣା ଠିଆ ହେଲେ ଭୀମଙ୍କ ସାନ୍ନିଧ୍ୟରେ । ଚାହିଁଲେ ସେ ତୃପ୍ତିର ମୁଖଟିକୁ । ଇସ୍, କେଡ଼େ ଗୋଟାଏ ହୁଣ୍ଡା ! ଆତ୍ମକ୍ଲାନ୍ତି ଅପନୋଦନରେ ବିଭୋର ସଦା ! କେବେ ଟିକିଏ ବୁଝିଲା ନାହିଁ ଅପରର କ୍ଲାନ୍ତି କଥା ! ଚକ୍ଷୁରେ ଲୋତକ ଭରିଗଲା କୃଷ୍ଣାଙ୍କର । ଦ୍ୱିତୀୟ ପାଣ୍ତବଙ୍କର ଗର୍ବିତ ଶିରଟାକୁ ନୁଆଁଇ ଆଣି ଆଙ୍କିଦେଲେ ଗୋଟାଏ ପ୍ରୀତିରେଖା । ଭୀମସେନଙ୍କର ବିଦାୟକାଳୀନ ସ୍ମୃତି ଏ ।

 

ଭୀମ ଏ ସ୍ମୃତି ବହନକରି ଚାଲିଗଲେ ଦିଗ୍‍ବିଜୟୀ ବୀରଙ୍କ ପରି । କୃଷ୍ଣା ଚାହିଁ ରହିଥିଲେ ଲୋତକର ଶୀତଳତା ଭିତରେ । ଭାବୁଥିଲେ—ଭୋଗରେ ତାଙ୍କର ଭାଗ ନାହିଁ । ପର ପାଇଁ ଜୀବନ ଉତ୍ସର୍ଗ କରିବାକୁ ସେ ବଦ୍ଧପରିକର । ଦୁଃଶାସନ ଜାନୁର ରକ୍ତରେ ମୁକ୍ତବେଣୀ ବାନ୍ଧବେ କୃଷ୍ଣାର ! ବିରାଟ ରାଜାର ଘରେ କୀଚକର ବେକ ଛିଣ୍ଡାଇ ଜାଣନ୍ତି କୃଷ୍ଣା ପାଇଁ । ଅଥଚ...-। ଭଗିନୀର ଉଦ୍ଧାର ପାଇଁ ବଡ଼ ଭାଇ ଯାହା କରେ, ସେତିକି ମାତ୍ର ! ପ୍ରେମ ଓ ପ୍ରଣୟରେ ସେ ଉଦାସୀନ !

 

ବଂଶୀସ୍ୱନ ମୂର୍ଚ୍ଛନା ତୋଳୁଥିଲା । ସେହି ରଙ୍ଗ, ସେହି ରସ, ସେହି ଗନ୍ଧ ସେହିପରି ସ୍ୱପ୍ନମୟ କରିଥିଲା । କୃଷ୍ଣା ଶାୟିତା ରହି ଏହି ପରିବେଶ ମଧ୍ୟରେ ଉଲ୍ଲସିତ ହେଉଥିଲେ ।

 

ହଠାତ୍ ସେ ଅନୁଭବ କଲେ—କିଏ ଜଣେ ଚୁପ୍‍ଚାପ୍ ଆସି ପାର୍ଶ୍ୱରେ ଠିଆ ହୋଇଛନ୍ତି-। ପାର୍ଶ୍ଵ ପରିବର୍ତ୍ତନ କରି ଦେଖିଲେ କନିଷ୍ଠ ପାଣ୍ତବ ସହଦେବ । ଆହା, ବିଚରା କେତେ ଛୋଟ ପିଲାଟିଏ । ଭରସି ପାରେ ନାହିଁ କଥା କହିବାକୁ । ହସିବାକୁ ମନ ଥିଲେ ବି ହସିପାରେ ନାହିଁ । ଛୁଇଁବାକୁ ଇଚ୍ଛା ଥିଲେ ବି ଛୁଇଁପାରେ ନାହିଁ । ଯେତେବେଳେ ମନଟା କଣ ହୋଇଯାଏ, ପଳାଇ ଆସେ ଦ୍ରୌପଦୀଙ୍କ ପାଖକୁ । ଦ୍ରୌପଦୀ କୋଳକରି ଦି’ଚାରିଥର ଗେଲ କରି ଦିଅନ୍ତି ଟୋକାର ଫୁଲକା ଗାଲରେ ।

 

ଦେଖିଲେ, ତଥାପି ସହଦେବ ଠିଆ ହୋଇଛନ୍ତି । କୁଣ୍ଢେଇ ଟେକି ଆଣିଲେ ତାଙ୍କୁ । ଗେଲ କରି କରି ଗୁଣୁ ଗୁଣୁ ସ୍ଵରରେ ଗୀତ ଗାଇଲେ—‘ଉଠିଲୁ ଏଡ଼େ ବେଗି କାହିଁକିରେ, ଦଧି ମନ୍ଥାଇ ଦେବ ନାହିଁକିରେ !’ ପିଠି ଥାପୁଡ଼ାଇ କୋଳରେ ଶୁଆଇ ଦେଲେ ତାଙ୍କୁ ।

 

ଏଇ ପିଲାଟି ପାଇଁ ବେଶି ଦୟାହୁଏ ଦ୍ରୌପଦୀଙ୍କର ! ମାତା ମାଦ୍ରୀ ଥିଲେ ଅପରୂପା ସୁନ୍ଦରୀ । ପିତା ପଣ୍ଡୁ ଥିଲେ ଅଭିଶପ୍ତ । ନାରୀ ସମ୍ଭୋଗ ହିଁ ତାଙ୍କର ମୃତ୍ୟୁ ଆଣିଦେବ । କୁନ୍ତୀଙ୍କୁ ଉପଭୋଗ କରିପାରିଲେ ନାହିଁ । ନାରୀ ସମ୍ଭୋଗ ବିନା ଜୀବନର ଅବସାନ ହେବାକୁ ବସିଲା । କେବଳ ବଞ୍ଚିବା ପାଇଁ ସେ ସଂଯମ ଅବଲମ୍ବନ କରିଥିଲେ । କିନ୍ତୁ ଯେଉଁଦିନ ଋତୁସ୍ନାତ, ମାଦ୍ରିଙ୍କର ରୂପଲାବଣ୍ୟରେ ସୂର୍ଯ୍ୟଦେବ ମଧ୍ୟ ସ୍ତମ୍ଭୀଭୂତ ହୋଇ କିଛିକ୍ଷଣ ଅଚଳ ହୋଇ ଅଟକି ଗଲେ, ସେଦିନ ମଣ୍ଡୁ ତାଙ୍କର ସକଳ ସଂଯମ ଉପେକ୍ଷା କଲେ । ଜୀବନ ଅପେକ୍ଷା ମୃତ୍ୟୁ ଅଧିକ ଆକର୍ଷଣୀୟ ହୋଇ ଉଠିଲା । ଛଳ ଛଳ ନେତ୍ରରେ ସେ ସୁନ୍ଦରୀ ମାଦ୍ରୀଙ୍କୁ ପ୍ରଣୟ ଭିକ୍ଷା କଲେ । ମାଦ୍ରୀ ସ୍ଥିର କରିପାରିଲେ ନାହିଁ-ନିଜର ବୈଧବ୍ୟ ଓ ସ୍ଵାମୀଙ୍କ ଅନୁରୋଧ ମଧ୍ୟରେ କାହାର ଗୁରୁତ୍ୱ ବେଶି ! ସ୍ଵାମୀଙ୍କ କରୁଣ ନିବେଦନ, ସକଳ ଚାହାଣି ଓ ଦୟନୀୟ ନିବେଦନ ନିକଟରେ ନିଜର ବୈଧବ୍ୟକୁ ତୁଚ୍ଛ ମଣିଲେ ସେ । ସମର୍ପି ଦେଲେ ନିଜକୁ ପଣ୍ଡୁଙ୍କ କରକମଳରେ । ସମ୍ଭୋଗ କାଳରେ ଅଭିଶପ୍ତ ପଣ୍ଡୁ ଟଳିପଡ଼ିଲେ ବଜ୍ରପାତରେ । ଆଉ ସେହି ଅବିସ୍ମରଣୀୟ ସମ୍ଭୋଗ କାମନାର ରୂପ ପରିଗ୍ରହ କରି ଜନ୍ମ ନେଲା ସହଦେବ ! ଅଥଚ ବିଚରା ସମ୍ଭୋଗ କ’ଣ ଜାଣେନାହିଁ-। ମାତୃହରା ସନ୍ତାନଟି ମାତୃତ୍ୱର ଟିକିଏ ସ୍ପର୍ଶ ପାଇବା ପାଇଁ ଏଠିକି ଧାଇଁ ଆସେ ବେଳେ ବେଳେ । ଶୋଇଛି, ଶୋଇଥାଉ ! ମୁହଁ ଉପରୁ ତା’ର ବିଶୃଙ୍ଖଳ କେଶରାଶି ଆଡ଼େଇ ଦେଲେ ସେ । ଭାବିଲେ–ଏ ପିଲାଟି କିଏ ? ତାଙ୍କର ସ୍ଵାମୀ ? ନା ତାଙ୍କର ଦେବର ? ନା ଭାଇ ? ନା ପୁତ୍ର ?

 

ଏତିକିବେଳେ ପଶି ଆସିଲେ ନକୁଳ । ଦେଖିଲେ କୃଷ୍ଣାଙ୍କ କୋଳରେ ଶୋଇ ପଡ଼ିଛି ସହଦେବ । ଫେରି ଯାଉଥିଲେ ଜିଭ କାମୁଡ଼ି । କୃଷ୍ଣା ଉଠିପଡ଼ି କହିଲେ—“ଜିଭ କାମୁଡ଼ି କେବେ ଭୁଲ ସଂଶୋଧନ କରାଯାଏ ନାହିଁ । ଆସ, ଭୁଲ ସଂଶୋଧନ କରିବା ରାସ୍ତା ବତାଇ ଦେବି ।” ଉଠିଯାଇ ଗାଲ ଦି’ଟାକୁ ତୋଡ଼ି ଦେଲେ । କହିଲେ— “ଦେଖିବ, ସହଦେବଙ୍କୁ ଉଠାଇ ଦେବି ।”

 

ନକୁଳ କହିଲେ—ନା, ନା, ଦେବି, ମୋ ରାଣ । ତା’ କରନି । ମୁଁ ଭୁଲ ସ୍ଵୀକାର କରୁଛି-। ଘୋଡ଼ାଶାଳରେ ରହି ରହି ବିରକ୍ତ ଲାଗିଲା । ମନ ଭୁଲାଇବା ପାଇଁ ଟିକିଏ ପଳାଇ ଆସିଲି ଯେ କଡ଼ା ଶାସ୍ତି ମିଳିଲାଣି । ମୁଁ ମୋର ଘୋଡ଼ାଶାଳକୁ ଲେଉଟି ଯାଏଁ ।

 

ଦୌପଦୀ କହିଲେ—ଘୋଡ଼ାଶାଳରେ ଖାଲି ଘୋଡ଼ାଙ୍କର ସେବା ଯନ୍ତ୍ର କରୁଥିବ ନା, ଘୋଡ଼ା ଚଢ଼ା ଶିଖିଲଣି ?

 

ନକୁଳ କହିଲେ—ଆରେ ବାପ୍‍ ରେ—ଘୋଡ଼ାଚଢ଼ା ? ସେ ଚଢ଼ାଚଢ଼ି ବ୍ୟାପାର ମୋ ଦେହ ହେବ ନାହିଁ । ମୋ ଘୋଡ଼ା ଭଲ ତ ମୁଁ ଭଲ । ଅଶ୍ଵିନୀକୁମାରଙ୍କ ପୁତ୍ର କି ନା !

 

ଦ୍ରୌପଦୀ କହିଲେ—ହେଲେ ଘୋଡ଼ାକୁ ନିମିତ୍ତ ମାତ୍ର କରି ବେଶ କଥା କହି ଶିଖିଲଣି ତ ! କିନ୍ତୁ କଥା କମ୍ କରି ବେଶି କାମ ଶିଖିବା ଉଚିତ୍ ।

 

ନକୁଳ କହିଲେ—କାମ ଶିଖାଉଛି କିଏ ? ସେମିତିକା ଗୁରୁ ମିଳିଲେ ତ !

 

ଦ୍ରୌପଦୀ—କାମ ଶିଖିବାକୁ ଇଚ୍ଛାଥିଲେ ଗୁରୁର କ’ଣ ଅଭାବ ରହିବ ?

 

ନକୁଳ—ଆଚ୍ଛା, ତାହାହେଲେ ଶିଖାଅ । ମୁଁ ଠିଆ ହୋଇ ରହିଲି ।

 

ଦ୍ରୌପଦୀ ନକୁଳକୁ ଆଲିଙ୍ଗନ କରି ଆଣି କପାଳରେ ଚୁମ୍ବନ ଆଙ୍କିଦେଲେ, କହିଲେ—ବେଶ, ଆଉ ଅବାଧ୍ୟ ହେବନି । ଗୁରୁଙ୍କ ଆଦେଶ ମାନି ଚଳିବ ।

 

ପଳେଇ ଯିବାକୁ ଛାଟିପିଟି ହେଉ କହିଲେ—ଛି, ଛାଡ଼ି, ମୋତେ ଭାରି ଲାଜ ଲାଗୁଛି । ମୁଁ ପଳେଇ ଯାଏଁ । ସହଦେବଟା ଯେବେ ଉଠିବ ! ସେ ତ କ୍ରିକାଳଜ୍ଞ । ଯଦି ଶୋଇରହି ଏ କଥା ଜାଣୁଥିବ, କେଡ଼େ ଲାଜରା କଥା ହେବନି କହିଲି ?

 

ଦ୍ରୌପଦୀ ଗାଲଟାକୁ ତୋଡ଼ି ଦେଇ କହିଲେ—ଲାଜରା ପିଲାଙ୍କର କେଉଁଥିରେ ହେଲେ ଭାଗ ନ ଥାଏ ।

 

ପଚାରିଲେ—ବଂଶୀଧ୍ୱନି ଶୁଭୁଛି, ଶୁଣି ପାରୁଛ ?

 

ନକୁଳ—ହଁ, ସତେ ତ ! ଶବ୍ଦଟା ଏଘରୁ କେଉଁଠୁ ବାହାରିଲା ପରି ମନେ ହେଉଛି !

 

ଦ୍ରୌପଦୀ ପଚାରିଲେ—ତୁମେ ତ ଆଉ ସେହି ବଂଶୀଧାରୀ ନୁହଁ ? ଯେମିତି ଦିଶୁଛ ଆଜି । ସତରେ ତୁମେ ଯଦି ବଂଶୀ ଫୁଙ୍କନ୍ତ....ଗୋପୀକୁଲ ଉଚ୍ଛନ୍ନ ହୋଇଯାଆନ୍ତେ ! ରାଧାଙ୍କ କଥା ତ ଅସମ୍ଭାଳ ହୁଅନ୍ତା ! ତୁମେ କଣ ସମ୍ଭାଳିପାରନ୍ତ ଏତେ ସବୁ କଥା ?

 

ନକୁଳ କହିଲେ—ମଣିଷର କି ଶକ୍ତି ଅଛି ଯେ, ଏସବୁ ସମ୍ଭାଳିବ ? ସବୁ ସେ ବଂଶୀ ଖଣ୍ଡକର କରାମତି । ସେଇ ଖଣ୍ଡିକ ହାତରେ ଥିଲେ ସବୁ କିଛି ସମ୍ଭାଳି ନିଅନ୍ତି । ଆଚ୍ଛା, ମୁଁ ଯାଏଁ ଘୋଡ଼ାଗୁଡ଼ିକ ଅସମ୍ଭାଳ ହେବେଣି । ସହଦେବଟାକୁ ଉଠାଇ ଦେଉନ, ବଡ଼ ଗେହ୍ଲାପରି ଶୋଇ ପଡ଼ିଛି ।

 

ନକୁଳ ବିଦାୟ ନେଲେ । ସହଦେଵଙ୍କର ନିଦ ବି ଭାଙ୍ଗିଲା । ସହଦେଵ କହିଲେ—ବହୁତ ସମୟ ଶୋଇ ପଡ଼ିଲି ଏଠି । ମା କୁନ୍ତୀଙ୍କ କୋଳ ଅପେକ୍ଷା ଏଠାଟା ଟିକିଏ ବେଶି ନରମ ଲାଗେ । କିନ୍ତୁ ମା କୁନ୍ତୀ ଖୋଜୁଥିବେ, ମୁଁ ଯାଏଁ । ଏତକ କହି ପଳାଇ ଯାଉଥିଲେ ସହଦେଵ । ଦ୍ରୌପଦୀ ପଛରୁ ଶୁଣାଇଲେ—ତୁମର ପାଉଣା ନ ନେଇ ଚାଲିଯାଉଛ ଯେ ! ସହଦେଵ କିଛି ବୁଝି ନ ପାରି କ୍ଷଣେ ଠିଆ ହୋଇ ବୁଝିବାକୁ ଚେଷ୍ଟା କଲେ । କୃଷ୍ଣା ତାଙ୍କ ପାଖକୁ ଯାଇ ଗୋଟାଏ ଗେଲ କରି ଦେଲେ । ସହଦେଵ ଲାଜରା ହୋଇ ମୁରୁକି ହସା ମାରି ଧାଇଁ ପଳାଇଲେ ।

 

ବଂଶୀର ମଧୁର ରାଗିଣୀ ଗୁଞ୍ଜରୀ ଉଠିଲା । ବନଫୁଲର ମହକ ପ୍ରାଣ ଆଉ ମନରେ ଭରିଦେଲ ଅପୂର୍ବ ପୁଲକ । ସନ୍ଧ୍ୟା କେତେବେଳୁ ଅତିକ୍ରାନ୍ତ ହେଲାଣି, ତଥାପି ପୀତ ବର୍ଣ୍ଣର ପ୍ରତିଫଳନ କ୍ଷୀଣ ଦୀପାଲୋକ ଭିତରେ ଢେଉ ଢେଉକା କମ୍ପନ ସୃଜୁଥିଲା ।

 

ଧୀର ପଦକ୍ଷେପରେ ଇନ୍ଦ୍ରିୟ ଜୟକାରୀ ଅର୍ଜ୍ଜୁନ ପ୍ରବେଶ କଲେ କୃଷ୍ଣା ପୁରୀରେ । କୃଷ୍ଣାଙ୍କ ଅନତିଦୂରରେ ଠିଆ ହେଲେ ଗାମ୍ଭୀର୍ଯ୍ୟ ମୁଖ ଧାରଣ କରି । ଏହି ସେ ସବ୍ୟସାଚୀ, ଯେ ବାମ ହସ୍ତରେ ଶର ସନ୍ଧାନ କରି ମତ୍ସ୍ୟର ବାମଚକ୍ଷୁ ବିଦ୍ଧ କରିଥିଲେ । ଯାହାଙ୍କୁ ସେ ସ୍ୱାମୀରୂପେ ବରଣମାଳା ପିନ୍ଧାଇ ଦେଇଥିଲେ ହସି ହସି । କୃଷ୍ଣା ଆଉ ଟିକିଏ ପାଖକୁ ଲାଗି ଆସିଲେ କିନ୍ତୁ ଅର୍ଜ୍ଜୁନଙ୍କୁ ସ୍ପର୍ଶ କଲେ ନାହିଁ । ଅତି ପାଖା ପାଖି ଦୁଇଟି ପ୍ରାଣ । ତଥାପି ପରସ୍ପରଠାରୁ ବହୁଦୂରରେ ସେମାନେ ଯେମିତି ! କୃଷ୍ଣାଙ୍କ ନୟନରୁ ଲୋତକ ଧାର ଝରି ଆସିବା ଉପରେ ।

 

କୃଷ୍ଣା ପଚାରିଲେ—ହେ ବୀର ପୁଙ୍ଗବ ! ତୁମେ ସେଦିନ ସ୍ୱୟଂମ୍ବରରେ ଅହଂକାର ପ୍ରତିଷ୍ଠା କରିବା ପାଇଁ ବୀରତ୍ୱ ପ୍ରଦର୍ଶନ କରିଥିଲ ନା ଦ୍ରୁପଦ ନନ୍ଦିନୀକୁ ବିବାହ କରିବାକୁ ମାଛଟାର ଆଖିକୁ ଶରବିଦ୍ଧ କରିଥିଲ ?

 

ଜିତେନ୍ଦ୍ରିୟ ଅର୍ଜ୍ଜୁନ କହିଲେ—ନା, ଉଭୟଟାରୁ କୌଣସିଟା ପାଇଁ ନୁହେଁ ।

 

—ଆଉ ?

 

—ଶ୍ରୀ କୃଷ୍ଣଙ୍କ ଆଦେଶ ପାଳନ କରିବାକୁ ।

 

—ଶ୍ରୀକୃଷ୍ଣଙ୍କ ଆଦେଶ ଏତେ ନିଷ୍ଠୁର !

 

ବଂଶୀରୁ ବେସୁରା ରାଗିଣୀ ଝରିଲା । କୃଷ୍ଣାଙ୍କର ନୟନକୁ ଆଶ୍ରୟ କରିଥିବା ଲୋତକ ବିନ୍ଦୁଗୁଡ଼ିକ ଆଉ ଆଶ୍ରୟ ନ ପାଇ ଝରି ଆସିଲେ ବକ୍ଷ ଉପରକୁ ।

 

ଅର୍ଜ୍ଜୁନ କହିଲେ—ସେ ମୋର ଅନ୍ତରଙ୍ଗ ସଖା । ତାଙ୍କର ନିନ୍ଦା ରଟନାକୁ ମୁଁ ଆଦୌ ବରଦାସ୍ତ କରିପାରେ ନାହିଁ ।

 

ଦ୍ରୌପଦୀ କହିଲେ—ତେବେ କୃଷ୍ଣାର ଲୁହଧାରକୁ ବେଶ୍ ବରଦାସ୍ତ କରାଯାଇପାରେ ସବ୍ୟସାଚୀ ? ତୁମେ କଣ ମୋ ଉପରେ ଅଭିମାନ କରିଛ ମାତା କୁନ୍ତୀଙ୍କ ଆଦେଶ ପାଇବା ପରେ ପରେ ? ତାହେଲେ ମାତାଙ୍କ ଆଦେଶ ତୁମେ ବେଶ୍ ଲଘଂନ କରିପାରିଥାନ୍ତି ! ମୋ ଆଖିର ଲୁହକୁ ଏଡ଼ି ଦେଇପାର—କିନ୍ତୁ ସୁଭଦ୍ରାଙ୍କ ଆଖିର ଲୁହକୁ କଣ ବରଦାସ୍ତ କରିପାରିବ ସବ୍ୟସାଚୀ ? ତୁମେ ମୋ ଭିତରଟାକୁ ଚିହ୍ନି ପାରିବ ନାହିଁ ଅର୍ଜ୍ଜୁନ ! ମୋ ପ୍ରେମକୁ ବୁଝିପାରିବ ନାହିଁ ତୁମେ ! ସେଥିପାଇଁ ମୋ ସ୍ପର୍ଶ ଡରରେ ଏତେ ଦୂରରେ ଠିଆହୋଇ ରହିଛି ! ତୁମେ ଭାବିଥିଲ, ତୁମେ ମୋତେ ଏକାକୀ ଉପଭୋଗ କରିବ ବୋଲି ! ମା ତାହା କରାଇ ଦେଲେ ନାହିଁ । ଏଥିପାଇଁ ତୁମର ଅଭିମାନ ! ଆଉ ମୋର କଣ ଏଥିରେ ଅଭିମାନ କରିବାକୁ କିଛି ନ ଥିଲା ? କିନ୍ତୁ ମୁଁ ସର୍ବନ୍ତଃକରଣରେ ପାନ କରିଗଲି ସେ ଗରଲଭରା ଆଦେଶ । ଆଉ ତୁମେ ପାରିବ ନାହିଁ କାହିଁକି-? କିନ୍ତୁ ତୁମର ଭାଇମାନେ କେତେ ମହାନ୍ ! ତୁମର ଅଭିମାନ ଅଗ୍ନି ଆହୁରି ପ୍ରଜ୍ଜ୍ୱଳିତ ହୋଇଉଠୁ ପଛେ, ମୁଁ କହିବି ସେମାନଙ୍କର ଅନ୍ତର କେତେ ପବିତ୍ର ! କେତେ ସରଳ ସେମାନେ ! କେତେ ଉଦାର ! ତୁମ ଭଳି ଶୁଷ୍କ ବୈରାଗ୍ୟର ଗୋଟାଏ ପ୍ରତିମୂର୍ତ୍ତି ତାହା ବୁଝି ପାରିବା ଭଳି ମନେ ହୁଏ ନାହିଁ । ସେମାନଙ୍କୁ ପାଇ ମୋ ସଂକୀର୍ଣ୍ଣତା ଉଭେଇଯାଏ କେଉଁଆଡ଼େ ! ମୋ ଅନ୍ତରର ଗରଳ ପାଣି ହୋଇଯାଏ ! ମୋତେ ପାପ ସ୍ପର୍ଶ କରିପାରେ ନାହିଁ । ପାପ ବୋଧ ମଧ୍ୟ ଅନ୍ତର୍ହିତ ହୋଇଯାଏ । ଆଉ ତୁମକୁ ଦେଖିଲେ ସେ ଜଳ ସବୁ ପୁଣି ଗରଳ ହୋଇଆସେ ! ପାପ ଓ ପାପବୋଧ ପୁଣି ମୂର୍ତ୍ତିମନ୍ତ ହୋଇଉଠେ । ଯୌନ ସମ୍ଭୋଗ ପାଇଁ ଗୋଟିଏ ସୁପ୍ତ ସର୍ପ ମୋ ଭିତରେ ଅଳସ ଭାଙ୍ଗେ ! ଆଉ ତୁମେ ଜିତେନ୍ଦ୍ରିୟ, ନିଷ୍ଠୁରତାର ପର୍ବତ ଧରି ଗୋଟିଏ ନିଷ୍ଠୁର ସଖାର ଆଦେଶ ପାଳନ କରିବାକୁ ବାହାରିଯାଅ ! କିଏ କହେ ସେ ପ୍ରେମର ଦେବତା ! ଶୁଣାଯାଏ ଗୋପପୁରରେ ଥିଲାବେଳେ ସେ ସେମିତି ଗୋଟାଏ ଥିଲେ । କିନ୍ତୁ ସେ ଏବେ ତାହାର ଏକ ନିଷ୍ଠୁର ରୂପାନ୍ତର । ସବ୍ୟସାଚୀ, ତୁମ ମନରେ ଯଦି ଆଘାତ ଦେଇଥାଏ, ମୁଁ ନାଚାର ! କିନ୍ତୁ ତୁମକୁ ଆଘାତ ଦେବାକୁ ମୋର ଭାରି ଇଚ୍ଛା ହୁଏ !

 

ଅର୍ଜ୍ଜୁନ କହିଲେ—ମୁଁ ଏବେ ଯାଏଁ, କୃଷ୍ଣା ! ତୁମକୁ ମୁଁ ବହୁତ ବୁଝିଛି; ହେଲେ ମୁଁ ଗୋଟାଏ ଆଜ୍ଞାବହ ନିଷ୍ଠୁର ରଥୀ ମାତ୍ର ! ତୁମ ବାହାର ଓ ଭିତର ସୌନ୍ଦର୍ଯ୍ୟ ମୋତେ ଆକୃଷ୍ଟ କରେ । ତଥାପି ସଖାଙ୍କର ଆଦେଶ ନାହିଁ । ମୋତେ ଏବେ ବିଦାୟ ଦିଅ ।

 

—କାହିଁକି ତେବେ ଆସିଥିଲ ?

 

—ସଖା ଶ୍ରୀକୃଷ୍ଣଙ୍କୁ ଖୋଜିବାକୁ । ବଂଶୀସ୍ଵର ଏଆଡ଼େ ଶୁଭିଲା ଭଳି ମନେ ହେଲା ।

 

—ତାହାହେଲେ ହେ ସଖା ପାଗଳ ବୀର ! ତୁମର ପଦ ସ୍ପର୍ଶ କରି ପ୍ରଣତ ବାଢ଼ିବାକୁ ବାଧା ଦିଅ ନାହିଁ ।

 

—ଆଚ୍ଛା !

 

ଜିତେନ୍ଦ୍ରିୟଙ୍କର ପଦଯୁଗଳ ଉପରେ ମସ୍ତକ ଥାପି, ଦୀର୍ଘ ପ୍ରଣତି ଅଶ୍ରୁ ଗଦଗଦ୍ ନୟନରେ ଅର୍ପଣ କଲେ କୃଷ୍ଣା । ଅର୍ଜୁନ କହିଲେ—“କ’ଣ ବାଢ଼ୁଛ ଦେବୀ, ପ୍ରଣତି ନା ଅଶ୍ରୁ ?” ତା’ପରେ ତୋଳି ଆଣିଲେ କୃଷ୍ଣାଙ୍କୁ ନିଜ ଦକ୍ଷ ଉପରକୁ । ନିବଡ଼ ଆଲିଙ୍ଗନ ଭିତରେ କହିଲେ—ଆଜି ମୋର ସଖାଙ୍କ ଆଦେଶ ଲଙ୍ଘନ କରିବାକୁ ଇଚ୍ଛା ହୁଏ କୃଷ୍ଣା ! କିନ୍ତୁ ମୁଁ ଲଙ୍ଘନ କରି ପାରୁନି । ମୁଁ ଏବେ ଯାଉଛି, ହୁଏତ ଆଜି ପୁଣି ଆସିବି । କୃଷ୍ଣା କହିଲେ—ତାହାହେଲେ ଯିବା ପୂର୍ବରୁ ମୋ ପୁରଟାକୁ ଭଲଭାବରେ ଅନୁସନ୍ଧାନ କରିପାର, କାଳେ ତୁମର ଆଦେଶକାରୀ ସଖା, ଶ୍ରୀକୃଷ୍ଣ କେଉଁ ଅନ୍ଧକାର ଭିତରେ ଲୁଚି ରହିଥିବେ । ହେଲେ ଆଲୋକରେ ଯାହାଙ୍କୁ ଖୋଜି ପାଇବା ଦୁଷ୍ଟର ହୁଏ, ତାଙ୍କୁ କ’ଣ ଅନ୍ଧାର ଭିତରୁ ସନ୍ଧାନ କରିହେବ ?

 

ଅର୍ଜୁନ ଚାହିଁ ରହିଲେ କୃଷ୍ଣାଙ୍କୁ ମୃଗ୍ଧ ନେତ୍ରରେ । ଅପୂର୍ବ ଦୀପ୍ତି ଝରୁଛି ସେ ମୁଖମଣ୍ଡଳରୁ-। ଅପରୂପ ଆଲୋକ ଜଳି ଉଠୁଛି ତାଙ୍କର ଅଙ୍ଗପ୍ରତ୍ୟଙ୍ଗରେ ।

 

କୃଷ୍ଣା କହିଲେ–କ’ଣ ଚାହିଁ ରହିଛ ଏମିତି ? ଭାବୁଛ କି ତୁମ ସଖାଙ୍କୁ ମୋ ଭିତରେ କେଉଁଠି ଲୁଚାଇ ରଖିଛି ? ତାହାହେଲେ ସବୁ କିଛି ଖୋଲି ଦେଖିପାର !

 

ଅର୍ଜୁନ କହିଲେ—ତାହା ହିଁ ମନେ ହେଉଛି କୃଷ୍ଣା ! ତୁମରି ଭିତରେ ସେ ଯେମିତି କେଉଁଠି ଲୁଚିରହି ଆମର ଏ ଦୁର୍ବଳତା କେବଳ ନିରୀକ୍ଷଣ କରୁଛନ୍ତି ନୁହେଁ, ପ୍ରଶୟ ବି ଦେଉଛନ୍ତି ।

 

ଅର୍ଜୁନ ଆଉ ଥରେ ଗାଢ଼ ଆଲିଙ୍ଗନ କଲେ କୃଷ୍ଣାଙ୍କୁ । କହିଲେ—ପୁଣି ଥରେ ମୁଁ ଆସୁଛି, ଦେବୀ ! ତୁମରି ଅନ୍ତରରେ ଚରୁଥିବା ଗରଳକୁ ସମଭାଗ କରି ପାନ କରିବାକୁ ମୁଁ ପୁଣି ଆଜି ଆସୁଛି !

 

ଚାଲିଗଲେ କୃଷ୍ଣ ସଖା । ଏକ ଆତ୍ମା, ଏକ ପ୍ରାଣ, ଏକ ମନ, ଏକ ଦେହ ଦୁଇ ସଖାଙ୍କର ! ପଛରୁ ଚାହିଁ ରହିଥିଲେ କୃଷ୍ଣା ମୁଗ୍ଧ ନେତ୍ରରେ । ଆରେ, ଏ କ’ଣ ? କାହାକୁ ସେ ଦେଖୁଛନ୍ତି ? ସବ୍ୟସାଚୀ ନା ଶ୍ରୀକୃଷ୍ଣ ? ଏ ଯେ ଶ୍ରୀକୃଷ୍ଣ !

 

ଆଚମ୍ବିତ କରି ହଠାତ୍ ଆସି କୃଷ୍ଣାଙ୍କ ସମ୍ମୁଖରେ ଠିଆ ହୋଇଗଲେ ଶ୍ରୀକୃଷ୍ଣ । କହିଲେ–ମୁଁ ଆଜି ଧନ୍ୟ ଦେବୀ, ତୁମରି ଏ ଅମୃତ ପ୍ରୀତିଧାରାରେ ଅବଗାହନ କରି ମୁଁ ଆଜି ଧନ୍ୟ ହୋଇଛି । ପଞ୍ଚପତି ଲାଭ କରି ତୁମେ ଯଦି ଜଗତ ନିକଟରେ କ୍ଷୁଦ୍ର ହୋଇଥାଅ, କିଛି ଯାଏ ଆସେନା । ମୋ ନିକଟରେ କିନ୍ତୁ ବହୁତ ବିରାଟ ତୁମେ । କ୍ଷୁଦ୍ର ଜଳାଧାର ଆବଦ୍ଧ ହୋଇ ଦୂଷଣମୟ ହୋଇଉଠେ, କିନ୍ତୁ ମହାସାଗର ? କେତେ ବିଶାଳ, କେତେ ପୂତ ! କେତେ ମହିମ୍ନ ! ତୁମ ଭିତରେ ନାରୀର ସ୍ଵରୂପ ଦର୍ଶନକରି ମୁଁ ଆଜି କୃତାର୍ଥ । ତୁମେ ସେହି ନାରୀ—ଯେ ଏକାଧାରରେ ଜନନୀ, ଜାୟା, କନ୍ୟା ଓ ଭଗିନୀ ! ତୁମ ହୃଦୟର ବିଶାଳ ବିସ୍ତୃତିକୁ ଉପଲବ୍ଧ କରିବାକୁ ମଣିଷ ଆଜି ନିତାନ୍ତ ଅକ୍ଷମ । ମୁଁ ତାଙ୍କ ଆଗରେ ବାଢ଼ିଛି—

 

‘ଅହଲ୍ୟା ଦ୍ରୋପଦୀ ତାରା କୁନ୍ତୀ ମନ୍ଦୋଦରୀ ତଥା

ପଞ୍ଚକନ୍ୟାଃ ସୁରେନିତ୍ୟଂ ମହାପାତକ ନାଶନଂ ।’

 

ତଥାପି ମଣିଷର କ୍ଷୁଦ୍ରମନ ପ୍ରଶ୍ନ କରେ, ସନ୍ଦେହ କରେ ତା’ର ପବିତ୍ରତା ଉପରେ । ଯେହେତୁ ସେ ଜାଣେନା—ସଂକୀର୍ଣ୍ଣତା ହିଁ ଏକମାତ୍ର ଚାପ ! ତା’ର ସଂକୀର୍ଣ୍ଣତାର ଖୋଳ ଭିତରେ ସେ ଭାବେ—ତା’ ଉପରେ ଜବରଦସ୍ତ ଏ ନୀତିବାକ୍ୟ ଲଦି ଦିଆଯାଇଛି । କିନ୍ତୁ ଏ ନୀତିବାକ୍ୟ ନୁହେଁ—ଅନ୍ତରର ବାଣୀ । ଆତ୍ମାକୁ ସ୍ପର୍ଶ କରୁଥିବା ନିରାଟ ସତ୍ୟ ବାଣୀ ଆତ୍ମାରେ ନ ପହଞ୍ଚିଲେ ଏ ବାଣୀ ବୁଝି ହେବ ନାହିଁ ଦେବୀ; ତୁମକୁ ମୋର ଆଜି କୋଟିଏ କୃତଜ୍ଞତା !

 

କୃଷ୍ଣାଙ୍କୁ ଗଭୀର ଭାବରେ ଆଲିଙ୍ଗନ କରି କୋଟିକଯାକ କୃତଜ୍ଞତା ପ୍ରକାଶ କଲେ ଶ୍ରୀକୃଷ୍ଣ ।

 

କୃଷ୍ଣା କହିଲେ—ତୁମେ ତାହାହେଲେ ଏଇଠି ଲୁଚିରହି ସବୁ ଦେଖିଛ ? ତୁମର ଅନ୍ତରଙ୍ଗ ସଖା ତାହାହେଲେ ତୁମକୁ ଏଠି ଲୁଚି ରହିଥିବା ସନ୍ଦେହ କରିବାଟା ସଂପୂର୍ଣ୍ଣ ଯଥାର୍ଥ ? ଯେଉଁ ବଂଶୀର ସ୍ଵର, ବନଫୁଲର ମହକ ଆଉ ପୀତବସନର ପ୍ରତିଫଳନ ଏଠି ଚାଲିଥିଲା ସବୁ ତୁମରି କାଣ୍ଡ ? ଧର୍ମରାଜଙ୍କ ହୃଦୟରେ, ଦ୍ଵିତୀୟ ପାଣ୍ତବଙ୍କର ଅଙ୍ଗ ସୌରଭରେ, ଅର୍ଜୁନଙ୍କ ଅନ୍ତରରେ ନକୁଳ ସହଦେବଙ୍କ ବାତ୍ସଲ୍ୟରେ ତୁମକୁ ଯାହା ଦେଖିଥିଲି, ତାହା ସବୁ ସତ୍ୟ ?

 

ଶ୍ରୀକୃଷ୍ଣ କହିଲେ—ଆଉ ମୋର ଅନ୍ତରଙ୍ଗ ସଖା ମୋତେ ଖୋଜିବାକୁ ତୁମକୁ ଯେ ନିରେଖି ଚାହିଁଥିଲା ତାହା କ’ଣ ସତ୍ୟ ନୁହେଁ ? ସେ ଦେଖୁଥିଲା—ତୁମରି ଭିତରେ ମୁଁ ଯେମିତି କେଉଁଠି ଆତ୍ମଗୋପନ କରିଛି । ସତରେ ମୁଁ ଯଦି ତୁମରି ବସନ ଅନ୍ତରାଳରୁ ସେତେବେଳେ ଥରେ ବଂଶୀ ଫୁଙ୍କି ଥାଆନ୍ତି ! ତୁମକୁ ବସ୍ତ୍ରହୀନ ନ କରି କ’ଣ ମୋ ସଖା ଛାଡ଼ି ଯାଇଥା’ନ୍ତା ?

 

ଦ୍ରୌପଦୀ କହିଲେ—ତଥାପି ସୁଦ୍ଧା ସେ କ’ଣ ବିବସନା କରିପାରିଥା’ନ୍ତେ ? କୁରୁସଭାରେ ଗୋଟାକ ପରେ ଗୋଟାଏ ବସ୍ତ୍ର ଯେ ଅର୍ପଣ କରିଥିଲେ, ସେ କ’ଣ ତାହା ପୁନରାବୃତ୍ତି କରି ନ ଥା’ନ୍ତେ !

 

ଶ୍ରୀକୃଷ୍ଣ କହିଲେ—ଉହୁଁ, ସେ ଖାଲି କଦମ୍ବ ଗଛରେ ବସି ମୁରଲୀ ଫୁଙ୍କିଥାନ୍ତେ, ଆଉ କାଳିନ୍ଦୀ ଜଳରେ ବସ୍ତ୍ରହୀନା ଗୋଟାଏ ଗୋପୀର ଲୀଳା ଦେଖିଥା’ନ୍ତେ !

 

—ଓ, ସେ ଏଡ଼େ ନିଷ୍ଠୁର ?

 

—ତାଙ୍କୁ କିଏ ଆଉ ନିଷ୍ଠୁର ନ କହି ଛାଡ଼ିଛି ଯେ !

 

କୃଷ୍ଣା ଧୋଇ ହୋଇଗଲେ ଅଶ୍ରୁରେ । ଚାପା କଣ୍ଠରେ କହିଲେ—ସତରେ ସେ କ’ଣ ନିଷ୍ଠୁର ! ସେ ଯେତେ ସବୁ ଅପରୂପ ସମ୍ପଦ ମୋତେ ଦାନ କରି ଚାଲିଛନ୍ତି, ସେଥିରେ ତାଙ୍କୁ ମୁଁ କ’ଣ ନିଷ୍ଠୁର କହିପାରେ ?

 

କୃଷ୍ଣ ଆଲିଙ୍ଗନ କଲେ କୃଷ୍ଣାଙ୍କୁ । କହିଲେ—ଆଉ ଅଶ୍ରୁର ଯମୁନା ବୁହାଅନା ଭାଗିନୀ, ବରଂ ଅଶ୍ରୁର ଯମୁନାକୁ ପାଶୋରିବାକୁ ଦିଅ ! ଗୋପପୁରର ସେମାନେ ସବୁ ଏମିତି ଏବେ ବି ଅଶ୍ରୁ ନିଗାଡ଼ୁଥିବେ ! ମୁଁ ନିଷ୍ଠୁର ନ ହୋଇ ଆଉ କ’ଣ ହୋଇପାରେ ?

 

କୃଷ୍ଣା କହିଲେ—ଅନ୍ତତଃ ମୋ ପାଖରେ ନୁହେଁ ।

 

କୃଷ୍ଣ କହିଲେ—ଓଃ, ତାହାହେଲେ ତୁମେ ପରୋକ୍ଷରେ କହୁଛ, ମୁଁ ଯାଏଁ ଆଉ ମୋର ସେ ନିଷ୍ଠୁର ଆଜ୍ଞାବହ ସଖା ଅର୍ଜ୍ଜୁନକୁ ତୁମ ନିକଟକୁ ପଠାଇ ନିଷ୍ଠୁରତାକୁ ଅପ୍ରମାଣିତ କରିଦିଏ । ଅବଶ୍ୟ ସେ କହିଯାଇଛି—ସେ ମୋର ନିଷ୍ଠୁର ଆଦେଶ ପାଳନ କରିବାକୁ ଆଜି ସମର୍ଥ ନୁହେଁ । ତେଣୁ ଏବେ ଆସୁଥିବ । ମିଳନର ଏକ ତ୍ରିବେଣୀ ସୃଷ୍ଟି ହେଉ !

 

କୃଷ୍ଣା କହିଲେ—ହେ ଅନ୍ତର୍ଯ୍ୟାମୀ, ମୋର କୋଟିଏ ପ୍ରଣାମ ନିଅ ।

 

କୃଷ୍ଣ କହିଲେ—ଉହୁଁ, ଏତେ ବେଶି ପ୍ରଣାମ ସହ୍ୟ କଲାଭଳି ନିଷ୍ଠୁରତା ମୋର ନାହିଁ । ଆଉଥରେ କୃଷ୍ଣାର ଆଲିଙ୍ଗନ ଲାଭ କରିବାକୁ ସୁଯୋଗ ଦେଇ ତାର ବିଶ୍ଵରୂପ ଉପଲବ୍ଧି କରିବାକୁ ସମର୍ଥ କର ।

 

କୃଷ୍ଣା ଏବଂ କୃଷ୍ଣ ପରସ୍ପରକୁ ନିବିଡ଼ ଭାବେ ଆଲିଙ୍ଗନ କଲେ । ପରମ ପୁରୁଷ ସହିତ ଜୀବପୁରୁଷର ଆଲିଙ୍ଗନ କ୍ରମେ ନିବିଡ଼ତର ହୋଇଉଠିଲା । ଦିବ୍ୟ ପ୍ରେମ ସହିତ ଦିବ୍ୟ ପ୍ରେମର ଆଲିଙ୍ଗନ—ତାହାର ପଟ୍ଟାନ୍ତର ନାହିଁ ।

 

ଶାଶ୍ୱତ ବଂଶୀଧ୍ଵନି ଗୁଞ୍ଜରୀ ଉଠିଲା ଏ ପରମ ଆନନ୍ଦଘନ ମୁହୂର୍ତ୍ତକୁ ସମର୍ଥନ ଜ୍ଞାପନ କରି ।

Image

 

ଭଗ୍ନାବଶେଷ

 

ଯେତେବେଳେ କଳାକାର ଶ୍ରୀ ମହାପାତ୍ରଙ୍କର ପ୍ରଥମ ପରିଚୟ ପାଇଲି, ସେତେବେଳେ କିନ୍ତୁ ତାଙ୍କର ଅସଲ ପରିଚୟ ପାଇପାରିଲି ନାହିଁ । କଳାକାରଙ୍କ ପରିଚୟ ପାଇବାପାଇଁ ପାଇବାବାଲାର ଯଥେଷ୍ଟ କଳା ଜ୍ଞାନ ଥିବା ଦରକାର । ବିନା କଳାରେ ଯେପରି “କଳା”ର ବିନ୍ଦୁ ବିସର୍ଗ ଜାଣି ହୁଏନି, ସେପରି ଜାଣି ହୁଏନି ଖୋଦ୍ କଳାକାରଙ୍କ ହ୍ରସ୍ୱଦୀର୍ଘ ।

 

ସେ ଦିନ ଦେଖିଲି ଶ୍ରୀ ମହାପାତ୍ରଙ୍କ ଘରେ ଅଷ୍ଟକଳାର ଗୋଟିଏ କଳାମନ୍ଦିର ଷୋଡ଼ଶ କଳା ପାଇଁ ଆଉ ଯେଉଁ କଳାତକ ବାକି ରହିଲା ସେକଥା ପରେ କହିବି ।

 

ବର୍ତ୍ତମାନର ଏହି ଅଷ୍ଟକଳାରେ ଥିଲେ ଗାନ୍ଧି, ଗୋପବନ୍ଧୁ, ଫକୀରମୋହନ, ପଟେଲ, ନେହୁରୁ, ନେତାଜୀ ଆଦି ସ୍ୱର୍ଗତ ମହାପୁରୁଷମାନଙ୍କର ତୈଳ ଚିତ୍ରସମ୍ଭାର । ତାଙ୍କ ପାଖେ ପାଖେ ଶ୍ରୀମତୀ ସାହୁ, ଶ୍ରୀମାନ ପଣ୍ଡା, ଶ୍ରୀ ବେହେରା ଆଦି ସ୍ଥାନୀୟ ସ୍ୱର୍ଗତ ସ୍ତ୍ରୀ ପୁରୁଷମାନଙ୍କର ତୈଳଚିତ୍ର-। ଏ ସବୁ ଦେଖିଲା ପରେ ମନେହେଲା ସେ ଗୃହଟି ଯେମିତି କେତେକ ସ୍ୱର୍ଗତ ପୁରୁଷ ଓ ମହାପୁରୁଷଙ୍କର ବାସସ୍ଥଳୀରେ ପରିଣତ ହୋଇଛି । ଧରାତଳ ଛାଡ଼ି ସେମାନେ ଯେଉଁ ଦିନଠୁଁ ସ୍ୱର୍ଗକୁ ଆସିଲେ, ସେଇଦିନଠାରୁ ଏଇଠି ରହିଯାଇଛନ୍ତି । ମୃତ୍ୟୁ ଦେବତାଙ୍କ ଅନୁଗ୍ରହରେ ଏ ଘରଟି ସ୍ୱର୍ଗଭୁବନର ଏକ ଅଂଶରେ ପରିଣତ ହୋଇଯାଇଛି ଯେପରି ।

 

ଧରାତଳ ଛାଡ଼ି ମହାପୁରୁଷମାନେ ଏଠିକି ଆସିଛନ୍ତି । ଏଇଠାରୁ ଏଇମାନଙ୍କ ଆଦର୍ଶ ଓ ଆଶୀର୍ବାଦ ଲାଭ କରି ଆମେ ଆଗକୁ ଚାଲୁଛୁ । ପ୍ରଣତି ଜଣାଇଲି ।

 

ସ୍ୱର୍ଗର ଯେଉଁ ବିଧାତାମାନେ ଦିନେ ଏଇମାନଙ୍କୁ ଗଢ଼ି ମର୍ତ୍ତ୍ୟକୁ ପଠାଇଥିଲେ, ସେ ପୁଣି ସେଇମାନଙ୍କୁ ନେଇଗଲେ ସ୍ୱର୍ଗକୁ । କିନ୍ତୁ ମର୍ତ୍ତ୍ୟରେ ଛାଡ଼ି ଦେଇଗଲେ ସେମାନଙ୍କ ଦେହରେ ଖଞ୍ଜିଥିବା ସବୁ ଉପାଦାନର ସ୍ମୃତି । ସେଇ ଉପାଦାନକୁ ସଂଗ୍ରହ କରି ମର୍ତ୍ତ୍ୟପୁରର ଏହି କଳାକାର ଗଢ଼ିରଖିଲା ସେଇମାନଙ୍କୁ ସେଇ ମର୍ତ୍ତ୍ୟଭୂମିରେ । ସ୍ୱର୍ଗ ଓ ମର୍ତ୍ତ୍ୟର ଦୁଇ ସ୍ରଷ୍ଟାଙ୍କ ତୂଳୀରେ ସେମାନେ ହୋଇ-ଗଲେ ସ୍ୱର୍ଗ ଓ ମର୍ତ୍ତ୍ୟ ଉଭୟର ସମ୍ଫଦ । ଏଇ ଦୁଇ ସ୍ରଷ୍ଟା ପରସ୍ପର ବାର୍ତ୍ତା ବିନିମୟ କରି ତୋଳିଗଲେ ଧରାଧାମ ଓ ଗୋଲକଧାମର ସଂଯୋଗକାରୀ ଆରୋହଣ ଅବରୋହଣର ଏକ ସୁଦୃଢ଼ ସୋପାନ ଶ୍ରେଣୀ ।

 

ସେଦିନ କଳାକାର ପଣ୍ଡିତ ଗୋଦାବରୀଶଙ୍କ ତୈଳଚିତ୍ରରେ ତୂଳୀର ଶେଷ ସ୍ପର୍ଶ ଦେଉଥାନ୍ତି । ରଙ୍ଗୀନ ତୂଳୀଟି ଖୁବ୍ ସାବଧାନରେ ଗୋଦାବରୀଶଙ୍କ ନିଶ ଉପରେ ବୁଲି ଲାଗିଥାଏ-। କାରଣ ଏ ଦୁଇଟି ନିଶପଟରେ ତାଙ୍କ ବ୍ୟକ୍ତିତ୍ୱର ଦର୍ପ ପରିସ୍ଫୁଟ ହୋଇଛି । ସେ ନିଶ ଦିପଟାର ଗାମ୍ଭୀର୍ଯ୍ୟ ସାମାନ୍ୟ କମିଗଲେ, ମୁହଁଟା ପୌରୁଷ ହରାଏ ବୋଲି ତାଙ୍କ ଆତ୍ମଜୀବନୀ ସୂଚାଏ । ତେଣୁ ସେହି ନିଶକୁ ଯଥାର୍ଥ ଭଙ୍ଗା ଦେବାପାଇଁ ଶିଳ୍ପୀଙ୍କର ତୂଳୀ ତାର ସମସ୍ତ କୌଶଳକୁ କେନ୍ଦ୍ରୀଭୂତ କରିଦେଇଥାଏ । ଏ ନିଶରେ ଅବିକଳ ଠାଣି ଦେଇ ନ ପାରି ଅନେକ କଳାକାର ଗୋଦାବରୀଶଙ୍କୁ ଆଙ୍କିବାରେ ବିଫଳ ହୋଇଥିବା ମୁଁ ଜାଣେ ।

 

ଏଇ ତୂଳୀଚାଳନା ମଝିରେ ଭୁଟ୍‍ଭାଟ ହୋଇ ଶ୍ରୀ ମହାପାତ୍ର କାହାକୁ କଣ ପଚାରୁଥାନ୍ତି; ଅଧର କୋଣକୁ କେତେବେଳେ ସଂକୁଚିତ, କେତେବେଳେ ପ୍ରସାରିତ କରୁଥାନ୍ତି, ବେକକୁ ଫୁଲାଉଥାନ୍ତି, ଭ୍ରୂଲତା ନଚଉଥାନ୍ତି, ଗ୍ରୀବା ଭାଙ୍ଗି ଆଗପଛ କରୁଥାନ୍ତି । ତାପରେ ଟିକିଏ ତୂଳୀ ଚଳାଉଥାନ୍ତି ।

 

ମୁଁ ପଚାରିଲି—ଆପଣ ଇମିତି କଣ ହୁଅନ୍ତି ? କଣ ସେ ଦିବ୍ୟସ୍ରଷ୍ଟାଙ୍କୁ ପଚାରୁଥାନ୍ତି—ତାଙ୍କ ହାତଗଢ଼ା ଏ ମଣିଷଟା ଠିକ୍ ଏଇପରି ଥିଲା କି ନାହିଁ ?

 

ସେ ଉତ୍ତର କଲେ–ହଁ, ସେ ଦିବ୍ୟସ୍ରଷ୍ଟା ବି ଗଢ଼ିଲାବେଳେ ଆମକୁ ପଚାରନ୍ତି । ଆମ ଆପ୍ରେସିଏସନ୍ ନ ପାଇଲେ ସେ କଣ କିଛି ଗଢ଼ିପାରିବେ ? ଆମେ ସବୁ ତାଙ୍କ ବୋପା ପରା ! ସ୍ୱର୍ଗର ସେ ଶିଳ୍ପୀ କଣ ଆମଠୁ ବଳି ବଡ଼ କଳାକାର ? ମୋଟେ ନୁହେଁ । ତାର ପ୍ରମାଣ ଯେଉଁମାନଙ୍କୁ ଗଢ଼ି ସେ ସଂସାରକୁ ପଠାଇଛନ୍ତି । ଦେଖୁନା ଅଧିକାଂଶ କେମିତି ଅସୁନ୍ଦର । କାହାର ନାକଟା ପଶିଯାଇଛି ତ କାହାର ତାଳୁଟା ବାହାରି ପଡ଼ିଛି । କାହାର ଆଖି ଡିମା ଡିମା ତ, କାହାର ଦାନ୍ତ କୋଡ଼ି ପରି, କିଏ ଛୋଟା ତ କିଏ କେମ୍ପା । ତାଙ୍କ ଗଢ଼ା ଜିନିଷ ଅପେକ୍ଷା ଆମ ଗଢ଼ଣ ବେଶି ସୁନ୍ଦର କି ନାହିଁ, କହିଲ ?

 

ଶ୍ରୀଯୁକ୍ତ ମହାପାତ୍ରଙ୍କର ବୟସ ସେତେବେଳେ ପଚାଶରୁ ଅଧିକ, କିନ୍ତୁ ମୋ ବୟସ ତିରିଶରୁ ଊଣା । ତେଣୁ ତାଙ୍କର ଏ କଳା ମନ୍ଦିର ମଧ୍ୟରେ ମୋ ବୟସ ଉପଯୋଗୀ ଯେଉଁ ଅନ୍ୟ ଆଠକଳାର ଅନୁସନ୍ଧାନ କରୁଥୁଲି, ତାହା ନ ପାଇ ମୁଁ ଅସନ୍ତୁଷ୍ଟ ହେବା ସ୍ୱାଭାବିକ୍ । ତାଙ୍କ ବୟସକୁ ଏସବୁ ନିଷ୍ଠା, ଚରିତ୍ର, ନୀତିଧାରୀ ମଣିଷମାନଙ୍କର ଛବି ଦରକାର ବୋଲି ସେ ଗଢ଼ି ଲାଗିଥିଲେ । କିନ୍ତୁ ଆମ ବୟସକୁ ଖୋରାକ ଯୋଗାଇବା ଭଳି ତାଙ୍କର ସୃଷ୍ଟି କାହିଁ ? ତାହାହେଲେ ମଣିଷ ଇମିତି ବୁଢ଼ା ହୋଇଗଲା ପରେ ନୀରସ ହୋଇଯାଏ ନା କଣ ? ବାର୍ଦ୍ଧକ୍ୟର ନିଦାଘୀ ରୌଦ୍ର ଭିତରେ ଦୂର ବାଲ୍ୟ ଶରତର ଜ୍ୟୋତ୍ସ୍ନା ସିନା ମନେ ପଡ଼େନା, ନିକଟରେ ଅପସରି ଥିବା ଯୁବା ବସନ୍ତର ମଧୁର କାକଳି କଣ ସେଠାରେ ଗୁଞ୍ଜରୀ ଉଠେନା ?

 

ଯଦି ଏଇ ସ୍ରଷ୍ଟା ତୂଳୀରେ ଗୋଟିଏ ପଲ୍ଲୀବାଳା ସ୍ନାନ ଶେଷକରି କାଖରେ ଭରା କଳସୀ ଧରି ଜଳ ମଧ୍ୟରୁ ଉଠି ଆସୁଥାନ୍ତା ! ଯଦି ଏଇ ଶିଳ୍ପୀର କରଣୀରେ ମଧୁପଟିଏ ପ୍ରାତଃ ସମୀରଣରେ ଦୋଳୁଥିବା ସଦ୍ୟ ପ୍ରସ୍ଫୁଟିତ ପୁଷ୍ପ ଉପରେ ବସିବାକୁ ଉଦ୍ୟମ କରୁ କରୁ ବିଫଳ ହେଉଥାନ୍ତା ! ଅବା କେଉଁ ବିରହିଣୀ ତାର ପ୍ରବାସୀ ପ୍ରିୟ ପାଖକୁ ଭୁଜପତ୍ର ଲେଖନୀ ଧରି ଚିଟାଉ ଲେଖୁ ଲେଖୁ ନୟନରୁ ଲୋତକ ଗଡ଼ାଇ ଗଣ୍ଡକୁ ଭିଜାଇ ଦେଉଥିବାବେଳେ ମସ୍ତକରୁ ଅଵଗୁଣ୍ଠନ ଖସି କ୍ରମେ ଅପସରି ଆସୁଥାନ୍ତା ତାର ଅଲକ୍ଷ୍ୟରେ !

 

ଠିକ୍ ଏଇପରି ମୂର୍ତ୍ତିଟିଏ କୋଣାର୍କରୁ ନୀତ ହୋଇ ଦିଲ୍ଲୀ ରାଷ୍ଟ୍ରପତି ଭବନରେ ଥିବା ଯାଦୁଘରେ ଉତ୍କଳର କଳା ଉତ୍କର୍ଷ ଏବେ ବି ପ୍ରଚାର କରୁଥିବା ମୁଁ ଦେଖିଛି !

 

ଶିଳ୍ପୀଙ୍କର ବର୍ତ୍ତମାନଟାକୁ ଅନାବଶ୍ୟକ ନ ହେଲେ ମଧ୍ୟ ଅତ୍ୟାବଶ୍ୟକ ମନେ ନ କରି ତାଙ୍କର ଅତୀତଟାକୁ ଖୋଜିବାକୁ ଲାଗିଲି । ପକ୍ୱ ବୟସରେ ସେ ତାଙ୍କର ପରିପକ୍ୱ ନୀତି ପ୍ରଚାର ପାଇଁ ଏବେ ମହାପୁରୁଷ ଗଢ଼ୁଛନ୍ତି ! ଯୁବା କାଳରେ ଗଢ଼ିଥିବେ ନୀତି ଅନୀତି ନ ମାନି କେତେ ନା କେତେ କୋଣାର୍କ । କାମଶାସ୍ତ୍ର ଅନୁମେଦିତ ଶୀଳ୍ପ ! ଏବେ ସେ ଗଢ଼ୁଛନ୍ତି ବ୍ୟବସାୟ ଦୃଷ୍ଟିକୋଣରୁ ବରାଦୀ ଛବି, ସେତେବେଳେ ଗଢ଼ିଥିବେ ମନ୍ର ସଉକ୍ ପାଇଁ ଉଦ୍‍ବେଳିତ ପ୍ରାଣର ସ୍ୱତଃସ୍ଫୁର୍ତ୍ତ ଆବେଗଭରା ଚାରୁଶିଳ୍ପ । ଯେତେବେଳେ ବହୁ ସନ୍ଧାନ କରି ତାଙ୍କ ଅତୀତରୁ କିଛି ଟିକିଏ ପାଇଲି ନାହିଁ, ସେତେବେଳେ ପଚାରିଲି ମହାପାତ୍ର ବାବୁ, ଏସବୁ ତ ଦେଖିଲି କିନ୍ତୁ ଦେଖନ୍ତି ଆପଣଙ୍କର ବିଗତ ଯୌବନର କିଛି ସ୍ଵାକ୍ଷର !

 

ଗୋଦାବରୀଶଙ୍କ ନିଶରେ ଠାଣି ଦେଉ ଦେଉ ସେ ଉତ୍ତର କଲେ, ନା ସିମିତି କିଛି ଆଙ୍କିନି !

 

ମୁଁ କହିଲି—ତାହାହେଁଲେ, ଛାତ୍ର ଜୀବନର ଚିଠିଗୁଡ଼ାକ ଅନ୍ତତଃ ଥିବ ?

 

ମୋ ଆଡ଼କୁ କିଛି ସମୟ ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କରି ମୋ ଦୃଷ୍ଟିକୁ ସନ୍ଦେହ କଲାପରି କହିଲେ–ତା ବି ନାହିଁ !

 

ଏପରି ଉତ୍ତରରେ ହତାଶ ହୋଇ ଭାବିଲା—ତାହାହେଲେ ଏ ଲୋକଟା ଏତେ ବଡ଼ ଶିଳ୍ପୀ ହେଲା କେମିତି ? ଯାହାର ଅତୀତ ନାହିଁ, ତାହାର ବର୍ତ୍ତମାନଟା କ’ଣ ଏଡ଼େ ଉଜ୍ଜ୍ୱଳ ହୋଇପାରେ ? ଲୋକଟା ତ କଥା କଥାରେ ରସିକତା ଫୁଟାଇ ପାରୁଛି, ଅତୀତଟା ଗଲା କୁଆଡ଼େ-? ୟାଙ୍କର ଶିଳ୍ପଚେତନାରେ କ’ଣ ହଠାତ୍ ପରିସ୍ଫୁରଣ ଘଟିଛି ? ପ୍ରେମ ନ କରି ପ୍ରେମିକ ହେବା ଓ କଳା ନ ଥାଇ କଳାକାର ହେବା ବଡ଼ ଅସମ୍ଭବ ବ୍ୟାପାର । ସଙ୍ଗୀତଜ୍ଞ, ଲେଖକ, କଳାକାରମାନଙ୍କ ଜୀବନ ସାଧାରଣ ମଣିଷଙ୍କ ଜୀବନଠାରୁ ସ୍ୱତନ୍ତ୍ର । ସେମାନଙ୍କ ହୃଦୟରେ ଆବେଗ ଥାଏ, ପ୍ରେମ ଥାଏ, କରୁଣା ଥାଏ । ଏଇସବୁ ବିଭାଗ କଳାପ୍ରାଣତାର ଉଦ୍ଦୀପକ । ଏହି ଉଦ୍ଦୀପନା ପ୍ରବଳ ହେଲେ, କଳା ଉଚ୍ଚକୋଟୀର ହୋଇ କଳାକାରର ଖ୍ୟାତି ବଢ଼ାଏ । ହୁଏତ ଦେଖାଦିଏ ସ୍ଖଳନ ବା ବ୍ୟତୀକ୍ରମ ସଂସାରୀ ହୋଇ ସେ ସଂସାରଠାରୁ ଦୂରେଇ ରହେ । ସ୍ତ୍ରୀ ପୁତ୍ର କନ୍ୟାଙ୍କର ଯତ୍ନ ନେଇ ପାରେ ନାହିଁ । ଦୁନିଆଟାଯାକୁ ଭଲ ପାଇ ଫୁଲ ପରି ସମସ୍ତଙ୍କୁ ବନ୍ଧୁ କରୁ କରୁ ନିଜ ପରିବାରଟି ଅବହେଳିତ ରହିଯାଏ । କେଉଁଠି ବା ସାଧାରଣହୀନ ମଣିଷର ତୁଣ୍ତରେ ଶୁଣାଯାଏ କୌଣସି ପ୍ରସିଦ୍ଧ ଶିଳ୍ପୀ ବା ଲେଖକର ଚାରିତ୍ରିକ ସ୍ଖଳନ ଘଟିଥିବା କଥା । କିନ୍ତୁ ସେ ସାଧାରଣ ମଣିଷ ତାର ସାଧାରଣ ମନ ଧରି ଜାଣିପାରେନା ଶିଳ୍ପୀର ଏଇ ପ୍ରେମ, କରୁଣା ଓ ଆବେଗ କେତେ ମହନୀୟ ! ଏଇ ଯୌବନ ପ୍ରବିଣତା ଉପରେ ଶିଳ୍ପୀର ସକଳ ଶିଳ୍ପସୌଧ ଉଦ୍ଭା ହୋଇ ଆକାଶ ଚୁମ୍ୱେ । ଶିଳ୍ପ ହସେ, ଶିଳ୍ପୀ ହସେ । ଯୌବନର ସ୍ଵାକ୍ଷର ରହିଯାଏ—ଏଇ କାଷ୍ଠ ପାଷାଣ ଦେହରେ । ଯୌବନୋତ୍ତର ଜୀବନରେ ଶିଳ୍ପୀର ଶିଳ୍ପଚାତୁରୀ ପଥ ବଦଳାଏ । ସେ ନୀତିବାନ୍ ପ୍ରୌଡ଼ଶିଳ୍ପ ଗଢ଼ି ସାହିତ୍ୟ—ସଂଗୀତ—କଳା ମାଧ୍ୟମରେ ସମାଜ ପାଇଁ ବଳିଷ୍ଠ ଚରିତ୍ରବତ୍ତା ସୃଷ୍ଟି କରେ । ପୂର୍ବ ଜୀବନର ସେ ଚପଳ ସ୍ଖଳନ ଶିଳ୍ପ ପରିପାଟୀ ସହିତ ପରଜୀବନର ମସ୍ତିଷ୍କ ଚିନ୍ତନ ଶିଳ୍ପର ଏଇଠି ସମ୍ମିଶ୍ରଣ ଘଟେ । ଶିଳ୍ପୀ ଅମର ରହେ । ଦେଶ ଓ ସମାଜରେ, କାବ୍ୟ ଶିଳ୍ପୀ ମାନସିଂହଙ୍କ ଭାଷାରେ ଇତିହାସ ସ୍ୱୀକାର କରେ— “ରାଜନୀତିକ ନୀଳକଣ୍ଠଙ୍କର ମୃତ୍ୟୁ ହୋଇପାରେ, କିନ୍ତୁ “କୋଣାର୍କ” ର କବି ନୀଳକଣ୍ଠଙ୍କର ମୃତ୍ୟୁ ନାହିଁ ।”

ପରଜୀବନର ଏଇ ମସ୍ତିଷ୍କ ଚିନ୍ତନ ଶିଳ୍ପବିଭବ ଦେଖୁଛି କଳାକାର ଶ୍ରୀ ମହାପାତ୍ରଙ୍କଠାରେ; କିନ୍ତୁ ଯୌବନର ରସୋତ୍ତୀର୍ଣ୍ଣ ପରିପାଟୀ ଉପରେ ଆଜିର ଏ ଯେଉଁ ନୀତିବାନ୍ ଶିଳ୍ପ ଦଣ୍ଡାୟମାନ ହୋଇଛି, ତାକୁ ଏ ଲୁଚାଇ ରଖିଛନ୍ତି କେଉଁଠି ?

ସେତେବେଳକୁ ଗୋଦାବରୀଶଙ୍କ ଶୁଭ୍ରନିଶ ହଳକ ତାଙ୍କର ଗୌର ମୁଖରେ ଝଳି ଉଠିଥାଏ । ସତ୍ୟବାଦୀ ଯୁଗର ନିଶ ଆନ୍ଦୋଳନର ପ୍ରତୀକ ହୋଇ ହଳେ ସ୍ୱର୍ଣ୍ଣାଭ ନିଶ ଯେମିତି ପୌରୁଷ ଦର୍ପରେ ବିଭାସିତ ହୋଇ ଉଠିଛି ! ଅବା ସେ ନିର୍ଭୀକ ନିଶ ଦିପଟା ଯେମିତି ତା ଦେଶବାସୀ ତରଫରୁ ବିଛିନ୍ନାଞ୍ଚଳ ମିଶ୍ରଣ ପାଇଁ ପୁଣି ଥରେ ଦାବୀ ପେଶ୍ କରୁଛି ଦର୍ପିତ ଠାଣିରେ ।

ସକାଳ ବେଳାଟା ବସି ବସି ଶିଳ୍ପୀଙ୍କର ଷୋଳକଳାର ପରିଚୟ ନ ପାଇ ବୋଧହୁଏ ମୋତେ ଏଥର ଫେରିଯିବାକୁ ହେବ । ମହାପାତ୍ରେ ଏଥର ମୋତେ ଭାରି ରୁକ୍ଷ ଦିଶିଲେ । ତାଙ୍କ ହସଟା ବଡ଼ ଅପ୍ରାକୃତିକ ବୋଧହେଲା । ତାଙ୍କର ସରସ କଥାଗୁଡ଼ିକ ନୀରସ ବୋଧ ହେଲା । ଯାହାର ଅତୀତ ନାହିଁ, ତାହାର ମଧୁରତା ନାହିଁ । ସେ ଆଉ କିପରି ଦିଶନ୍ତା ! ଯେ ଖାଲି ରୁକ୍ଷ ବର୍ତ୍ତମାନର ଶୁଷ୍କ ଆଦର୍ଶ ପଛରେ ଗୋଡ଼ାଇ ମୂର୍ତ୍ତି ଗଢ଼େ, ତା ଠାରୁ ସରସତା ଆଶା କରିବା ମୂର୍ଖତା-। ତଥାପି ତାଙ୍କର ପ୍ରତିଭାକୁ ଅସ୍ଵୀକାର କରି ହେଉନି । ଲୋକଟା ପ୍ରକୃତରେ ଗୋଟାଏ ହତଭାଗ୍ୟ ଚିତ୍ର ଶିକ୍ଷକ ନ ହୋଇ ଯେବେ ଶିଳ୍ପ ବିଭାଗରେ କୌଣସି ଉଚ୍ଚ ପଦବୀ ଲାଭ କରିଥାନ୍ତା-! ଶିକ୍ଷକ ଯେବେ ହେଲ, ତେବେ କଟକ ବା ଭୁବନେଶ୍ୱରରେ ରହି ହେଲେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତା ! ଦିଲ୍ଲୀ କଲିକତାରେ ରହି ଚିତ୍ରକଳାରେ ବାହାଦୁରୀ ଦେଖାଇବା ଭାଗ୍ୟ ଓଡ଼ିଆ ଶିଳ୍ପୀର ବା କାହିଁ ?

ଏଇ କଳାକାରଙ୍କୁ ଦେଖିଲେ ମନେହୁଏ, ପ୍ରତିଭା ଯିମିତି ଅତୀତହୀନ ବର୍ତ୍ତମାନର ଗୋଟାଏ ଜୀବନ ସହିତ ସଂଘର୍ଷ କରି ଠେଲି ପେଲି ଉପରକୁ ଉଠୁଛି !

 

ଜୀବନ ଓ ପ୍ରତିଭାର ସଂଘର୍ଷ ଦେଖିବାକୁ ଯେଉଁମାନଙ୍କର ଆଗ୍ରହ ଥାଏ, ସେଇମାନେ ଏଇ କଳାକାରଙ୍କ ନିକଟରେ ପହଞ୍ଚି ପାରନ୍ତି । କୁକୁଡ଼ା ଲଢ଼େଇ ପରି ଭାରୀ ଉତ୍ତେଜନା ପ୍ରଦାୟକ ଏଇ ସଂଘର୍ଷ !

 

ଦୁଇଟି ଗଞ୍ଜା । ମୁକୁଟ ହଲାଇ ହଲାଇ ପରସ୍ପର ଆଡ଼କୁ ମାଡ଼ି ଯାଉଛନ୍ତି ! ଥଣ୍ଟକୁ ଥଣ୍ଟ, ଗୋଡ଼କୁ ଗୋଡ଼ ଯୁଝୁଛନ୍ତି ! ଗୋଡ଼ରେ ବନ୍ଧାହୋଇଛି ତୀକ୍ଷ୍ଣ ଧାରୁଆ ଛୁରୀ । ଗୋଟିଏ ଅନ୍ୟକୁ କ୍ଷତ ବିକ୍ଷତ କରିପକାଉଛି । ଶେଷରେ ଗୋଟାକର ମୃତ୍ୟୁ !

 

କେତେବେଳେ ଜୀବନ ରକ୍ତାକ୍ତ ହୋଇ ଉଠୁଛି ତ କେତେବେଳେ ପ୍ରତିଭା ଲହୁ ଲୁହଣ ହୋଇ ଯାଉଛି ! ମେଣ୍ଢା ଲଢ଼େଇ ପରି ଏଥିରେ ତାଳୁକୁ ତାଳୁ ସଂଘର୍ଷ ନାହିଁ । ଢି ଢି ଶବ୍ଦ ନାହିଁ । ନୀରବ ନିଥର ସଂଘର୍ଷ ମଧ୍ୟରେ ମୃତ୍ୟୁମୁଖୀ ଦୁଇଟି ଗଞ୍ଜାର ଲଢ଼େଇ ଏ !

 

ସେଦିନ ସକାଳେ ଫେରିଗଲି । କିନ୍ତୁ ଏ ଲଢ଼େଇ ଦେଖିବାକୁ ମଝିରେ ମଝିରେ ମୁଁ ଏଇ କଳାକାରଙ୍କ ପାଖରେ ପହଞ୍ଚେ । ଦିନେ ସକାଳେ ଦେଖିଲି ଜୀବନ ମାଡ଼ିବସିଛି ପ୍ରତିଭାକୁ । ପ୍ରତିଭା ଅଣନିଃଶ୍ୱାସୀ ହୋଇ ଜୀବନକୁ ଓଲଟାଇ ଉପରକୁ ଉଠିବାକୁ ଚେଷ୍ଟା କରୁଛି ! ମହାପାତ୍ରେ ଝାଳନାଳ ହୋଇ କୌଣସି ବୃଦ୍ଧାଙ୍କର ତୈଳଚିତ୍ର ଉପରେ ତୁଳୀ ବୁଲାଇ ଲାଗିଛନ୍ତି । ଫିନିସିଙ୍ଗ୍ ହୋଇପାରିବ ନାହିଁ । କେବଳ ସେକେଣ୍ଡ କୋଟିଂ ଦେଇ ଛାଡ଼ିଦେବେ । ବରାଦ ଅଛି-ଆସନ୍ତା ଅଷ୍ଟମୀ ତିଥି ପୂର୍ବରୁ ଏହାକୁ କୌଣସି ମତେ ଗୋଟାଏ କିଛି କରିଦେବାକୁ ପଡ଼ିବ । ସେଦିନ ଏଇ ବୃଦ୍ଧାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରିବେ ତାଙ୍କର ବଂଶଧର । ତିନିଶତ ଟଙ୍କା ପାରିଶ୍ରମିକ ମିଳିବ ।

 

ଇତ୍ୟବସରରେ ଅନ୍ଦର ମହଲରୁ ଗୋଟିଏ ସ୍ୱର ଶୁଭିଲା—ପରିବା ନାହିଁ । ....ପରିବା ନାହିଁ । ....ଶୁଭୁଛି ନା, ନାହିଁ ମ ?

 

ଅବଶ୍ୟ ଜଣେ ଭଦ୍ରଲୋକ ବାହାରେ ବସିଛନ୍ତି, ଏ ଧାରଣା ଅନ୍ଦର ମହଲ ପରିଚାଳିକାଙ୍କର ନାହିଁ ।

 

ପୁଣି ଶୁଭିଲା—କାନ ଅଛି ନା ନାହିଁ ମ ?

 

ଜୀବନ ଯେତେବେଳେ ମୁକୁଟ ହଲାଇ ହଲାଇ ମାଡ଼ି ଆସୁଛି, ପ୍ରତିଭା କି ଛାଡ଼େ ? ସେ ତା ଗୋଡ଼ରେ ଛୁରୀକୁ ହୋସିଆର ରଖି ଆଗକୁ ମାଡ଼ି ଯାଉ ଯାଉ କହିଲା—ମୋର ତ କାନ ନାହିଁ, ତୁମର ଆଖି ଅଛିଟି ? ଦେଖୁଛ ମୁଁ ବ୍ୟସ୍ତ ଅଛି । ସେହି କଥା ସେହି କଥା କେତେ କହି ହେଉଛ ? ପରିବା ନ ଥାଇ କ’ଣ ଓଳିଏ ଚଳି ହେବନି ?

 

—ଓଳିଏ ଓଳିଏ କେତେ ହେଉଛ ? ଏଥରକୁ ପରା ଚାରି ଓଳି ହେଲା ।

 

—ହେଲା ତ ହେଲା, କ’ଣଟା ଭାସିଗଲା । ଡାଲିତ ଥିବ ଏ ଓଳିଟା ସେଥିରେ ଚଳେଇ ଦିଅ ।

 

ବୃଦ୍ଧାଙ୍କ ସୀମନ୍ତରେ ଅହିଅ ସିନ୍ଦୂର ଦେଇ କାନରେ ଫୁଲ ଦିଟା ଖଞ୍ଜୁ ଖଞ୍ଜୁ ଘରବାଲା ଭଡ଼ାପାଇଁ ଆସି ହାଜର । ଅଷ୍ଟମୀ ପରେ ଆସିବାକୁ କହିବାରୁ ବହୁ କଷ୍ଟରେ ସେ ଫେରିଲେ । ପ୍ରକୃତରେ ଆଜିକାଲିର ଘରଭଡ଼ା ଦାଉରେ କେତେ ବଡ଼ ଟାଣୁଆ ମଣିଷ ବି ଚାପି ହୋଇଯାଏ, ଆଉ ଏ ହାଲୁକା କଳାକାରଙ୍କ ଅବସ୍ଥାକୁ କିଏ ପଚାରେ !

 

ଏହି ସମୟରେ ପୁଣି ଅନ୍ଦରମହଲରୁ ଶୁଭିଲା—ଡାଲି ଏଥର ଓହ୍ଲାଯିବ, ଲୁଣ ନାହିଁ ।

 

କଳାକାର ଏଥର ହସି ହସି ଉତ୍ତର କଲେ (ପ୍ରତିଭା ଯେମିତି ଏଇଠି ଜୀବନକୁ ଓଲଟାଇବାକୁ ଚାହେଁ) । ମିସେସ ମହାପାତ୍ରେ, ଶୁଣ ! ଟିକିଏ ପାଖକୁ ଆସ ! ସବୁଦିନେ ତ ଲୁଣ ଖାଉଥାଇଁ । ମଝିରେ ମଝିରେ ଲୁଣ ନ ଖାଇ ଅନ୍ତତଃ ଆମର ଦେଖିବା ଉଚିତ, ଅଲଣା କିପରି ଲାଗେ ! ଆରେ ପ୍ରତିଜ୍ଞା କରି ଗାନ୍ଧିଜୀ କେତେବର୍ଷ ଯାଏଁ ଜମା ଲୁଣ ଖାଉ ନ ଥିଲେ । ଲୁଣ ନ ଖାଇଲେ ଯେ ମାନସିକ ବଳ ବଢ଼େ !

 

ମହାପାତ୍ରଙ୍କ ସୁଆଗିଆ ଡାକରେ ଶ୍ରୀମତୀ ମହାପାତ୍ରେ ଅବଶ୍ୟ ପାଖକୁ ଆସିଯାଇଥିଲେ । କିନ୍ତୁ ଏ ଉପଦେଶ ବାଣୀରେ ତାଙ୍କ ମନ ମାନିଲା ନାହିଁ । ସେ ଗର ଗର ହୋଇ ଚାଲି ଯାଉଥିଲେ କହି କହି— “ପଇସାଟିଏ ହାତରେ ନାହିଁ, ଏ କଥା ନ କହି ଉପଦେଶ ଶୁଣା ହେଉଛି !” କିନ୍ତୁ ଶ୍ରୀଯୁକ୍ତ ମହାପାତ୍ର ଏତିକିବେଳେ ତାଙ୍କର ପଣତଟାକୁ ଟାଣି ଦେଇ ମୁହଁରେ ସରାଗ ହସ ବୋଳି କହିଲେ—ଆରେ, ଟିକିଏ ରହ ।”

 

—କାହିଁକି ? ତେଣେ ଡାଲି ପୋଡ଼ିଯିବ ।

 

—ପୋଡ଼ୁନା ! ଅଲଣା ଡାଲି, ସେ ପୁଣି ପୋଡ଼ିଗଲେ ତାର ବି ଗୋଟାଏ ଅନ୍ୟ ରକମର ସୁଆଦ ଅଛି !

 

ମୁଁ ସେତେବେଳକୁ ଆଢ଼ୁଆଳରେ ଥିଲି । ଦୁହିଁଙ୍କର ଏ ସୁଆଙ୍ଗ ଦେଖି ଦୌଡ଼ି ପଳାଇବାକୁ ମୋର ଇଚ୍ଛା ହେଲାଣି । କିନ୍ତୁ ପ୍ରତିଭା ଏଇଠି ଜୀବନକୁ ଓଲଟେଇ ତଳେ ପକେଇ ଦେଇଛି, ପ୍ରତିଭାକୁ ମୁଁ ଭାରି ଭଲ ପାଏ । ମୋର ଚିଅରଅପ୍ ଦେଇ ତାଳି ମାରିବା କଥା । କିନ୍ତୁ ତାଳିଟାକୁ ଜବରଦସ୍ତି ଚପେଇ ଦେଇ ଆହୁରି ଆଢ଼ୁଆଳକୁ ଲୁଚିଗଲି ।

 

ଶ୍ରୀମତୀ କହିଲେ—କାହିଁକି ଠିଆ ହେବି ଯେ !

 

—ବାସ୍, ଠିଆହେଲେ ଯେ, ବାମହାତ ସେମିତି ଥାଉ, ଡାହାଣ ହାତଟାକୁ ଟିକିଏ ଉପରକୁ ଟେକ । ବାସ ହେଲା ! ଆଖିକୁ ଟିକିଏ ତଳକୁ କର । ଓଠକୁ ଟିକିଏ ବଙ୍କେଇଲ ! ଠିକ୍ ଏଇ ମଡ଼େଲଟା ଏଇ ଚିତ୍ର ପାଇଁ ଦରକାର ଥିଲା । ହଁ, ଏଥର ଟିକିଏ ହସିଲ !

 

—ତୁମେ ନିର୍ଲଜ ବେହିଆ ହେଲ ବୋଲି, ସମସ୍ତଙ୍କୁ କ’ଣ ସେୟା କରି ପାଇଲ ? ହଉ ହସିଲି, ଆଉଁ ଯେତେ ଯାହା କରିବା କଥା ଏକାବେଳକେ କହିଯା, ସେଆଡ଼େ ବେଳ ହୋଇଯିବ !

 

ଏ ଭିତରେ ମୋତେ ହସ ମାଡ଼ିବା କଥା । କିନ୍ତୁ ପ୍ରତିଭାକୁ ସଂପୂର୍ଣ୍ଣ ଜଣାଇବା ପାଇଁ ହସଟାକୁ ଠେଲି ପେଲି ତଣ୍ଟି ଭିତରକୁ ଭର୍ତ୍ତି କରି ଲାଗିଲି । ଦୁଃଖର କଥା, କାଶଟାକୁ ଅଟକାଇ ହେଲାନି । କାଶି ହୋଇଗଲା ।

 

ଆଉ କି ମିସେସ୍ ମହାପାତ୍ର ସେଠି ରହନ୍ତି ? ଦୂର୍ ଦୂର୍ ହୋଇ, ମୁହଁ ମୋଡ଼ି, ରାଗ ଗର ଗର ହୋଇ ଅନ୍ଦରମହଲକୁ ମାଡ଼ିଗଲେ । ସେ ଯେପରି ଚରଣ ପତନ ମାଧ୍ୟମରେ କହି କହି ଯାଉଥିଲେ, ଭଦ୍ରଲୋକଙ୍କୁ ଦାଣ୍ଡରେ ବସେଇ, ଏଠି ତାମସା ଲଗେଇଛ ? ସେ ଯାଆନ୍ତୁ, ତମ ନିଲଠା ପଣ ଛଡ଼ାଇବି ।

 

ମହାପାତ୍ରେ କହିଲେ—ଆରେ, ଆପଣ ବାହାରେ ବସିଛନ୍ତି ? ମୁଁ ସମ୍ପୂର୍ଣ୍ଣ ପାସୋରି ଯାଇଥିଲି । ଆପଣ ତାହାହେଲେ ଏସବୁ ଦେଖିଥିବେ ତ ?

 

—ନାଁ, ମୁଁ ବାହାରକୁ ଅନାଇ ଦୁଇଟା ଗଞ୍ଜାଙ୍କର ଲଢ଼େଇ ଦେଖୁଥିଲି ।

 

—ଦୁଇଟା ଗଞ୍ଜାଙ୍କର ନା ଗୋଟିଏ ଗଞ୍ଜା ସହିତ ଆଉ ଗୋଟିଏ ପେଣ୍ଠୀ କୁକୁଡ଼ାର ?

 

—ସତରେ, ଏ ନିଲଠାପଣ ପାଇଁ ଆପଣ ଯଦି ଆଜି ତାଙ୍କ ପାଖରେ କାନକୁ ଧରି ଦଶଥର ବସଉଠ ହୁଅନ୍ତେ, ମୁଁ ଭାରି ଖୁସୀ ହୁଅନ୍ତି ।

 

—ତାହାହେଲେ ଆପଣଙ୍କୁ ଖୁସୀ କରାଇବା ପାଇଁ ତାଙ୍କୁ ଆଉ ଥରେ ଡାକୁଛି ?

 

—ଆପଣଙ୍କ ଡାକକୁ ଖାଲି ସେ ଚାତକୀ ପରି ଅନାଇ ବସିଛନ୍ତି । ଡାକିଦେଲା କ୍ଷଣି ହାଜର ହୋଇଯିବେ । ଆଚ୍ଛା, ଆପଣଙ୍କର ଆଜି ଏ କେଦାରଗୌରୀ ଅଭିନୟରୁ ଜଣାଯାଉଛି, ଆପଣ ତ ବେରସିକ ନୁହଁନ୍ତି । ତେବେ ଅତୀତଟାକୁ କାହିଁକି ଲୁଚାଇ ରଖିଛନ୍ତି ?

 

—ଛାଡ଼ନ୍ତୁ ସେ କଥା । କହିଲେ, ଶାଢ଼ୀଟାରେ କି ରଙ୍ଗ ଦେବା ?

 

—ଏ ପ୍ରଶ୍ନଟା ମିସେସ୍‍ଙ୍କ ପଚାରିଥିଲେ ବରଂ ଭଲ ହୋଇଥାନ୍ତା । ତାହାହେଲେ ଅନ୍ତତଃ ସେ ଆପଣଙ୍କର ନାକକୁ ଭୂଇଁରେ ଘୋଷାଡ଼ି ଘୋଷାଡ଼ି କହିପାରିଥାନ୍ତେ—ଆରେ ନିର୍ଲଜ, ତମେ କଳାକାର ହେଲ ବୋଲି ସମସ୍ତେ କ’ଣ ସେୟା କି ? ଆଉ କାହାର କିଛି କାମ ନାହିଁ ଯେ, ଏଇଠି ବସି ଶାଢ଼ୀ ରଙ୍ଗ କ’ଣ ହେବ, ମୁଣ୍ଡ ଖେଳଉ ଥିବେ ।

 

ମୋ କଥାକୁ ଅନ୍ୟମନସ୍କ ହୋଇ ସେ ଶାଢ଼ୀରେ ମୃଦୁଲୋହିତ ରଙ୍ଗ ବୋଳି ଲାଗିଲେ । ରଙ୍ଗ ବୋଳା ଚାଲିଛି, କହିବାକୁ ଲାଗିଲେ—ମୋର ଯେଉଁ ଦୈନ୍ୟକୁ ଆପଣଙ୍କ ପାଖରେ ଲୁଚାଇ ରଖିଥିଲି, ତାହା ଆଜି ଆପେ ଆପେ ପ୍ରକାଶ ପାଇଗଲା । ଆଜି ଆପଣଙ୍କର ଧାରଣ ଏ ଦୁଃସ୍ଥ କଳାକାରଙ୍କ ପ୍ରତି ଖୁବ୍ ତୁଚ୍ଛ ହୋଇ ପଡ଼ିଥିବ, ନା ? ପ୍ରକୃତରେ ଦୁଃଖ ଦୈନ୍ୟର ହାଇଡ଼୍ରୋଜେନ ବମକୁ କେତେଦିନ ଲୁଚାଇ ହୁଅନ୍ତା ! ଆପଣ ଯାହା ମନେ କରନ୍ତୁ—ହାତରେ ପଇସା ନ ଥିଲେ ସ୍ତ୍ରୀଙ୍କୁ ଇମିତି ଉପଦେଶ ଶୁଣାଇବାକୁ ପଡ଼େ । କିନ୍ତୁ ସେ ଜାଣନ୍ତି—ଏ ଉପଦେଶ ନିହାତି ଶୁଖିଲା ।

 

ମୁଁ କହିଲି—ଜାଣେ, ଶିକ୍ଷକର ଜୀବନ ସବୁବେଳେ ଅଭାବ ଗ୍ରସ୍ତ । ସେଥିରେ ପୁଣି ହତଭାଗ୍ୟ ଚିତ୍ର ଶିକ୍ଷକ । ଅନେକ ଲୋକ ଦରମା ପାଇବା ପାଇଁ ପହିଲା ତାରିଖକୁ ସ୍ୱାଗତ ଜଣାନ୍ତି ସତ—କିନ୍ତୁ କେତେକ ଥାଆନ୍ତି ଯାହାଙ୍କ ପାଖରେ ଦରମା ତାରିଖଟା ଏକ ‘କଳାଦିବସ’ ହୋଇଆସେ । ଏ ହାତରେ ପଇସା ପାଇ ସେ ହାତରେ ଶୁଝୁ ଶୁଝୁ ସବୁ ରିକ୍ସ ହୋଇଯାଏ । ସେ ମାସଟାରେ ଶେଷ ତାରିଖଟି ଦୁଇ ଦିଗନ୍ତ କୋଳରେ ଆଖି ମିଟି ମିଟି କରୁଥିଲାବେଳେ ମଧ୍ୟବର୍ତ୍ତୀ ଦିନଗୁଡ଼ିକ ତାଙ୍କ ପିଠି ଉପରେ ସବାର ହୋଇ ନାକରେ ଲଗାମ ଭିଡ଼ି ବସିଯାଏ । ଚାଲେ ପୁଣି ପରିବା ଦୋକାନର ବାକୀ । ଲୁଣ ବି ବାକୀରେ କିଣିବାକୁ ପଡ଼େ ।

 

କଳାକାର କହିଲେ—ଆଉ ଏଥିରେ ଆପଣ ଖୋଜୁଛନ୍ତି ମୋ ମଧୁର ଅତୀତ ? ଏପରି ଅବସ୍ଥାରେ କେଉଁ ଯୋଷାଙ୍କର ମୁକୁଳା କବରୀ ବାନ୍ଧି ଖୋଷାଟିଏ ବାନ୍ଧିଦେବ ଏ କଳାକାର !

 

—ମୋତେ କ୍ଷମା କରନ୍ତୁ, ମୋର ଭୁଲ ହୋଇଛି । ଆପଣଙ୍କ ବର୍ତ୍ତମାନର ରକ୍ତାକ୍ତ ଜୀବନ ଦେଖିଲି । ଅତୀତ ଯେବେ ଏହିପରି ରକ୍ତାକ୍ତ ହୋଇଥିବ ! କ୍ଷମା କରନ୍ତୁ, ମୁଁ ଯାଏଁ-। ଆପଣଙ୍କ ଗାନ୍ଧିଡ଼ାଲି ପୋଡ଼ାଗନ୍ଧରେ ଏକ ଅଭିନବ ଅଲଣା ସ୍ଵାଦୁ ଚଖାଇବାକୁ ଅପେକ୍ଷା କରିଥିବ-

 

ଆଉ ଦିନେ । ଏକ ପର୍ବଦିନରେ ଆମେ ଦିହେଁ ଦେବ ଦର୍ଶନରେ ବାହାରି ଥାଉ । ଅନେକ ଯାତ୍ରୀ ଯାତ୍ରିଣୀ ଦର୍ଶନରୁ ଫେରୁ ଥାଆନ୍ତି, ଅନେକେ ଦର୍ଶନକୁ ଚାଲି ଥାଆନ୍ତି ମଧ୍ୟ । ଋଷିକୁଲ୍ୟାର ତଟ ଦେଶରେ ମାଟି ରାସ୍ତାଟା ସୁନ୍ଦର ଶାଢ଼ୀ ଓ ପୋଷାକରେ ସଜୀବ ହୋଇ ଉଠିଥାଏ । ବିଚରା ଦୁଃସ୍ଥ କଳାକାରଟି ନିଜ ପାଦ ଉପରେ ଦୃଷ୍ଟି ନିବଦ୍ଧ ରଖି ଚାଲି ଲାଗିଥାଏ । କିନ୍ତୁ ମୋ ଦୃଷ୍ଟି ଖୁବ୍ ଚଞ୍ଚଳ ହୋଇ ଉଠିଥାଏ ରାସ୍ତାର ସ୍ତାବର ଜଙ୍ଗମ ଦୃଶ୍ୟ ଆଡ଼କୁ । କଳାକାରଙ୍କ ଏ ବୀତସ୍ପୃହ—ବିରାଗୀ—ଉଦାସୀନ—ନିର୍ଲିପ୍ତ—ନିମ୍ନଦୃଷ୍ଟି ମୋତେ ଭାରି ବାଧୁଥାଏ । ଏମିତି ଲୋକ ପୁଣି କଳାକାର ହୁଏ କିପରି ? ଦୃଷ୍ଟି ଯାହାର ଆଦୌ ବହିର୍ମୁଖୀ ନୁହେଁ, ସେ ଛବି ଆଙ୍କୁଛି କିପରି ?

 

ଦର୍ଶନ ସାରି ଖରା ଖରାରେ ଫେରିଲୁ । ହଠାତ୍ ଦେବ ଦର୍ଶନାଭିଳାଷିଣୀ ଦଳେ ସୁଶ୍ରୀ ତରୁଣୀ ନୈବେଦ୍ୟ ହସ୍ତରେ ଚାଲିଯାଉଥିବାବେଳେ ତାଙ୍କର ସ୍ନାନସିକ୍ତ ଉନ୍ମୁକ୍ତ କବରୀ ମୋର ଦୃଷ୍ଟି ଆକର୍ଷଣ କରିନେଲା । କଳାକାରଙ୍କୁ ଦେଖିଲି—ଅତି କଳାହୀନ ଭାବରେ ତାଙ୍କର ଚକ୍ଷୁ ପୂର୍ବପରି ନିମ୍ନବଦ୍ଧ । କିନ୍ତୁ ହଠାତ୍ କଳାକାର କହି ଉଠିଲେ-ଆପଣଙ୍କ ଦୃଷ୍ଟି ବଡ଼ ଅବାଧ୍ୟ ।

 

ମୁଁ ଚମକି ପଡ଼ି ନଜର ଦୁର୍ବଳତା ପାଇଁ ଲଜ୍ଜିତ ହେଲି । ଭାବିଲି—ଏ କଳାକାର ତ କମ୍ ଜନ୍ତୁ ନୁହେଁ । ତଳକୁ ଚାହିଁ ଯେ ଉପରକୁ ଦେଖିପାରେ, ଏଆଡ଼େ ଅନାଇ ଯେ ସେଆଡ଼େ ଦେଖୁଥାଏ, ସେ ଜନ୍ତୁ ନୁହେଁ ତ ଆଉ କ’ଣ ? ହଁ, ଇମିତି ଲକ୍ଷଣ ଥାଇ ଜଣେ ଜଣେ ଟେରା ମଣିଷ ବି ଥାଆନ୍ତି ।

 

ସେ କହିବାକୁ ଲାଗିଲେ—ଆପଣ ଚମକି ଉଠନ୍ତୁ ନାହିଁ । ମୋ ଦୃଷ୍ଟି ବି ଇମିତି ଦିନେ ଭାରି ଅମାନିଆ ଥିଲା । ଯେଉଁଠି ନୀଳ କଇଁର ଆଖି ଦୁଇଟି ଦେଖୁଥିଲି, ସେଇ ମୁହଁଟିକୁ ଆଙ୍କିବାକୁ ମୋର ଦୃଷ୍ଟି ଅବାଧ୍ୟ ହୋଇ ଉଠୁଥିଲା । ଆର୍ଟ କଲେଜରେ ପଢ଼ିବାବେଳେ କେତେ ସୁନ୍ଦରୀଙ୍କୁ ମଡ଼େଲ କରି ଛବି ଗଢ଼ିଛି । ଅନେକ ନଗ୍ନଛବି ମଧ୍ୟ ! ଛି, ଭାରୀ ଅଶ୍ଳୀଳ । କିନ୍ତୁ ଆମର ଅଧ୍ୟାପକ କହନ୍ତି—ତାହା ଅଶ୍ଳୀଳ ନୁହେଁ, କଳା । Art for art’s sake । ସେଇ କଳାର ପୂଝାରୀ ହୋଇ କେତେ ବିନିଦ୍ର ରଜନୀରେ ସେମାନଙ୍କୁ କଳ୍ପନା କରିଛି । ତୂଳୀ ଧରିଛି ଦୁଇଟି ହାତରେ ଦୁଇଟି । ଆଖି ବୁଜି ମଧ୍ୟ ସେମାନଙ୍କର ଶୋଭା ଫୁଟାଇଛି ତୂଳୀ ଆଉ ରଙ୍ଗରେ । ଉଚ୍ଛ୍ୱସିତ ପ୍ରଶଂସା ପାଇଛି ଅଧ୍ୟାପକମାନଙ୍କଠାରୁ । ପ୍ରଶଂସାରେ ଉଦ୍‍ବେଳିତ ହୋଇ ମୁଁ ଶୋଇ ଶୋଇ ଗୋଡ଼ରେ ପୁଣି ତୂଳୀ ଧରି ଆଙ୍କିଛି ଛବି । ଓଠରେ ତୂଳୀ ଧରି ସେମାନଙ୍କର ଆଖିରେ ନୀଳକଇଁର ନୀଳିମା ଭରିଛି ।

 

ମୁଁ କହିଲି—ଆଉ ଆପଣଙ୍କର ସେଇ ଓଷ୍ଠରେ ତୂଳୀଧରି କେଉଁ ସ୍ୱପ୍ନମାନସୀର ଗଣ୍ଡକୁ ରକ୍ତିମ କରିବା ପାଇଁ ଲଘୁସ୍ପର୍ଶ ଦେଇ ଅରୁଣରଙ୍ଗ ବି ବୋଳିଛନ୍ତି ! ବକ୍ଷରେ ଫୁଟାଇଛନ୍ତି ଯୁଗଳ ପଦ କୋରକ । —କ୍ଷମା କରିବେ ଆପଣଙ୍କୁ ଯାହାସବୁ ଲୁଚାଇ ଲୁଚାଇ ଏତେଦିନ ରଖିଥିଲି, ତାହାସବୁ ମୋ ଅନିଚ୍ଛାରେ ଆଜି ଆପଣଙ୍କ ଆଗରେ ପ୍ରକାଶ ପାଇ ଯାଉଛି ! ଆପଣଙ୍କ ଆଜିର ଏ ଦୃଷ୍ଟି ଚାଳନାରେ ମୋର ସେଦିନର ଦୃଷ୍ଟି ଚାଳନାର ଅନେକ ସାମଞ୍ଜସ୍ୟ ରହି ଯାଇଛି ବୋଧହୁଏ ! ସେଥିପାଇଁ ମୋର ଅବଲୁପ୍ତ କାହାଣୀ ସ୍ୱତଃ ପ୍ରକାଶ ପାଇ ଯାଉଛି ! କ୍ଷମା କରିବେ, ମୋତେ ଏ ବିଷୟରେ ଆପଣ ଆଉ ଅଧିକ ବିଚଳିତ କରନ୍ତୁ ନାହିଁ । ଆପଣଙ୍କ ଦୃଷ୍ଟି କି ସଂଯତ କରନ୍ତୁ । ମୋର ଆତ୍ମପ୍ରକାଶ ଆପେ ଆପେ ବନ୍ଦ ହୋଇଯିବ ।

 

ଯେଉଁ ଲାଞ୍ଜଟାକୁ ଧରି ବଳି ଭିତରୁ ସାପଟାକୁ ଟାଣି ଆଣିବାକୁ ବହୁ ଚେଷ୍ଟା କରି ମଧ୍ୟ ପାରି ନ ଥିଲି, ଆଜି ସେ ସାପଟା ଆପେ ଆପେ ବଳି ବାହାରକୁ ବାହାରି ଆସୁଛି । ମହାପାତ୍ରଙ୍କୁ ଟାଣିନେଇ ଗୋଟିଏ ଆମ୍ବଗଛ ଛାଇରେ ବସାଇ ଦେଲି । ମୁଁ ବି ବସିଲି ପାଖରେ । ଆଗରେ ଫାଲ୍‍ଗୁନ ମାସର ଶୁଖିଲା ଋଷିକୂଲ୍ୟା ନଦୀଟା ପଡ଼ିଛି । ଏଇ ନଦୀରେ କେବେ ପୁଣି ପାଣି ଥିଲା । ସେ ପାଣିର ସୁଅ ଥିଲା । ସେ ସୁଅର କୁଳୁ କୁଳୁ ଧ୍ଵନି ବି ଥିଲା !

ମୁଁ କହିଲି—ଆଗରେ ଦେଖୁଛନ୍ତି ଶୁଖିଲା ବାଲିପଠାଟା । ଏଇମିତିର ବାଲି ଉପରେ ସେଦିନର କୋଣାର୍କ କେତେ ଶିରୀ ବହନ କରିଥିଲା ! ପଦ୍ମ, ନାଗ, ଅପସରା, ଲତା, ପୁଷ୍ପଗହଳରେ ବାଦକ, ଗାୟକ, ନର୍ତ୍ତକୀର ନୂପୁର ସିଞ୍ଜିତ ହୋଇ ଉଠୁଥିଲା ବାଦ୍ୟର ତାଳେ ତାଳେ-। ସୂକ୍ଷ୍ମ ନିହଣ ମୁନରେ ଗଢ଼ିଉଠିଥିବା ସେ ମହାକାବ୍ୟ ଆଉ କାହିଁ ! କେବଳ ଗୋଟିଏ ଭଗ୍ନାବିଶେଷ ପଡ଼ି ରହିଛି ଯାହା ଅତୀତ ବିଭବର ସାମାନ୍ୟତମ ପରିଚୟ ବହନ କରି ।

ଶୁଖିଲା ବାଲିପଠାକୁ ଏକ ଲୟରେ ଅନାଇ ସେ କହି ଚାଲିଲେ–“କଲେଜ ଜୀବନରେ ମୁଁ ଭଲ ପାଇଥିଲି ଅନେକଙ୍କୁ, କେବଳ କଳା ପାଇଁ, ଜୀବନ ପାଇଁ ନୁହେଁ । ସେମାନଙ୍କର ବିଭିନ୍ନ ଠାଣି ଓ ଭଙ୍ଗୀକୁ ସହାୟ କରି ଗୋଟିଏ କୋଣାର୍କ ଗଢ଼ିଥିଲି ମୋ ଜୀବନ ଆଲବମ୍ ଭିତରେ । ସେମାନଙ୍କ ମଧ୍ୟରେ ସବୁଠୁ ବେଶୀ ଜୀବନବାଦୀ ଥିଲା ସହଧ୍ୟାୟିନୀ ସ୍ୱପ୍ନମୟୀ ।

“ପଢ଼ା ଶେଷକରି କଲେଜ ଛାଡ଼ିବା ପୂର୍ବଦିନ ହଠାତ୍ ସେ ମୋ କୋଠରୀକି ପଶିଆସି କହିଲା—ତମେ କାଲିକି ଚାଲିଯିବ, ମୁଁ ବଞ୍ଚିବି କେମିତି ? ଆଜି ଯାଏଁ ମୁଁ ତୁମ ପାଖରେ ତୁମ କଳା ପାଇଁ ସ୍ୱପ୍ନମୟୀ ହୋଇ ରହିଥିଲି । ଆଜି ମୁଁ ତୁମର ଜୀବନ ପାଇଁ ବାସ୍ତବରୂପ ଧରି ଆସିଛି । ସତ କହ—ମୋତେ ବିବାହ ନ କରି.... ?”

ବହୁଦିନରୁ ଶୁଖିପଡ଼ିଥିବା ନଦୀବାଲିରେ ଦେଖିଲି ବହୁ ଦୂରରେ ପାଣି ଟାଲଟାଏ ଅଛି । ଶୁଖି ପଡ଼ିଥିବା କଳାକାରଙ୍କ ଆଖିରେ ଅଶ୍ରୁ ଢଳ ଢଳ ହେଲା । ସେ କହିବା ବନ୍ଦ କରି ସେ ପାଖକୁ ମୁହଁ ବୁଲାଇ ଦେଲେ ।

 

ମୁଁ କହିଲି—ଆଉ ସେଦିନ ବି, ସ୍ୱପ୍ନ ଯେତେବେଳେ ସତ୍ୟରେ ପରିଣତ ହେବାକୁ ଯାଉଥିଲା, ଆପଣ ଏଇପରି ଅଶ୍ରୁକୁ ଲୁଚାଇବା ପାଇଁ ମୁହଁ ବୁଲାଇ ଦେଲେ । କିଛି ଜବାବ ଦେଇ ପାରିଲେ ନାହିଁ । କାରଣ ସ୍ୱପ୍ନ ଭିତରେ ବୁଡ଼ିରହି ଜୀବନ କ’ଣ ଆପଣ ସେତେବେଳେ ଜାଣି ନ ଥିଲେ । ଅସଲ ଜୀବନକୁ ସ୍ୱପ୍ନମୟୀ ଭିତରେ ସେଠାରେ ଛାଡ଼ି ଆପଣ ଚାଲି ଆସିଲେ ନିଜ ଗାଁକୁ ଜୀବନର ଗୋଟିଏ ନକଲି ରୂପଧରି । ସେଇ ନକଲି ଜୀବନ ପାଇଁ ଆପଣଙ୍କୁ ବିବାହ କରିବାକୁ ପଡ଼ିଲା ଗୋଟିଏ କଳାହୀନା ଗ୍ରାମ୍ୟ ବାଳିକା ସହିତ । କଳା ତା ଛନ୍ଦ ହରାଇଲା ।

 

ଆଖିର ଲୁହ ଆଖିରେ ମାରି ପୁଣି ଶୁଖିଲା ବାଲିପଠାକୁ ଚାହିଁ ସେ କହିଲେ–“କଳାହୀନା ହେଲେ କ’ଣ ହେବ, ପାଇଲି ଗୋଟିଏ ଆଦର୍ଶ ପତିବ୍ରତା ନାରୀ, ଯେ ବାସ୍ତବତାର ସମସ୍ତ ଅଭାବ ଅନାଟନକୁ ପ୍ରତିଘାତ କରି ମୋର ସ୍ଵପ୍ନ ଭାଙ୍ଗି ଜୀବନର ବାସ୍ତବ ସ୍ୱାଦୁ ଚଖାଇଲା । ମୋ ପାଇଁ ସେ ଯେଉଁପରି ତ୍ୟାଗ ସ୍ଵୀକାର କରି ନିଜର ସୁଖକୁ ଜଳାଞ୍ଜଳି ଦେଲା—ମୁଁ ତା ପାଖରେ ଆଉ ଅକୃତଜ୍ଞ ହୋଇପାରିଲି ନାହିଁ । ମୋ ସ୍ଵପ୍ନ ନିଶା ଛଡ଼ାଇ ଦେଉଛି ବୋଲି ପ୍ରଥମେ ପ୍ରଥମେ ବିଚାରୀକୁ କେତେ ନିର୍ଯାତନା ସହିବାକୁ ପଡ଼ିଛି । କିନ୍ତୁ ସବୁକୁ ସେ ନୀରବରେ ସହ୍ୟକରି ଶେଷରେ ବିଜୟିନୀ ହେଲା । ପ୍ରକୃତରେ ଗୋଟାଏ ଅବହେଳିତ ଚିତ୍ରଶିକ୍ଷକ ହୋଇ ନନ୍ଦନକାନନରେ ସ୍ଵପ୍ନ ଦେଖିବା କେତେ ମସ୍ତବଡ଼ ଭୁଲଟାଏ ହୋଇ ନ ଥାନ୍ତା ।”

 

ଗୋଟାଏ ଦୀର୍ଘଶ୍ଵାସ ଛାଡ଼ି ସେ କହି ଲାଗିଲା, “ବିଜୟିନୀ ହେବା ପରେ ସେହି ଗ୍ରାମ୍ୟ ବାଳିକା ମୋର ଅଧ୍ୟାପିକା ହେଲା । ଜୀବନର ନୂତନ ଦୀକ୍ଷା ଦେଇ କହିଲା—ତା’ ଛଡ଼ା ଆଉ ସବୁନାରୀ ମୋର ମା’ ପରି । ପର ସ୍ତ୍ରୀକୁ ଚାହିଁଲେ ନିଜ ସ୍ତ୍ରୀକୁ ରୋଗ ଧରେ । ପର ଝିଅକୁ ଅନାଇଲେ, ନିଜ ଝିଅର କ୍ଷତି ହୁଏ । ଛି, ଏଗୁଡ଼ାକ ପାପ ! ଘରୁ ଲକ୍ଷ୍ମୀ ଛାଡ଼ିଯିବେ । ଏତେ ସବୁ ମାଇପିଙ୍କ ଛବି କାହିଁକି ରଖିଛ ? ସେଗୁଡ଼ାକ ତୁମକୁ ନାନା ପ୍ରକାର ସ୍ୱପ୍ନେଇବେ । ତୁମ ଦେହରୁ ରକତ ମାଉଁସ ଶୋଷି ନେବେ । ଆଶା, ସେ ସବୁ ମୁଁ ନିଆଁ ଲଗାଇ ଦିଏ ।

 

“ଅତୀତ ସେଇଦିନଠାରୁ ଅଗ୍ନିରେ ଝାସ ଦେଲା । ସ୍ଵପ୍ନମୟୀ ସମେତ ସମସ୍ତ ପୋଡ଼ି ଧ୍ଵଂସ ହୋଇଗଲେ । ଯେଉଁଠି ଯେତେସବୁ ମାଇପି ଛବି ଦେଖିଲେ, ଗୋଟାଏ ଆଣି ସତକୁ ସତ ସେ ନିଆଁ ଲଗାଇ ଦେଲେ । ମୁଁ ମଧ୍ୟ ଛାଡ଼ନ୍ତି କାହିଁକି ? ଆଉ ଯାହା ଯେଉଁଠି ରହି ଯାଉଥିଲା, ସେ ସବୁ ଆଣି ସେହି ଚିତାଗ୍ନିରେ ସଜାଡ଼ି ଦେଲି ସମସ୍ତଙ୍କୁ ଏଇ ହାତରେ ।

 

“କଳା ଛାଡ଼ି ଦେଲି । ପ୍ରତିଭାକୁ ଆଡ଼େଇ ଦେଲି । ତା’ ବଦଳରେ ହରାଇଥିବା ଜୀବନକୁ ପାଇଲି, ପାଇଲି ଜୀବନ ପୋଷିବା ପାଇଁ ହାଇସ୍କୁଲରେ ଶିକ୍ଷକତା । ସ୍କୁଲ ପିଲାମାନଙ୍କ ପାଇଁ ଛତା, କାଳୀଘଡ଼ି, ଶଗଡ଼ ଆଙ୍କିବାବେଳେ କଳା ଓ ପ୍ରତିଭା କ’ଣ ଦରକାର ? କିନ୍ତୁ ଜୀବନ ଯେତେବେଳେ ଲୁଣ ତେଲର ସଂସାର ଧରି ବଳେଇ ପଡ଼ିଲା, ସେତେବେଳେ ପଇସା ପାଇଁ ଏଇସବୁ ବିରାଦୀ ତୈଳଚିତ୍ର ଗଢ଼ୁଛି । ଏଥରେ ମୁଁ ପ୍ରତିଭାକୁ ଆହ୍ଵାନ କରିନାହିଁ, ଦୟା ଦେଖାଇ, ମୋତେ ବଞ୍ଚାଇବା ପାଇଁ ସେ ଆପେ ଆପେ ଆସି ଜୀବନ ସହିତ ଲଢ଼ୁଛି । କିନ୍ତୁ ସୁକୁମାର ପ୍ରତିଭା କି ଆଉ ସମର୍ଥ ହେବ ଏ ଦୁର୍ଦ୍ଦାନ୍ତ ଜୀବନ ରାକ୍ଷସ ସହିତ ଲଢ଼େଇ କରିବାକୁ ?”

 

ଆଗକୁ ଚାହିଁଲି । ଶୁଖିଲା ନଈଟା ଯେମିତି ପୁଣିଥରେ ଜଳରେ ଛଳ ଛଳ ହୋଇ ବହି ଚାଲିଛି ।

 

ମହାପାତ୍ରଙ୍କୁ ଚାହିଁଲି । ଦେଖିଲି—ତାଙ୍କର ଶୁଖିଲା ପ୍ରୌଢ଼ ଦେହଟାରେ ପୁଣି ସେମିତି ଯୁବସୁଲଭ ରସ ଖୁନ୍ଦି ହୋଇ ପାଚିଲା ନାସପାତି ପରି ଲାଲ ଟହ ଟହ ଦିଶୁଛି । ତାଙ୍କର ରସିକ ଓଷ୍ଠଯୁଗଳ ପୁଣିଥରେ ଯେମିତି ଗୋଟାଏ ତୂଳୀ ଧରି ସେହି ସ୍ୱପ୍ନମୟୀଙ୍କ କୋମଳ ଗଣ୍ଡରେ ଗୋଲାପୀରଙ୍ଗ ବୋଳି ଲାଗିଛନ୍ତି ।

 

ଆଗରେ ଦିଶୁଥିଲା ଶୁଖିଲା ବାଲି ବଣିଆଟା । ତା ପାଖକୁ ଦିଶୁଥିଲା—ବିଶୁ ମହାରଣାର ସପ୍ତାଶ୍ଵ କିପରି ଭଙ୍ଗା କୋଣାର୍କଟାକୁ ଟାଣି ଟାଣି ଆଗକୁ ମାଡ଼ି ଚାଲିଛନ୍ତି ମହୋଦଧି ଆଡ଼କୁ । ଦେଉଳ ଭୁଷୁଡ଼ି ପଡ଼ିଛି—କିନ୍ତୁ ସେଥିପାଇଁ ତାଙ୍କର ଦୁଃଖ ନାହିଁ । ଯେଉଁ ଭଗ୍ନାବଶେଷ ପଡ଼ି ରହିଛି ତାହାର ଗୌରବକୁ ଯଥେଷ୍ଟ ଭାବି ସେମାନେ ଭିଡ଼ି ଲାଗିଛନ୍ତି ଅବିଶ୍ରାନ୍ତ ।

 

କଳାକାରଙ୍କର ଅବଶିଷ୍ଟ ଆଠକଳାର ଏଇଠି ପରିଚୟ ପାଇଲି ସତ, କିନ୍ତୁ ଏପରି କରୁଣ୍ୟମୟ ପରିଚୟ ମିଳିବ ଜାଣିଥିଲେ ତା ପାଇବାକୁ କେବେ ଇଚ୍ଛା ବଳାଇ ନ ଥାନ୍ତି ।

 

ବହୁଦିନ ପରେ । ଶ୍ରୀଯୁକ୍ତ ମହାପାତ୍ରଙ୍କଠାରୁ ବିଦାୟ ନେଇ ଦୂରକୁ ଚାଲିଗଲା ପରେ ବଳଦ ଟ୍ୟାକ୍ସିରେ ବସି କୋଣାର୍କଠାରୁ ଦୂରକୁ ଚାଲି ଯିବାର ଅନେକ ଦିନ ପରେ ଶୁଣିଲି ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।

 

ବାସ୍ତବିକ କୋଣାର୍କର ଭଗ୍ନଶୀଳ ମୁଖଶାଳା ଭିତରେ ବାଲି ଖୁନ୍ଦି ତାକୁ ଆଉ କିଛିଦିନ ଟେକି ରଖିବା ପାଇଁ ପ୍ରତ୍ନତତ୍ତ୍ଵ ବିଭାଗର ଏ ବ୍ୟବସ୍ଥା ତ କିଛି ମନ୍ଦ ନୁହେଁ ।

Image

 

ନିର୍ବାଣ ଶୋଭା

 

ଗାଳ୍ପିକ ବନ୍ଧୁ ଶୁଭେନ୍ଦ୍ରଙ୍କ ସହିତ ସେ ଦିନ କଟକ ଷ୍ଟେସନ୍ରେ ଭେଟ ହେଲା ଅନେକ ଦିନ ପରେ । ଯୋଗକୁ ମୁଁ ଯାଉଥାଏ ବ୍ରହ୍ମପୁର ଏବଂ ସେ ବାଲୁଗାଁ । ଏକସପ୍ରେସ୍‍ ଆସିବା ସମୟ ହୋଇ ଆସିଲାଣି । ଧସ୍ତାଧସ୍ତି କରି କିପରି ଚଢ଼ିବାକୁ ହେବ, ତାହା ବିଚାର କରୁଛୁ, ଏକ୍‍ସପ୍ରେସ୍‍ ଆସିଗଲା ।

 

ଆଜିକାଲି ଏକ୍‍ସପ୍ରେସ୍‍ ଯେପରି ଭିଡ଼, କୌଣସି ଦୁର୍ବଳଦେହା କିମ୍ବା ଦୁର୍ବଳମନା ତା’ ଭିତରକୁ ଉଠିବା କାଠିକର ପାଠ । ପ୍ରବେଶ ପଥରେ ଠିଆ ହୋଇଥିବା ଲୋକମାନଙ୍କୁ ଠେଲି ଓ ଠେଲାଖାଇ ଭିତରକୁ ପଶିଗଲା ।

 

କମ୍ପାର୍ଟମେଣ୍ଟର ଆପ୍ରାନ୍ତ ଆଖିବୁଲାଇ ଦେଖିଲୁ, କୌଣସି ସିଟ୍ ଖାଲି ନାହିଁ । କେବଳ ଗୋଟିଏ ଚାରିଜଣିଆ ବେଞ୍ଚରେ ମାତ୍ର ଗୋଟିଏ ସ୍ଥାନ ଖାଲି । କିନ୍ତୁ ସେଠାରେ ବସିବା ପାଇଁ କେତେକ ଅସୁବିଧା ଥିବାରୁ କେହି ବସିପାରୁ ନା ଥାନ୍ତି । ସୁବିଧା ମିଳିଲେ ଆମେ ଦୁହେଁ ସେଇ ଗୋଟାକ ସିଟ୍ରେ ଖୁନ୍ଦା ଖୁନ୍ଦି ହୋଇ ବସିଯା’ନ୍ତୁ—ଏହି ଅପେକ୍ଷାରେ ମୁଣ୍ଡ ଉପରେ ଥିବା ସ୍ଳିପର୍ ଧାରକୁ ଧରି ଠିଆ ହୋଇ ଗଲୁ । ଗାଡ଼ି ଚାଲିଲା ।

 

ଚାରିଜଣିଆ ବେଞ୍ଚରେ କେତେକ ଅସୁବିଧା ଥିଲା, ମାନେ ସେଥିରେ ବସିଥିଲେ ରେଶମି ତକିଆକୁ ଆଉଜି ଜଣେ ମଖମଲୀ ଯୁବତୀ । ନିକଟରେ ଏକ ଯୁବକ । ଏ ଦୁଇଜଣ ତକିଆକୁ ମିଶାଇ ଅଧିକାର କରିଥିଲେ ତିନୋଟି ସ୍ଥାନ । ବାକି ସ୍ଥାନଟିରେ ଖାକି କନାର କଭର ଭିତରେ ତାଙ୍କର ସୁଟ୍‍କେଶ୍‍ଟିଏ ।

 

ଆମେ ଦୁହେଁ ଭଦ୍ରଲୋକୀ ଢ଼ଙ୍ଗରେ ଅପେକ୍ଷା କଲୁ କାଳେ ଯୁବକ ଆମର ଅସୁବିଧା ଲକ୍ଷ୍ୟକରି ସୁଟକେଶଟିକୁ ଅନ୍ତତଃ ଉପରକୁ ବା ତଳକୁ ଉଠାଇ ନେବେ । କିନ୍ତୁ ଭୁବନେଶ୍ୱରରେ ପହଞ୍ଚିବା ଯୁବକଙ୍କଠାରେ ଏ ପ୍ରକାର ଶିଷ୍ଟତା ଲକ୍ଷ୍ୟ କରିପାରିଲୁ ନାହିଁ ।

 

ଗାଳ୍ପିକ ବନ୍ଧୁ ମୋର ଏହା ଭିତରେ ଯୁବକ ଓ ଯୁବତୀଙ୍କର ଆଳାପ ଶ୍ରବଣରେ ନିମଚ୍ଛି ଯାଇଥା’ନ୍ତି । ମୁଁ ହତଭାଗ୍ୟ ଆରସିକ (ବନ୍ଧୁ ଶୁଭେନ୍ଦ୍ର ମୋତେ ଅରସିକ କହୁଥାଏ) ଯାହା ଖାଲି ଛଟପଟ ହୋଇ ଲେଫ୍‍ଟ ରାଇଟ୍ ମାର୍ଚ୍ଚିଂ କରୁଥାଏ ଟିକିଏ ବସିଯିବାର ଲୋଭ ନେଇ ।

 

ଯୁବକ ଯୁବତୀ ଦୁହେଁ ଅନନ୍ତ ବାରିଧି ପରି ଗୋଟାଏ ପରେ ଗୋଟାଏ ଲହରୀ ଛୁଟାଇ ଚାଲିଥିଲେ । ଆମେ ଦୁହେଁ ଆର୍ଦ୍ର ବାଲୁକାବେଳାରେ ଠିଆହୋଇ ଅନାଇ ରହିଥିଲୁ ସମୁଦ୍ରର ଦୂର ଚକ୍ରବାଳକୁ । ଏ ଜୀବନ ଉଚ୍ଛଳ ପ୍ରାଣ ଦୁଇଟି ଏତେ କଥା କେଉଁଠି ସାଇତି ରଖିଥାନ୍ତି, କେଜାଣି ? “ଏକ ହଜାର ଏକ ରାତ୍ରୀ ପାଇଲେ ବି ଏମାନଙ୍କର ପ୍ରଣୟ ମୁଣିରୁ କାହାଣୀମାନେ ସରିବ ନାହିଁ ।

 

କେଉଁଠାରୁ ଏମାନେ ଆସୁଛନ୍ତି ? ଯିବେ କେଉଁଆଡ଼େ ? ଏ ଦୁହଁଙ୍କ ମଧ୍ୟରେ କି ସମ୍ପର୍କ ଥାଇପାରେ ? ଏହିପରି ଅନେକ ପ୍ରଶ୍ନ ଯେତେବେଳେ ମୋ ନୀରସ ମନରେ ଉଙ୍କି ମାରିଲାଣି, ମୋ ବନ୍ଧୁଙ୍କ ରସବନ୍ତ ମନରେ ତାଠୁଁ ବଳି ପ୍ରଶ୍ନ ନିଶ୍ଚୟ ଉଦିତ ହୋଇଥିବ—ଟିକି ଟିକି ପରିବେଶ ମଧ୍ୟରେ ଗାଳ୍ପିକମାନେ କୁଆଡ଼େ ବଡ଼ ବଡ଼ କାହାଣୀର ସନ୍ଧାନ ପାଆନ୍ତି !

 

ଆମ ପାଇଁ ସ୍ଥାନ ଛାଡ଼ିଦେବା ସକାଶେ ଯୁବକଙ୍କୁ ଅନୁରୋଧ କରିବାକୁ ମୁଁ ପ୍ରଥମେ ସ୍ଥିର କରିଥିଲି, କିନ୍ତୁ ଖୋର୍ଦ୍ଧା ରୋଡ଼ରେ ପହଞ୍ଚିଲାବେଳକୁ ସେ ପ୍ରସ୍ତାବକୁ ମୁଁ ଭାଙ୍ଗି ସାରିଥିଲି । କାରଣ, ସତ କହିବାକୁ ଗଲେ, ଯୁବତୀ ଜଣକ ଅସାମାନ୍ୟ ସୁନ୍ଦରୀ ଥିଲେ । ତାଙ୍କ ଅଧର ନିଃସୃତ ଭାଷାରେ ଅମୃତ ପୁରିଥିଲା । ଅପାଙ୍ଗରେ ଫୁଲର ଶାୟକ ଥିଲା । ହସରେ ଜ୍ୟୋସ୍ନାର ଜୁଆର ଥିଲା । ମୃଣାଳ କରଯୁଗଳରେ ହସ୍ତାବନ୍ଧନର ପ୍ରମତ୍ତ ସାମର୍ଥ୍ୟ ଥିଲା । କେତକୀ ରଙ୍ଗ ପଦଧାରରେ ଅଲକ୍ତକବନ୍ଧନୀରେ ଯେପରି ଅତନୁ ବନ୍ଦୀ ହୋଇଥିଲା । ଲୋହିତ ‘ଟ୍ଵିଙ୍କ୍‍ଲ୍‍’ ପରିଧାନଟି ତାଙ୍କ ଶୋଭା ସାଗରରେ ତରଙ୍ଗାୟିତ ହେଉଥିଲା ।

 

ତଥାପି ଚାହାଁଣିରେ ଅସଂଯତ ଚପଳତା ନା ଥିଲା । ଭାଷାରେ ସ୍ଖଳନ ନ ଥିଲା । ଅଙ୍ଗ ପରିଧାନରେ ଉତ୍ସୃଙ୍ଖଳତା ନ ଥିଲା । ବକ୍ଷରେ, ହସ୍ତରେ ଓ କର୍ଣ୍ଣରେ ସ୍ଵର୍ଣ୍ଣ ଅଳଙ୍କାର ଆଧୁନିକ ଭଙ୍ଗୀରେ ଧାରଣ କରି ସେ ଦିଶୁଥିଲେ କାଲେଣ୍ଡରୀ ଦେବୀ ପ୍ରତିମା ପରି । ପକ୍ଷାନ୍ତରେ ତାଙ୍କ ମନ ଭିତରର ଉଗ୍ରକାମନା ବହୁ ଭଙ୍ଗୀରେ ପ୍ରକାଶ ପାଇଥିବାରୁ ସେ ବି ଦିଶୁଥିଲେ ବହୁ କାମନାର ନାୟିକା ଆଧୁନିକା ଚିତ୍ରତାରକାଙ୍କ ପରି । ସେ ଥିଲେ ପ୍ରାଚୀନତା ଓ ଆଧୁନିକତାର ଏକ ସମନ୍ୱିତ ଶୋଭାରାଣୀ !

 

ଯୁବକ ହୁଏତ ତାଙ୍କର ନବବିବାହିତ ସ୍ଵାମୀ ! କିନ୍ତୁ ଯୁବକ ଯେଉଁ ସାଧାରଣ ଦରର ପ୍ୟାଣ୍ଟ ଓ ହାୱାଇ ପରିଧାନ କରିଥିଲେ, ତାଙ୍କୁ ଏପରି ରମଣୀଙ୍କର ସ୍ଵାମୀ କଳ୍ପନା କରିବା ନିଚ୍ଛକ ଅରସିକତା । ସେମାନେ ତାଜମହଲର କଥା କହୁଥାନ୍ତି । ତାହାହେଲେ ଏମାନେ କ’ଣ ସେଠାରେ ମଧୁଯାମିନୀ କଟାଇ ଫେରୁଛନ୍ତି ? ଓଡ଼ିଆ ଘରର ନବଦମ୍ପତ୍ତି ସହିତ ମଧୁଯାମିନୀ ଯୋଜନା ଅବଶ୍ୟ ଅଘଟଣ ପରିକଳ୍ପନା ! ସେମାନେ ତାଳଚେର ବାଟଦେଇ ଫେରିବା କଥା କହୁଛନ୍ତି । ତାହାହେଲେ ଏମାନେ କ’ଣ କଲେଜ ଛାତ୍ରଛାତ୍ରୀ ? ବଡ଼ଦିନ ଛୁଟିରେ କୌଣସି ପର୍ଯ୍ୟାଟନରେ ଯାଇଥିଲେ ? ଯୁବତୀଙ୍କର ଭଙ୍ଗୀରେ କୌଣସି କଲେଜ ଝିଅର ଢଙ୍ଗ ତ ନାହିଁ । ସୁବତୀଙ୍କର ଶିରରେ ବିବାହିତାର ଓଢ଼ଣା ନ ଥିଲେ ବି ସୀମନ୍ତରେ ସିନ୍ଦୁର ତ ଅଛି । କୁଆଡ଼େ ସେମାନେ ଯାଇଥିଲେ ? ଯାଉଛନ୍ତି କୁଆଡ଼େ ?

 

ସେମାନେ କ’ଣ ଭାଇ-ଭଉଣୀ ? ଭଉଣୀକୁ ଭାଇ ଶାଶୁଘରୁ ଆଣୁଛି ନିଜ ଘରକୁ ? ନା, ଆଳାପରୁ ଜଣା ପଡ଼ୁଛନ୍ତି ସ୍ଵାମୀ ସ୍ତ୍ରୀ ପରି, ତେବେ କ’ଣ ଏମାନେ ପିତାମାତାଙ୍କର ଅସ୍ଵୀକୃତିରେ ଗାନ୍ଧର୍ବ ବିବାହ କରି ଉଡ଼ି ଯାଉଛନ୍ତି କେଉଁ ଦୂର ଦିଗନ୍ତର ମେଘ ଲୋକକୁ ?

 

ଏକ୍‍ସପ୍ରେସ୍‍ ଚାଲିଛି ଚିଲିକା କୂଳେ କୂଳେ । ଗାଳ୍ପିକ ଶୁଭେନ୍ଦ୍ର ସେଠାରେ ଦୁଇ ତିନିଦିନ ଚିଲିକାର ରମ୍ୟତଟ ଉପଭୋଗ କରି ଫେରି ଆସିବ କଟକ । ଯେଉଁ ଚିଲିକାର ରୂପ ମଧୁପାନ କରିବାକୁ ଗାଳ୍ପିକ ଭ୍ରମର ବନ୍ଧୁ ମୋର ଏତେ ବ୍ୟଗ୍ର ହୋଇ ଛୁଟିଥିଲା, ସେହି ଚିଲିକା ତାର ଅତି ନିକଟରେ ଏବେ ଲହଡ଼ି ଭାଙ୍ଗୁଥିଲେ ମଧ୍ୟ, ସେଥିପ୍ରତି ତାର ଦୃଷ୍ଟି ନାହିଁ । ଗୋଟାଏ ଗଳ୍ପର ପ୍ରସ୍ତୁତରେ ସେ ଏବେ ଯୁବକ ଯୁବତୀଙ୍କ ଆଳାପ ଆଗରେ ନିଜକୁ ସମର୍ପଣ କରି ଦେଇଛି କିମ୍ଵା ସୁନ୍ଦରୀଙ୍କର ଶୋଭା ସମ୍ଭାରରେ ମଗ୍ନ ହୋଇପଡ଼ିଛି । ବେଳେ ବେଳେ ପ୍ରକୃତିର ଆକର୍ଷଣୀୟ ସୌନ୍ଦର୍ଯ୍ୟ ବିରବ ନାରୀ ଦେହର ଶୋଭା ସମୁଦ୍ରରେ ଅଧିକ ମୋହନୀୟ ତରଙ୍ଗର ସୃଷ୍ଟି କରି ନ ଥାଏ କି ?

 

ଏପରି ଏକ ପରିବେଶରେ ସୁଟକେଶ୍ ଟିକୁ ଉଠାଇ ନେବାପାଇଁ ମୁଁ ଆଉ ଅନୁରୋଧ କରନ୍ତି କିପରି ?

 

ଆଉ ଗୋଟିଏ ଷ୍ଟେସନ୍ ପରେ ବାଲୁଗାଁ । ଶୁଭେଦ୍ର ଓହ୍ଲେଇ ଯିବା କଥା । କିନ୍ତୁ ତା’ର ଓହ୍ଲେଇବାର କୌଣସି ହାବଭାବ ଲକ୍ଷ୍ୟ କଲି ନାହିଁ । ତେଣୁ ତାକୁ ମୋ ପାଖରେ ଅପଦସ୍ତ ହେବାକୁ ନ ଦେଇ ଅନୁରୋଧ କଲି-“ଶୁଭେନ୍ଦ୍ର, ମୋ ସାଙ୍ଗରେ ଚାଲ । ବ୍ରହ୍ମପୁରରେ ଡାକ୍ତରୀ ଅଧ୍ୟାପକ ।

 

ଶୁଭେନ୍ଦ୍ରର ଟିକେଟ୍ଟି ଏକ୍‍ସଟେଣ୍ଡ କରାଗଲା ବ୍ରହ୍ମପୁର ଯାଏଁ ।

 

ଏ ପାଖରେ ଆମେ ଦୁହେଁ ଦୁଇଟା ମୁକ ବନ୍ଧୁ । କଣ୍ଠରେ ଭାଷା ନାହିଁ, ଯଦି ଓ ମନ ଭିତରେ ଅସଂଖ୍ୟ ପ୍ରଶ୍ନବାଚୀ । ଅନ୍ୟ ପାଖରେ ସେ ଦୁହେଁ ଦୁଇଟା ପ୍ରଗଲ୍‍ଭ ବଂଧୁ; କେବଳ ଅଧରରେ ନୁହେଁ, ମନ ଭିତରେ ବି ତାଙ୍କର ଅନନ୍ତ ଭାଷାର ଢେଉ । କେଉଁ ଆଦିମ କାଳରୁ ସେମାନେ ଯେପରି ଗଳ୍ପି ଚାଲିଛନ୍ତି ଓ ଚାଲିଥିବେ ଅନନ୍ତ କାଳ ଯାଏଁ..... ।

 

ଗାଡ଼ି ଚାଲିଥାଏ । ପ୍ରଚ୍ଛଦପଟରେ ନୀଳାମ୍ବୁ ଚିଲିକା, ପୁରଃପଟରେ ନୀଳକେଶୀ ରହସ୍ୟମୟ ଯୁବତୀ । ପୁଷ୍ଠଭୂମିରେ ଶୋକପାସୋରା ନୀଳ ଲହରୀର ମୃଦୁ ଦୋକାନ, ପୁରୋଭୂମିରେ ଟ୍ୱିଙ୍କଲ୍ ପରିଧେୟର ରକ୍ତିମ ବେସୁରା କମ୍ପନ ।

 

ଏତେ ସମୟ ନୀରବ ନିଷ୍ପନ୍ଦ ରହିବା ଶୁଭେନ୍ଦ୍ରର ଜୀବନ ଇତିହାସରେ ପ୍ରଥମ । କାରଣ, ସେ ମିଷ୍ଟାଳାପୀ । ଅଜ୍ଞାତ ଅଶ୍ରୁତ ଉପରେ ବଳେଇ ପଡ଼ି ପରିଚିତ ହେବା ଲୋକ ସେ । ଯେଉଁଠି ଇଚ୍ଛା ସେଠାରେ ଗପ ଜମେଇ ପରକୁ ଆପଣାର କରିବାର ଅଦ୍ଭୁତ ଶକ୍ତି ତା’ର । କିନ୍ତୁ ଏଠାରେ ସେ ନିର୍ବାକ୍ ହତବୁଦ୍ଧି ହୋଇ ଠିଆ ହୋଇଛି ମୂକ ପ୍ରତିମା ପରି ! ମତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଥାଏ ।

 

ମୁଁ ଭାବୁଥିଲି, ଶୋଭାର ଭଜ୍ଜ୍ଵଳ ଦୀପ୍ତିରେ ଶୁଭେନ୍ଦ୍ରର ଆଖି ଅନ୍ଧ ହୋଇ ଯାଇଛି, ତତୁବା ଶୋଭା–ଦିଲ୍ଲୀର କନାଟ୍‍ସର୍କସରେ ସେ ପଥଭ୍ରାନ୍ତ ହୋଇପଡ଼ିଛି ।

 

ଏହା ଭିତରେ କେତୋଟି ସ୍ଥାନ ଖାଲି ହେବଣି ଏବଂ ପଛରେ ଉଠିଥିବା ଯାତ୍ରୀମାନେ ସେ ସ୍ଥାନ ଅଧିକାର କରି ନେବେଣି । ତଥାପି ଭିଡ଼ି ଲାଗି ରହିଛି । ଆମେ ସେହିପରି ଠିଆ ହୋଇ ରହିଛୁ । ଅନ୍ୟତ୍ର ଯାଇ ସ୍ଥାନ ଅନୁସନ୍ଧାନ କରୁ ନ ଥିବା ଦୋଷରେ ଆମକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କାରଣ ଥିଲେ ମଧ୍ୟ ଆମ ନିକଟରେ ବୋଧହୁଏ ସେପରି ଦୋଷ ଦ୍ରଷ୍ଟା କେହି ନ ଥିଲେ ।

 

ହଠାତ୍ ମିଷ୍ଟଭାଷୀ ଶୁଭେନ୍ଦ୍ର ସେ ଯୁବକଙ୍କ ଉଦ୍ଦେଶ୍ୟରେ ପଚାରିଲେ—“ଆପଣ କେଉଁଠିକି ଯିବେ ? “ପ୍ରଶ୍ନଟି ନିହାତି ମାମୁଲି । ଟ୍ରେନରେ ଅପରିଚିତ ଯାତ୍ରୀଙ୍କୁ ପ୍ରଥମେ ଏହିଭଳି ପ୍ରଶ୍ନ କରି ଆଳାପ ଜମେଇବାକୁ ହୁଏ । କିନ୍ତୁ ଯୁବକ ଏ ପ୍ରଶ୍ନ ପ୍ରତି ଆଦୌ କର୍ଣ୍ଣପାତ ନ କରି ତାଙ୍କ ପ୍ରେୟସୀ ବାନ୍ଧବୀଙ୍କ ସହିତ ଗଳ୍ପି ଚାଲିଥିଲେ । ତାଙ୍କର ଏ ମହାର୍ଘ ସମୟକୁ ବ୍ୟର୍ଥ କରି ଶୁଭେନ୍ଦ୍ରକୁ ଉତ୍ତର ଦେବା ଉଚିତ ମନେ କରୁ ନ ଥିଲେ ସେ । ଶୁଭେନ୍ଦ୍ର କି ଛାଡ଼ିବା ଲୋକ ? ସେ ଦ୍ୱିରୁକ୍ତି ଦୋଷକୁ ଭ୍ରୁକ୍ଷେପ ନ କରି ପୁଣି ସେହି ପ୍ରଶ୍ନ କଲା ।

 

ଏଥର ଯୁବକ ଉତ୍ତର ଦେଲେ । କିନ୍ତୁ ଏତେ ସଂକ୍ଷିପ୍ତ ପୁଣି ଏତେ କଟୁ ଉତ୍ତର ଶୁଭେନ୍ଦୁ ଆଶା କରି ନ ଥିଲା । ସେ ଉତ୍ତର ଦେଲେ ରୁକ୍ଷ କଣ୍ଠରେ—“ବ୍ରହ୍ମପୁର” । ତାହା ମଧ୍ୟ ତାଙ୍କର ବାନ୍ଧବୀଙ୍କୁ ଚାହିଁ ତାଙ୍କ ସଙ୍ଗେ କଥାବାର୍ତ୍ତା କରୁ କରୁ ଏ ଶବ୍ଦଟି ଯେପରି ଆମ ଆଡ଼କୁ ଛିଟିକି ଆସିଲା । ସେ ଛିଟିକା ବାଜିଲା ମୋ ବଂଧୁଙ୍କ ଦେହରେ ଓ ମୁଁ ତା ଧାସଟା ଅନୁଭବ କଲି ।

 

ଯୁବକଙ୍କର ଇଚ୍ଛା—ଆମେ କେହି ତାଙ୍କୁ କୌଣସି ପ୍ରଶ୍ନ ନ କରୁ । ଆମ ସହିତ ପରିଚିତ ହେବାକୁ ସେ ଚାହାନ୍ତି ନାହିଁ । ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ଅର୍ଥ, ଅଯଥା ସମୟ ନଷ୍ଟ କରିବା । ପ୍ରଥମତଃ ଆମ ସହିତ ଆଳାପ କଲେ, ସେତକ ସମୟ ବାନ୍ଧବୀଙ୍କ ସହିତ ଆଳାପ କରିବାରୁ ସେ ବଞ୍ଚିତ ହେବେ । ଦ୍ୱିତୀୟତଃ ଆମ ସଙ୍ଗେ ଆଳାପ କଲାବେଳେ ତାଙ୍କ ବାନ୍ଧବୀ ଆମ ଆଡ଼କୁ ନିଶ୍ଚୟ ଦୃଷ୍ଟି ନିକ୍ଷେପ କରିବେ ଓ ତାହା ଯୁବକଙ୍କ ମନରେ ଅସହ୍ୟ ବେଦନା ସୃଷ୍ଟି କରିବ । ତୃତୀୟତଃ ଆମର ଆଳାପରେ ଯେବେ ଉଷ୍ଣତା ବଢ଼େ (ଏବଂ ତାହା ମୋ ମିଷ୍ଟାଳାପୀ ବନ୍ଧୁ ଶୁଭେନ୍ଦ୍ରଙ୍କ ନିକଟରେ ଖୁବ୍ ସମ୍ଭବ), ତେବେ ତାଙ୍କ ବାନ୍ଧବୀଙ୍କର ତରୁଣ ମନରେ ଆମ ପାଇଁ କାଳେ ସାମାନ୍ୟତମ ସ୍ନେହ ସଞ୍ଚିତ ହୋଇଯାଇପାରେ, ଯାହା ଫଳରେ ଯୁବକ ଅତି ଦୁଃଖର ସହିତ ନିଜ ସ୍ନେହର ଭାଗରୁ ଶତକଡ଼ା କିଛି ହରାଇବାକୁ ବାଧ୍ୟ ହେବେ !

 

ତଥାପି ମୋ ବଂଧୁ ଛାଡ଼ିବା ଲୋକ ନୁହଁନ୍ତି । ଉତ୍ତରଟା ଶୁଣି ପାରିଥିଲେ ମଧ୍ୟ ଚିଡ଼ାଇବା ଉଦ୍ଦେଶ୍ୟରେ ପୁଣି ପଚାରି ଦେଲେ, “କ’ଣ କହିଲେ ? କେଉଁଠିକି !” ଆହୁରି କର୍କଶ ଓ କ୍ରୁଦ୍ଧ ଗଳାରେ ଜବାବ ଆସିଲା— “କାହିଁକି ? ବ୍ରହ୍ମପୁର ।”

 

ପ୍ରଚୁର ମାଂସ ଦ୍ୱାରା କ୍ଷୁଧା ନିବାରଣ କରି ସାରିଲା ପରେ ଆଉ ଖଣ୍ତିଏ ରକ୍ତସ୍ରାବୀ ମାଂସ ପାଇଲେ ଯେପରି ଗୋଟିଏ ଶ୍ୱାନ ତାକୁ ଛାଡ଼ି ଅନ୍ୟତ୍ର ଯାଏ ନାହିଁ କି ଖାଏ ନାହିଁ, କେବଳ ଜଗି ବସିଥାଏ ଏବଂ ଅନ୍ୟ କୌଣସି ଶ୍ୱାନ ବା କାଳ ପାଖକୁ ଆସିଲେ, ତାକୁ ସେ ଖାଉଁ ଖାଉଁ କରି କାମୁଡ଼ି ଗୋଡ଼ାଏ, ସେପରି ଏ ଯୁବକ ରୂପର ମାଂସ ପୁଳାଏ ଜଗି ବସିଛନ୍ତି । ଅବା କୃପଣ କୁବେର ସେ—ସେ ମନେ କରୁଛନ୍ତି—ଅସରନ୍ତି କୁବେର ଭଣ୍ଡାର ତାଙ୍କ ହାତରେ ବିଷ୍ଣୁଙ୍କ ଦ୍ୱାରା ଅର୍ପିତ ହୋଇଛି ! ରତ୍ନଲୋଭୀ କାଙ୍ଗାଳଗୁଡ଼ାଙ୍କୁ ସେ ଘୃଣା କରନ୍ତି ଏବଂ ଅର୍ଥଲୋଲୁପୀ ତସ୍କରମାନଙ୍କୁ ସେ କଠୋର ହସ୍ତରେ ଦମନ କରନ୍ତି, ଅବା ସେ ଅର୍ବାଚୀନ ଖର୍ବ ଯୁବକଙ୍କ ହାତରେ ସ୍ଵର୍ଗପୁରକୁ ଆକସ୍ମିକ ଏକ ତାରକା ଖସି ପଡ଼ିଛି, ତାକୁ ସେ ଯତ୍ନ କରି ରଖିଛନ୍ତି, ଆଉ କାହାର ଦୃଷ୍ଟି ଯେପରି ସେଥିରେ ନ ପଡ଼େ !

 

ଶୁଭେନ୍ଦ୍ର ଆଉ କୌଣସି ପ୍ରଶ୍ନ କରିବା ବୃଥା ମନେକରି ନୀରବ ରହିଲା । କିନ୍ତୁ ତାର ମନ ନୀରବ ନ ଥିଲା । ସେ ଦୁହିଁଙ୍କର କଥୋପକଥନକୁ କାନ ପାରି ଆମେ ଶୁଣୁଥିଲୁ ବ୍ରହ୍ମପୁରରେ ପହଞ୍ଚିଲା ପର୍ଯ୍ୟନ୍ତ ।

 

ବ୍ରହ୍ମପୁରର ପ୍ଲାଟଫର୍ମ ପାର ହୋଇ ଆମେ ପଦବ୍ରଜରେ ବାହାରିଛୁ, ସେହି ରହସ୍ୟାଚ୍ଛନ୍ନ ଯୁବକ ଯୁବତୀ ଆମ ନିକଟ ଦେଇ ପଦଚାଳନା କରି ଶୁଷ୍କ କଠିନ ସିମେଣ୍ଟ ଚଟାଣ ଉପରେ ପଦ୍ମ ଫୁଟାଇ ଫୁଟାଇ ଉଠିଲେ ଗୋଟିଏ ରିକ୍ସାକୁ । ଅସରନ୍ତି ଆରବ୍ୟ-ଆଳାପ ସେହିପରି ଚାଲିଛି ! ଆମ ଆଡ଼କୁ ଦୁଇଟି ଆଳାପର ଧୂଆଁ ନଳୀ ଫିଙ୍ଗି ଫିଙ୍ଗି ରିକ୍ସା ଚାଲିଲା ଗୋଟିଏ ଜେଟ୍ ବିମାନ ଭଳି !

 

ମୁଁ ପଚାରିଲି— “ଶୁଭେନ୍ଦ୍ର, ତାରୁଣ୍ୟର ଯୁଗଳମୂର୍ତ୍ତିଟି କିପରି ଲାଗିଲା ?”

 

ଶୁଭେନ୍ଦ୍ର କହିଲା— “ସବୁ ଭଲ, ତେବେ ଯୁବତୀଟିର ସ୍ଥୁଳ ଚେପ୍‍ଟା ନାକଟା ଅନାର୍ଯ୍ୟ ପରିବାରର ଧାରଣା ଦେଇଗଲା ।”

 

ମୁଁ ଦେଖିଛି, ସେ ନାକଟା ଖୁବ୍ ଚେପ୍‍ଟା ! ହେଲେ ଗୋଟାଏ ଶୋଭାର ସାଗରରେ ପଚା ଶାମୁକାଟାଏ ବି ମୁକ୍ତାରେ ପରିଣତ ହୁଏ ! ତେଣୁ ବଂଧୁଙ୍କ ମନ୍ତବ୍ୟ ମୋତେ ସଙ୍ଗତ ବୋଧ ହେଲା ନାହିଁ । ମୁ କହିଲି—“ତା ନୁହେଁ, ଅନାର୍ଯ୍ୟ ନାରୀ କ’ଣ ଏତେ ଶୋଭା ଧାରଣ କରିପାରେ ? ବରଂ ବିଧି ଜାଣି ଜାଣି ସେ ନାକଟାକୁ ଏପରି ଚେପ୍‍ଟା କରି ଦେଇଛି ସୁରନାରୀଠାରୁ ମର୍ତ୍ତ୍ୟନାରୀର ନିକୃଷ୍ଟତା ଦେଖାଇବା ପାଇଁ ।”

 

ଶୁଭେନ୍ଦ୍ର କହିଲା—“ମୁଁ ଯାହା ଭାବୁଛି, ଯୁବତୀଟିର କଥାବାର୍ତ୍ତା କଟକୀ ଢଙ୍ଗର ଆଉ ଯୁବକଟି ବ୍ରହ୍ମପୁରୀ ।”

 

ମୁଁ କହିଲି— “ଯୁବତୀଟିର ବାପଘର ଖୁବ୍ ଧନୀ, ତାର ବଂଧୁବାନ୍ଧବ କେହି ଜଣେ ଭୂତପୂର୍ବ ଏମ୍. ଏଲ୍. ଏ ।”

 

ଶୁଭେନ୍ଦ୍ର କହିଲା—“କୁଆଡ଼େ ସେମାନେ ଯାଇଥିଲେ କିଛି ନ ଜଣା ପଡ଼ିଲା ନାହିଁ ।”

 

ମୁଁ କହିଲି—“ସେ ଯାହାହେଉ, ଏପରି ଶୋଭାର ପଟ୍ଟାନ୍ତର ନାହିଁ କି ନିର୍ବାଣ ନାହିଁ ।”

 

ଶୁଭେନ୍ଦ୍ର ହସି ହସି କହିଲା—“ଦୂର୍ ପାଗଳ, ସବୁ ଶୋଭାର ନିର୍ବାଣ ଅଛି, ଆଉ ତାର ପ୍ରମାଣ ସେ ଅନାର୍ଯ୍ୟ ନାକଟା ।”

 

ମୁଁ କହିଲି—“ଯା, ତୁ ଗୋଟାଏ ବ୍ୟର୍ଥ କୋକିଶିଆଳି । ଅଙ୍ଗୁରକୁ କହୁଛୁ ଭାରି ଖଟା ।”

 

ପୁଣି ଆମର ଦେଖାହେଲା ବାରାକ୍ସରେ । ସେ ଦୁହେଁ ବସିଥିଲେ ଗୋଟିଏ ବସ୍ ରେ ଦୁଇଟି ଚଢ଼େଇ ପରି ପାଖା ପାଖି । ଗଳ୍ପ ଚାଲିଥିଲା ଯଥା ପୂର୍ବ । ସେ ଅବାପଣ କରିଛନ୍ତି କଥାବାର୍ତ୍ତାରେ ଯେ ପରାଜିତ ହେବ, ସାରା ଜୀବନ ସେ ପରାଜୟ ସ୍ଵୀକାର କରିବ !

 

ଦାଦାଙ୍କ ଘରକୁ ଆସିଲା ଯାଏଁ ଆମେ ଏହି ରହସ୍ୟାବୃତ୍ତ ଯୁବକ ଯୁବତୀଙ୍କ ସମ୍ବନ୍ଧରେ ଯେତିକି ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଥିଲୁ, ରହସ୍ୟର କୁହେଳି ଭିତରେ ସେତିକି ବୁଡ଼ି ବୁଡ଼ି ଯାଉଥିଲୁ ।

 

ଦାଦାଙ୍କ ଘର ଭିତରକୁ ପ୍ରବେଶ କରୁ କରୁ ମୁଁ ପଚାରିଲି—“ଆଚ୍ଛା, ତୋର ଅନୁମାନ ସେ କୁଆଡ଼େ ଯାଉଛନ୍ତି ?”

 

ଶୁଭେନ୍ଦ୍ର ଏଥର ଗୋଟାଏ ଦାର୍ଶନିକର ଗାମ୍ଭୀର୍ଯ୍ୟ ନେଇ କହିଲା—“ନିର୍ବାଣ ପଥରେ ।”

 

ମୁଁ କିନ୍ତୁ ନିର୍ବାଣ—ଚିନ୍ତାଠାରୁ ବହୁ ଦୂରରେ ଥିଲି । ତଥାପି ପଚାରିଲି—ନିର୍ବାଣ ପଥରେ, ମାନେ ?

 

ଶୁଭେନ୍ଦ୍ର ସ୍ମିତ ଓ ଗାମ୍ଭୀର୍ଯ୍ୟ ଉଭୟ ରକ୍ଷାକରି କହିଲା—ମାନେ; ସବୁ ଶେଷ ହେବାଯାଏ ସେମାନେ ଏମିତି ଏକାଠି ଗପୁଥିବେ ଓ ଚାଲିଥିବେ । କାରଣ ସବୁ କଥା ଖୁବ୍ ଶୀଘ୍ର ସରିଯିବ ଓ ସବୁବାଟ ମଧ୍ୟ ଖୁବ୍ ଶୀଘ୍ର ସରିଯିବ । ନିର୍ବାଣ ଆଉ କାହାକୁ କହନ୍ତି ?

Image

 

Unknown

ଦୃଷ୍ଟି ଓ ଦୃଶ୍ୟ

 

ଦୁଇଦିନ ପରେ—

 

ଆମର ବାହୁଡ଼ା ଯାତ୍ରା ସଫଳ କରିବାକୁ ଷ୍ଟେସନକୁ ଫେରିଲୁ । ଗାଳ୍ପିକ ବଂଧୁ ଶୁଭେନ୍ଦ୍ରଙ୍କ ଖେଦୋକ୍ତି ଅନୁଯାୟୀ ଆମର ଗୁଣ୍ଡିଚା ଯାତ୍ରାଟା ସଂପୂର୍ଣ୍ଣ ବିଫଳ ହୋଇଯାଇଥିଲା ।

 

ବାସ୍ତବିକ ଗଳ୍ପର ନାୟକ ନାୟିକା ରହସ୍ୟାଚ୍ଛନ୍ନ ରହିବାଠାରୁ ଅଧିକ ବିଫଳତା ଗାଳ୍ପିକ ନିକଟରେ ଆଉ କଣ ଥାଇପାରେ !

 

ଏକ୍‍ସପ୍ରେସ୍‍ ଆସିଥିଲୁ, ତେଣୁ ଏକ୍‍ସପ୍ରେସ୍‍ ଫେରିବାର ସଂକଳ୍ପ ନେଇ ଟିକେଟ୍ କଲୁ । ନଈରେ ହଜେଇ ପୋଖରୀରେ ଖୋଜିଲେ ହଜିଲା ଧନ କି ମିଳେ ? ଏକ୍‍ସପ୍ରେସ୍‍ ମୋର ବଂଧୁ ଯାହା ହରେଇଛନ୍ତି, ତାହା କେବଳ ଏକ୍‍ସପ୍ରେସ୍‍ ମିଳିବା ସମ୍ଭବ ହୋଇପାରେ—ବଂଧୁଙ୍କର ଏ ମତକୁ ମୁଁ ଦାଦାଙ୍କ ଘରେ ନୀରବ ସମର୍ଥନ ଜଣାଇଥିଲି ।

 

ଏକ୍‍ସପ୍ରେସ୍‍ ସେଦିନ ଖୁବ୍ ବିଳମ୍ବ ଥାଏ । ବିଳମ୍ବ ଓ ଭିଡ଼ ଆଧୁନିକ ଯାତ୍ରୀ ଗାଡ଼ିର ଯେପରି ଗୋଟାଏ ଆଭିଜାତ୍ୟରେ ପରିଣତ ହେଲାଣି, ଆଧୁନିକ ଯାତ୍ରୀ ବି ସେପରି ଏହି ‘ବିଳମ୍ବ ଓ ଭିଡ଼’କୁ ହଜମ କରି ତାର ପ୍ରୁଫ୍ ହୋଇ ସାରିଲାଣି ।

 

ଏଇ ପ୍ରୁଫ୍ ବାଲାଙ୍କ ପାଖରେ ଫ୍ଲାଟ୍‍ଫର୍ମଟା ଗୋଟିଏ ନଦୀର କିନାରା ପାଲଟି ଯାଏ ଓ ରେଳପଥ ପାଲଟେ ନଦୀରେ । ମଝିରେ ମଝିରେ ଯେଉଁ ଗାଡ଼ି ଆସେ ଓ ଯାଏ, ତାହା ହୋଇଯାଏ ବୋଇତ ଓ ଷ୍ଟିମର । ନଦୀକୂଳଟା ବହୁ ଦୃଷ୍ଟି ଓ ଦୃଶ୍ୟରେ ରୋମଞ୍ଚକର ହୋଇ ଉଠେ । କଟକର ସଂଜୁଆ କାଠଯୋଡ଼ି କୂଳ ପରି ଭାରି ଭିଡ଼ ଜମେ ଏଠି । ଖୁବ୍ ଉପଭୋଗ୍ୟ ବି ହୁଏ !

 

ମୁଁ ବ୍ରହ୍ମପୁରର ଏ ଫ୍ଲାଟ୍‍ଫର୍ମକୁ ବେଶ୍ ଉପଭୋଗ କରୁଥିଲି । ଏକ୍‍ସପ୍ରେସ୍‍ ଯେତେ ବିଳମ୍ବରେ ପହଞ୍ଚିବ ସେତେ ଭଲ ।

 

ତେଲୁଗୁ, ତାମିଲ, ଓଡ଼ିଆ, ବଙ୍ଗାଳୀ, ହିନ୍ଦୀ, ଇଂରେଜୀ ପ୍ରଭୃତି ବିଭିନ୍ନ ଭାଷାର ଏକ ଅବୋଧ୍ୟ ଶବ୍ଦ ତରଙ୍ଗ ବାୟୁମଣ୍ଡଳକୁ ଉଠୁଥିଲା, ଠିକ୍ ନଦୀର ଅବୋଧ୍ୟ କଳରବ ପରି । ବହୁଭାଷା ଭାଷୀ ଜନତା ପାରମ୍ପରିକ ବୁଝାମଣା ଭିତ୍ତିରେ ସହାବସ୍ଥାନ କରିବାର ଏକ ମଡ଼େଲ—ଭାରତବର୍ଷ ଏ । ଯାତ୍ରୀମାନଙ୍କର ଗନ୍ତବ୍ୟସ୍ଥାନ ବିଭିନ୍ନ ଥିଲେ ବି ଏକ । ଯାତ୍ରାମୁଖର ଏ ମିଳନପୀଠରେ ସ୍ଥାଣୁତ୍ୱ ନାହିଁ । ତେଣୁ କଳହ ବା ବିସମ୍ବାଦ । ଜଳ ଆବଦ୍ଧ ରହି ପଚିଯିବାର ସମ୍ଭାବନା ଏଠାରେ ନାହିଁ-। ନଦୀର ଜଳ ପ୍ରବାହଧାରାରେ ଏ ନିତ୍ୟନୂତନ ଓ ପବିତ୍ର ।

 

ହଠାତ୍ ମୋର ବଂଧୁ ଏକ୍‍ସପ୍ରେସ୍‍ ବିରୁଦ୍ଧରେ ବିଷ ଉଦ୍‍ଗୀରଣ କରି କହି ଉଠିଲେ—ଛି, ଛି, ଏକ୍‍ସପ୍ରେସ୍‍ ମଣିଷ ଯାଆନ୍ତି ? ଏତେ ଭିଡ଼ ! ଆସିଲାବେଳେ କଟକଠାରୁ ବ୍ରହ୍ମପୁର ଯାଏଁ ତ ଠିଆ ଠିଆ ଆସିବାକୁ ପଡ଼ିଲା । ଆଜି କାଲି ସମସ୍ତଙ୍କ ହାତରେ ପଇସା । ସମସ୍ତେ ଚାହୁଁଛନ୍ତି ଅଧିକ ପଇସା ଦେବେ ପଛେ, ଶୀଘ୍ର ପହଞ୍ଚିବେ । ପସେଞ୍ଜର ଟ୍ରେନ୍‍ଗୁଡ଼ାକ ଖାଲି ଖାଲି ଯାଉଛି । ଅବଶ୍ୟ ଷ୍ଟେସନଗୁଡ଼ାକରେ ଅଧିକ ସମୟ ପକାଇ ରଖୁଛି ବୋଲି ବିରକ୍ତିର ବୋଧହେବା କଥା ।

 

ମୁଁ କହିଲି—ତାହାହେଲେ ଏକ୍‍ସପ୍ରେସ୍‍ ସେକେଣ୍ଡ କ୍ଲାସ୍ ଟିକେଟ୍ କରାଇ ନେଲେ ଏ ଭିଡ଼ରୁ ରକ୍ଷା ପାଇ ହେବ ।

 

—“କିନ୍ତୁ ଥାର୍ଡ଼ କ୍ଲାସରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିହେବ । ଯେତେ ସବୁ ଗଳ୍ପର ସାମଗ୍ରୀ ଏଇ ଥାର୍ଡ଼ କ୍ଲାସରେ ।”

 

—ତୁଚ୍ଛା କଥା । ଫାଷ୍ଟ୍‍କ୍ଲାସରେ ସବୁଠୁ ବେଶି ଗାଳ୍ପିକ ଅନୁଭୂତି । ଆମ ସୁରେନ୍ଦ୍ର ବାବୁ, ନୀଳମଣିବାବୁ, ରାଜକିଶୋର ବାବୁ ପ୍ରଭୃତି ବଡ଼ ବଡ଼ ଗଳ୍ପ ଲେଖକଙ୍କ ଫାଷ୍ଟକ୍ଲାସିଆ ଗଳ୍ପ ସବୁ କିପରି ଫାଷ୍ଟକ୍ଲାସ ଉପରେ, ସେ ସବୁ ପଢ଼ିଛ ନା ? ତେଣୁ ଥାର୍ଡ଼କ୍ଲାସିଆ ଗଳ୍ପର ବିଷୟବସ୍ତୁ ପାଇଁ ତୁମର ଏତେ ଲୋଭ କାହିଁକି ?

 

— “ସତ ଯେ, ତେବେ ନିମ୍ନ ବିତ୍ତ ଓ ମଧ୍ୟ ବିତ୍ତ ଶ୍ରେଣୀର ଚିତ୍ର ତୃତୀୟ ଶ୍ରେଣୀରେ ପାଇ ହୁଏ ।”

 

— “ତେବେ ଆଉ ପାସେଞ୍ଜର ଟ୍ରେନ୍ କଥା କାହିଁକି ? ଯେତେବେଳେ ଆମର ହୋଇ ସାରିଛି, ଆମକୁ କୌଣସି ମତେ ଏକ୍‍ସପ୍ରେସ୍‍ର ସେହି ନିମ୍ନ ମଧ୍ୟବିତ୍ତ ଚିତ୍ର ମଧ୍ୟରେ ଠେଲି ପେଲି ଯିବାକୁ ପଡ଼ିବ ।”

 

ବଂଧୁ ମୋର ଆଉ କହିଲେ ନାହିଁ, ତେବେ ତାଙ୍କ ମୁହଁରୁ ଜଣାଗଲା, ତାଙ୍କ କଥାଟା ଯେପରି ସେ ଖଣ୍ଡିଆ ରଖିଦେଲେ ।

 

ମୁଁ ପ୍ଲାଟଫର୍ମରେ ଚଳଚିତ୍ର ଓ ହସ୍ତତନ୍ତ୍ରର ବିଜ୍ଞାପନ ପୋଷ୍ଟର ଦେଖୁଥିଲା ବେଳେ ଦେଖିଲ ବଂଧୁ ଶୁଭେନ୍ଦ୍ର ଅନତିଦୂରରେ ଟ୍ରେନ୍ ପ୍ରତୀକ୍ଷାରେ ଥିବା ଗୋଟିଏ ପରିବାରକୁ ଦୃଷ୍ଟି ଦେଉଛନ୍ତି । ପରିବାରଟିରେ ଅଛନ୍ତି ଜଣେ ପ୍ରୌଢ଼ା, ଦଶବର୍ଷର ଗୋଟିଏ କିଶୋରୀ ଓ ପ୍ରୌଢ଼ା ସ୍ଵାମୀ । ପରିବାରଟି ଛୋଟ, ତେଣୁ ସୁଖୀ ପରିବାର । ଅସ୍ଵାଭାବିକ ହେଲେ ମଧୁ ପ୍ରୌଢ଼ାଙ୍କ ଅଙ୍ଗଲାବଣ୍ୟରେ ମୋ ବଂଧୁ କହିବା ଅନୁଯାୟୀ ଅସ୍ତଗାମୀ ତାରୁଣ୍ୟର ସୁନେଲି ରଙ୍ଗ ଲହୁଡ଼ି ଭାଙ୍ଗିଥିଲା । ବନ୍ଧୁଙ୍କର ତାଙ୍କ ପ୍ରତି ପୌନ ପୌନିକ ଦୃଷ୍ଟି ତଥା ଶ୍ରୁତିପାତ ମୋ ପାଖରେ ଧରା ପଡ଼ୁଥିଲେ ମଧ୍ୟ, ଅନ୍ୟ ଯାତ୍ରୀମାନଙ୍କ ପାଖରେ ତାହା ବେଶ୍ ସଞ୍ଜତ ଥିଲା ଓ ଶ୍ଳୀଳତା ଲଂଘନ କରୁ ନ ଥିଲା ।

 

ତା’ପରେ ଶୁଭେନ୍ଦ୍ର ପ୍ଲାଟଫର୍ମ ଉପରେ ଧୀର ପଦଚାରଣା ଆରମ୍ଭ କଲେ । ମୋର ପାଦ ଦୁଇଟି ବି ଅଜ୍ଞାତରେ ତାଙ୍କର ସଙ୍ଗ ଧରିଲା ।

 

ଅନେକ ସମୟରେ ନିଜର ଇଚ୍ଛା ଶକ୍ତି ପ୍ରୟୋଗ ନ କରି ବି ଆମେ ଗତି କରୁ । ସେ ଗତିକୁ ପ୍ରାଣୀର ଜଡ଼ଗତି ବା ଇନର୍ସିଆ କୁହାଯାଏ । ଟ୍ରେନରେ କରୁଥିବା ବେଳେ ଆମେ ଏକ ସ୍ଥାନରେ ବସିଥିଲେ ମଧ୍ୟ ଆମର ଜଡ଼ ଦେହଟା ଟ୍ରେନର ବେଗ ସହିତ ସମାନ ବେଗରେ ଗତିଶୀଳ ଥାଏ । ତେଣୁ ଟ୍ରେନ୍ ହଠାତ୍ ଷ୍ଟେସନରେ ରହିଗଲେ ଆମର ଜଡ଼ ପିଣ୍ଡଟା ସେହି ବେଗରେ ଆଗକୁ ଝୁଙ୍କିପଡ଼େ । ଜଡ଼ତା ଭାଙ୍ଗିଯାଏ, ଢ଼ୁଳଉଥିଲେ ମୁଣ୍ଡ ପିଟି ହୋଇଯାଏ, ନିଦ ଭାଙ୍ଗିଯାଏ, ଏ ସେହି ଇନର୍ସିଆ ଯାହା ବଳରେ ମୋର ପାଦ ଦୁଇଟି ସେତେବେଳେ ଶୁଭେନ୍ଦ୍ରଙ୍କ ସାଙ୍ଗରେ ତାଙ୍କ ବେଗ ସହିତ ସମତ୍ଵ ରଖି ଗତି କରୁଥିଲା ।

 

ଶୁଭେନ୍ଦ୍ର କହିବାକୁ ଆରମ୍ଭ କଲେ—ଆଜି ଏକ୍‍ସପ୍ରେସ୍‍ ତିନିଘଣ୍ଟା ଲେଟ୍ । ପାସେଞ୍ଜର ଟ୍ରେନ୍ ଆଗ ଆସି ପହଞ୍ଚିବ ।

 

ଟ୍ରେନ୍ ଅଟକାରେ ଯାତ୍ରୀ ଝୁଙ୍କି ପଡ଼ିବା ଭଳି ମୁଁ ଝୁଙ୍କି ପଡ଼ିଲି । ମୋର ଜଡ଼ତା ଭାଙ୍ଗିଗଲା । ମୁଁ ମୋତେ ଅନୁଭବ କରି ଠଉରେଇ ନେଲି—ବଂଧୁ ସେତେବେଳେ ଖଣ୍ଡିଆ ରଖିଥିବା କଥା ପୁଣି କହିବାକୁ ଆରମ୍ଭ କରି ଦେଲେ କି ?

 

ମୋର ଏପରି ଅନୁମାନ ଓ ବଂଧୁଙ୍କର ପାସେଞ୍ଜର ଟ୍ରେନ୍ ବିଷୟରେ ପୁନରୁତ୍‍ଥାପନ ମଧ୍ୟରେ ଖୁବ୍ ମେଳ ଥିଲା ।

 

ମୁଁ କହିଲି—“ଏକ୍‍ସପ୍ରେସ୍‍ ହୁଏତ ଲେଟରେ ଆସିବ, କିନ୍ତୁ ଆଗରୁ ଆସିଛି ବୋଲି ପାସେଞ୍ଜରକୁ କୌଣସି ସମ୍ମାନ ନ ଦେଖାଇ ବାଟରେ କ୍ରମ କରି ଆଗେଇ ପହଞ୍ଚିବ କଟକରେ ।”

 

ବନ୍ଧୁ କହିଲେ—“ଆସିଲାବେଳେ ତ ଚିଲିକାଟାକୁ ଟିକେ ଉପଭୋଗ କରିହେଲା ନାହିଁ । ଯଦି ଫେରିଲା ବେଳେ ପାସେଞ୍ଜରରେ ଯାଆନ୍ତେ, ହରାଇଥିବା ସୁଯୋଗଟା ଫେରି ପାଆନ୍ତେ । ପାସେଞ୍ଜର ରହି ଯିବ । ତେଣୁ ଚିଲିକା ଉପଭୋଗ କରିବାକୁ ସମୟ ପାଇବା ।”

 

ମୁଁ କହିଲି, “ହଁ, ଗୋପବନ୍ଧୁଙ୍କ ପରି ଆଉ ଆମେ ବାଷ୍ପୀୟ ଶକଟକୁ ରହ ରହ କ୍ଷଣେ ବୋଲି ଅନୁରୋଧ କରିବାକୁ ପଡ଼ିବ ନାହିଁ । ବରଂ ଗୋଟାଏ ଚାବୁକ ଧରି ତାକୁ କହିବାକୁ ପଡ଼ିବ–ଚାଲ ଚାଲ ବେଗ ମଠୁଆ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ ।”

 

ବନ୍ଧୁ କହିଲେ— “ଏବେ ଯେତେ ସବୁ ଆକସିଡ଼େଣ୍ଟ ଘଟୁଛି, ସବୁ ଏଇ ବାଜେ ଏକ୍‍ସପ୍ରେସ୍‍ ।”

 

ବନ୍ଧୁଙ୍କର ଏ ନବାବିଷ୍କୃତ ତଥ୍ୟଟା କିପରି ଖାପଛଡ଼ା ଲାଗିଲା । ମୁଁ ଭାବିଲି, ଗଧିଆ କୌଣସି ମତେ ମେଣ୍ଢା ଛୁଆକୁ ଖାଇବାକୁ ଚାହେଁ । ତେଣୁ ପାଣି ଗୋଳିଆ କରିବା ଭଳି କେତେକ ବେଖାପିଆ ଯୁକ୍ତ ଦ୍ଵାରା ସେ ମେଣ୍ଢା ଛୁଆକୁ ଦୋଷୀ ସାବ୍ୟସ୍ତ କରିବା ନିରୀହ ଏକ୍‍ସପ୍ରେସ୍‍ ବିଚାର ଅକାରଣ ଆଜି ମୋର ବନ୍ଧୁଙ୍କର ଶରବ୍ୟ ହୋଇଛି ।

 

କେତେବେଳେ ପୁଣି ମୁଁ ଅନୈଚ୍ଛିକ ପେଶୀଦ୍ଵାରା ପରିଚାଳିତ ହୋଇ ବନ୍ଧୁଙ୍କ ସହ ପ୍ଲାଟଫର୍ମରେ ଗୋଟାଏ ଉପାନ୍ତରେ ପହଞ୍ଚି ସାରିଥିଲି । ତେଣୁ ଅବାଉଟ୍‍ଟର୍ଣ୍ଣ କରି ସ୍ଲୋ ମାର୍ଚ୍ଚରେ ଅଗ୍ରସର ହେଲା । ବନ୍ଧୁ ବି ତାଙ୍କ କଥାକୁ ଟର୍ଣ୍ଣିଂ ଦେଇ କହିଲେ, “ଆଚ୍ଛା କହିଲ, ସେଠାରେ ଯେଉଁ ତରୁଣୀ ବସିଛନ୍ତି, ପାଖରେ ଏକ ମାତ୍ର କନ୍ୟାରତ୍ନ, ତାଙ୍କର ବୟସ କେତେ ହେବ !”

 

କିଶୋରୀ ଏମିତି ଦିନେ ଲଳିତାଙ୍କୁ ପଚିଥିଲେ—“ବୟସ କେତେ ତାଙ୍କର ଗୋ ଲଳିତେ, ବୟସ କେତେ ତାଙ୍କର ?” ତେବେ କେଉଁ ତରୁଣୀ, କେଉଁଠି ବସିଛନ୍ତି, ମୋତେ ଭାବିବାକୁ ସମୟ ନ ଦେଇ ଶୁଭେନ୍ଦ୍ର କହି ଚାଲିଲେ—“ବୟସ ତ ବେଶି ହେବ ନାହିଁ । ଝିଅଟି ତାଙ୍କର ଏକମାତ୍ର ସନ୍ତାନ ନିଶ୍ଚୟ । ଗେଲ କସରରେ ବଢ଼ିଛ । ପୁଣି ସ୍ନେହ, କନ୍ୟା ସ୍ନେହ, ସବୁ ସେ ପିତାମାତା ଝିଅଟି ଉପରେ ଅଜାଡ଼ି ଦେଇଛନ୍ତି । ବିଚାରୀ ନାରୀ ! ପ୍ରତ୍ୟେକ ନାରୀ ପୁତ୍ର ସନ୍ତାନଟିଏ ଲାଭ କରିବା ପାଇଁ ଭାରୀ ଲାଳାୟିତ । ପୁତ୍ରହାନୀ ନାରୀ କେତେ ଦୁଃଖିନି ସତେ ! ପୁତ୍ରଟିଏ ନ ପାଇଲା ଯାଏଁ ତା ଦେହର ଆଦିମ କ୍ଷୁଧା ଦିନୁଦିନ ବଢ଼ିଯାଏ ସିନା, ପ୍ରଶମିତ ହୁଏ ନାହିଁ-। ଦେଖୁନାହିଁ, ବିଚାରୀର କ୍ଷୁଧା କିପରି ଉଦ୍ଦୀପ୍ତ ରହିଛି । ବୟସ ନିଶ୍ଚୟ ଯୌବନ ଡେଇଁଵଣି, ତେବେ ଅତିକ୍ରାନ୍ତ ବୟସର ପୃଷ୍ଠଭୂମିରେ ଯୌବନର ଅଗ୍ନିଶିଖା ଏବେବି ପ୍ରଜ୍ଜ୍ୱଳିତ ରହିଛି । ତୁମେ ଦେଖି ପାରୁଛ, ସେ ତନୁସରସୀରେ ଶୋଭା ତରଙ୍ଗର ଲୀଳାୟିତ ବିହାର ? ତୁମେ ଲକ୍ଷ୍ୟ କରିଛ, ସି ତହସ ବେଳେ ସେ ଅଧର ଯୁଗଳରେ ମୄଦୁ କମ୍ପନର ସୃଷ୍ଟି, ସ୍ଥିର ଓ ? ବିଲୟ ଆବଶ୍ୟକ ଏସବୁ ଦୃଶ୍ୟ ଅନୁଧ୍ୟାନ କରିବାକୁ ସୂକ୍ଷ୍ମ ଦୃଷ୍ଟି ଓ ମନସ୍ତାତ୍ୱିକ ଚେତନା ଆବଶ୍ୟକ । ‘‘

 

ବାସ୍ତକିକ ଶୁଭେନ୍ଦ୍ର ଚକ୍ର ଜୀବନରୁ ଏହି ମନସ୍ତାତ୍ୱିକ ଅଧ୍ୟୟନ କରି ଆସୁଛି । ସେତେବେଳେ ଆମେ ଦୁହେଁ ପୁରୀ କଲେଜର ଛାତ୍ର । ପୁରୀର ରାସ୍ତାଘାଟରେ, ମହୋଦଧିର ବାଲୁକାବେଳାରେ ମୁଁ ଲକ୍ଷ୍ୟ କରିଛି ଶୁଭେଦ୍ରଙ୍କୁ । ବିଭିନ୍ନ ବ୍ୟକ୍ତିର ମୁହଁକୁ ନିରେଖି ଚାହିଁ ରହିବା ତାଙ୍କର ସେତେବେଳେ ଗୋଟାଏ ବଦଭ୍ୟାସ ଥିଲା । ସେ ବ୍ୟକ୍ତି ହେଉ ବା ସ୍ତ୍ରୀ ହେଉ, ସମ୍ଭାନ୍ତ ବଂଶଜା ହେଉ ବା ଦରିଦ୍ର ପାଗଳ ହେଉ । କାରଣ ପାଗଳ କରି ସେ କ୍ରମେ ନାରୀମାନଙ୍କୁ ଏକ ଲୟରେ ଚାହଁ ରହିବାର କୁତ୍ସିତ ଅଭ୍ୟାସ ବଢ଼ାଇ ଦେଲେ । ଦିନେ ମୁଁ ତାଙ୍କୁ ଏ ବିଷୟରେ ମୋର ରୋକଠୋକ ମନୋଭାବ ଜଣାଇ ଦେଲି । ସେ କିନ୍ତୁ ତାର କୈଫିୟତରେ କହିଲେ— “ମୁଁ ଏପରି ଭାବେ ବ୍ୟକ୍ତି ବିଶେଷଙ୍କର କେବଳ ମନ୍‍ସ୍ତତ୍ଵ ଅଧ୍ୟୟନ କରେ । କୌଣସି ନାରୀଙ୍କୁ ପାପ ଦୃଷ୍ଟିରେ ଚାହିଁବାର ଦୁର୍ବଳତା ମୋର ନାହିଁ । ଏପରି ପ୍ରମାଣ, ମୁଁ ପ୍ରତିଜ୍ଞା କରିଛି, ସାରା ଜୀବନ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିବାକୁ ଅବିବାହିତ ରହିବି ।”

 

ସତକୁ ସତ ତାଙ୍କର ଏ ଭୀଷ୍ମ-ପାଗଳାମି ବାସ୍ତବରେ ପରିଣତ ହେଲା । ସେ ଅବିବାହିତ ରହିଲେ ଏବଂ ତାଙ୍କର ଚାହିଁବା ଭଙ୍ଗୀ ସାମାନ୍ୟ ମାର୍ଜିତ ହୋଇ ପ୍ରାୟ ଅନୁରୂପ ରହିଗଲା ।

 

ଆଉ ଜଣେ କର୍ମଚାରୀଙ୍କଠାରେ ଏକ ବଦ ଖୋଇ ଦେଖିଥିଲି । ବୟସ ତାଙ୍କର ପଇଁଚାଳିଶି ଡେଇଁବ । ରାସ୍ତାରେ ଗଲାବେଳେ କିଛିକ୍ଷଣ ଅଟକି ଯାଇଁ ପୁରୁଷ ବା ସ୍ତ୍ରୀ ଯେ କୌଣସି ବ୍ୟକ୍ତିଙ୍କୁ ପାଗଳ ପରି ଦୁଇ ମିନିଟ ଚାହିଁ ରହନ୍ତି । ମୋର ଜଣେ ସହକର୍ମୀଙ୍କ ଭାଷାରେ ତାଙ୍କୁ ଚିହ୍ନି ବାର ଅନ୍ୟ ନିଦର୍ଶନ ହେଲା-ସେ ଏକମାତ୍ର ଧୋତିପିନ୍ଧାବାବୁ, ସେ ଧୋତିପିନ୍ଧା ଅବସ୍ଥାରେ ଠିଆହୋଇ ପିସାବ୍‍ କରନ୍ତି ।

 

ମୋର ଏସବୁ ଅତ୍ୟନ୍ତ ସ୍ମରଣ ମଧ୍ୟରେ ଶୁଭେନ୍ଦ୍ର ଯେ ମାନସ୍ତାତ୍ତ୍ୱିକ ଭିତ୍ତିରେ ସେ ତରୁଣୀଙ୍କ ଶୋଭାର ସୂକ୍ଷ୍ମ ବିଚାର କେତେ କ’ଣ ବାଢ଼ି ଚାଲି ଥାଆନ୍ତି, ମୋର ଅନ୍ୟମନସ୍କତା ପ୍ରତି ତାଙ୍କର ସିଦ୍ଧି ମନସ୍ତତ୍ଵ ପ୍ରୟୋଗ ନ କରି, ତାର କଳନା ନାହିଁ ।

 

ବାଚାଳ ଶୁଭେନ୍ଦ୍ର ଏଥର ଗତ ଓ ପ୍ରଶସ୍ଥି ବନ୍ଦ କରି ଦେଇ ମୁକ ହୋଇ ଠିଆ ହେଲେ । ମୁଁ କିଛି ଦୂରରେ ଲକ୍ଷ୍ୟ କଲି ମାତା ଓ କନ୍ୟା କୌଣସି ପୁସ୍ତକ ପଠନରେ ରତ । ଶୁଭେନ୍ଦ୍ର ଏହାଙ୍କୁ ଲକ୍ଷ୍ୟ କରିବା ମୁଁ ପୂର୍ବରୁ ଦେଖିଥିଲି । ତେଣୁ ଅନୁମାନ କରିନେଲି—ସେଇ ପ୍ରୌଢ଼ା ମୋର ବନ୍ଧୁଙ୍କ ଦୃଷ୍ଟିରେ ତରୁଣୀର ମୋହନ—କଜ୍ଜ୍ୱଳ ବୋଳି ଆସନ୍ନ ଗଳ୍ପ ସର୍ଜନାର ନାୟିକା ସାଜିଛନ୍ତି ନିଶ୍ଚୟ ।

 

ବିଜ୍ଞାନ ଶିକ୍ଷକ ପ୍ରଥମ କ୍ଳାସରେ ସଜୀବ, ନିର୍ଜୀବ ତୁଳନା କରି ପାର୍ଥକ୍ୟ ଦେଖାଇଲା ବେଳେ ନିର୍ବୋଧ ଛାତ୍ର ବୁଝି ନ ପାରିବା ଭଳି ମୁଁ ବନ୍ଧୁଙ୍କଠାରୁ ପ୍ରଥମେ ନିର୍ଜୀବ ପାସେଞ୍ଜର ଟ୍ରେନର ପ୍ରଶସ୍ତି ଗାନ ଓ ପରେ ଏହି ସଜୀବ ପ୍ରୌଢ଼ା-ତରୁଣୀଙ୍କର ସ୍ତବଗାନ ମଧ୍ୟରେ କୌଣସି ସଂପର୍କ ସ୍ଥାପନ କରି ପାରିଲି ନାହିଁ । ତେବେ ବନ୍ଧୁ ଯେତେବେଳେ ମୋତେ ଖୋଲା ଖୋଲି ବୁଝାଇ ଦେଲେ ଯେ ଏଇ ଛୋଟ ପରିବାରଟି (‘ଛୋଟ ପରିବାର ସୁଖୀ ପରିବାର’ କହିବାକୁ ଏଥର ମନ ବଳିଲା ନାହିଁ, କାରଣ ବନ୍ଧୁଙ୍କ ମାନସ୍ତାତ୍ଵିକ ଭିତ୍ତିରେ ପୁତ୍ରହୀନ ପରିବାରଟି ଦୁଃଖୀ ପରିବାର ହୋଇ ସାରିଥିଲା ।) ପାସେଞ୍ଜର ଟ୍ରେନରେ ଯାଜପୁରରୋଡ଼ ଯିବେ ଏବଂ ମୋର ବନ୍ଧୁଙ୍କର ଏକ ସଫଳ କାହାଣୀର ବିଷୟବସ୍ତୁ ପାଇଁ ବନ୍ଧୁଙ୍କ ସହିତ ମୋତେ ସେଇ ପାସେଞ୍ଜରରେ ଉଠିବାକୁ ହେବ ସେତେବେଳେ ଯାଇ ଏ ନିର୍ବୋଧର ଦୁର୍ବୋଧ୍ୟ ଉଭେଇଗଲା ଓ ବୁଝି ପାରିଲା ଯେ, ପାସେଞ୍ଜର ଗାଡ଼ିଟି ନିର୍ଜୀବ କାରଣ ତାର ଗତି ଡ୍ରାଇଭର ଇଚ୍ଛାଧୀନ ଏବଂ ନାରୀଟି ସଜୀବ କାରଣ ତାଙ୍କର ଯାଜପୁରରୋଡ଼ ଯାତ୍ରା ସ୍ଵେଚ୍ଛାକୃତ ।

 

ପାସେଞ୍ଜର ଟ୍ରେନ୍ ଆସିଗଲା । ଛୋଟ ପରିବାରଟି ଯେଉଁ କମ୍ଫାର୍ଟମେଣ୍ଟରେ ଉଠିଲେ, ବନ୍ଧୁ ମୋର ସେଇଟାରେ ଉଠିଲେ ଏବଂ ଇଚ୍ଛାଶକ୍ତି ରହିତ ଗୋଟାଏ ଜଡ଼ପରି ମୁଁ ଚଢ଼ିଲି ବନ୍ଧୁଙ୍କ ପଛେ ପଛେ ।

 

ଛୋଟ ପରିବାର ତାଙ୍କର ଲଗେଜ୍ ଦିଟା ଗୋଟାକ ଥୁଆରଖା କରୁଥିବା ବେଳେ ମୁଁ ମୋର ଜାଗା କରିନେଲି ଝରକା ପାଖକୁ । ଏଇ ପାଖରେ ଚିଲିକାର ଦୃଶ୍ୟକୁ ଭୋଗ ଓ ଭୋଜନ କରିହେବ । ପାଖକୁ ବସିଲେ ଶୁଭେନ୍ଦ୍ର । ତାଙ୍କୁ ଲାଗି ଜଣେ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ର । ସାମନାରେ କ୍ଷୁଦ୍ର ପରିବାର । ଝରକାକୁ ଲାଗି କିଶୋରୀ କନ୍ୟା, କ୍ରମେ ଗଳ୍ପ ନାୟିକା ଓ ତାଙ୍କୁ ଲାଗି ତାଙ୍କର ବୟସ୍କ ପୃଥୁଳ ଶରୀର ସ୍ୱାମୀ ।

 

ସ୍ୱାମୀଙ୍କର ସ୍ଥୂଳଖର୍ବ ତନୁ ସାଙ୍ଗକୁ ଲମ୍ବୋଦର ତଥା ଖଲ୍ଵାଟ ମସ୍ତକ ତାଙ୍କର ପ୍ରକୃତ ବୟସକୁ ବିବର୍ଣ୍ଣ କରି ଏକ ଅପ୍ରାକୃତିକ ବୟସ ବୃଦ୍ଧିର ପ୍ରତୀତ ଜନ୍ମାଉ ଥିଲା । ତାଙ୍କ ଗତିବିଧିରେ ଅହେତୁକ ଓ ଅନାବଶ୍ୟକ ସଂଯମ ଲକ୍ଷିତ ହେଉଥିଲା । ପରିଣତ ବୟସର ସଂଯମ ଏକ ପ୍ରକାର ଅପାରଗତା ଓ କ୍ଳୀବତ୍ୱ, ଯେଉଁଟା କି ବିଶେଷତଃ ଏ ତାରୁଣ୍ୟୋଚ୍ଛଳ କାମିନୀଙ୍କ ସ୍ୱାମୀ ହେବା ପାଇଁ ନିଶ୍ଚୟ ଚରମ ଅଯୋଗ୍ୟତା ପକ୍ଷାନ୍ତରେ ପତ୍ନୀଙ୍କର ସଞ୍ଜମହୀନ ହାବଭାବରେ ନୟନର ଅପାଙ୍ଗ ଭ୍ରୂର ବିଳାସ ତାରୁଣ୍ୟ ପ୍ରାଚୁର୍ଯ୍ୟର ଇଙ୍ଗିତ ଦେଉଥିଲା । ବେଳେ ବେଳେ ତାଙ୍କର ଅଙ୍ଗ ମୋର ବଂଧୁଙ୍କ ଅଙ୍ଗ ସ୍ପର୍ଶ କରୁଥିଲା ମଧ୍ୟ । ସ୍ୱାମୀ ଏଥିପାଇଁ ତାଙ୍କୁ ସଂଯତ ରହିବାକୁ ଭ୍ରୂକୁଟୀ କୁଞ୍ଚନଦ୍ୱାରା ବିଫଳ ଇଙ୍ଗିତ ଦେଉଥିଲେ ବି ନାରୀଟି ମୋତେ ପ୍ରଥମେ ପ୍ରୋଢ଼ା ଓ ସ୍ଥିର-ସ୍ଥବିର ପ୍ରକୃତିର ବୋଲି ବୋଧ ହୋଇଥିଲେ ମଧ୍ୟ ବନ୍ଧୁଙ୍କ ମନ୍ତବ୍ୟ ପ୍ରଭାବରେ ସେ ଏବେ ଚପଳା କିଶୋର ଭଳି ଆକର୍ଷଣୀୟ ହୋଇ ଉଠିଥିଲେ ।

 

ମୁଁ ଭାବୁଥିଲି, ନାରୀ ଜଣକ ଯେବେ ଏ ବୟସରେ ଏତେ ରୂପର ଅଧିକାରିଣୀ ତେବେ ତାଙ୍କ ଯୌବନ ତାଙ୍କୁ ରତିଦେବୀଙ୍କର ମନ୍ଦିର କରି ଗଢ଼ିଥିବ । ବୟସର ଓଜନରେ ବି ତାଙ୍କର ଓଠରେ ଆଖିରେ ରତି ସୁଖସାର ରୂପର ମାଧୁର୍ଯ୍ୟ କ୍ରୀଡ଼ା କରୁଛି । ହସିବାର ଚେଷ୍ଟା ନ ଥାଇ, ଯେଉଁ ନାରୀଙ୍କର ଅଧରରେ ହସ ଫୁଟେ, ଏ ସେହି ନାରୀ ।

 

ମୋର ବନ୍ଧୁ ଏହି ରମାରତନଙ୍କର ମନସ୍ତତ୍ୱ ମନୋଯୋଗ ସହିତ ପାଠ କରି ମୋତେ ଏତେ ପ୍ରଭାବିତ କରି ଦେଇଥିଲେ ଯେ, ମୁଗ୍ଧ ହେବା ଛଡ଼ା ମୋର ଉପାୟାନ୍ତର ନ ଥିଲା । ଆହା, ଏପରି ବାମାଙ୍କୁ ପୁଣି ବିଧି ପୁତ୍ରସନ୍ତାନରୁ ବଞ୍ଚିତା କଲେ । ଘୋର ଅବିଚାର ! ବାସ୍ତବିକ ଏ ଛୋଟ ପରିବାରଟି କି ଦୁଃଖୀ ।

 

ବନ୍ଧୁଙ୍କ ହୃଦୟଟା ବର୍ତ୍ତମାନ କିପରି ଚଞ୍ଚଳ ହୋଇ ଉଠୁଥିବ ଏବଂ ଗୋଟାଏ ମନସ୍ତାତ୍ଵିକ ଗଳ୍ପର ଲହରୀ ମାଳା ତାଙ୍କର ହୃଦ-ସାଗର ଠେଲି ବାମାଙ୍କର ଚନ୍ଦ୍ରାନନ ଆଡ଼କୁ ଉଦବେଳିତ ହୋଇ ଉଠୁଥିବ, ତାହା କଳ୍ପନା କରି ପାରିଲେ ମୋର ନିଜ ପ୍ରତି ଗୋଟିଏ ହେୟ ସରିତଭାବ ଜାତ ହୋଇଯାଏ । ଆହା, ମୋର ହେଲେ ଅନୁଭବୀ ଶୁଭେନ୍ଦ୍ରର ହୃଦୟ ପରି ଗୋଟାଏ ହୃଦୟ ଥାଆନ୍ତା; ହାୟ ମୋ ହେୟ ସରିତ ହେଲେ ସାଗରରେ ଅବଗାହନ କରନ୍ତା !

 

ପାସେଞ୍ଜର ଟ୍ରେନ୍ ତାର ସ୍ଳୋ (କିନ୍ତୁ ଷ୍ଟେଡ଼ି ନୁହେଁ) ରେସ୍ ଆରମ୍ଭ କରିଦେଲା । ଆମେ ଗୋଟାଏ ଦୋଳାୟମାନ ଯାନରେ ଦୋଳି ଦୋଳି ଚାଲିଲୁ ପାର୍ଶ୍ଵ ଧାବିତ ଗାଁ-ଗଛ-ଗୋରୁ-ଗୋଚରଙ୍କର ବିପରୀତ ଦିଗରେ ।

 

ଖର୍ବ ସ୍ଥୂଳତନୁ ଗୃହସ୍ଥ ପ୍ରଥମେ ସେ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କରିଦେଲେ । ଏହାଦ୍ୱାରା ଆମେ ଦୁଇ ବନ୍ଧୁ ଖୁବ୍ କ୍ଷୁବ୍ଧ ହୋଇ ଉଠିଥିବୁ, ଏହା ସେ ମନସ୍ତତ୍ୱଜ୍ଞାନବିହୀନ ଗୃହସ୍ଥ ବୋଧହୁଏ ବୁଝି ପାରି ନ ଥିବେ ।

 

ଛାତ୍ର ଜଣକ ସୁଶ୍ରୀ ଓ ମିଷ୍ଟାଳାପୀ । ପ୍ରାଥମିକ ଆଳାପରୁ ମୁଁ ମନେକଲି କନ୍ୟା ରତ୍ନର ବୈବାହିକ ସଂପର୍କ ସ୍ଥାପନ କରିବାକୁ ଯେମିତି ଏ କଥାବାର୍ତ୍ତା ଚାଲିଛି; କିନ୍ତୁ ପରେ ମନେ ହେଲା ଆମ ଦୁହିଁଙ୍କି ଜବରଦସ୍ତି ହତ୍ୟାକରି ଏ କମ୍ପାର୍ଟମେଣ୍ଟରୁ ଫିଙ୍ଗି ଦେବାକୁ ତାଙ୍କର ଏ ଆଳାପରେ ଆୟୋଜନ ! ତାଙ୍କ ଭିତରେ ଚାଲୁ ରହୁଥିବା କେତୋଟି ଉକ୍ତ ପ୍ରତ୍ୟୁକ୍ତର ନମୁନା ଦେବି । ଏଥିରେ ମୋର ବନ୍ଧୁ ଶୁଭେନ୍ଦୁ ହୁଏତ କ୍ଷୁର୍ଣ୍ଣ ହୋଇ ପାରନ୍ତି, କିନ୍ତୁ ମୁଁ ଅକ୍ଷୁର୍ଣ୍ଣ ରହିବି—

 

—“ତୁମେ ପୁଅ, କେଉଁଠିକି ଯିବ ?”

 

—“ବାଣୀବିହାର ।’’

 

—“ସବଜେକ୍ଟ କ’ଣ ନେଇଛ ?”

 

— “ଆପ୍ଳାଏଡ଼୍‍ ଇକନମିକସ ।”

 

— “ତୁମ ନାଁ ?”

 

— “ଧରଣୀଧର ଦାସ ।”

 

—“ମୋ ପୁଅ ବିବେକାନନ୍ଦ ଦାସଙ୍କୁ ଜାଣ ?”

 

—“ଆପଣ ତାହାହେଲେ ବିବେକାନନ୍ଦ ବାବୁଙ୍କ..... ? ନମସ୍କାର ।”

 

—“ସେ ଅନର୍ସ ନେଇ ଫାଷ୍ଟକ୍ଲାସ ପାଇଲା ପରେ ବାଣୀବିହାରରେ ପଢ଼ୁଛି । ଗୋଟାଏ ଝିଅ ରେଭେନ୍ସାରେ ଇଂରେଜୀ ଅନର୍ସ ନେଇ ପଢ଼ୁଛି । ଆଉ ଗୋଟାଏ ଝିଅ ଏ ବର୍ଷ ପି.ପି.ସି. ପାସ କରି ମେଡ଼ିକାଲ ଗଲା । ଆଉ ଗୋଟାଏ ଦଶମ ଶ୍ରେଣୀରେ ଗାଁ ହାଇସ୍କୁଲରେ ପଢ଼ୁଛି । ଗୋଟାଏ ପୁଅ ଦିଲ୍ଲୀରେ ମେଟେରି–ଓକିଲ ପାସ କରି ଡକ୍ଟରେଟ କରିବାକୁ ଆମେରିକା ଯାଇଛି, ଆଉ ଗୋଟାଏ ପୁଅ ବାଙ୍ଗାଲୋରରେ ଇଂଜିନିୟରିଂ ପଢ଼ୁଛି । ସାନ ପୁଅଟି ଏ ବର୍ଷ ମାଟ୍ରିକ ପରୀକ୍ଷା ଦେବ । ଫାଷ୍ଟ ଡିଭିଜନ ପାଇବ । ଏଇଟି ସାନଝିଅ, କ୍ଲାସ ଏଇଟା ହେଲା । ବଡ଼ ପୁଅଟି ଏମ.ଡ଼ି. କରି ବ୍ରହ୍ମପୁରରେ ରିଡ଼ର୍ ଅଛି । ସେଇଠୁଁ ଫେରୁଛି । ମୁଁ ଥିଲି ଡି.ଏଫ୍. ଓ. । ଦୁଇବର୍ଷ ହେଲା ରିଟାୟାର କଲିଣି ।”

 

ଗାଡ଼ିଟି ସେତେବେଳରୁ ଛତ୍ରପୁର ଡେଇଁ ଚାଲିଲାଣି । ମନେହେଲା ଯାଜପୁର ରୋଡ଼ ଗଲାଯାଏଁ ଯିମିତି ଏ ବୃଦ୍ଧ ତାଙ୍କର ପୁଅ ଝିଅର ତାଲିକା ଲମ୍ୱେଇ ଚାଲିଥିବେ !

 

ମୁଁ ଆଶ୍ଚର୍ଯ୍ୟ ହୋଇ ଦେଖିଲି, ଆଗରେ ଯେ ବସିଛନ୍ତି ସେ ଜଣେ ବୃଦ୍ଧା । ଭଲଭାବରେ ଆଖି ମଳି ବି ଦେଖିଲେ, ସେ ତରୁଣୀ ନୁହଁନ୍ତି କିମ୍ବା ପ୍ରୌଢ଼ା ବି ନୁହଁନ୍ତି; ବାର୍ଦ୍ଧକ୍ୟର କଳାଦାଗ, ଭ୍ରୂଲତାସ୍ଥିର, ଆଧର ପାଂଶକ; ଗଣ୍ଡ ଓ କପୋଳରେ କୁଞ୍ଚିତ ରେଖା, ଅବୟବରେ ଶ୍ଳଥଚର୍ମ ହସ୍ତଚର୍ମ ବିବର୍ଣ୍ଣ ।

 

ସବୁ ଯେମିତି କୌଣସି ଐନ୍ଦ୍ରଜାଲିକର ମାୟାରେ ଓଲଟପାଲଟ ହୋଇ ଯାଇଛି । ଛୋଟ ପରିବାରଟି ଆଉ ଛୋଟ ନାହିଁ । ବୃଦ୍ଧ ରିଟାୟର୍ଡ ଡି.ଏଫ୍. ଓ. ଦୁନିଆଁଟା ସାରା ତାଙ୍କର ପୁଅଝିଅ ବିଛେଇ ଦେଇ ହାଓଡ଼ା ବ୍ରିଜଠାରୁ ଏକ ପାରିବାରିକ ପୋଲ ଗଢ଼ି ଦେଇଛନ୍ତି ।

 

ମୁଁ ଶୁଭେନ୍ଦ୍ରଙ୍କୁ ଲକ୍ଷ୍ୟ କଲି । ସେ ହାତରେ ତାଙ୍କ ଆଖି ଦି’ ଟା ମଳି ମଳି ଲାଲ କରି ସାରିଲାଣି । କିଛି ଅଗ୍ରସର କରି ଯାଇଛି । ସେ ଚାହିଁ ରହିଛି ନିଜ ଦୃଷ୍ଟିକି ଆବିଷ୍କାର କରିବାକୁ ମୋ ଦୃଷ୍ଟିର ଭରସା ପାଇଁ ମୋ ଆଡ଼େ । ତାଙ୍କ ଦୃଷ୍ଟି କ୍ଲାନ୍ତ ଓ ପରାଜିତ ଆଜି ମୋ ଦୃଷ୍ଟି ପାଖରେ ବଶ୍ୟତା ସ୍ୱୀକାର କରୁଛି ଯେପରି !

 

ପଥ ବିଭ୍ରାନ୍ତ ଦୃଷ୍ଟି ମୋର ଏବେ ଠିକ୍ ପଥ ଧରିଲା । ମନେ ମନେ ମୁଁ ଏହି ଆସନ୍ନ ପରିବର୍ତ୍ତିତ ବୃଦ୍ଧାଙ୍କୁ ପ୍ରଣତ ଆପଣ କଲି । କାରଣ ମାତୃତ୍ଵର ମହିମାରେ ତାଙ୍କର ମୁଖଶ୍ରୀ ଉର୍ଚ୍ଛସ୍ଵଳ ହୋଇଉଠିଥିଲା । ତାଙ୍କ ନୟନର ସ୍ଥିର ନମନୀୟତାରେ ସନ୍ତାନ-ବତ୍ସଳତାର ସୁଧା ବୃଷ୍ଟି ହେଉଥିଲା-

 

ମୋର ବନ୍ଧୁ ଅବରୁଦ୍ଧ କଣ୍ଠ ଖୋଲି କହିଲେ, “ଦେଖି ଆଗରେ ରମ୍ଭା ଷ୍ଟେସନ ପଡ଼ିବ । ସେଇଠି ଆମେ ଓହ୍ଲେଇ ଯାଇ ଏକସପ୍ରେସକୁ ଅପେକ୍ଷା କରିବା । ତୁମେ ଯାହା କହୁଥିଲ—ଏକସପ୍ରେସ୍‍କୁ ଆଗ ହିଁ କଟକରେ ପହଞ୍ଚିବ, ତା ସଭ୍ୟ । ପସେଞ୍ଜର ଗାଡ଼ିର ଯାତ୍ରା ବାସ୍ତବିକ ବଡ଼ ବିରକ୍ତକର ।”

 

ମୁଁ କହିଲି—କିନ୍ତୁ ରମ୍ଭାଠାରୁ ଚିଲିକା ଆରମ୍ଭ । ତୁମେ କହୁଥିଲ—“ଚିଲିକା ଉପଭୋଗ କରିବା ପାଇଁ ପାସେଞ୍ଜର ଗାଡ଼ି ହିଁ ଅନୁକୂଳ ।”

 

ସେ କହିଲେ—ଛାଡ଼, ସେ କଥା । ବର୍ତ୍ତମାନ ମୋ ମନ ଭଲ ନାହିଁ । ମୁଁ ଶୀଘ୍ର କଟକ ଫେରିଯିବାକୁ ଚାହେଁ ।

 

ରମ୍ଭା ଷ୍ଟେସନରେ ଗାଡ଼ି ରହିଲା । ମୋତେ ଅପେକ୍ଷା ନ କରି ଶୁଭେନ୍ଦ୍ର ସେଇଠି ଅବତରଣ କଲେ । ମୁଁ ମଧ୍ୟ ସେଇ ଇନର୍ସିଆର ପ୍ରଭାବରେ ତାଙ୍କର ପିଛା ଧରିଲି ।

 

ଏକ୍‍ସପ୍ରେସ୍‍ ଆସିବାକୁ ଆହୁରି ଏକଘଣ୍ଟା ବାକୀ । ମୁଁ ଜାଣେ, ଏଇ ଏକ ଘଣ୍ଟା ଶହେ ଘଣ୍ଟାର ରୁକ୍ଷତା ନେଇ ଶେଷ ହେବ ।

 

ପାସେଞ୍ଜର ଟ୍ରେନ୍ ଷ୍ଟେସନ ଛାଡ଼ିଲା । ମୁଁ ଚାହିଁ ଦେଖୁଥିଲି ଗୋଟାଏ ବିରାଟ ପରିବାରର ଭାର ବହନ କରି ସେ ଜଡ଼ ପଦାର୍ଥଟା କିମିତି କୁନ୍ଥେଇ କୁନ୍ଥେଇ ଘନ ଘନ ଧୂମ ନିଃଶ୍ୱାସ ଛାଡ଼ି ଆଗକୁ ଯିବାକୁ ଚେଷ୍ଟା କରୁଛି । ଆଉ ଆମେ ସେ ଭାର ସମ୍ଭାଳି ନ ପାରି ହାଲୁକା ହେବାପାଇଁ ଓହ୍ଲେଇ ଆସିଲୁ ।

 

ମୋର ବନ୍ଧୁ ଏହି ଛୋଟ ପ୍ଲାଟଫର୍ମର ଗୋଟିଏ ନିରୋଳା ଉପାନ୍ତରେ ବିମର୍ଷ ମନରେ ନୀରବ ହୋଇ ବସି ରହିଲେ । ଯେପରି ଏକ୍‍ସପ୍ରେସ୍‍ ଆଶୁ ଆଗମନ ପାଇଁ ଧ୍ୟାନମଗ୍ନ ଚିତ୍ତରେ ନୀରବ ପ୍ରାର୍ଥନା କରୁଛନ୍ତି !

 

ମୁଁ ଏପାଖ ସେପାଖ ମନ୍ଥର ପଦଚାରଣା କରି “ଦୃଷ୍ଟି ଓ ଦୃଶ୍ୟ” ଉପଭୋଗ କରୁଥିବାବେଳେ ଶୁଣିବାକୁ ପାଇଲି—ଏକ୍‍ସପ୍ରେସ୍‍ ଏ ଷ୍ଟେସନରେ ରହେ ନାହିଁ !

Image

 

ଦୁର୍ଯୋଗ ଯୋଗ

 

ହରିବାବୁ କଳାହାଣ୍ଡି କଲେକ୍ଟରେଟରେ ଚାକିରୀ କରନ୍ତି । ଆଜିକାଲି କିରାଣୀମାନଙ୍କ ବିଷୟରେ ଯାହା ଶୁଣାଯାଏ ସେ ତାହା ଭିତରେ ନ ଥାନ୍ତି । ଲାଞ୍ଚମିଛରେ ତାଙ୍କର ଆଦୌ ପ୍ରଲୋଭନ ନାହିଁ । ଭାରି ଦୟାବାନ୍ । ତାଙ୍କର ନିର୍ଲୋଭପଣିଆ ଦେଖି ସହକର୍ମୀମାନେ କହନ୍ତି ୟାଙ୍କର କିରାଣୀ ହେବାର ଯୋଗ୍ୟତା ନାହିଁ ।

 

ୟେ ହେଲା ଅଫିସ କଥା । ଘର କଥା ଏବେ ଶୁଣନ୍ତୁ, ଘରଣୀ ଆସିଲେଣି ବାରବର୍ଷ ହେଲା । ପୁଅ ଗୋଟିଏ । ବୟସ ତାର ଦଶ । ଆଗକୁ ଆଉ କିଛିର ଆଶା ନାହିଁ କିମ୍ବା ଆଶା କରି ନାହାନ୍ତି । ଘରଣୀ ଟିକିଏ ଭିନ୍ନ ଧରଣର, ସେ ଆସିଛନ୍ତି ଟିକିଏ ଧନୀଘରୁ । ସେଥିପାଇଁ ବିଭିନ୍ନ କଥାରେ ତାଙ୍କ ବାପଘର କିମ୍ବା ବନ୍ଧୁବାନ୍ଧବଙ୍କ ଘରକୁ ନକରି ଦିଅନ୍ତି । କଥା ପ୍ରସଙ୍ଗରେ ହରିବାବୁ, ଯେତେବେଳେ ଘରଣୀଙ୍କ ବାପା, ଭାଇ ବା ଆଉ କାହାର କଥା କହନ୍ତି, କଥାଟା ଭଲ ବା ମନ୍ଦ ହେଉ ବୁଝିବାକୁ ଅପେକ୍ଷା ନ କରି ଘରଣୀ ପ୍ରତିବାଦ କରି ଉଠନ୍ତି । ପ୍ରତିବାଦ ତ ନୁହେଁ ତାକୁ ଏକ ପ୍ରକାର ଆକ୍ରମଣ କୁହାଯାଇପାରିବ । ଦୋଷ କିମ୍ବା ଦୁର୍ବଳତାକୁ ଅନ୍ଧଭାବରେ ଭଲ ପାଉଥିବା ବ୍ୟକ୍ତି ଅନେକ ସମୟରେ ଏହିପରି ଆକ୍ରମଣ ଚଳାଇ ଥାଆନ୍ତି । କାରଣ ସେ ଭଲ ପାଇବାରେ ମମତା ଅପେକ୍ଷା ବେଶି ଅଛି ଆସକ୍ତି । ହରିବାବୁ ପ୍ରଥମେ ପ୍ରଥମେ ଦୋଷ ଉଖୁରେଇ ଘରଣୀଙ୍କର ମଜା ଦେଖୁଥିଲେ । ଏବେ ଆଉ ଅକାରଣ ଶୁଖିଲା କାଠରୁ ପାଣି ବାହାର କରିବାକୁ ଇଚ୍ଛା କରନ୍ତି ନାହିଁ । ଘରଣୀଙ୍କ ପିତୃପୁରୁଷଙ୍କୁ କଥାପ୍ରସଙ୍ଗରେ ବି ଆଉ କେବେ ପକାଇ ନ ଥାନ୍ତି । ବର୍ତ୍ତମାନ ସେ ଏଥିପ୍ରତି ଯଥେଷ୍ଟ ଉଦାସୀନ ।

 

ହରିବାବୁଙ୍କ ବିଷୟରେ ଏତେସବୁ ଗପିବାର କଥା ହେଲା, ତାଙ୍କ ପାଖକୁ ଆଜି ଭୁବନେଶ୍ଵର ପାଖ ଏକ ଗାଁରୁ ଚିଠିଟାଏ ଆସିଛି, ମଉସା ଶଶୁରଙ୍କ ପାଖରୁ । ମଉସା ଶଶୁରମାନେ ଘରଣୀଙ୍କ ଖୋଦ ମଉସା । ଛି, ଏଡ଼େ ନିର୍ଲ୍ଲଜ ସେ ଚିଠିଟା ! ଧନୀ ଲୋକମାନଙ୍କର ମନଗୁଡ଼ାକ ଏଡ଼େ ଛୋଟ ! ଧନଟା ବାସ୍ତବରେ ମଣିଷ ଉପରେ ଗୋଟାଏ ମସ୍ତବଡ଼ ପଥର ମଡ଼ାଇ ନିଏ । ତେଣୁ ମଣିଷପଣିଆଟା ବାଟ ପାଏ ନାହିଁମୁକ୍ତି ପାଇବାକୁ । ଧନୀ ନିଜେ ଯେ କେବଳ ଜଡ଼ ପାଲଟି ଯାଏ ତା ନୁହେଁ, ତାର ସନ୍ତାନ-ସନ୍ତତିମାନେ ମଧ୍ୟ ଏହାଦ୍ୱାରା ସଂକ୍ରମିତ ହୋଇ ଅନୁଭବ ଶକ୍ତି ହରାଇ ବସନ୍ତି ।

 

ତେବେ ଦୁର୍ଭିକ୍ଷ ବେଳର ଏ ଚିଠିଟିର ବିଷୟବସ୍ତୁ ପ୍ରକାଶ କରେ ।

 

“ହରିବାବୁ,

 

ମୁଁ ଶୁଣିଛି, ସେଠାରେ ଲୋକମାନେ କୁଆଡ଼େ ଖାଇବାକୁ ନ ପାଇ ନିଜ ପୁଅ ଝିଅମାନଙ୍କୁ ବିକ୍ରୀକରି ଦେଉଛନ୍ତି । ଆମେ, ପୁଅ, ଚାକର ବିନା ବଡ଼ ହଇରାଣ ହେଉଛୁ । ଆମ ପାଇଁ ଗୋଟିଏ ଚାକର ପିଲା ବନ୍ଦୋବସ୍ତ କରି ଚିଠି ଦେବ । ଅନ୍ତତଃ ପାଣିଛୁଆଁ ଜାତିର ହୋଇଥିଲେ ଆହୁରି ଭଲ । କିଣିବା ପାଇଁ ଏବଂ ଆଣିବା ପାଇଁ ବାଟ ଖର୍ଚ୍ଚ ଆଦି କେତେ ପଡ଼ିବ ଜଣେଇଲେ ମୁଁ ଟଙ୍କା ପଠେଇବି । ଇତି ।

 

ତୁମର ମଉସା ।

 

କଳାହାଣ୍ଡିରେ ଦୁର୍ଭିକ୍ଷ ପଡ଼ିଛି । ଖାଦ୍ୟାଭାବରେ ଲୋକେ ଅସ୍ଥି କଙ୍କାଳସାର ହେଲେଣି । ତା ସାଙ୍ଗକୁ ପାଣିର ଅଭାବ ଲାଗି ରହିଛି । ଲୋକମାନେ କ’ଣ ଖାଉଛନ୍ତି ବା ପିଉଛନ୍ତି ନିଜ ଆଖିରେ ନ ଦେଖିଲେ ଜାଣିହେବ ନାହିଁ । ବଣ ଜଙ୍ଗଲର ଆଦିବାସୀମାନେ ଏଥିରେ ବିଶେଷ ପ୍ରପୀଡ଼ିତ । ଅନେକ ଗାଁରେ ସଭ୍ୟ ମଣିଷର କଅଁଳ ପାଦ ପଡ଼ିପାରେ ନାହିଁ । କାରଣ ତାଙ୍କ ଗାଡ଼ି ଯିବାପାଇଁ ରାସ୍ତା ଘାଟ ନାହିଁ । କଅଁଳା ଶିଶୁକୁ ଲଟିରେ ଫୋପାଡ଼ି ଦେଇ ବଡ଼ ପିଲାଟାକୁ ସାଙ୍ଗରେ ଧରି ମା’ ଚାଲି ଆସୁଛି ସହରକୁ । ବାପ ତ କେଉଁଦିନୁଁ କୁଆଡ଼େ ଯାଇଛି କାନତରାଟି କାମ କରିବାକୁ ଯେ ଫେରିଲା ନାହିଁ କି ପଇସାଟିଏ ପଠାଇଲା ନାହିଁ । ବଡ଼ ପିଲାଟିକୁ ସହରରେ କାହା ପାଖରେ ବିକିଦେଇ ଦି’ପଇସା ଧରି ମା’ ଅନ୍ୟତ୍ର ଚାଲି ଯାଇଛି ଆଉ ଦି’ଦିନ ବଞ୍ଚିଯିବା ପାଇଁ । ଏପରି କଥା ସବୁ ଖବର କାଗଜରେ ବାହାରୁଛି । ମଉସା ସେଥିପାଇଁ ଏ ଚିଠି ପଠାଇ ପାରିଛନ୍ତି ।

 

ହରିବାବୁଙ୍କର ମନ ହେଲା ମଉସା ହୁଅନ୍ତୁ ବା ଯେ କେହି ହୁଅନ୍ତୁ ଭଲ କରି ଦି’ପଦ ଶୁଣାଇ ଦେବାକୁ । ଆପଣ ହେଲେ ଶହେ ଦି’ଶହ ଟଙ୍କା ପଠାଇ ଦେଇଥାନ୍ତେ ଏ କାଳାଙ୍ଗ ପିଲାଗୁଡ଼ାକଙ୍କ ପାଇଁ । ଆପଣଙ୍କ ପାଖରେ ତ ଲକ୍ଷ ଲକ୍ଷ ଟଙ୍କା ରହିଛି । ଦୁର୍ଭିକ୍ଷ ସାହାଯ୍ୟ ପାଣ୍ଠି ବି ଦେଶରେ ଖୋଲା ଯାଇଛି । ରାଜ୍ୟପାଳ ବି ଏପରି ପାଣ୍ଠି କି ମୁକ୍ତହସ୍ତରେ ସାହାଯ୍ୟ କରିବାକୁ ନିବେଦନ ଜଣାଇଛନ୍ତି ।

 

ହରିବାବୁ ଜାଣନ୍ତି ମଉସାଙ୍କ ମୁକ୍ତହସ୍ତ କଥା । ଗାଁ ପାଖରେ ହାଇସ୍କୁଲଟାଏ ହେଲା ଯେ ଗୋଟାଏ ପଇସା ବି ସେ ହସ୍ତରୁ ଭୁଲରେ ସୁଦ୍ଧା ଖସି ପଡ଼ିଲା ନାହିଁ ଗାଁରେ କିଛି ଭଲ କାମ ହେଲେ ବହୁ କଷ୍ଟରେ କିଛି ଖସେ । ଦୁଃଖୀରଙ୍କୀକି ଭିକ ମୁଠେ ଦେବା ତାଙ୍କ ଜାତକରେ ନାହିଁ । ଏତେ ସଂପତ୍ତି ସେ ନିଜ ହାତରେ କୁଆଡ଼େ ଅର୍ଜିଛନ୍ତି । ଯେଉଁ ସମ୍ପତ୍ତି ଦୁଃଖୀରଙ୍କୀର ତଣ୍ଟିଚିପାରେ ବଢ଼ିବ, ତାହା କ’ଣ ସେମାନଙ୍କ ହାତକୁ ପୁଣି ବଢ଼ାଇ ଦିଆଯାଇପାରେ । କାହାପାଇଁ ଏତେ ସଞ୍ଚି ରଖିଛନ୍ତି କେଜାଣି । ପୁଅ ତ ଗୋଟିଏ । ଆଉ ଗୋଟିଏ ଝିଅ ଯେ, କାଲି ତାକୁ ଦି’ହାତ କରିଦେଲେ କାମ ସରିଲା । ଏଥିରେ ଏତେ ଧନ ମୋହ !

 

ସବୁ ବଡ଼ ଲୋକଙ୍କ ମନ ଏମିତି । ଅନ୍ୟର ଦୁର୍ଯ୍ୟୋଗବେଳେ ନିଜର ଫାଇଦା ଉଠାଇବା ଆଜି ଯେପରି ଏକ ବଡ଼ଲୋକୀ ଢ଼ଙ୍ଗ ହୋଇଗଲାଣି !

 

ହରିବାବୁଙ୍କ ବସାଘର ପାଖରେ ଗୋଟିଏ ମରୁଡ଼ି କୂଅ ଖୋଳା ହେଉଛି । ମରୁଡ଼ି କୂଅମାନେ ଦୁର୍ଭିକ୍ଷଗ୍ରସ୍ତ ଅଞ୍ଚଳରେ ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଖୋଳା ଯାଉଥିବା କୂଅ । ପ୍ରତି କୂଅ ପାଇଁ ସରକାର ମଞ୍ଜୁର କରିଛନ୍ତି ପାଞ୍ଚହଜାର ଟଙ୍କା । ସରକାରଙ୍କ ଉଦ୍ଦେଶ୍ୟ ପାଣିକି ପାଣି ମିଳିବ ଏବଂ ଲୋକେ କାମ ପାଇଁ ଟଙ୍କା ଅର୍ଜିବେ । ପାହାଡ଼ିଆ ଅଞ୍ଚଳରେ କୂଅ ଖୋଳାହେବ । ପ୍ରକୃତରେ ଏଥିରୁ ଟଙ୍କାଟାଏ ଊଣା ହେଲେ କୂଅ ହୋଇପାରିବ ନାହିଁ । କେଉଁ କୂଅ ୪୫/୫୦ ଫୁଟ୍‍ରୁ କମ ହେଲେ ପାଣି ପଡ଼ିବ ନାହିଁ । ପଥୁରିଆ ମାଟି । ସ୍ଥାନେ ସ୍ଥାନେ ପଥର ବି ଅଛି । କିନ୍ତୁ ଟଙ୍କାଟା କୁଆଡ଼େ ଯାଉଛି ଲକ୍ଷ କରନ୍ତୁ । ଏଥିରେ ମାଟି ଖୋଳିବାକୁ ଲାଗିଛନ୍ତି ଦୁର୍ଭିକ୍ଷଗ୍ରସ୍ତ ଅଞ୍ଚଳର ମୂଲିଆ ଛ’ଜଣ । ସେମାନେ ଦୂର ଗାଁରୁ ବଣଡ଼ିଙ୍ଗର ଡ଼େଇଁ ଆସିଛନ୍ତି ଟଙ୍କା ପାଇଁ । ଢ଼ୋକେ ପିଇ ଦଣ୍ଡେ ଜୀଇ ବଳକା ପଇସା ଘରକୁ ପଠେଇବ !

 

କିନ୍ତୁ ହରିବାବୁ ମୂଲିଆଙ୍କଠାରୁ ଯାହା ଶୁଣିଲେ ସେଥିରେ ଖୁସୀ ହୋଇ ପାରିଲେ ନାହିଁ । କାନତରାଟିର ଚୁକ୍ତି—୪୦ ଫୁଟ ଖୋଲିଲେ ମୂଳିଆମାନେ ପାଇବେ ୨୬୦ ଟଙ୍କା । ସେମାନେ ମାଗିଥିଲେ ଅନ୍ତତଃ ୩୦୦ ଟଙ୍କା । କିନ୍ତୁ କାନତରାଟି ନାହିଁ କରିଦେଲା । ଏ ନ’ଅଙ୍କ କାଳରେ ଏମାନେ ନ ଖୋଲିଲେ ଆଉ ଦଳେ ଆସି ୨୫୦ ଟଙ୍କାକୁ ବି ଖୋଲିବେ । ଏଥିରେ ଏମାନଙ୍କର ପେଟ ତ ପୂରିବ ନାହିଁ । ଏମାନେ କୋଡ଼ିଏ ଦିନ ହେଲା କାମ କଲେଣି । ପଥୁରିଆ ମାଟି । ଭାରି କଷ୍ଟ । ଦି’ପହର ନାହିଁ, ରାତି ନାହିଁ ମାଟି ଖୋଳୁଛନ୍ତି । ଦିନକୁ ହାରାହାରି ମଜୁରି ଜଣକୁ ପ୍ରାୟ ୭ ସୂକା । ସେଥିରେ ସେମାନେ ଏ ମହରଗରେ ଖାଇବେ କେତେ ? ଘରକୁ ପଠେଇବେ କେତେ ? କେବଳ ଭାତ ସାଙ୍ଗକୁ ଲୁଣ କିମ୍ବା ଗଛଛଡ଼ା ଆମ୍ବଟାଏ । ଏହି ଖାଦ୍ୟ ଖାଇ ସେମାନେ ମାସେ ହେଲା ଖୋଳୁଛନ୍ତି ମାଟି । ଆଜିକାଲି ହୁଏତ ଚାଳିଶ ଫୁଟ ହୋଇଯିବ ।

 

ଏହିପରି ଯଦି ଖର୍ଚ୍ଚ ହୁଏ, ଏକ ହଜାରରୁ କମରେ ହୁଏତ କୂଅ ଠିଆ ହୋଇଯିବ । କିନ୍ତୁ ଆଉ ଟଙ୍କା ?

 

କଣ୍ଟ୍ରାକ୍ଟର ପରି ଇମିତି କେତେ ମହାପାତ୍ର ଅଛନ୍ତି । କିଏ କୁଆଡ଼େ ମାରି ନେଉଛନ୍ତି ! ଚାଲିଛି ମହାପାତ୍ରଙ୍କ ଖେଳ ! ସାହାଯ୍ୟ ପାଇଁ ଖାଦ୍ୟ, ବସ୍ତ୍ର, ଟଙ୍କା ଯାହା ଆସୁଛି ସବୁ ଠିକ୍ ଲୋକଙ୍କ ପାଖରେ ପହଞ୍ଚୁଛି ବୋଲି କହିବା ସହଜ ନୁହେଁ । ମହାପାତ୍ରମାନଙ୍କ ଭିତରେ ଏବେ ତାଙ୍କ ମଉସା ବା ଜଣେ ହେଲେ !

 

ନା, ମଉସାଙ୍କ ପାଖକୁ କିଛି ନ ଲେଖି ସେ ତୁନୀ ରହିଯିବା ଭଲ । କଡ଼ାକରି ସାମାନ୍ୟ ଚିଠିଟାଏ ଦେଲେ କଣ ବା ଲାଭ ହେବ ? ତା’ପରେ ସେ ପଥର ଦେହରେ ଏ ଚିଠିର ପାଣି ଟୋପାକ କି କାମ ବା କରିବ ? ଘରଣୀଙ୍କି ଯେବେ ଏ ଚିଠି ପଢ଼ାନ୍ତି, ତାହାହେଲେ ସେ ଗୋଡ଼ଟେକି କାଲିକି କେଉଁଠୁ ପିଲାଟାଏ ଯୋଗାଡ଼ କରି ଚିଠି ଲେଖି ଦେବେ । ଦରକାର ପଡ଼ିଲେ ନିଜ ହାତରୁ ଟଙ୍କା ଦେଇ ବାଟ ଖର୍ଚ୍ଚ କରି ମଉସାଙ୍କ ପାଇଁ ଚାକର ଟୋକାଟାଏ ନିଜେ ନେଇ ଦେଇ ଆସିବେ । ଚିଠିଟା ନ ପଠେଇ ଚୁପ୍ ରହିଗଲେ ? ନା, ସେ ଯେବେ ମଉସାଙ୍କ ନିକଟରୁ କେବେ ଏ ଚିଠିର ସୁର୍ ଯାଆନ୍ତି, ତାହାହେଲେ ବି ନିସ୍ତାର ନାହିଁ । କଣ କରିବେ ? ମନ ସ୍ଥିର କରିବା ପାଇଁ ସେ ଖୋଳା ହେଉଥିବା କୂଅଆଡ଼େ ଘେରାଏ ବୁଲି ବାହାରିଲେ ।

 

“କୂଅରୁ ଆଜି ପାଣି ବାହାରିଲା, ବାବୁ !” ଶ୍ରମିକଟିଏ ଏତେ ଖୁସିରେ କହୁଛି ଯେ, ଜଣା ପଡ଼ୁଛି ତାର ଯେମିତି କିଛି ଦୁଃଖ ନାହିଁ କି ଅଭାବ ନାହିଁ । ଦିଜଣ ଶ୍ରମିକ କୂଅ ଭିତରେ ପାଣି ଚପ୍ ଚପ୍ ମାଟି ଖୋଳି ବାହାରକୁ ପଠଉଛନ୍ତି ଦଉଡ଼ି ସାହାଯ୍ୟରେ । ଅନେକ ଦିନୁ ସେମାନେ ଯେମିତି ଏହି ପାଣି ଖୋଜି ବାହାରିଥିଲେ ! ଆଉ ଆଜି ସେମାନେ କଲମ୍ବସ୍‍ର ଦଳ ହୋଇ ନୂତନ ଭୂଖଣ୍ଡରେ ପଦାର୍ପଣ କରିଛନ୍ତି ! ଅବା ଚେନଜିଂର ଦଳ ହୋଇ ପୃଥିବୀର ଉଚ୍ଚତମ ଶୃଙ୍ଗର ଶୀର୍ଷ ଦେଶରେ ପଦପାତ କରିଛନ୍ତି !

 

କୂଅରେ ଗୋଳିଆ ଲାଲ ପାଣି କିଛି ବାହାରିଛି । ତାହା ଏହି ଅର୍ଦ୍ଧଭୋଜୀ ଶ୍ରମିକମାନଙ୍କର ଲାଲ ରକ୍ତ ରୂପାନ୍ତରିତ ହୋଇ ଜଳ ପାଲଟିଛି ଯେପରି !

 

ଆଜିର ସଭ୍ୟତା ଏ ! ଦରିଦ୍ର ନିଃସ୍ୱର ରକ୍ତରେ ଗଢ଼ି ଉଠିଛି ଏ ସଭ୍ୟତା । ଅଟ୍ଟାଳିକା, ନଦୀବନ୍ଧ, କାରଖାନା ସବୁ ଆଜି ଶୁଭ୍ର ମସ୍ତକ ଟେକି ଉଭା ହୋଇଛନ୍ତି ଏହି ନିରନ୍ନ ଶ୍ରମିକର ଅସ୍ଥିମାଂସର କବର ଉପରେ ।

 

ହରିବାବୁଙ୍କ ମନ ସ୍ଥିର ହେବା ବଦଳରେ ଅଧିକ ଭାରାକ୍ରାନ୍ତ ହୋଇଉଠିଲା । ଛାର କିରାନୀଟାଏ ହୋଇ ଏତେ ସବୁ ବଡ଼ ବଡ଼ କଥା ଭାବିବାରେ ତାଙ୍କର ଅଧିକାର ଅଛି କି ନାହିଁ ତାଙ୍କର ସନ୍ଦେହ ! ସେ ଘରକୁ ଫେରିଲେ । ଘରେ ଯେବେ ଟିକିଏ ଶାନ୍ତି ମିଳେ !

 

“ହଇହେ, ଶୁଣୁଚ, ଚିଠି ଆସିଛି ।” ହରିବାବୁ ଘରେ ପଶୁ ପଶୁ କହିଲେ । ଘରଣୀ କହିଲେ—‘‘କିଛି ଶୁଭ ଖବର ବୋଲି ମୁହଁ କହି ଦେଉଛି ।” ହରିବାବୁ ହସି ହସି କହିଲେ—“ହଁ, ଏ ପ୍ରକାର ଶୁଭ, ମଉସା ଦେଇଛନ୍ତି, ନିଅ ପଢ଼ ।”

 

ଘରଣୀ ଚିଠି ପଢ଼ିସାରି ଯାହା ମନ୍ତବ୍ୟ ଦେଲେ ସେଥିରେ ହରିବାବୁ ଆଶ୍ଚର୍ଯ୍ୟ ହେଲେ ବେଶି । କାରଣ ବାପଘର, ବନ୍ଧୁଙ୍କ ଦୋଷ ସ୍ଵୀକାର ବାରବର୍ଷ ପରେ ତାଙ୍କର ଏଇ ହେଲା ପ୍ରଥମ । କହିଲେ—“ନାଇଁ ତା ହୋଇପାରିବ ନାହିଁ । ମଉସାଙ୍କ ଘରେ କୌଣସି ଚାକର ଚଳି ପାରିବ ନାହିଁ-।” ସୁଯୋଗ ପାଇ ହରିବାବୁ କହିଲେ— “ନା, ଚାକର ଟୋକାଟାଏ ନ ପଠେଇଲେ ନ ହୁଏ । ମଉସା ଲେଖିଛନ୍ତି ଯେତେବେଳେ ତାଙ୍କର ଭାରି ଅସୁବିଧା ହେଉଥିବ ।” ଘରଣୀ କହିଲେ— “ତାଙ୍କ ଘରେ ଗଣ୍ଡା ଗଣ୍ଡା ଚାକର ରହି ଚାଲି ଯାଇଛନ୍ତି । ଧନ ଥିଲେ କଣ ହେବ ? ମନ ନାହିଁ । ଚାକର ହେଲେ ମଧ୍ୟ ମଣିଷ ତ । ତାଙ୍କୁ ଟିକିଏ ଆଦର, ସ୍ନେହ ନ ଦେଖେଇଲେ ସେ ରହିବେ କୁଆଡ଼େ ?”

 

ହରିବାବୁ କହିଲେ— “ତେବେ ଏ ଆଡ଼ର ପିଲାଟିଏ ରହିଲେ, ସେ ତ ଆଉ ଏତେ ଦୂରବାଟକୁ ପଳାଇ ଆସି ପାରିବ ନାହିଁ ।” ଘରଣୀ କହିଲେ—“ଛି, ଦେଖୁଛ, ଏଠାର ପିଲାଗୁଡ଼ାକ କେତେ ସରଳ ! ଆଜି କାଲି ମହରଗ ପଡ଼ିଛି ବୋଲି ଏପରି ବିକାକିଣା ଚାଲିଛି । କାଲି ଯେତେବେଳେ ଦୁର୍ଭିକ୍ଷ ଚାଲିଯିବ, ସେତେବେଳେ ସେମାନେ ତାଙ୍କର ବାପ, ମା, ଜ୍ଞାତି ଖୋଜି ବୁଲିଲେ, କିଏ ତାକୁ ଆଣିଦେବ ? ତାଙ୍କ ଆଖିର ଲୁହ କିଏ ସମ୍ଭାଳିବ ? କେତେ ସ୍ନେହ କାଙ୍ଗାଳ ପିଲାଗୁଡ଼ାକ ! ତୁମକୁ ମୋ ରାଣ ! ଏ ଦୁର୍ଭିକ୍ଷର ସୁଯୋଗ ଦେଇ ତୁମେ ମଉସାଙ୍କୁ ସାହାଯ୍ୟ କରନାହିଁ । ଆଜି ଏମାନେ କାଙ୍ଗାଳ ହେଲେ ବୋଲି ତାଙ୍କ ବାପ, ମା, ଜନ୍ମମାଟି କୋଳରୁ ଛଡ଼ାଇ ନେବାପାଇଁ, ତାଙ୍କର ବିବେକ ଟିକିଏ ବାଧା ଦେଲା ନାହିଁ ? କାହିଁ, ୟାଙ୍କ ପ୍ରତି ଯେବେ ଏତେ ଦୟା, ତେବେ ଦଶ କୋଡ଼ିଏ ଟଙ୍କା ସାହାଯ୍ୟ ପଠାଇ ଦେଲେନି ? ସେମାନେ ସବୁ ସୁବିଧାବାଦୀ । ଅରକ୍ଷ ପିଲାଗୁଡ଼ାଙ୍କୁ ଦେଖିଲେ ଆଖିରୁ ଲୁହଧାର ଗଡ଼ୁଛି ! ତେଣେ ସେମାନେ ଏହାର ସୁବିଧା ନେବାପାଇଁ ବସିଛନ୍ତି !”

 

ସତକୁ ସତ ଏତକ କହି ଘରଣୀ କାନ୍ଦି ପକାଇଲେ । ଦୁର୍ଭିକ୍ଷ ପଡ଼ିଲାଦିନୁ ସେ କିମିତିକା ବଦଳିଲା ପରି ଦିଶୁଥିଲେ । ଆଜି ତା ଜଣା ପଡ଼ିଲା । ଘରଣୀଙ୍କର ସ୍ନେହସିକ୍ତ ଆଖିରେ ଆଉ ଟିକିଏ ଏ ପ୍ରୀତିର ଲୁହ ଦେଖିବା ପାଇଁ ହରିବାବୁକହିଲେ—‘‘ଆଚ୍ଛା, ମଉସାଙ୍କ କଥା ଛାଡ଼ । ତୁମ ବାପାଙ୍କ ଘରେ ତ ଚାକର ପିଲାଟାଏ ନାହିଁ ବୋଲି ବଡ଼ ହଇରାଣ ହେଉଛନ୍ତି ।’’ ଏହି ସୁଯୋଗରେ ଏଠାରୁ ଗୋଟିଏ ପିଲା କିଣି ପଠାଇଦେଲେ ହୁଅନ୍ତାନି ?” ସତକୁ ସତ ଘରଣୀ ଅଧିକ କାନ୍ଦି ପକାଇ କହିଲେ—“ନାଇ, ଏଠାରେ ଶାନ୍ତ ଆଦିବାସୀ ପିଲାଏ ସେଠାକାର କୁଟିଳତା ଭିତରେ ପଶିପାରିବେ ନାହିଁ । ଏମାନେ ବଣ ଜଙ୍ଗଲର ପଶୁପକ୍ଷମାନଙ୍କ ପରି ଦୁଃଖରେ ବି ମୁହଁରେ ହସ ଫୁଟାଇ ମୁକ୍ତ ଜୀବନଯାପନ କରୁଛନ୍ତି । ଏମାନଙ୍କୁ ତେଣେ ପଠାଇ ତାଙ୍କର ଆନନ୍ଦ ଟିକେ ଲିଭାଇ ଦେଲେ କ’ଣ ପାପ ହେବନାହିଁ ?”

 

ହରିବାବୁ କହିଲେ—“ତାହାହେଲେ ମଉସାଙ୍କ ପାଖକୁ କ’ଣ ଚିଠି ଲେଖିବି ?” ଘରଣୀ କହିଲେ— “ତୁମେ କିଛି ଲେଖିବା ଦରକାର ନାହିଁ । ମୁଁ ତାର ଉତ୍ତର ଦେଉଛି ।”

 

ଘରଣୀଙ୍କର ଏପରି ମନୋବୃତ୍ତିରେ ହରିବାବୁଙ୍କ ଆଖିରେ ଲୁହ ଦେଖାଗଲା । ସେ ଲୁହ ଥିଲା ସହାନୁଭୂତି ଆଉ ପ୍ରଶାନ୍ତିର । ମୁଗ୍ଧ ହୋଇ ହରିବାବୁ ଘରଣୀଙ୍କ ମୁହଁକୁ ଚାହିଁ ରହିଲେ—ଦେଖିଲେ, ଶାନ୍ତି ରୂପେଣ, ପ୍ରୀତି ରୂପେଣ ଏବଂ ମାତୃ ରୂପେଣ ସଂସ୍ଥିତା ଏକ କମନୀୟ ନାରୀମୂର୍ତ୍ତି ତାଙ୍କର ସମ୍ମୁଖରେ ଉଭା ହୋଇଛନ୍ତି !

Image

 

ଅପରିଶୋଧନୀୟା

 

ସେ କହନ୍ତି—ତାଙ୍କୁ କେହି ଭଲପାଇ ନାହାନ୍ତି । ବାହାରେ ତ ନୁହେଁ, ଘରେ ବି ନୁହେଁ । ଯଥାର୍ଥ ଭଲ ପାଇବା ଯାହାକୁ କୁହାଯାଏ, ସେ ପ୍ରକାର ପଦାର୍ଥ ଠାରୁ ତାଙ୍କୁ ସମସ୍ତେ ଦୂରେଇ ରଖିଛନ୍ତି । ଗୋଟାଏ କୂଅକୁ ଆମେ ଭଲପାଉ । କାରଣ ତା ପାଣି ଆମ କାମରେ ଲାଗେ । ଅବଶ୍ୟ ଯେବେ ସେ ପାଣି ଅନ୍ତତଃ ଚଳନୀୟ ଭାବେ ମଧୁର ହୋଇଥାଏ ଏବଂ ଯେଉଁମାନେ ତାକୁ ଭଲପାଆନ୍ତି ବୋଲି ଦାବୀ କରି ପାରନ୍ତି, ବରଂ କୁହାଯାଇପାରେ ସେମାନେ ତାର ଜଳ ସମ୍ଭାରକୁ ଭଲ ପାଆନ୍ତି । ଏଥକୁ କ’ଣ ବୁଝାଯାଇ ପାରେ ଯେ ସେମାନେ କୂଅଟିକୁ ସାମଗ୍ରିକ ଭାବେ ଭଲ ପାଆନ୍ତି ବୋଲି ? ସେମାନେ କେବେ କ’ଣ ଚେଷ୍ଟା କରିଛନ୍ତି ତାର ଗଭୀରତା କେତେ ମାପିବାକୁ ? ତାର ନିମ୍ନଭାଗ ପର୍ଯ୍ୟନ୍ତ ଡୁବିଯାଇ ସେଠାରେ ଥିବା ପଙ୍କକୁ ଆଲୋଡ଼ନ କରିବାକୁ ?

 

ଏ ପ୍ରକାର ଗଭୀରେଇ ଭଲ ପାଇବାକୁ ଥରେ ଜଣେ ଚେଷ୍ଟା ଚଳାଇ ଥିଲେ । କିନ୍ତୁ ହାୟ ! ଗଭୀରତାର ଅଧାଯାଏଁ ନିମଜ୍ଜି ଅଣନିଃଶ୍ଵାସୀ ହୋଇ ଉଠିବାରୁ ଉଦ୍ୟମ ବନ୍ଦ କରିଦେଲେ ! ଭଲ ପାଇବାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରି ନ ନେଇ ଭାବିଲେ ସେହି ଅପୂର୍ଣ୍ଣତା ମଧ୍ୟରେ ପରିତୁଷ୍ଟ ରହିବାକୁ । ଅଥଚ ସେଥିରେ ତାଙ୍କର ଗର୍ବ ଯେ-ସେ ଭଲପାଇ ପାରିଛନ୍ତି ! କେତେ ଅପୂର୍ଣ୍ଣ ସେ ଭଲ ପାଇବା ! ଏତେବଡ଼ ଅସମର୍ଥତା ଧରି ଭଲ ପାଇବାର ଗୌରବ କେଡ଼େ ହାସ୍ୟାସ୍ପଦ ! ଆଉ ଥରେ ଆଉ ଜଣେ ଭଲ ପାଇବାର ପୁରୁଣା ସାର୍ଟିଫିକେଟ୍ ଖଣ୍ଡେଧରି ଚେଷ୍ଟା କରିଥିଲେ । କିନ୍ତୁ ପଙ୍କ ଆଶଂକା କରି ସେ ପଛଘୁଞ୍ଚା ଦେଲେ ।

 

ତଥାପି ଯେଉଁମାନେ ତାଙ୍କୁ ଭଲପାଇବାର ସୂଚନା ଦେଇଛନ୍ତି—ତାହା ସାମାନ୍ୟତମ ହେଉନା କାହିଁକି, ସେମାନଙ୍କ ନିକଟରେ ସେ ଋଣୀ । ଏପରିକି ଭଲ ପାଇବାର ଛଳନା ମଧ୍ୟରେ ବି ଏକ ଶକ୍ତି ରହିଛି, ଯାହା ଅପର ବ୍ୟକ୍ତିଠାରେ ଗୋଟାଏ ପ୍ରଭାବଶାଳୀ ଦାଗ ରଖିଯାଏ ।

 

ସେଦିନ ସେ ଋଣ ପରିଶୋଧ କରିପାରିବାର ସମର୍ଥଭାବ ଧରି ବସରେ ଫେରୁଥାନ୍ତି । ବସ ଭିତରେ ଭିଡ଼ଲାଗି ରହିଥାଏ । ଅଧଘଣ୍ଟାଏ ଠିଆ ରହି ଯାତ୍ରା କରିବା ପରେ ଯେତେବେଳେ ପଛ ଧାଡ଼ିରେ ଗୋଟାଏ ସିଟ୍ ଖାଲି ହେଲା । ସେତେବେଳେ ସେ ବିନା ସଂକୋଚରେ ସେଠାକୁ ଯାଇ ବସି ପଡ଼ିଲେ ଯଦିଓ ତାଙ୍କୁ ଜଣେ ନାରୀଙ୍କୁ ସ୍ପର୍ଶ କରି ଆସନ ଗ୍ରହଣ କରିବାକୁ ପଡ଼ିଲା । ସମାଜବାଦୀ ଯୁଗରେ ବସରୁ ଉପର ତଳ ଶ୍ରେଣୀ ଉଠିଗଲା ପରେ ଏବଂ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ଆସନ ବ୍ୟବସ୍ଥା ଉଠିଗଲା ପରେ ମଣିଷ ଆଉ ମଣିଷର ମନ ଭିତରେ ସମାଜବାଦର ଆନ୍ଦୋଳନ ଦେଖା ଦେଇଛି । ତେଣୁ ତାଙ୍କୁ ଲାଗି ବସିଥିବା ନାରୀଙ୍କ ମନରେ ଏ ପ୍ରକାର ଆନ୍ଦୋଳନ ସ୍ଵାଭାବିକ୍ ।

 

ଯେଉଁ ମହିଳାଙ୍କ ଦେହକୁ ଲାଗି ତାଙ୍କୁ ବସିବାକୁ ହେଲା, ତାଙ୍କ ବିଷୟରେ ଯତ୍‍କିଞ୍ଚିତ୍ ଆଭାସ ଦେବା ଦରକାର ପଡ଼ୁଛି । ଯେ ନିତାନ୍ତ ମଫସଲୀ, ଅଶିକ୍ଷିତା ଆଉ ଗୋଲାଣୀ । ନାକରେ ଗୋଟିଏ ରୂପାଫୁଲ ଦାରିଦ୍ର୍ୟ ଫୁଟାଇଛି । କାନ ନିରାଭରଣ, କିନ୍ତୁ ଦାରିଦ୍ର୍ୟ ପ୍ରକାଶ କରିବା ପାଇଁ କାନ ଦ୍ଵୟର ନରମ ଅଂଶରେ ଅଳଙ୍କାର ନିମିତ୍ତ ଛିଦ୍ର ସୁସ୍ପଷ୍ଟ । ବୟସ କୋଡ଼ିଏ ଡେଇଁବ ନାହିଁ । ଶସ୍ତା ମର୍ସରାଇଜ୍ ନୀଳ ଶାଢ଼ୀଟିଏ ପରିଧାନ । ବ୍ଲାଉଜ୍ ନାହିଁ । ଏକ ମାତ୍ର ପୁତ୍ର ସନ୍ତାନଟି କୋଳରେ ଖାଦ୍ୟ ସନ୍ଧାନ କରୁଛି । ସନ୍ତାନ ପ୍ରେମରେ ବିଚାରୀ ଛାତିର ସୌନ୍ଦର୍ଯ୍ୟକୁ ସଂପୂର୍ଣ୍ଣ ଅବହେଳା କରି ସାରିଲାଣି । ବର୍ଣ୍ଣକଳା । ପତଳା ସ୍ଵାସ୍ଥ୍ୟ । ଗାଲ ପଶି ସାରିଲାଣି । ସୌନ୍ଦର୍ଯ୍ୟ ପାଇଁ ଦେହର କୌଣସି ସ୍ଥାନକୁ ତାଲିକାଭୁକ୍ତ କରାଯାଇ ପାରିବ ନାହିଁ । କିନ୍ତୁ ସ୍ନେହଶୀଳା, ପ୍ରେମଶୀଳା ବି । କେବଳ ଆଖି ଦୁଇଟାରେ ସାମାନ୍ୟ କୁହୁକର ସ୍ପର୍ଶ ରହିଛି । ସେଇତକ ମାତ୍ର ସଂପଦ ଧରି ସେ ଅନ୍ୟକୁ ଆକର୍ଷଣ କରିବାକୁ ଯାହା କିଛି ସାହସ ବାନ୍ଧି ପାରନ୍ତି ।

 

ଏଇ ଭଳି ଏକ ମହିଳାଙ୍କ ତନୁ ସ୍ପର୍ଶ କରି ବସିଲେ କୌଣସି ପୁରୁଷଙ୍କର ଯେ କିଛି ବିକାର ଜନ୍ନିବ ଏ କଥା କଳ୍ପନା ସୁଦ୍ଧା କରିବା ସମ୍ଭବ ନୁହେଁ । ତେଣୁ ସେ ବିନା ଭାବାନ୍ତରରେ ଉକ୍ତ ମହିଳାଙ୍କ ସମୀପରେ ବସିଗଲେ । କେବଳ ସଙ୍କୋଚ ଥିଲା—ଏତେ ବଡ଼ ରୂପବାନ୍ ଭଦ୍ର ଶିକ୍ଷିତ ଉଚ୍ଚ ସରକାରୀ କର୍ମଚାରୀ ହୋଇ ସେ ଏପରି ଜଣେ ଅକିଞ୍ଚନା ନାରୀଙ୍କ ପାଖରେ ବସି ଯାତ୍ରା କରିବାର କମ୍ପ୍ଲେକ୍ସ ଜନିତ ଯାହା କିଛି ଅଶ୍ଵସ୍ତି ।

 

ଏହି କମ୍ପ୍ଳେକ୍‍ସ ତାଙ୍କୁ ଟିକିଏ ଦୂରେଇ ବସିବାକୁ ପ୍ରେରଣା ଦେଉଥିଲେ ମଧ୍ୟ ମହିଳା ଜଣକ ନିଜକୁ ଅଧିକ ବିସ୍ତାରଶୀଳ କରି ଦେଉଥିଲେ । ଫଳରେ ଦୂରେଇ ବସିବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା । କ୍ରମଶଃ ଦେଖାଗଲା ମହିଳା ଜଣକ ବେଶି ବେଶି ନିଜକୁ ପ୍ରସାରିତ କରୁଛନ୍ତି ଓ ଭଦ୍ରବ୍ୟକ୍ତି ବିଚରା ନାରୀଙ୍କର ଅବାଞ୍ଛିତ ଚାପାର ଯନ୍ତ୍ରଣା ଅନିଚ୍ଛାସହ ବରଣ କରି ଚାଲିଛନ୍ତି । ଉଦାର ଭଦ୍ରବ୍ୟକ୍ତି । ଭାବୁଛନ୍ତି—ଯଦି ଉଦ୍ଦେଶ୍ୟମୂଳକ ଭାବରେ ବିଚାରୀ ମଫସଲୀଆଣୀ ଏପରି ଅନୁପ୍ରବେଶ କରୁଥାଆନ୍ତି ତେବେ ବି କିଛି ପ୍ରତିରୋଧ କରାଯିବା ଉଚିତ ହେବ ନାହିଁ । କାରଣ ଏ ଭଳି ଏକ ଅହିଂସା ଆକ୍ରମଣରେ ଯଦି ଅସୁଖୀ ନାରୀଟି କିଛି ସୁଖାନୁଭବ କରୁଥାଏ । ତେବେ ତାକୁ ଉକ୍ତ ସୁଖରୁ ବଞ୍ଚି କରିବାର ନିଷ୍ଠୁରତା କାହିଁକି ପ୍ରଦର୍ଶନ କରାଯିବ ? ହେଉ ସହରୀ ବା ମଫସଲୀ, ଶିକ୍ଷିତା ବା ଅଶିକ୍ଷିତା, ସୁନ୍ଦରୀ ବା ଅସୁନ୍ଦରୀ ! ନାରୀ ତ ! କୈବିକ ଲାଳସା ସବୁ ନାରୀଠାରେ ସମାନ ! ଗୋଟାଏ ସୁନ୍ଦର ଶିକ୍ଷିତ ଅଭିଜାତ ଭଦ୍ରଲୋକର ଅଙ୍ଗସ୍ପର୍ଶ କରିବାର ସ୍ଵପ୍ନ ଯେବେ ତାର ଏଠି ସୁଲଭ ମୂଲ୍ୟରେ ରୂପାୟିତ ହେଉଛି । ତେବେ ନିଚ୍ଛକ ଆଦର୍ଶ ଓ ନୈତିକତା ଆଳରେ ଜଣକୁ ଏଥିରୁ ପ୍ରବଞ୍ଚିତ କରିବା କ’ଣ ସମୀଚୀନ ହେବ ?

 

ବିଚାରୀ କୁବ୍ଜା ! ଚନ୍ଦନକୁ ନିଜ ହାତରେ କୃଷ୍ଣଙ୍କର କମନୀୟ ତନୁରେ ବୋଲି ଟିକିଏ ଅଙ୍ଗସ୍ପର୍ଶ ପାଇବାକୁ ଯେଉଁ ଉତ୍କଣ୍ଠା ବହନ କରିଥିଲା, ସୁନ୍ଦରତମ ପୁରୁଷ ନିରାଶ କରିଥାନ୍ତେ କେଉଁ ବଡ଼ପଣ ନେଇ ?

 

ଭଦ୍ରବ୍ୟକ୍ତି ଛତ୍ରପୁରରେ ଗୋଟିଏ ଦିନ ବିତାଇ ଫେରୁଥିଲେ । ସେଠି ଜଣେ ତୈଲଙ୍ଗି ଛାତ୍ରୀଙ୍କ ଘରେ ତାଙ୍କୁ ଆତିଥ୍ୟ ଗ୍ରହଣ କରିବାକୁ ପଡ଼ିଥିଲା । ପରିବାରଟି ଭାରୀ ଗରିବ ହେଲେ ବି ମନ ଆଉ ହୃଦୟରେ ଅପୂର୍ବ ଧନାଢ଼୍ୟତା ଧରି ତାଙ୍କୁ ସତ୍କାର କରିଥିଲେ । ଛାତ୍ରୀଟିର ବାପ ପାଗଳ ହୋଇ ଚାକିରୀ ଛାଡ଼ି ବୁଲୁଛନ୍ତି । ମା ଟିୟୁସନ୍ ରୋଜଗାରରେ ପରିବାର ଚଳାଏ । କିନ୍ତୁ ସେ ଯେପରି ଆନ୍ତରିକ ଅନୁରାଗ ସହ ଆଭିଜାତ୍ୟପୂର୍ଣ୍ଣ ଖାଦ୍ୟ ସାମଗ୍ରୀ ଦ୍ଵାରା ସତ୍କାର କଲେ । ମନେହେଲା ସେ କେବଳ ଛାତ୍ରୀଟିର ମା’ ନୁହନ୍ତି । ତାଙ୍କ ନିଜର ମଧ୍ୟ ମା’ ଆଉ ସମଗ୍ର ବିଶ୍ଵବାସୀଙ୍କର ମଧ୍ୟ ମା’ ! ସେହି ଅନୁକ୍ରମେ ଛାତ୍ରୀଟି ହୋଇପଡ଼ିଲା ତାଙ୍କର ଭଗିନୀ ।

 

ଏଇଭଳି ଏକ ପାରିବାରିକ ପରିବେଶ ମଧ୍ୟରେ ଆପ୍ୟାୟିତ ହେଉଥିଲାବେଳେ ଛାତ୍ରୀଟିର ପଡ଼ୋଶୀ ଭାଉଜ ଆସି ପହଞ୍ଚିଗଲେ ହସ ହସ ମୁଖରେ । ବେଶ ସ୍ଥୂଳା ଆଉ ଗୌରୀ । କେଶବତୀ ଆଉ ସୁନ୍ଦରୀ ବି । ନାକର ଗୋଟିଏ ପାଖୁଡ଼ାରେ ସୁନାର ଗୋଟିଏ ଛୋଟ ଫୁଲ । ମୁଖ ଗଗନରେ ପ୍ରଭାତୀ ତାରା ଅବା ! ହସ ହସ ମୁଖରେ ସେମାନଙ୍କ ସହିତ ତୈଲଙ୍ଗୀ ଭାଷାରେ କ’ଣ କହି କହି ଅପରିଚିତ ଭଦ୍ରବ୍ୟକ୍ତିଙ୍କୁ ଆଖିର ଚାହାଣୀରେ ଆତ୍ମୀୟ କରି ପକାଉଥିଲେ ଜାଣି ଜାଣି ଅବା ଅଜାଣତରେ ଏବଂ କ୍ରମଶଃ ଆଗନ୍ତୁକଙ୍କର ଭାଉଜ ବି ହୋଇ ଯାଉଥିଲେ ! ପାରିବାରିକ ପରିବେଶ ମଧୁରତର ହୋଇ ଉଠୁଥିଲା ।

 

ଗୋରୀ ଭାଉଜ କ’ଣ ସାମାନ୍ୟ କହି ଫେରିବାକୁ ଆସିଥିଲେ କିନ୍ତୁ ଆଗନ୍ତୁକଙ୍କର ମଧୁର ମୁଖଭଙ୍ଗୀ ଓ ନୀରବ ମୃଦୁହାସରେ ମୁଗ୍ଧ ହୋଇ ବେଶ୍ କିଛି ବିଳମ୍ବରେ ଫେରିଲେ ।

 

ଭଦ୍ରବ୍ୟକ୍ତି ସଂପୂର୍ଣ ନବାଗତ ! ସଂପର୍କ ସେଇ କିଛିକ୍ଷଣ ହେଲା ଗଢ଼ି ଉଠିଛି । ଅଥଚ ଏତେ ଆତ୍ମୀୟତା ! ଏତେ ମଧୁରତା ! ସେମାନେ କାହିଁକି ଏତେ ଅନାବିଳ ପ୍ରୀତି ପ୍ରଦର୍ଶନ କରୁଛନ୍ତି ! କଣ ବା ସେମାନେ ପାଇବେ ଏହାଙ୍କଠାରୁ ! ପାଇବାର ଆଶା ନାହିଁ ଯାହାଠୁଁ, ତାଙ୍କୁ ଏତେ ଆପଣାର କରିବାରେ ଆବଶ୍ୟକତା କଣ ? ଏହି ଅନାଶକ୍ତ ଭଲ ପାଇବାର ତୀବ୍ରତା ସେ ସହ୍ୟ କରିପାରୁ ନାହାନ୍ତି ଯେପରି !

 

ଗୋରୀ ଭାଉଜ ପୁଣି ଆସିଗଲେ । ଏଥର ଭାରି ତର ତର ! ହାତରେ ଧରିଛନ୍ତି ତିରୁପତି ଠାକୁରଙ୍କର ପାନୀୟ ପ୍ରସାଦ । ପ୍ରଥମେ ଘରର ପିଲାମାନଙ୍କୁ କିଛି ପ୍ରସାଦ ଦେଇ ଆଗନ୍ତୁକଙ୍କ ଆଡ଼କୁ ମୁହାଁଇଲେ । ଜଣା ପଡ଼ୁଥିଲା—ସେ ପ୍ରକୃତରେ ଉକ୍ତ ଆଗନ୍ତୁକଙ୍କ ପାଇଁ ଏ ସପସ୍ତ ପ୍ରସାଦ ଧରି ଆସିଛନ୍ତି । ଅନ୍ୟମାନଙ୍କୁ ଦେବା ଖାଲି ବାହାନା ।

 

ମୁଖରେ ଭାଷା ନାହିଁ । କାରଣ ଆଗନ୍ତୁକଙ୍କ ପାଖରେ ତାହା ବିଦେଶୀ ଓ ଅବୋଧ୍ୟ । ତେଣୁ ଅନାବଶ୍ୟକ । ଆଗନ୍ତୁକ ଦେଖିଲେ ପ୍ରେମ ଗଦ୍ ଗଦ୍ ଚିତ୍ତରେ ଗୋଟିଏ ନାରୀ ତା ଠାକୁରଙ୍କ ପ୍ରସାଦ ମାଧ୍ୟମରେ ନିଜ ହୃଦୟର ନିବିଡ଼ତାରୁ କିଛି ଅର୍ପଣ କରିବାକୁ ଚାହେ । ଯଦିଓ ଠାକୁରଙ୍କ ପ୍ରସାଦ ଉପରେ ଆଗନ୍ତୁକଙ୍କର ବିଶେଷ ଆଗ୍ରହ ନ ଥିଲା । ତଥାପି ଗୋଟିଏ ପ୍ରେମୋଜ୍ଜ୍ୱଳ ହୃଦୟର ଭାବ ଗ୍ରହଣ କରିବାକୁ ସେ ହାତ ବଢ଼ାଇ ଦେଲେ ।

 

ନାରୀ ତାଙ୍କର ପ୍ରସାଦ ଅର୍ପଣ କାଳରେ ଭାବ ବିହଳ ହୋଇ ଉଠିଥିଲେ । ଆଗନ୍ତୁକଙ୍କ ଅଞ୍ଜଳି ତରଳ ପ୍ରସାଦରେ ପରିପୂର୍ଣ୍ଣ ହୋଇ ଉଠିଥିଲେ ମଧ୍ୟ ପ୍ରସାଦ ଢଳା ଚାଲିଥିଲା ତନ୍ନୟ ଚିତ୍ତରେ । ଆଗନ୍ତୁକଙ୍କର ଅଞ୍ଜଳି ଉଛୁଳି ପ୍ରସାଦ ଇତସ୍ତତଃ ଡାଳି ହେଲାପରେ ବି ଆଗନ୍ତୁକ ବା ସେ ଅଯାଚିତା ନାରୀ କେହି ଏହି ମୁହୂର୍ତ୍ତଠୁଁ ଦୂରେଇ ଯିବାକୁ ଚାହୁ ନଥିଲେ । ଆଗନ୍ତୁକ ଭାବୁଥିଲେ ଏହି ଅପରିଚିତା ତାଙ୍କଠୁଁ କଣ ବା ଆଶାକରି ଏତେଭାବ ବିତରଣ କରି ଚାଲିଛନ୍ତି । ନିଷ୍କାମ ପ୍ରେମରେ ବିହଳା ସେ ନାରୀ ଅଜାଡ଼ି ଚାଲିଥିଲେ ପରଶୋଧ କରି ନ ହେଲାଭଳି ଅନୁରାଗ । ମନୁଷ୍ୟ ଅନେକ ସମୟରେ ନିଜେ ଜାଣି ନ ପାରି ଅନ୍ୟ ମଣିଷ ଆଡ଼କୁ ଆକୃଷ୍ଟ ହୋଇଯାଏ । ତା ଭିତରେ ଥିବା ବିସ୍ତାରମୁଖୀ ପ୍ରବଣତା ତାକୁ ଏପରି ବିସ୍ତାରଶୀଳ କରିଦିଏ ବିଶ୍ୱ ପ୍ରାଙ୍ଗଣରେ ।

 

ଏହାପରେ କେତେକ ମଧୁମୟ ସ୍ମୃତିକୁ ପାଥେୟ କରି ଭଦ୍ରଲୋକ ଫେରୁଥିଲେ ବସରେ । ସନ୍ନିଧାନରେ କାମନା ଜଡ଼ିତ ଆଉ ଏକ କାମିନୀ । ଭଦ୍ରଲୋକ ଟିକିଏ ଦୂରେଇ ରହିବାକୁ ଘୁଞ୍ଚି ଆସୁଥିଲେ ବି ସେ ନାରୀ ପୁଣି ଲାଗି ଆସୁଥିଲେ । ସେ ଏପରି ଅଭିନୟ କରୁଥିଲେ ଯେପରି ଅନ୍ୟମାନଙ୍କୁ ଜଣାପଡ଼ିବ—ସ୍ଥାନ ଅଭାବରୁ ଏପରି କରିବାକୁ ସେ ବାଧ୍ୟ ହୋଇଛନ୍ତି । କିନ୍ତୁ ପରବର୍ତ୍ତୀ ଏକ ଘଟଣାରୁ ଭଦ୍ରଲୋକ ଜାଣିପାରିଲେ ନାରୀଙ୍କୁ ମନକଥା ।

 

କିଛି ସମୟ ପରେ କେତେଜଣ ଉଠିଲେ ବସ୍‍କୁ । ଭିଡ଼ ଅଧିକ ଜମିଗଲା । ଆଉ ଜଣେ ଅଶିକ୍ଷିତ ସନ୍ତାନବତୀ ଆସି ଯୁଟିଗଲେ ସେଠି । ଛୁଆଟିକୁ ଧରି ଠିଆହେବା ସମ୍ଭବ ନ ହେବାରୁ ନିର୍ବିକାର ଚିତ୍ତରେ ବସିପଡ଼ିଲେ ତଳେ ସେ ଦୁହିଁଙ୍କ ପାଦ ପାଖରେ । ପୂର୍ବୋକ୍ତା ନାରୀ ଜଣକ ସଚେତନ ହୋଇ ଭଦ୍ରଲୋକଙ୍କ ସ୍ପର୍ଶଠାରୁ ଦୂରେଇ ଗଲେ । ତାଙ୍କର ବିସ୍ତାରଶୀଳତା ହଠାତ୍ ସଂକୋଚଶୀଳ ହୋଇଗଲା ।

 

ଭଦ୍ରଲୋକ ବାରମ୍ବାର ଦୃଷ୍ଟିନିକ୍ଷେପ କରି ସେ ନାରୀଟିର ମନକୁ ବିଶ୍ଳେଷଣ କରୁଥିଲେ-। ଏହାଦ୍ୱାରା ଯେ ସେ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରୁଛନ୍ତି—ଏହା ସେ ମୋଟେ ଅନୁଭବ କରୁ ନଥିଲେ । କାରଣ ଅନୀତି ମଧ୍ୟକୁ ଟାଣିନେଲା ଭଳି କୌଣସି ବୈଶିଷ୍ଟ୍ୟ ସେ ନାରୀଙ୍କଠାରେ ନଥିଲା । ଭଦ୍ରବ୍ୟକ୍ତିଙ୍କ ଦୃଷ୍ଟିପାତ କିନ୍ତୁ ନାରୀଟିକୁ ବେଶ୍ ପ୍ରସନ୍ନ ରଖିଥିଲା ।

 

କିଛିଦୂର ପରେ ତଳେ ବସିଥିବା ନାରୀ ଓହ୍ଲାଇଗଲେ, ଆଉ ସଂକୋଚଶୀଳା କ୍ରମେ ପୁଣି ବିସ୍ତାରଶୀଳ ହୋଇ ଭଦ୍ରଲୋକଙ୍କ ଅଙ୍ଗଲଗା ହୋଇଗଲେ । ନାରୀଟିର ଏପରିପକ୍ୱ ମନଗହନରେ କି କି ଚିନ୍ତାସବୁ ପରିପକ୍ୱ ମାନସଧାରୀ ସେ ଭଦ୍ରବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଜାତ ହେଉଥିବ । ତାହା ଜାଣିବାକୁ ଚେଷ୍ଟାକରି ଭଦ୍ରବ୍ୟକ୍ତି କେତେକାଂଶରେ ବିଫଳ ବି ହେଉଥିଲେ । ଏକ ନିମ୍ନବିତ୍ତ ନାରୀ ନିଜର ହୀନମନ୍ୟତାକୁ ପ୍ରଶୟ ନ ଦେଇ ଉଚ୍ଚ ଶିକ୍ଷିତ ଭଦ୍ରବ୍ୟକ୍ତିଙ୍କ ପାଇଁ ନିଜ ଅନ୍ତର ତଳେ ସୂକ୍ଷ୍ମ ଅନୁରାଗପୂର୍ଣ୍ଣ ଏକ ଆସନ ପାତି ବସୁଥିବ-ଏହା ତାଙ୍କ କଳ୍ପନାର ବହୁଦୂରରେ ଥିଲା ।

 

ଭଦ୍ରବ୍ୟକ୍ତି ଥିଲେ ମାନବତା ବାଦୀ । ତାଙ୍କ କଥାରେ, ମୁଖରେ, ଆଖିରେ, ମୋଟି ଭାବେ ତାଙ୍କ ଚେହେରାରେ ଭଲ ପାଇବାର ଏକ ସମ୍ମୋହନୀ ଥିଲା ବୋଧହୁଏ । ସେଥିପାଇଁ ସେ ଯେଉଁଠିକି ଯାଆନ୍ତି ସେଠି ତାଙ୍କୁ ଘେରି ପ୍ରେମର ଏକ ପରିବୃତ୍ତ ସୃଷ୍ଟି ହୋଇଯାଏ । ତାଙ୍କର ସାନ୍ନିଧ୍ୟ ପାଇଁ ଅନେକ ଆଗ୍ରହୀ ହୋଇ ଉଠନ୍ତି, କିନ୍ତୁ ତାଙ୍କର ଗର୍ଭକୁ ଲମ୍ଫ ଦେବାକୁ ସାହସ ବାନ୍ଧି ନାହାନ୍ତି କିଏ । ସତେ ଯେପରି ଗଭୀର କୂପ ମଧ୍ୟକୁ ଡେଇଁ ପଡ଼ିଲେ ଆଉ ସେଠୁ ପ୍ରାଣ ଧରି ଫେରି ଆସି ହେବ ନାହିଁ !

 

ଭଦ୍ର ବ୍ୟକ୍ତିଙ୍କର ଅବତରଣ ସ୍ଥାନ ନିକଟେଇ ଆସିଲା । ତାଙ୍କର ମନ ଭିତରେ ହଠାତ୍ ଗୋଟିଏ ଅଭାବବୋଧ ସେ ଅନୁଭବ କଲେ । ଶରୀର ପ୍ରତି ଶରୀରର ଯେଉଁଠି ଆକର୍ଷଣ ନ ଥାଏ, ସେଠି ଯେ ମନ ସହିତ ମନର ଆଦାନ ପ୍ରଦାନ ନ ଘଟେ, ତାହା ଅସ୍ୱୀକାର କରାଯାଇ ନ ପାରେ । ଭଦ୍ରବ୍ୟକ୍ତିଙ୍କ ଶରୀର ଉକ୍ତା ନାରୀଙ୍କ କ୍ରିୟାପ୍ରତି ପ୍ରତିକ୍ରିୟାଶୀଳ ନ ଥିଲେ ମଧ୍ୟ ମନର କେଉଁ ଗୋପନ କୋଣରେ କିଛି ଦୁର୍ବଳତା ସମ୍ଭବତଃ ସୃଷ୍ଟି ହୋଇ ଯାଇଥିଲା । ଅନେକ ସମୟରେ ଦେଖାଯାଏ, ମଣିଷ ସହିତ ମଣିଷର କଥାବାର୍ତ୍ତା ନ ହୋଇ ବି ବନ୍ଧୁତ୍ଵ ଜମିଯାଏ । ଆଖି ସହିତ ଆଖିର କଥା କୁହାଯାଏ ବୋଲି ପ୍ରବାଦ ଅଛି । କିନ୍ତୁ ସ୍ଥାନ ବିଶେଷରେ ଆଖି ଆଖିର ମିଳନ ନ ହୋଇ ମଧ୍ୟ ଭଲ ପାଇବା ଆରମ୍ଭ ହୋଇଯାଏ । ଶରୀର, ମନ, ଶିକ୍ଷା, ବୟସ, ଜାତି, ଭାଷାର କୌଣସି ସାମ୍ୟ ନ ଥାଇ ମଧ୍ୟ ଏ ଭଲ ପାଇବା ଜନ୍ମଲାଭ କରେ । ସେମିତି କିଛି ଏଠି ଏହି ଦୁଇ ଅସ୍ଥାୟୀ ପଡ଼ୋଶୀଙ୍କ ଭିତରେ ଜନ୍ମଲାଭ କରିଥିବା ଅସମ୍ଭବ ନୁହେଁ ।

 

ଭଦ୍ରଲୋକଙ୍କ ଅବତରଣ ସ୍ଥାନରେ ବସ୍ ଅଟକିଲା । ସାନ୍ନିଧ୍ୟର ଶେଷ ଚିହ୍ନି ସ୍ୱରୂପ ଗୋଟାଏ ଖୋଲା ଦୃଷ୍ଟି ନିକ୍ଷେପ କରି ଭଦ୍ରଲୋକ ଯେ ନାରୀଙ୍କଠାରୁ ବିଦାୟ ନେଲେ । ନାରୀଙ୍କ ମନଭିତରେ କେତେବଡ଼ ଶ୍ୱନ୍ୟତା ସୃଷ୍ଟି ହେଲି ତାହା ଅନୁଧ୍ୟାନ କରିବାକୁ ସେ ଆଉ ପଛକୁ ଚାହିଁଲେ ନାହିଁ । ନାରୀଙ୍କ କୋଳରେ କିଆକନ୍ଦା ଖାଇବାକୁ ଝୁଲୁଥିବା ଶିଶୁଟି କେବଳ ଏକ ଦୃଷ୍ଟିରେ ଅନାଇ ରହଥିବାର ସ୍ମୃତି ତାଙ୍କ ମନରେ ଉଁକି ମାରୁଥିଲା ।

 

ଭଦ୍ରଲୋକ ଜଣକ ପଛଧାଡ଼ିକୁ ଯାଇ ଅବତରଣ ପାଵଚ୍ଛରେ ପହଞ୍ଚିଲେଣି । ପଛ ସିଟ୍‍ରୁ ତାଙ୍କୁ କେହି ବାରମ୍ବାର ଡାକୁଛନ୍ତି । ଏ କଥା ଶୁଣି ପାରୁ ନାହାନ୍ତି । ପାଖରେ ଥିବା କ୍ଲିନର ଜଣକ ତାଙ୍କୁ ହାତରେ ହଲାଇ କହିଦେଲେ—“ପଛରେ ଜଣେ ସ୍ତ୍ରୀ ଲୋକ ତାଙ୍କୁ ଡାକୁଛନ୍ତି ।” ଭଦ୍ରଲୋକ ପଛକୁ ଚାହିଁ ଦେଖିଲେ—ସେହି ନାରୀ ଠିଆ ହୋଇ ତାଙ୍କୁ ୩୫ ପଇସା ଯାତ୍ରୀମାନଙ୍କ ମାଧ୍ୟମରେ ହସ୍ତାନ୍ତର କରି ଦେଉଛନ୍ତି । ଆଉ କହୁଛନ୍ତି । ତାଙ୍କ ପ୍ୟାଣ୍ଟ ପକେଟରୁ ଖସି ସେ ପଇସା ତାଙ୍କ ସିଟ୍‍ ରେ ପଡ଼ିଥିଲା ।

 

ମାତ୍ର ୩୫ ପଇସା ! ଭଦ୍ରବ୍ୟକ୍ତିଙ୍କ ପାଖରେ ସେ ପଇସାର ଅର୍ଥଗତ ମୂଲ୍ୟ ଅତି ସାମାନ୍ୟ । ହୁଏତ ସେହି ଦରିଦ୍ର ସଙ୍ଗନବତୀଟିର ପାଖରେ ଏତକ ଅଧିକ କିଛି କାମରେ ଲାଗି ପାରିଥାନ୍ତା । କେଉଁଠୁ କିଛି ପଇସା ପାଇଲେ ନିଜର କରି ନେବାକୁ ଲୋଭ ହୁଏ । କିନ୍ତୁ ଏହି ଦରିଦ୍ର ନାରୀ ଏତେ ନିଲୋଭତା ପ୍ରକାଶ କରୁଛି କିପରି ! ଯଥାର୍ଥ ପ୍ରେମ ପାଖରେ ଲୋଭ ଓ ସ୍ଵାର୍ଥ ଚିନ୍ତା ରହେ ନାହିଁ । କିନ୍ତୁ ଏହି ଅଶିକ୍ଷିତା, ନିମ୍ନବିତ୍ତା, ଅସୁନ୍ଦରୀ, ନିମ୍ନଜାତି ନାରୀଟି ପ୍ରେମର ମହୀୟାନ୍ ସମ୍ୱନ୍ଧରେ ଅଭିଞ୍ଜତା ଅର୍ଜନ କଲା କେଉଁଠୁ ?

 

ଭଦ୍ରଲୋକ ଏକଥା ଭାବୁଥିଲେ ଯେତିକି, ନାରୀଟିର ଅନ୍ତରର ସ୍ଵଚ୍ଛତା ନିକଟରେ ନିଜକୁ କ୍ଷୁଦ୍ର ମନେ କରୁଥିଲେ ସେତିକି । ଆଶ୍ଚର୍ଯ୍ୟ ଏ ନାରୀ ଜାତି ! ବାସ୍ତବରେ ନାରୀର ଚିତ୍ତ ଆଉ ପୁରୁଷର ଭାଗ୍ୟକୁ କଳନା କରିବାର ସାମର୍ଥ୍ୟ ଦେବତାଙ୍କର ବି ନାହିଁ ।

 

ବସ୍ ବାଲା ତର ତର ହେଲେଣି । ଓହ୍ଲେଇ ଯିବାକୁ ହେବ । ସେ ପଇସାତକରେ ଆଉ କିଛି ମିଶାଇ କୋଳରେ ଝୁଲୁଥିବା ହାତୀଟିକୁ ଫେରାଇ ଦେବାକୁ ତାଙ୍କର ଇଚ୍ଛା ହେଲା । ଲୋକେ କ’ଣ କିଛି ଖରାପ ଭାବିବେ ? ପ୍ରୀତିର ଏ ପ୍ରତି ଉପହାର ଯଥେଷ୍ଟ ହେବ କି ନାହିଁ ! ଏସବୁର ମୀସାଂସା କରିବାକୁ ବସ୍ ଅପେକ୍ଷା କଲାନାହିଁ । ୩୫ ପଇସାକୁ ଏକ ଚିରସ୍ମରଣୀୟ ସ୍ମୃତିରୂପେ ଧାରଣ କରି ମାନସିକ ଅବସ୍ଥାର ନ ଯଯୌ ନ ତସ୍ଥୌ ଅବସ୍ଥାରେ ଭଦ୍ରଲୋକ ବସ୍‍ରୁ ଅବତରଣ କଲେ ।

 

ସେ ଅପରିଶୋଧନୀୟା ନାରୀଟିକୁ ନିଜ ବକ୍ଷରେ ଧାରଣ କରି ଧନ୍ୟ ହେବାର ଗୌରବରେ ବସ୍‍ଟି ତାର ଗତି ଛୁଟାଇଲା ! ଭଦ୍ରଲୋକ ଚକ୍ଷୁ ଛଳ ଛଳ କରି ୩୫ ପଇସାକୁ ଅଶ୍ରୁମଗ୍ନ କଲେ । ଚୁମ୍ବନ ବି ଦେଲେ । ଭାବୁଥିଲେ ଏ ନାରୀଟି ତାଙ୍କୁ ସାରା ଜୀବନ ପାଇଁ ଋଣୀ କରିଦେଇ ଅନ୍ତର୍ହିତା ହୋଇଗଲା ! ତାକୁ ସେ ଆଉ ଜୀବନ ସରଣୀରେ ଭେଟିବେ ନାହିଁ, କି ମନର ବ୍ୟଥା ପ୍ରକାଶ କରି କୃତଜ୍ଞତା ଜଣାଇ ପାରିବେ ନାହିଁ । ହୃଦୟର ଗଭୀରତାକୁ ଆଲୋଡ଼ନ କରିଦେଇ ସେ ନାରୀ ଯେଉଁ ତୀବ୍ର ପ୍ରକ୍ଷେପଣଟି ଉତ୍ସର୍ଗ କରି ଦେଇଗଲା । ତାହା ଯେପରି ଚିରକାଳ ମନ୍ଥନ କରି ଚାଲାଥିବ ତାଙ୍କ ଅନ୍ତରକୁ ! ସେ ନାରୀ ବିଜୟିନୀ ହୋଇ ଚାଲିଗଲା ଗୋଟାଏ ପ୍ରେମୋଦ୍ଧତ ହୃଦୟକୁ ପରାଜୟର ଲାଞ୍ଛନାରେ ଚିର ଜର୍ଜ୍ଜରିତ କରି !

 

ତା’ପରେ ସେ ଅନେକ ସନ୍ତାନବତୀ ଦୁଃଖିନୀଙ୍କୁ କେତେ କ’ଣ ବିତରଣ କରିଛନ୍ତି । ତଥାପି ସେ ଅନୁଭବ କରନ୍ତି ସେ ୩୫ ପଇସା ଯେପରି ତାଙ୍କ ପାଖରେ ଚିରକାଳ ଗଚ୍ଛିତ ହୋଇ ରହିଛି । ଯେତେ ପରିଶୋଧ କଲେ ମଧ୍ୟ ତାହା ସେହିପରି ଅପରିଶୋଧନୀୟା ରହିଛି !

Image

 

ରାମନାମ ସତ୍ୟ

 

ଶୀତଋତୁରେ ଏକ ମଳିନ ଅପରାହ୍‍ଣ । ସୂର୍ଯ୍ୟଦେବ ପଶ୍ଚିମ ଜୀବନଯାପନ କରୁଛନ୍ତି । ଶୁଭକାନ୍ତ ତାଙ୍କର ଛୋଟ କୋଠରୀଟିରେ ବସି ଦର୍ଶନ ପୁସ୍ତକରେ ମନୋନିବେଶ କରିଥିଲେ । ସେ ମଧ୍ୟ ଜୀବନର ପଶ୍ଚିମରେ । ବାର୍ଦ୍ଧକ୍ୟ ତାଙ୍କୁ ମଳିନ କରିବାକୁ ଚେଷ୍ଟା କରୁଛି । ଛୋଟ ସହରଟିର ରାଜପଥରେ ଏକ ଶବଯାତ୍ରା ବାହାରିଲା । ବାହାରୁ ଶୁଭିଲା —“ରାମନାମ ସତ୍ୟ ।”

 

ଶୁଭକାନ୍ତଙ୍କ କୋଠରୀ ଭିତରୁ ନୀଲୁ ପାଟିକରି ଉଠିଲା— “ରାମନାମ ସତ୍ୟ ।” ଶୁଭକାନ୍ତ ଚଷମା କୋଣରେ ରାଜପଥକୁ ଚାହିଁ ଦେଖିଲେ ଶବଯାତ୍ରାର ଏକ ପଟୁଆର । ତାଙ୍କର ବି ମୃତ୍ୟୁ ନିକଟେଇ ଆସୁଛି । ମନଟା ଦବିଗଲା ଟିକିଏ ।

 

ସେ ତାଙ୍କର ପୂର୍ବ ଜୀବନରେ ଅନେକଥର ଏହି ଶବଯାତ୍ରା ଦେଖିଛନ୍ତି । ସେତେବେଳେ ସେ ସମ୍ପୂର୍ଣ୍ଣ ନିର୍ବିକାର ରହି ଆସିଥିଲେ । ସେ କହିଥିଲେ, ଶୈଶବ ଏବଂ ଯୌବନ ପରି ମୃତ୍ୟୁ ଜୀବନର ଗୋଟିଏ ଅବସ୍ଥା । ଯେପରି ପ୍ରାଣୀ ଦିବାକର୍ମ ଶେଷକରି ରାତ୍ରୀ ବିଶ୍ରାମ ଗ୍ରହଣ କରେ, ପୁଣି ପରଦିନର କର୍ମରେ ନବୀନ ଉତ୍ସାହ ଦେଖାଇବା ପାଇଁ, ଠିକ୍ ସେହିପରି ମୃତ୍ୟୁ ଆସେ ଜୀବ ପୁଣି ପରଜନ୍ମରେ ନୂତନ ଉତ୍ସାହରେ କର୍ମ କରି ଯିବା ପାଇଁ । ତେଣୁ ମରଣ ତାଙ୍କ ନିକଟରେ ହୁଏ ଅମରତ୍ୱର ପାବଚ୍ଛ, ଅମୃତର ସୋପାନ ।

 

ଶୁଭକାନ୍ତଙ୍କର ବୟସ ବର୍ତ୍ତମାନ ଷାଠିଏ । ଏକ ବେସରକାରୀ ହାଇସ୍କୁଲରେ ତିରିଶ ବର୍ଷରୁ ଅଧିକ ସମୟ ଶିକ୍ଷକତା କରି ଯେ ବର୍ତ୍ତମାନ ତାଙ୍କର ଜନ୍ମଭୂମିକୁ ଫେରି ଆସିଛନ୍ତି । ସେହି ଜନ୍ମଭୂମି ଆଜି ମାନେ ହେଉଛି, ଯେପରି ତାହା ଏକ ମୃତ୍ୟୁଭୂମି । ସେଇଠି ତାଙ୍କର ବାପ, ମା, ପୂର୍ବପୁରୁଷ ମରିଛନ୍ତି । କେତେ ବାଲ୍ୟସାଥୀ, କେତେ ଗୁରୁ ସ୍ଥାନୀୟ ବ୍ୟକ୍ତି ଏହାର ଭିତରେ ମରିଗଲେଣି । ତାଙ୍କର ସହଧର୍ମିଣୀ ମଧ୍ୟ ତାଙ୍କୁ ପଚିଶ ବର୍ଷ ହେଲା ଛାଡ଼ି ଚାଲି ଯାଇଛନ୍ତି ଏହି ଭୂମିରେ । ଯାହା ଜନ୍ମଭୂମି, ତାହାହିଁ ମୃତ୍ୟୁଭୂମି । ଜନ୍ମ ଓ ମୃତ୍ୟୁ ଜୀବନ-ପରିଧିରେ ଦୁଇଟି ବିନ୍ଦୁ । ଜନ୍ମବିନ୍ଦୁ ପାରି ହେଲେ ଆସେ ମୃତ୍ୟୁବିନ୍ଦୁ ଏବଂ ମୃତ୍ୟୁବିନ୍ଦୁ ପରେ ପୁଣି ଆସେ ଜନ୍ମବିନ୍ଦୁ । ଯେ ଏହି ଯାତ୍ରା ପରିଧି ଅତିକ୍ରମ କରେ, ତାର ଆଉ ଜନ୍ମ ନାହିଁ କୁ ମୃତ୍ୟୁ ନାହିଁ । ସେ ପରମ ପଦରେ ନିର୍ବାଣ ଲାଭକରେ ।

 

ମରିବା ଶବ୍ଦର ଅର୍ଥ ଗୁରୁତର ନୁହେଁ ବୋଲି ତାଙ୍କର ଧାରଣା ପିଲା ଦିନରୁ ବି ଥିଲା । ବୋଉ ଯେତେବେଳେ ମରିଯାଉଛି ବୋଲି କହି ଶୋଇପଡ଼ି ଆଖି ବୁଜି, ଦିଅନ୍ତି, ଶୁଭକାନ୍ତ ଭାବନ୍ତି ମରିଯିବା ଅର୍ଥ ଆଖି ବୁଜି ଶୋଇ ପଡ଼ିବା । ହସି ହସି ସେ ବୋଉଙ୍କର ଆଖିପତାକୁ ଆଙ୍ଗୁଠିରେ ମେଲାନ୍ତି । ତା’ ପରେ ବୋଉ ଉଠିପଡ଼ି ଶିଶୁ ଶୁଭକାନ୍ତଙ୍କୁ ଚୁମା ଦିଅନ୍ତି । କିନ୍ତୁ ଯେତେବେଳେ ତାଙ୍କର ବୋଉ ପ୍ରକୃତରେ ମରେ, ସେତେବେଳକୁ ସେ ବୁଝି ପାରିଲେ ମୃତ୍ୟୁ କେଡ଼େ ମର୍ମନ୍ତୁଦ । ବୁକୁ ଥରାଇ ବାହାରି ଆସୁଥିବା କୋହ ଓ ଲୁହକୁ ତାଙ୍କର ଦାର୍ଶନିକ ମନୋଭାବ ବଳରେ ଦମନ କରିବାକୁ ଚେଷ୍ଟାକରି ଅବଶ୍ୟ କେତେକ ପରିମାଣରେ ସଫଳ ହୋଇଥିଲେ । ତା’ ପରବର୍ତ୍ତୀ ଅନେକଙ୍କର ଏ ମୃତ୍ୟୁ ଏପରିକି ନିଜର ପିତା ଓ ପତ୍ନୀଙ୍କର ମୃତ୍ୟୁ ତାଙ୍କୁ ବିଶେଷଭାବେ ଅସ୍ଥିର କରିପାରି ନଥିଲା ।

 

ଗୋଟିଏ ବଲ୍‍କୁ ଯେତେ ଜୋରରେ ତଳେ ବାଡ଼େଇ ଦିଆଯାଏ, ସେତିକି ଜୋରରେ ସେ ଉପରକୁ ଉଠେ । ସେହିପରି ଶୁଭକାନ୍ତ ଯେତେ ଜୋରରେ ଏହି ମାନବ ସୁଲଭ ପ୍ରବୃତ୍ତିକୁ ଦମନ କରିବାକୁ ଚେଷ୍ଟାକଲେ, ପ୍ରବୃତ୍ତି ସେତିକି ଜୋରରେ ତାଙ୍କୁ ଅଥୟ କଲା । ସ୍ତ୍ରୀଙ୍କର ମୃତ୍ୟୁପରେ ସେ ଦୂର କର୍ମକ୍ଷେତ୍ରକୁ ଚାଲିଗଲେ, ପଛକୁ ଭୁଲିଯିବା ପାଇଁ । ସେତେବେଳେ ତାଙ୍କର ଏକମାତ୍ର ପୁତ୍ର ଦର୍ଶନ ଛାତ୍ର ଶିକ୍ଷା କ୍ଷେତ୍ରରୁ ଆସି ମା’ ଙ୍କର ଅନ୍ତେଷ୍ଟିକ୍ରିୟା ସମାପ୍ତ ପରେ ଶିକ୍ଷା କ୍ଷେତ୍ରକୁ ମଧ୍ୟ ଚାଲିଗଲେ ।

 

ପ୍ରିୟଜନଙ୍କର ମୃତ୍ୟୁ ମଝିରେ ମଝିରେ ଶୁଭକାନ୍ତଙ୍କୁ କିଛି ମୁହୂର୍ତ୍ତପାଇଁ ଅସ୍ଥିର କରୁଥିଲା । କିନ୍ତୁ ସେ ମୟାବର୍ଜିତ ହେବାକୁ ଚେଷ୍ଟା କରୁଥିଲେ । ହୃଦୟର ସ୍ନେହ ପ୍ରବଣତାକୁ ସେ ତାଙ୍କର ଅସଂଖ୍ୟ ଛାତ୍ରଙ୍କ ମଧ୍ୟରେ ବିତରଣ କରିବାକୁ ପ୍ରୟାସୀ ହେଉଥିଲେ । ତା’ ପରେ ଅବଚେତନ ମନର ଅଜ୍ଞାତ ପ୍ରେରଣାରେ ସେ ପୋଷିଲେ ଗୋଟିଏ କୁକୁର ଛୁଆ-ଟିପୁ । ସେ ବି ବୁଢ଼ା ହୋଇ ତାଙ୍କ ସାଥିରେ ଅଛି । ଆଉ ମଧ୍ୟ ସେ ପୋଷିଲେ ଗୋଟିଏ ଶିଶୁ ଚନ୍ଦନୀ ଶୁଆ । ନାଁ ଦେଲେ ନୀଲୁ-। ପନ୍ଦର ବର୍ଷରୁ ବେଶି ହେବ ଏମାନେ ତାଙ୍କ ସଙ୍ଗେ ରହି ଆସୁଛନ୍ତି ।

 

କର୍ମକ୍ଷେତ୍ରରେ ଶୁଭକାନ୍ତ ବିଶେଷ ଖ୍ୟାତି ଅର୍ଜ୍ଜନ କରି ପାରିଥିଲେ । ସେ ଥିଲେ ଜଣେ ଋଷିପ୍ରତିମ ଶିକ୍ଷକ, ପ୍ରାଚୀନ ଗୁରୁକୁଳର ଆଚାର୍ଯ୍ୟଙ୍କ ପରି । ନିର୍ଦ୍ଧିଷ୍ଟ ଶିକ୍ଷାଦାନ ବାହାରେ ସେ ଅନେକ ଉପଦେଶ ଦେଉଥିଲେ । ବ୍ରହ୍ମଚର୍ଯ୍ୟ ପାଳନର ନିୟମ ଓ ଉପକାରିତା ସମ୍ବନ୍ଧରେ ସେ ଆଲୋଚନା କରୁଥିଲେ । ଛାତ୍ରର ଚରିତ୍ର ଗଠନ ପାଇଁ ସେ ସର୍ବାଗ୍ରେ ଉଦ୍ୟମ କରୁଥିଲେ ।

 

ଅଧ୍ୟୟନ ଭିତରେ ସେ ନିଜକୁ ମଜ୍ଜେଇ ରଖନ୍ତି । ପଢ଼ୁ ପଢ଼ୁ ବା ଲେଖୁ ଲେଖୁ କେବେ କେବେ ଅଧରାତି ଗଡ଼ିଯାଏ । ଶୁଭକାନ୍ତଙ୍କ ମନଯୋଗ ଭାଙ୍ଗି ଦେବା ପାଇଁ ଟିପୁ ତାଙ୍କ ପାଖରୁ ବାହାରକୁ ଚାଲିଆସି ଦି ଚାରିଥର ତାର ‘ଭୋ’, ‘ଭୋ’, ସ୍ଵର ଲମ୍ବାଇ ଦିଏ । ନୀଲ ଜାଣିପାରେ ଟିପୁର ମନ । ସେ ଡାକେ—“ବାବା, ରାତି ହେଲାଣି, ଶୋଇପଡ଼ ।” ଶୁଭକାନ୍ତ ପଢ଼ା ଛାଡ଼ି ଶୋଇବାକୁ ଯାଆନ୍ତି ଅବଶ୍ୟ ବେଶି ରାତି ହୋଇ ଗଲାଣି ବୋଲି ନୁହେଁ, ଦୁଇଟି ପ୍ରାଣୀର ସ୍ନେହାନୁରୋଧକୁ ଏଡ଼ି ନ ପାରି ।

 

ସେ ଅନେକ ଥର ଚେଷ୍ଟା କରିଛନ୍ତି, ସଂସାରର ମାୟା ଛିଣ୍ଡାଇ ପଣ୍ଡିଚେରୀ ଆଶ୍ରମକୁ ଚାଲିଯିବା ପାଇଁ, ମାତ୍ର ପାରିନାହାନ୍ତି । ପଣସ ଅଠା ଭଳି ଏ ମାୟା । ଗୋଟିଏ ହାତରୁ ଅଠା ଛଡ଼ାଇବା ବେଳେ ଅନ୍ୟ ହାତରେ ଲାଗିଯାଏ । ପିତା, ମାତା, ସ୍ତ୍ରୀ ପ୍ରଭୃତିଙ୍କର ମାୟା ବନ୍ଧନରୁ ସେ ଅନେକ ଦିନ ହେଲା ମୁକ୍ତ ହେଲେଣି । ଜନ୍ମଭୂମିର ମାୟା ଏଡ଼ିବା ପାଇଁ ସେ ଦୂରେଇ ରହୁଛନ୍ତି । ପୁତ୍ର ବର୍ତ୍ତମାନ ଦର୍ଶନ ଅଧ୍ୟାପକ । ସେ ସପତ୍ନୀକ ବହୁଦୂରରେ ଭଲରେ ଅଛନ୍ତି । ସେମାନଙ୍କ ପାଇଁ ଭାବନା କରିବାରେ ତାଙ୍କର ଆଉ କି ଦରକାର ଅଛି ? ଏ ସମସ୍ତ ମୋହଠାରୁ ସେ ଦୂରେଇ ଯାଇଛନ୍ତି । କିନ୍ତୁ ଛାତ୍ରମାନଙ୍କର ଏବଂ ଦୁଇଟି ପୋଷା ପଶୁପକ୍ଷୀଙ୍କର ମାୟାରେ ସେ ଦିନକୁ ଦିନ ବାନ୍ଧି ହୋଇ ପଡ଼ୁଛନ୍ତି ଯେପରି ।

 

ଶୁଭକାନ୍ତ ଯେତେବେଳେ କୌଣସି ଦୂରୂହ ଚିନ୍ତାରେ ମଗ୍ନ ରହିଥାନ୍ତି କୌଣସି ଏକ ସମାଧାନ ପାଇଁ, ସେତେବେଳେ ନୀଲୁ କହିଉଠେ—“ବାବା, କ’ଣ ଭାବୁଛ ? ରାମନାମ ସତ୍ୟ—ଆଉ ସବୁ ମିଛ ।” ଯେତେବେଳେ ଶୁଭକାନ୍ତ ପଦ୍ମାସନରେ ବସି ମନ୍ତ୍ର ଉଚ୍ଚାରଣ କରୁ ଥାଆନ୍ତି, ସେତେବେଳେ ନୀଲୁ ଗାଏ— “ଓଁ ତତ୍ ସତ୍ ।” ପ୍ରାର୍ଥନା ଶେଷରେ ନୀଲୁ ଗାଏ “ନମୋ ନମଃ ।” ହଷ୍ଟେଲର ପୂଜାରୀ ଭାତ ତରକାରୀ ଆଣିଦେଲେ ସେ କହେ “ବାବା ଖାଅ ।”

 

ଶୁଭକାନ୍ତ ନୀଲୁ ଆଡ଼କୁ ଅଧିକରୁ ଅଧିକ ଢଳି ହୋଇ ଆସନ୍ତି ।

 

ଶୁଭକାନ୍ତ ସ୍କୁଲରେ ଥିବାବେଳେ ନୀଲୁ ଥାଏ ଉପରେ ପଞ୍ଜୁରୀ ଭିତରେ । ଟିପୁ ଆଖି ବୁଜି ଶୋଇଥାଏ ତଳେ ପିଣ୍ଡାରେ । ନୀଲୁ ଡାକେ “ଟିପୁ ।” ଟିପୁର ନିଦ ଭାଙ୍ଗିଯାଏ । ସେ ପଚାରେ–“କୁଁ କୁଁ ?” କ’ଣ ? ତା’ପରେ ଲାଙ୍ଗୁଡ଼କୁ ତଳେ ଟିପି ଟିପି କରି ଆଖି ମେଲାଇ ଚାହେଁ-ଦେଖ, ବିରାଡ଼ିଟାଏ ନୀଲୁକୁ ଲୋଭେଇ ଚାହିଁଛି । ଟିପୁ ସିମିତି ଶୋଇ ରହି ଘାଆଁ...ଘାଆଁ...କରି ଘାଙ୍ଗଡ଼େଇ ଦିଏ ଯେ, ବିଚାର ବିରାଡ଼ି ମାରେ ଡ଼ିଆଁ କାହିଁ କେତେ ଦୂରକୁ । ଠିକ୍ ଯେପରି ପ୍ରାଣୀର ଆତ୍ମଚେତନାକୁ ଲୋଭ, ମୋହ, ମଦ, ମାତ୍ସର୍ଯ୍ୟାଦି ରିପୁଗଣ ଆକ୍ରମଣ କରିବାକୁ ବ୍ୟଗ୍ର । ମାତ୍ର ବିବେକର ସାବଧାନତାରେ ସେମାନେ ଦୂରେଇ ଯାଆନ୍ତି । ପକ୍ଷାନ୍ତରେ ବିବେକର ଅସାବଧାନତାରେ ଏହି ରିପୁଗଣ ଶୀଘ୍ର ମନୁଷ୍ୟକୁ ଗ୍ରାସ କରି ପକାନ୍ତି ।

 

ସଞ୍ଜବେଳେ ଶୁଭକାନ୍ତ ବୁଲିଗଲା ବେଳେ ଟିପୁ ଯାଏ ସାଙ୍ଗରେ । ପଞ୍ଜୁରୀ ଭିତରୁ ନୀଲୁ ଡାକେ—“ଟିପୁ !” ଟିପୁ କହେ—”କୁଁ, କୁଁ ।” ଶୁଭକାନ୍ତ ବୁଝି ପାରନ୍ତି—ନୀଲୁ ଚାହୁଁଛି ତାଙ୍କ ସାଙ୍ଗରେ ଯିବା ପାଇଁ, କିନ୍ତୁ ଶୁଆ ପ୍ରତି ଏତେ ଦୂର ଆସକ୍ତ ହୋଇ ପଡ଼ିବା ଠିକ୍ ନୁହେଁ । ଆସକ୍ତିଠାରୁ ଦୂରେଇଯିବାକୁ ସେ ଚେଷ୍ଟା ଚଳାଇଛନ୍ତି । ନୀଲୁକୁ ନ ନେଇ ଟିପୁ ଓ ଶୁଭକାନ୍ତ ଚାଲି ଯାଆନ୍ତି ଅନତିଦୂରର ଘଣ୍ଟଶିଳା ପାହାଡ଼ ତଳକୁ । ପାଦ ଦେଶରେ ବହି ଯାଉଥାଏ ଏକ କ୍ଷୁଦ୍ର ନଦୀ, ସାଳିଆ ।

 

ପକ୍ଷୀମାନଙ୍କର କଳରବ, ତଟିନୀର କୁଳୁ କୁଳୁ ସ୍ଵନ, ଦୋଳୁଥିବା ଗଛଲତା-ମାନଙ୍କର ସାଇଁ ପାଇଁ ଶବ୍ଦ ଶୁଭକାନ୍ତଙ୍କର ମନରେ ଅତୁଳି ସମ୍ପଦ ଭରିଦିଏ । ସେ ଅନୁଭବ କରନ୍ତି—ଈଶ୍ୱରତ୍ଵ ସର୍ବତ୍ର ବିଦ୍ୟମାନ । ଗଛରେ, ଫୁଲରେ, ଫଳରେ ଗୋଡ଼ିମାଟି ପ୍ରତିଟି ଜଡ଼ ଓ ଜୀବନର ଅଣୁ ପରମାଣୁରେ ସୃଷ୍ଟି ସ୍ଥିତି ଲୟର ଭଗବତ୍ ସତ୍ତା । ଏ ସମସ୍ତେ ଈଶ୍ୱର ନୁହନ୍ତି ବା ଏମାନଙ୍କ ମଧ୍ୟରେ ଈଶ୍ୱର ନାହାନ୍ତି, ଅଛି ଈଶ୍ଵରତ୍ । କାରଣ ଈଶ୍ୱର ଆହୁରି ବ୍ୟାପକ । ଏ ସମସ୍ତ ଏବଂ ଏତଦ୍ ବ୍ୟତୀତ ଅନ୍ୟାନ୍ୟ ବହୁତ କିଛି ଈଶ୍ୱରଙ୍କ ଭିତରେ ବିଦ୍ୟମାନ ।

 

ସଞ୍ଜପରେ ସେମାନେ ଫେରି ଆସନ୍ତି ବସାକୁ । ନୀଲୁ ଚାହିଁ ରହିଥାଏ । ସେମାନେ ଫେରିବାର ଦେଖି ନୀଲୁ ପଞ୍ଜୁରୀ ଭିତରେ ଉପରକୁ ତଳକୁ ତଳୁ ଉପରକୁ ଡେଇଁ ଆନନ୍ଦରେ “ବାବା, ଟିପୁ, ବାବା, ଟିପୁ” କହିଚାଲେ ।

 

ସକାଳ ହେଲା ଯେତେବେଳେ କୁଆ କୁମ୍ଭାଟୁଆ ଡାକନ୍ତି, ନୀଲୁ ମଧ୍ୟ ତାଙ୍କରି ସାଙ୍ଗରେ “ଚେଚେର୍ ଚେର୍, ଚେଚେର୍ ଚେର୍” ହୋଇ ପାଳି ଧରେ । ଶୁଭକାନ୍ତଙ୍କର ଦୟା ଜାଗେ ପକ୍ଷୀଟି ପ୍ରତି । ଶୁଭକାନ୍ତ ଭାବନ୍ତି ନୀଲୁକୁ ବାନ୍ଧିରଖି ସେ ଏକ ମହାପାପ କରୁଛନ୍ତି । ନିଜର ସୁଖ ପାଇଁ ସେ ଏକ ବନ ବିହଗର ସ୍ଵଚ୍ଛନ୍ଦ ଆହାର ବିହାରକୁ ଅପହରଣ କରୁଛନ୍ତି । ସୃଷ୍ଟିର ଏହି ଜୀବଟି ପ୍ରତି ତାଙ୍କରି ଏ ଅନଧିକାର କର୍ମ ନିତାନ୍ତ ନିନ୍ଦନୀୟ । ଆକାଶରେ ଶତ ଶତ ପକ୍ଷୀ ଦମ୍ପତି କୂଜନ କରି ଉଠନ୍ତି ଯେତେବେଳେ, ନୀଲୁ କ’ଣ ତାର ସାଥୀଟିଏ ଖୋଜୁ ନ ଥିବ ?

 

କିନ୍ତୁ ଶୁଭକାନ୍ତ ନୀଲୁ ପ୍ରତି ବିଶେଷ ଆକୃଷ୍ଟ ହୋଇ ପଡ଼ିଛନ୍ତି । ନୀଲୁକୁ ମୁକ୍ତ କରି ଦେବା ପାଇଁ ସେ ଅଗ୍ରସର ହୋଇ ପାରୁ ନାହାନ୍ତି । ନୀଲୁ ହିଁ ତାଙ୍କ ନିର୍ଜନ ଜୀବନର ଏକ ବିଶିଷ୍ଟ ବନ୍ଧୁ ।

 

ବିଶେଷତଃ ଶୁଭକାନ୍ତ ତାଙ୍କର କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରି ତାଙ୍କର ଜନ୍ମଭୂମି ଏହି ଛୋଟ ସହରଟିକୁ ଫେରି ଆସିବା ପରେ ସେ ବେଶି ନିଃସଙ୍ଗ ହୋଇପଡ଼ିଛନ୍ତି । କର୍ମକ୍ଷେତ୍ରର ଅସଂଖ୍ୟ ଛାତ୍ରଙ୍କୁ ଛାଡ଼ି ଆସିଲା ପରେ ଏବଂ ତିରିଶି ବର୍ଷର ଗତାନୁ ଗତିକ କର୍ମମୟ ଜୀବନ ଏବଂ ଜୀବନର ଏକ ବିଶିଷ୍ଟ ସମୟ ବିତାଇ ଆସିଲା ପରେ ସେ ଭାରି ନିଛାଟିଆ ବୋଧ କରୁଛନ୍ତି ।

 

ଏଇ ତାଙ୍କର ଜନ୍ମଭୂମି । ବିଗତି ସ୍ମୃତିଗୁଡ଼ିକ ତାଙ୍କ ଅବଚେତନ ମନରୁ ପୁଣି ବାହାରି ଆସୁଛି । ପୁଅ ବୋହୂ ତ ଦୂରରେ । ଘରେ ଅଛନ୍ତି କେବଳ ସାନଭାଇ ଓ ତାଙ୍କର ପତ୍ନୀ; ପୁତ୍ର କନ୍ୟା ସମେତ ସାତଜଣ । କେହି ତାଙ୍କର ନୁହନ୍ତି—କେହି କାହାର ନୁହନ୍ତି । ସେ ବର୍ତ୍ତମାନ ଜୀବନର ପଶ୍ଚିମରେ ଆଜିର ଶୀତ ଅପରାହଣର ନିଃସହାୟ ଭାବ ପରି ସେ ଏହା ପୂର୍ବରୁ ଆଉ କେବେ ଅନୁଭବ କରି ନ ଥିଲେ । ଏହି ସମୟରେ ଶବଯାତ୍ରାଟି ରାଜପଥରେ ଅତିକ୍ରମ କରି ଚାଲିଗଲା । ନୀଲୁ ପଞ୍ଜୁରୀ ଭିତରୁ ଡାକି ଉଠିଲା—“ରାମନାମ ସତ୍ୟ” ଶୁଭକାନ୍ତଙ୍କ ମନଟା ଆକସ୍ମିକ ଭାବେ ଦବିଗଲା !

 

ସଙ୍ଗେ ସଙ୍ଗେ ସେ ପ୍ରକୃତିସ୍ଥ ହୋଇ ଭାବିଲେ—କାହିଁକି ଆଜି ତାଙ୍କର ଏ ଦୁର୍ବଳତା ? ଜୀବନର ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ । ସାରା ଜୀବନ ହିଁ ବିଶିଷ୍ଟ । ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ କର୍ମଠ ରହିବାକୁ ପଡ଼ିବ । ଅକର୍ମଠତା ହିଁ ପ୍ରକାରାନ୍ତରେ ମୃତ୍ୟୁ । ମୃତ୍ୟୁ ପ୍ରତି ତାଙ୍କର ଏ ଦୁର୍ବଳତା କାହିଁକି-? ମୃତ୍ୟୁ ହିଁ ଅମୃତର ସୋପାନ । ତାଙ୍କର ଭିତରେ ଆତ୍ମା ଚିତ୍କାର କରି କହିଲା–“ଶୁଭକାନ୍ତ, ତୁମେ ଶରୀରଟାକୁ ମୋଠାରୁ ପୃଥକ୍ କରି ଦେଖ । ମୁଁ ଅମର, ନିଷ୍ପଳଙ୍କ । ଅଗ୍ନିରେ ମୁଁ ଦଗ୍ଧ ହୁଏ ନାହିଁ, ଶସ୍ତ୍ରରେ ମୁଁ ଛିନ୍ନ ହୁଏ ନାହିଁ, ଜଳରେ ମୁଁ ମଗ୍ନ ହୁଏ ନାହିଁ । ମୁଁ ଅଜର । ସଂସାରର ଆବିଳତା ଭିତରେ ମୁଁ ପଙ୍କଜ ପରି ଶୁଦ୍ଧପୂତ ରହିଥାଏ ।”

 

ଶୁଭକାନ୍ତଙ୍କ ମନରେ ପୁଣି ବଳ ସଞ୍ଚରିଲା । ସେ ଭାବିଲେ—”ଶରୀର ଓ ଆତ୍ମା ଭିନ୍ନ । ଶରୀର କେବେ ଆତ୍ମାକୁ ଧାରଣ କରିପାରେ ନାହିଁ । ଆତ୍ମା ନିଜର ଇଚ୍ଛାନୁଯାୟୀ କର୍ମ ସମ୍ପାଦନ କରିବାକୁ ଯଥାଯୋଗ୍ୟ ଶରୀର ଧାରଣ କରେ । କାରଣ, ଶରୀର ବିନା ଆତ୍ମା କୌଣସି କର୍ମ କରିପାରେ ନାହିଁ । ମାତ୍ର ଶରୀର ଧାରଣ କଲାପରେ ଶରୀରର ସତ୍ଵ, ରଜ, ତମ ତ୍ରିଗୁଣ ଆତ୍ମାକୁ ଆଚ୍ଛାଦିତ କରି ପକାନ୍ତି । ଆତ୍ମାର ଶକ୍ତିକୁ ସତ୍ଵଗୁଣ ଅଧିକ ବିକଶିତ କରିଥାଏ ସତ୍ୟ, ମାତ୍ର ରଜ ଓ ତମ ଉଭୟ ଏଥିରେ ବାଧା ଦେଇ ଥାଆନ୍ତି । ଏହି ଉଭୟକୁ ଦୂରେଇ ଦେବାକୁ ପଡ଼ିବ । ଲୁଣ୍ଠନ ଭିତର ଉଜ୍ଜଳ ବତୀଟି ଆତ୍ମା ସଙ୍ଗେ ତୁଳନୀୟ । ତାହା ଉପରେ ଥିବା କାଚଟି ସତ୍ଵଗୁଣ, କାଚର ଭିତର ପାଖରେ ଲାଗିବା କଳା ରଜଗୁଣ ଓ କାଚର ବାହାର ପାଖରେ ଲାଗିବା ଧୂଳିକୁ ତମଗୁଣ ସଙ୍ଗେ ତୁଳନା କରାଯାଇପାରେ । କାଚକୁ ସବୁବେଳେ ସଫା କରି ପାରିଲେ କଳା ଓ ଧୂଳି ଦୂରେଇ ଯାଏ । ଫଳରେ ସଫା କାଚ ଦ୍ଵାରା ଅଧିକ ତେଜରେ ଆଲୋକ ବିଚ୍ଛୁରିତ ହୋଇଥାଏ । କାଚରେ ଯେତେ ଧୂଳି ଓ କଳା ଲାଗି ରହିବ, ଭିତରର ଆଲୋକ ସମାନ ଶକ୍ତିରେ ଜଳୁଥିଲେ ମଧ୍ୟ ତାର ଦୀପ୍ତି ବାହାରକୁ ସେତିକି ପରିମାଣରେ ପ୍ରକାଶ ପାଇ ପାରିବ ନାହିଁ । ତେଣୁ ସାଧନା ଦ୍ୱାରା ତମ ଓ ରଜଗୁଣକୁ ଦୂରେଇବାକୁ ପଡ଼ିବ । ତେବେ ଯାଇ ସତ୍ଵଗୁଣ ଆତ୍ମାର ପ୍ରକାଶ ପାଇଁ ସହାୟକ ହୋଇପାରିବ ।”

 

ଏତିକି ବେଳେ ନୀଲୁ କହି ଉଠିଲା—“ରାମନାମ ସତ୍ୟ ।” ଶୁଭକାନ୍ତ ଅନୁଭବ କଲେ–ରାମନାମ ହିଁ ସତ୍ୟ । ପଞ୍ଜୁରୀ ଭିତରେ ଆବଦ୍ଧ ଶୁକପକ୍ଷୀ ବିଳପି ଉଠିଛି । ଶରୀର ଭିତରେ ଆତ୍ମା ଯେପରି ବିଳପି ଉଠେ । ନାଁ, ଏଥର ଶରୀରଠାରୁ ଆତ୍ମାକୁ ପୃଥକ୍ ମନେ କରିବାକୁ ହେବ । ଏଥର ନୀଲୁକୁ ମୁକ୍ତି ଦେବାକୁ ହେବ ।”

 

ଆକାଶରେ ଉଡ଼ି ଯାଉଛନ୍ତି ଦଳ ଦଳ ଶୁଆ । ଧାନ ପାଚି ଆସୁଛି । ପାଚିଲାଧାନ ଖାଇବାକୁ ଏମାନେ ଦୂର ବନ ବନାନୀରୁ ଉଡ଼ି ଉଡ଼ି ଆସନ୍ତି ମୁକ୍ତ ଆକାଶରେ । ଶୁଭକାନ୍ତଙ୍କର ଉଡ଼ି ଯିବାକୁ ମନେ ହେଉଛି ଲୋକ ସମାଜର ଦୂରକୁ । ସେ ଆଜି ସମ୍ପୂର୍ଣ୍ଣ ମୁକ୍ତି ଚାହୁଁଛନ୍ତି ପାର୍ଥିବ ମାୟା ବନ୍ଧନରୁ । ନୀଲୁ ଚାହୁଁଛି ନୀଳ ଗଗନକୁ । ସେ ବି ମୁକ୍ତି ଚାହୁଛି ।

ଶୁଭକାନ୍ତ ଗମ୍ଭୀର ହୋଇ ଆଗେଇ ଆସିଲେ । ପଞ୍ଜୁରୀର ଦ୍ଵାର ମୁକ୍ତ କରିଦେଲେ । ନୀଲୁ ହଠାତ୍ ଡ଼ାକି ଉଠିଲା—“ବାବା !” ତା’ପରେ ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲା ଦ୍ଵାର ମୁକ୍ତ ! ତାର ଏତେ ଦିନର ଆଶା ଆକାଂକ୍ଷା ଯେପରି ଏତେ ଦିନରେ ପୂରଣ ହୋଇଛି । ସେ ଉଡ଼ି ବୁଲିବ ଏଥର ସ୍ଵାଧୀନ ଭାବରେ । କିନ୍ତୁ ତାର ବାବା ? କେତେ ସ୍ନେହ କରନ୍ତି ତାକୁ ! ସେ ଚାଲିଗଲେ ବାବାଙ୍କ ମନରେ କଷ୍ଟ ହେବ ନାହିଁ ? ପୁଣି ତାର ଟିପୁ ? ଟିପୁ ଏବେ ରୁଗ୍ଣ ହୋଇ ପଡ଼ୁଛି । ତାର କଳା ଦେହରୁ ଲୋମ ଠାଏ ଠାଏ ଛିଣ୍ଡି ଆସିଲାଣି । ଆଉ ବେଶି ଖିଆପିଆ କରୁନାହିଁ । ବାବାଙ୍କ ଆର୍ଶୀବାଦରେ ସେ ଖାଲି ଯାହା ବଞ୍ଚି ରହିଛି । ସେ ନୀଲୁର ବହୁତ ଆଗରୁ ଆସିଛି ଏ ଘରକୁ । ନା, ସେ ଏମାନଙ୍କୁ ଛାଡ଼ି ଚାଲିଯିବାଟା ଠିକ୍ ହେବ ନାହିଁ ।

ଦୂର ଆକାଶରେ ଦେଖିଲା ତାରି ଜାତିର କେତେ ଦଳ ପକ୍ଷୀ ଉଡ଼ିଗଲେ । ତାର ଦେହ ଓ ମନରେ ଆଦିମ ପ୍ରଭୃତି ଜାଗରିତ ହେଲା । ତାର ନୀଳ ଓଡ଼ଣା ଦିଇଟା ଶିହରି ଉଠିଲା । ତାର ଉଡ଼ିଯିବାକୁ ମନ ହେଲା ।

ସେ ଉଡ଼ି ଆସିଲା ପଞ୍ଜୁରୀ ବାହାରକୁ । ଅଧିକ ଉଡ଼ି ନ ପାରି ସେ ପଡ଼ିଗଲା ତଳେ । ପୁଣି ଉଡ଼ିବାକୁ ଚେଷ୍ଟା କଲା । ପୁଣି ପଡ଼ିଗଲା । ପଞ୍ଜୁରୀରେ ରହି ରହି ତାର ଉଡ଼ିବା ଶକ୍ତି କମି ଯାଇଛି । ରୋଗା ଟିପୁ ଭୋ-ଓ-ଓ...କରି ସ୍ୱର ଲମ୍ବେଇ ଦେଲା । “ଭୋ...ଓ...ଓ...” କୁଆଡ଼େ ତୁ ଆସିଲୁ ନୀଲୁ ? “ଭୋ...ଓ...ଓ...” ପଞ୍ଚୁବୀକି ଫେରିଯା । ଶୁଭକାନ୍ତ ଦୁହିଁଙ୍କର ଏ ଘନିଷ୍ଠତା ନିର୍ବିକାର ଚିତ୍ତରେ ଅନୁଧ୍ୟାନ କରିଥିଲେ ।

ନୀଲୁ ପୁଣି ଝରକା ଉପରେ ବସିଲା । ଦେଖିଲା ଦୂର ଗଗନରେ କେର୍‍ର୍‍ କେର୍‍ର୍‍, ଶବ୍ଦ କରି ଧାନବିଲ ଆଡ଼େ ଶୁଆଦଳ ଉଡ଼ିଗଲେ । ଏଥର ସେ ଉଡ଼ିଲା । ପାଖ ପଣସ ଗଛରେ ଯାଇ ବିଶ୍ରାମ ନେଲା । ତା’ପରେ ଉଡ଼ିଗଲା ଦୂରକୁ । ଗଲାବେଳେ ପଦେ କିଛି କହିଗଲା ନାହିଁ । ମୁକ୍ତି-ପାଗଳ ହୋଇ ସେ ଭୁଲିଗଲା ଟିପୁକୁ ଡାକି ଡାକିବାକୁ । ସେ ଭୁଲିଗଲା ବାବାଙ୍କୁ ଡାକି ଥରେ ନମୋ ନମଃ କହିବାକୁ ।

ଶୁଭକାନ୍ତ ଅନୁଭବ କଲେ—“ଏଥର ଖାଲି ପଞ୍ଜୁରୀଟା ପଡ଼ି ରହିଲା । ଶୁଆ ଉଡ଼ିଗଲା-। ପ୍ରାଣ ଚାଲିଗଲେ ଖାଲି ମାଟି ଘରଟା ଏପରି ପଡ଼ି ରହେ ମଶାଣି ପାଇଁ ।”

ନୀଲୁ ତାଙ୍କର ଉଡ଼ିଗଲା । ବାବା ବୋଲି ଥରେ ଡାକିଲା ନାହିଁ । ନୀଲୁ ପ୍ରତି ପୁଣି ତାଙ୍କର ଅଭିମାନ ! ପୁଣି ଆସକ୍ତି ! ନା, ଭଲ ହେଲା, ନୀଲୁ ବନ୍ଧନରୁ ମୁକ୍ତ ନ କହି ନ ପୋଛି ଚାଲଯିବ ସବୁ ବନ୍ଧନ ଛିଣ୍ଡେଇ । ତାଙ୍କର ଆଉ ଦୁଃଖ ନାହିଁ । ବରଂ ସେ ନିଜେ ଏଥର ଚାଲିଯିବେ ସବୁ ବନ୍ଧନ ଛିଣ୍ଡେଇ । ମଲା ପର୍ଯ୍ୟନ୍ତ ଏ ଟିପୁକୁ ତାଙ୍କର ଭାଇ ପୁତୁରା ଗଣ୍ଡେ ଖାଇବାକୁ ଦେଲେ ହେଲା ।

ଅନେକ ଦିନୁ ଦେ ଇଚ୍ଛା କରିଥିଲେ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମକୁ ଚାଲିଯିବା ପାଇଁ । ସେଇଠି ସେ ମାନବ ଜୀବନର ମୁକ୍ତିପଥ ଆବିଷ୍କାର କରିବେ । ଜୀବନରେ ଅଦୃଶ୍ୟ ଶକ୍ତିର ପ୍ରଭାବ କେଡ଼େ ପ୍ରବଳ—ତା ଉପରେ ସେ ଯେଉଁ ପୁସ୍ତକ ରଚନା କରିଛନ୍ତି, ସେଠାରେ ତାର ସାରାସାର ଆଲୋଚନା କରି ଜଗତ ବାସୀଙ୍କୁ ଦାନ କରିବେ । ସଂସାରୀମାନେ ସଂସାର ମଧ୍ୟରେ ଥାଇ ମଧ୍ୟ କିପରି ଆତ୍ମାର ଉପଯୁକ୍ତ ବିକାଶ କରିପାରିବେ, ତାହା ଉପରେ ମଧ୍ୟ ସେ ଆଉ ଏକ ପୁସ୍ତକ ରଚନା କରିଛନ୍ତି । ତାହା ମଧ୍ୟ ସେଠାରେ ପ୍ରକାଶ କରିବାର ସୁଯୋଗ ପାଇବେ ଏବଂ ନିଜର ଅବଶିଷ୍ଟ ଜୀବନକୁ ନିଶ୍ଚୟ ସେଠାରେ ଉପଯୁକ୍ତ ଭାବେ ଅତିପାତ କରିବାକୁ ସୁବିଧା ପାଇବେ ସେ ।

 

ରାତି ଆସିଲା, ପୁଣି ଗଲା । ଏହିପରି ଚାରିଦିନ ବିତିଗଲା, ନୀଲୁ ଫେରିଲା ନାହିଁ । ଟିପୁକୁ ଅଧିକ ରୁଗ୍ଣ ହୋଇ ପଡ଼ିଛି । ଶୁଭକାନ୍ତ ବର୍ତ୍ତମାନ ନିର୍ବିକାର ଓ ମାୟା ବିବର୍ଜିତ ହୋଇ ପଡ଼ିଲେଣି ।

 

ପରଦିନ ସକାଳୁ ବସ୍ ଯୋଗେ ସେ ପଣ୍ଡିଚେରୀ ଉଦ୍ଦେଶ୍ୟରେ ରେଳ ଷ୍ଟେସନ୍‍କୁ ଯାତ୍ରା କଲେ । ତାଙ୍କ ଭାଇ ପୁତୁରା ସବୁ ବସ୍‍ଷ୍ଟାଣ୍ତକୁ ବଳେଇ ଦେବାକୁ ଆସିଲେ ଆର୍ଦ୍ରନୟନରେ । ବୁଢ଼ା ଟିପୁ ତାର ରୋଗା ଦେହରେ ମଧ୍ୟ ବସ୍‍ଷ୍ଟାଣ୍ତ ଯାଏଁ ଆସିଥିଲା । ଶୁଭକାନ୍ତ କାହାକୁ କିଛି କହିଲେ ନାହିଁ, ବସ୍‍ ରେ ବସିଲେ । ପଛକୁ ବି ଟିକେ ଚାହିଁଲେ ନାହିଁ । ବସ୍ ଛାଡ଼ିଲା । ବୁଢ଼ା ଟିପୁ ରୋଗାଳିଆ ସ୍ଵରରେ ଭୋ...ଓ...ଓ... ସ୍ୱର ଲମ୍ବାଇ ଦେଲା । ତାକୁ ପଦେ କହିବା ତ ଦୂରର କଥା, ତା ଆଡ଼କୁ ଟିକେ ଚାହିଁଲେ ବି ନାହିଁ । ବସ୍ ଚାଲିଗଲା ।

 

ଭାଇ ପୁତୁରା ଅଶ୍ରୁଳ ନୟନରେ ଫେରି ଆସିଲେ ଘରକୁ । ଟିପୁ ମନମାରି ଫେରି ଆସିଲା ସେହି ଛୋଟ କୋଠରୀକି । ଘରଟା ମାଡ଼ି ମାଡ଼ି ପଡ଼ିଲା ତାକୁ । ରୋଗଟା ତାର ବଢ଼ିଗଲା-

 

ତା’ ପରଦିନ ହତଭାଗ୍ୟ ନୀଲୁ ଫେରିଲା । ସେ ଫେରିଲା, କାରଣ ତାର ବାବା ଦୁଃଖ କରୁଥିବେ । ସେ ତାର ଆତ୍ମୀୟମାନଙ୍କ ସଙ୍ଗେ ନ ରହିବ ପଛେ, ସେ ବାବା ଆଉ ଟିପୁ ମନରେ ଦୁଃଖ ଦେଇପାରିବ ନାହିଁ । ସେ ପଞ୍ଜୁରୀ ଭିତରେ ନ ବସି ବସିଲା ତା ଉପରେ । ଆତ୍ମା ଶରୀରଠାରୁ ପୃଥକ ମନେକରେ, ସେ ନିଜ ଇଚ୍ଛାରେ ସ୍ଵାଧୀନ ବିହାର କରେ । କେତେବେଳେ ସେ ମୋହଗ୍ରସ୍ତ ଶରୀର ଭିତରେ ତ କେତେବେଳେ ବାହାରେ ରହିଥାଏ ।

 

ନୀଲୁ ଦେଖିଲା ଟିପୁ ଶୋଇଛି ସବୁଦିନ ପରି ପଞ୍ଜୁରୀ ତଳେ । ସେ ପଞ୍ଜୁରୀ ଭିତରେ ପଶି ଡାକିଲା—“ଟିପୁ ! ଟିପୁ !” ଟିପୁ ଆଶ୍ଚର୍ଯ୍ୟ ହୋଇ ଅଳ୍ପ ଆଖି ଖୋଲି ଚାହିଁଲା ନୀଲୁକୁ । ପଚାରିଲା “କୁଉଁ କୁଉଁ......” ଆସିଛୁ କିରେ ? ନୀଲୁ ପଚାରିଲା “ବାବା ?” ଟିପୁ ଭୋ...ଓ...ଓ...ଶବ୍ଦ ଲମ୍ବେଇ ଦେଇ ମୁହଁଟାକୁ ବସ୍‍ଷ୍ଟାଣ୍ତ ଦିଗରେ ଦେଖାଇ ଦେଲା ।

 

ନୀଲୁ ଦେଖିଲା ଏଇ କେତୁଟା ଦିନ ମଧ୍ୟରେ ଟିପୁ ଖୁବ୍ ରୁଗ୍ଣ ହୋଇପଡ଼ିଛି । ବାବା ତାର କୁଆଡ଼େ ଯାଇଛନ୍ତି ? ସେ ଏ ଘର ବୁଲି ଡାକିଲା—“ବାବା ! ବାବା !” ତା’ପରେ ସେ ବସ୍‍ଷ୍ଟାଣ୍ତ ଆଡ଼େ ବାବାଙ୍କୁ ଡ଼ାକି ଡ଼ାକି ଚାଲିଗଲା । ସେ ବାବାଙ୍କ ଲାଗି ଆଜି ପାଗଳ ହୋଇଉଠିଛି-। ଆତ୍ମା ଏହିପରି ପରମାତ୍ମାଙ୍କୁ ଲାଭ କରିବା ପାଇଁ ପାଗଳ ହୋଇଉଠେ ।

 

ବୁଲି ବୁଲି ଦୁଇଦିନ ପରେ ସେ ପୁଣି ଫେରିଲା ଶୁଭକାନ୍ତଙ୍କର ସେହି ଛୋଟ କୋଠରୀକୁ । ଆହା, ସେ କ’ଣ ଦେଖିଲା ? ଟିପୁ ମରି ଯାଇଛି । ତାର ଶବକୁ ଧରି ଶୁଭକାନ୍ତଙ୍କ ଭାଇ ଘରୁ ବାହାରି ଆସୁଛନ୍ତି । ତାଙ୍କର ପୁଅ ନେଉଛି ନୀଳର ପଞ୍ଜିରୀଟିକୁ ପିଙ୍ଗି ଦେବାକୁ । ଘରର ଘରଣୀ ସେହି କୋଠାରୀଟିକୁ ଗୋବରରେ ଲିପାପୋଛା କରି ଓଳଉଛନ୍ତି । ଏଇ ତ ସଂସାର ! ମାୟା ! ସେ ଆଉ ଟିପୁକୁ ଡ଼ାକିବ ଜାଣ ? ସେ ଘରକୁ ପଶିବ କାହିଁକି ? ସେ ଘର ତାର ନୁହେଁ । ସେ ପଞ୍ଜୁରୀ ତାର ନୁହେଁ । ସେ ଶୁଭକାନ୍ତଙ୍କ ଦାର୍ଶନିକ ବାଣୀ ଉଚ୍ଚାରଣ କଲା—“ରାମ ନାମ ସତ୍ୟ, ରାମନାମ ସତ୍ୟ । ଆଉ ସବୁ ମିଛ ।”

 

“ରାମନାମ ସତ୍ୟ—ଆଉ ସବୁ ମିଛ ।” ଉଚ୍ଚାରଣ କରି କରି ସେ ଉଡ଼ିଗଲା ଦୂର ଦିଗବଳୟ ଆଡ଼େ ।

Image

 

Unknown

ତରୁଣୀ ଥିଲେ ବୋଲି

 

“ଆଚାର୍ଯ୍ୟେ ଥିଲେ ବୋଲି” ସେଦିନ ରେଳଗାଡ଼ିରେ ଯେପରି କଥାଶିଳ୍ପୀ ରାୟଙ୍କର କେତେଜଣ ସହଯାତ୍ରୀ ବଦାନ୍ୟ ପାଲଟି ଗଲେ, ଏ ହେଉଛି ଆଉ ଦିନକର କଥା, ଯେଉଁଦିନ ତରୁଣୀ ଥିଲେ ବୋଲି ବସରେ କେତୋଟି ଜୀବନ ଖୁବ୍ କର୍ମତତ୍ପର ହୋଇଉଠିଲା ।

 

ଅନେକ ଦୂର ଗଡ଼ି ଗଡ଼ି ବସ୍‍ଟି ସେଦିନ ବୋଧହୁଏ କ୍ଳାନ୍ତ ହୋଇପଡ଼ିଥାଏ । ନ ହେଲେ ବସିବାକୁ ଲୋକେ ବସ୍ କୁ ହାତଟେକି ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ଅଟକି ନ ଥାନ୍ତା କାହିଁକି, ଯଦିଓ ବସ୍ ଭିତରେ—କେତେକ ସ୍ଥାନ ଖାଲିଥାଏ ?

 

ବାଲୁଗାଁଠାରେ ବସ୍‍ଟି ଆପେ ଆପେ ଅଟକିଲା । ଅନେକ ଯାତ୍ରୀ ଓହ୍ଲେଇଲେ ଓ ଅନେକ ଉଠିଲେ । ଜିନିଷପତ୍ର ବି ଆଚ୍ଛା କିଛି ଉପରକୁ ଉଠିଲା । ଗାଡ଼ି ପୁଣି ଚାଲିଲା ।

 

ଏଥର ଗାଡ଼ିଟି ଅଧିକ ବୋଝେଇ ହୋଇପଡ଼ିଥିଲା । ବସିବା ସ୍ଥାନ ଓ ଠିଆ ହେବା ସ୍ଥାନ ପୂରଣ ହୋଇପଡ଼ିଥିଲା । ଜନୈକ ଯାତ୍ରୀ, ଚାକିରୀଆ ହେବେ ବୋଧହୁଏ, ସେହି ସ୍ଥାନରୁ ଉଠିଥିଲେ । ଖରାଛୁଟି କଟାଇ ସେ ହୁଏତ ଫେରୁଛନ୍ତି ଚାକିରୀକୁ । ସାଙ୍ଗରେ କିଛି ଚାଉଳ ଧରିଛନ୍ତି-

 

ଏକଥା ଜଣାପଡ଼ିଲା ତାଙ୍କ ସହିତ ବସ୍ କଣ୍ଡକ୍ଟରଙ୍କର ଗୋଟିଏ ସାମାନ୍ୟ ଧରଣର ବଚସା ଯୋଗୁଁ । ବଚସାର ମୂଳ ବଚନିକା ହେଲା—କେତେ ଲଗେଜ୍ ହେବ ? ଯାତ୍ରୀଟି ଏକ କ୍ୱଣ୍ଟାଲ୍‍ରେ ଥିବାବେଳେ କଣ୍ଡକ୍ଟର ଯାଇ ଚାରି କ୍ୱଣ୍ଟାଲରେ । ଉପରକୁ ଉଠାଇବା ବେଳେ କ୍ଳିନର୍ ହାତ ଓ ବାହୁକୁ ତରାଜୁ କରି ଚାରି କ୍ୱଣ୍ଟାଲ୍ ବୋଲି ସ୍ଥିର କରିଥିବା ହେତୁ ଏହି ପରିମାଣର ହ୍ରାସ ବୃଦ୍ଧି ଘଟି ନ ପାରେ । ତେବେ ଗୋଟିଏ ଅମୋଘ ପଦରେ ନିରୀହ ଯାତ୍ରୀଟି ନିରୁପାୟ ଭାବେ କର୍ମ ଆଦରି ତୁନି ରହିବାକୁ ବାଧ୍ୟ ହେଲେ । ଉକ୍ତ ପଦଟି ହେଲା—“ପରବର୍ତ୍ତୀ ଷ୍ଟେସନ୍ ଖଲିକୋଟଠାରେ ଯାତ୍ରୀ ତାଙ୍କର ଜିନିଷ ପତ୍ର ଓହ୍ଲେଇ ଓଜନ କରିପାରନ୍ତି ।” ଯାତ୍ରୀ ଜାଣନ୍ତି କି କଷ୍ଟରେ ସେ ଚାଉଳତକ ଉପରକୁ ଉଠାଇଛନ୍ତି । ମଣ୍ଡୁକ ଗଙ୍ଗଦତ୍ତ ପୁନରପି କୃଷ୍ଣସର୍ପ ଥିବା କୁପ ଭିତରକୁ ଫେରି ଯିବାରେ କି ବିଦ୍ରୁପ ଅଛି, ତାହା ତାଙ୍କୁ ଅଜଣା ନାହିଁ ।

 

ତା’ ପରେ ଯାତ୍ରୀଙ୍କ ହାତରୁ ଚାରି କ୍ଵିଣ୍ଟାଲର ଲଗେଜ୍ ଟିକେଟଟିଏ ଅବିଳମ୍ବେ ପହଞ୍ଚିଗଲା ।

 

ଠିଆ ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରେ ଜଣେ ବୃଦ୍ଧା ଯାତ୍ରୀଣୀ ବି ଥିଲେ । ଅନେକ ସମୟରେ ଇମିତି ବି ହୁଏ, ଯେତେବେଳେ ତିନିଜଣିଆ ମହିଳାଙ୍କ ସିଟ୍ରେ ସାଢ଼େ ଚାରିଜଣରୁ ଅଧିକ ବି ବସି ଥାଆନ୍ତି । କିନ୍ତୁ ଉକ୍ତ ବୃଦ୍ଧା ଦୃଷ୍ଟି ଆକର୍ଷଣ କରିବା ଭଳି ଯୋଗ୍ୟତା ପ୍ରାପ୍ତ ହୋଇ ନ ଥିବାରୁ ଏତଦ୍ ସୁବିଧାରୁ ବଞ୍ଚିତା ହୋଇ ଠିଆ ହୋଇ ରହିଲେ ।

 

ତେବେ ସେଦିନ ସେହି ବୃଦ୍ଧାଙ୍କ ପାଇଁ ଠିଆ ହୋଇ ସମଦଶା ଭୋଗୁଥିବା ଅନ୍ୟ ଏକ ଯାତ୍ରୀ କିନ୍ନର୍ଙ୍କୁ କହିବାର ଶୁଣାଗଲା—“ଆଜ୍ଞା, ଟିକିଏ ଏ ବୁଢ଼ୀ ମାଉସୀଙ୍କ ପାଇଁ ସୁବିଧା କରିଦିଅନ୍ତୁ-।” ତତ୍‍କ୍ଷଣାତ୍ ଉତ୍ତର ମିଳିଲା—“ଦେଖୁଛ, ମହିଲା ସିଟ୍ ଖାଲି ନାହିଁ । ଆମେ କ’ଣ ଆଉ ମୁଣ୍ଡ ଉପରେ ବସାଇବୁ ? ୟାଙ୍କର ସୁବିଧା ପାଇଁ ଆମେ ୟାଙ୍କୁ ଆଣିଲୁ ବୋଲି ଆମ ମୁଣ୍ଡ ଉପରେ ବସି କରି ଯିବେ । ଆଜିକାଲି ଦୁନିଆଁ ତ ଖରାପ ।”

 

ଆଉ ଗୋଟିଏ ସ୍ଥାନରେ ଜଣେ ବସିଥିବା ଯାତ୍ରୀ ଅଳ୍ପକ୍ଷଣ ପାଇଁ ବାହାରକୁ ଯାଇଥିବା ବେଳେ ଜଣେ ଠିଆ—ଯାତ୍ରୀ ସେ ସ୍ଥାନ ଅଧିବାର କରି ପକାଇବାରୁ ଲାଗିଲା କଳି । ବସ୍‍ର ତତ୍ତ୍ଵାବଧାରକ କର୍ମଚାରୀ ଦ୍ଵନ୍ଦ ଏକ ବିରକ୍ତି ମିଶ୍ରିତ କୃଦ୍ଧ ହସ୍ତ ପ୍ରୟୋଗ କରି ନ ଥିଲେ ଯାତ୍ରୀ ଦୁଇଟି ମଧ୍ୟରେ ପ୍ରବଳ ହାତା ହାତି ଆରମ୍ଭ ହୋଇ ଯାଇଥାନ୍ତା ।

 

ଆଉ କିଛିବାଟ ପରେ ଜଣେ ଯାତ୍ରୀ ଓହ୍ଲେଇଗଲା ବେଳେ ବି ଏକ ଝଗଡ଼ା ଆରମ୍ଭ କରିଦେଲେ । ଝଗଡ଼ାର କାରଣ ହେଲା ଆଠ ପଇସା ମାତ୍ର । ଟିକେଟ୍ ବାବଦରେ ଯାତ୍ରୀଟି ଆଠ ପଇସା ଫେରସ୍ତ ପାଇବାର ଥିଲା । କଣ୍ଡକ୍ଟର୍‍ଙ୍କ ପାଖରେ ୧୦ ପଇସି ଥିଲା ସିନା, ହେଲେ ଆଠ ପଇସାର ରେଜା ନ ଥିଲା । କଣ୍ଡକ୍ଟର୍ କହୁଥିଲେ, “ଯଦି ବସରେ ବସିବାକୁ ଇଚ୍ଛା, ତେବେ ରେଜା ଧରି ଆସିଥିବ । କେତେ ପଇସା ଆମେ ଦେଖିଛୁ । ଏ ଦେଖଉଛି ଆଠ ପଇସା । ଦେଖ ହେ, ଲୋକଟା ଆଠଟା ପଇସା ପାଇଁ କେମିତି କାମୁଡ଼ି ହେଉଛି ।”

 

ଉକ୍ତ ମତ ଓ ପ୍ରସ୍ତାବରେ କଣ୍ଡକ୍ଟର ଅନ୍ୟ କେତେକ ଯାତ୍ରୀଙ୍କର ସମର୍ଥନ ଲାଭ କରିବାରୁ ଆଠ ପଇସା ଲୋଭୀ ଯାତ୍ରୀଟି ବାଧ୍ୟ ହୋଇ ଆଠ ପଇସା ଅପଦାନ କରି ଓହ୍ଲେଇଗଲାବେଳେ କେବଳ ଏତିକି କହିଲା—“ତୁମ ପାଖରେ ଆଠ ପଇସା କିଛି ନୁହେଁ, କିନ୍ତୁ ଆମ ମଳିମୁଣ୍ଡିଆ ପାଖରେ ତାହା ଆଠ ଟଙ୍କା । ତୁମେ ସବୁ ସଫାସୁତୁରା ବାବୁଭାୟାଙ୍କ ପାଖରେ କଅଁଳେଇ କଥା କହ, ଆଉ ଅମାପରି ଲୋକ ଦେଖିଲେ ଖିଙ୍କରି ଉଠ ।”

 

ଠିକ୍ ଏତିକିବେଳେ ଗୋଟାଏ ପିଲା କ୍ଲିନର୍‍ଙ୍କ ପାଖରେ ବାନ୍ତି କରି ପକାଇଲା । ବାନ୍ତିର ଅନେକାଂଶ ଯଦିଓ ତଳେ ପଡ଼ିଲା ତଥାପି ଯଥାର୍ଥ ଅଂଶ କ୍ଳିନରଙ୍କ ପାଦ ଦେଶରେ ଯେ ନ ପଡ଼ିଛି, ତା ନୁହେଁ । ସଙ୍ଗେ ସଙ୍ଗେ ବସ୍ ତତ୍ୱାବଧାରକ ଦ୍ଵୟ ଘୃଣା, ବିରକ୍ତି ଓ କ୍ରୋଧ ସମନ୍ୱିତ ବାକ୍ୟ ବାଣରେ ବସ୍ ଭିତରଟାକୁ ପ୍ରକମ୍ପେଇ ଦେଲେ । ଏପରିକି ପିଲାଟିର ବାପା ତୁରନ୍ତ ବାହାରୁ ପାଣି ଆଣି, କାନ୍ଧରୁ ଗାମୁଚ୍ଛା କାଢ଼ି ବାନ୍ତିକୁ ସଫା କରିବା ଯାଏଁ ଗଲା ।

 

ବାସ୍ତବିକ୍ କି ବେଳରେ ସେଦିନ ଗାଡ଼ିଟା ବାହାରିଥିଲା ଯେ, ବାଟଟା ଯାକ ଖାଲି ଅଶାନ୍ତି ଓ ଅଭିଯୋଗ ଲାଗି ରହିଥିଲା ।

 

ଆଉ ଗୋଟିଏ ସ୍ଥାନରେ ସ୍ଥାନରେ କେତେକ ଯାତ୍ରୀ ଓହ୍ଲେଇ ଗଲେ । ଠିଆ ହୋଇଥିବା ଯାତ୍ରୀ ମଧ୍ୟରୁ କେତେଜଣ ବସିବାକୁ ସୁଯୋଗ ପାଇ ନିଃଶ୍ୱାସ ମାରିଲେ । କିନ୍ତୁ ମହିଳା ସିଟ୍ ଖାଲି ହୋଇ ନ ଥିବାରୁ ବୃଦ୍ଧା ଜଣକ ଆଗରୁ ପଛକୁ ଚାହିଁ ନିରାଶରେ ତଳେ ବସିଗଲେ ।

 

ଏହି ସ୍ଥାନରୁ ଜଣେ ତରୁଣୀ ଚଢ଼ିଲେ । ତରୁଣୀଙ୍କୁ ନିର୍ବିବାଦରେ ଜଣେ ଅସାମାନ୍ୟ ତନ୍ଵୀ ବୋଲି ସ୍ଵୀକାର କରାଯାଇପାରେ । କର୍ମଚାରୀ ହେବେ ବୋଧହୁଏ । ବିବାହ ବୟସ ଗଡ଼ି ଯାଇଥିଲେ ବି ଜଣା ପଡ଼ୁଥିଲେ ଅବିବାହିତା ଭଳି । ଚମ୍ପା ରଙ୍ଗର ହାତରେ ମେଘୁଆ ରଙ୍ଗର ଭାନି ଟି ବ୍ୟାଗ୍, ସୁନା ରଙ୍ଗର ହାତରେ ମେଘୁଆ ରଙ୍ଗର ଭାନିଟି ବ୍ୟାଗ୍, ସୁନା ରଙ୍ଗର ଅଙ୍ଗରେ ଆକାଶ ରଙ୍ଗର ଶାଢ଼ୀ, ବାଳାରୂପ ଆଧାରରେ ଲିପ୍‍ଷ୍ଟିକରେ ବହଳ ତରଙ୍ଗ, କଜ୍ଜଳ କଳା ନୟନରେ ସଫାରୀର ଲୀଳା ଧରି ସେ ଦିଶୁଥିଲେ ସ୍ଵପ୍ନରାଜ୍ୟର କିନ୍ନରୀ ପରି ।

 

ତାଙ୍କରି ଚରଣ ସ୍ପର୍ଶରେ କ୍ଳାନ୍ତ ବସ୍‍ଟି ଯେମିତି ନବ ଉନ୍ମାଦନାରେ ସଲିଳ ହୋଇଉଠିଲା । ଆପୃଷ୍ଠ ଅଗ୍ର ସମସ୍ତ ଯାତ୍ରୀ ଯେମିତି ଅଦିନିଆ ବିଜୁଳି ପରି ଚଞ୍ଚଳ ହୋଇଉଠିଲେ-

 

ତେବେ ତାଙ୍କ ପାଇଁ ସ୍ଥାନ କାହିଁ ? ଆହା, ଯଦି କୌଣସି ମହିଳା ତାଙ୍କ ସ୍ଥାନଟା ଦୟାକରି ଏହାଙ୍କୁ ଦାନ କରି ନିଜେ କିଛି ଦୂର ଠିଆ ହୋଇପାରନ୍ତେ । ଅବା କୌଣସି ଦୟାଶୀଳ ପୁରୁଷ ଯାତ୍ରୀ ଦୁଇଜଣ ନିଜ ନିଜ ଆସ୍ଥାନକୁ ଏହି ମହାୟସୀ ମହିଳାଙ୍କୁ ଉତ୍ସର୍ଗ କରି “ଲେଡ଼ିଜ୍ ଫାଷ୍ଟ”ର ଆଦର୍ଶ ଅକ୍ଷୁର୍ଣ୍ଣ ରଖି ପାରନ୍ତେ !

 

କଣ୍ଡକ୍ଟର ଯାହାହେଉ ସମସ୍ତଙ୍କ ମନସ୍ତତ୍ଵ ଉପଲବ୍ଧ କରି ପାରି ତିନିଜଣ ବସିଥିବା ମହିଳାଙ୍କ ସ୍ଥାନରେ ଏହାଙ୍କୁ ଆଡ୍‍ଜଷ୍ଟ କରି କହିଲେ—“ଆପଣ ଏଇଠି ଟିକିଏ କଷ୍ଟ ସ୍ଵୀକାର କରି ବସିଥାଆନ୍ତୁ । ଆଉ ଅଳ୍ପ ବାଟ ପରେ ଏମାନେ ଓହ୍ଲେଇ ଯିବେ ।”

 

ଉକ୍ତ ଅନୁରୋଧକୁ ସମ୍ମାନ ଦେବାପାଇଁ ଉକ୍ତ ତରୁଣୀ ଅଲକ୍ତ ସିକ୍ତ ଅଧର କୋଣରେ ଶ୍ରୁତି ହସ ଟାଣି ବସିଗଲେ । ତା’ ପରେ ପରେ କଣ୍ଡକ୍ଟଟରଙ୍କ ଶୁଭ ଦୃଷ୍ଟି ପଡ଼ିଲା ତଳେ ବସିଥିବା ବୃଦ୍ଧାଙ୍କ ଆଡ଼କୁ । ସେ ସଙ୍ଗେ ସଙ୍ଗେ ଅତି କୋମଳ କଣ୍ଠରେ କହି ଉଠିଲେ—‘‘ମାଉସୀ, ତୁମେ ଏଠାକୁ ଚାଲିଆସି ବସ । କେତେବାଟ ଇମିତି କଷ୍ଟ ସହି ବସିଥିବ ।” ବୃଦ୍ଧା କହିଲେ—“ନାଇଁରେ ପୁଅ, ଥାନ ତ ନାହିଁ, ମୁଁ ଏଇଠି ବସିଛି ।” ଏକଥା ମାଉସୀ । ତୁମେ ଏତେ ବୟସର ଲୋକ । ଆମର ମା’ ତୁଲ୍ୟ । ଆମେ ଉପରେ ବସିଥିବୁ, ତୁମେ ତଳେ ବସିଥିବ ? ନାଇଁ, ମାଉସୀ, ଏଠାକୁ ଆସ । ମୁଁ ଜାଗା କରି ଦେଇଛି ।

 

ବୃଦ୍ଧା ନିଶ୍ଚୟ ମନେ କରିଥିବେ—ଏ ପୁଅଟିର କଣ୍ଠରେ ସରସ୍ଵତୀ ବିଜେ କରିଥିବାରୁ କି ମଧୁର କଥା ।

 

ବସ୍‍ଟି ଏଥର ଖୁବ୍ ଉନ୍ନତ୍ତ ହୋଇ ଦୌଡ଼ିଲା । ଡ୍ରାଇଭର ବାବୁ ସତରେ କେଡ଼େ ଏକ୍‍ସପାର୍ଟ । ବର୍ତ୍ତମାନ ଏ ତ ବସ ନୁହେଁ—ଗୋଟାଏ ମନପବନ ଘୋଡ଼ା । ଡ୍ରାଇଭରଙ୍କ ଏ ଅସୀମ ଚାଳନା କୌଶଳ ଏତେ ବେଳଯାଏଁ ଥିଲା କେଉଁଠି ?

ଆଗରେ ବସିଥିବା ଚଷମା ପିନ୍ଧା ଜଣେ ବଡ଼ବାବୁ ପଢ଼ି ସାରିଥିବା ଇଂରାଜୀ ଖବର କାଗଜଟାକୁ ହ୍ୟାଣ୍ଡବ୍ୟଗ୍ ଭିତରୁ ପୁନର୍ବାର ବାହାର କରି ଚଷମା କାଚକୁ ଥରେ ସେଣ୍ଟଦିଆ ରୁମାଲରେ ପୋଛ ପଢ଼ିବାକୁ ଆରମ୍ଭ କରିଦେଲେ । ତାଙ୍କ ନିକଟସ୍ଥ ବାବୁଙ୍କର ଆତ୍ମହେୟଜ୍ଞାନ ଜାତ ହେଲା କି କ’ଣ, ସେଥିପାଇଁ ସେ ମଧ୍ୟ ଗୋଟାଏ ଇଂରାଜୀ ନଭେଲ୍ ପଢ଼ିବାକୁ ଆରମ୍ଭ କରିଦେଲେ । ସାଇଡରେ ବସି ଢ଼ୁଳଉଥିବା ଜଣେ ପ୍ରୌଢ଼ ଯାତ୍ରୀଙ୍କର ତନ୍ଦ୍ରା ଏତେଦୂର ଉଭେଇଗଲା ଯେ, ସେ ଆଉ ନ ଢୁଳେଇ ତରୁଣଙ୍କ ପରି ଫିଟଫାଟ ହୋଇ ବସି ରହିଲେ । ପଛପଟୁ ଲୋଏର କ୍ଲାସ ଆଡ଼ୁ ତିନିଜଣ ଟୋକା ଯାତ୍ରୀ ଟିକିଏ ଆରମ୍ଭ କରିବାକୁ ବିଡ଼ି ଟାଣିବା ଆରମ୍ଭ କରିଦେଲେ । ଅବଶ୍ୟ ବିଡ଼ିପାନ କରିବା ସହିତ ସେମାନେ ତରୁଣୀଙ୍କର ପୃଷ୍ଟଭାଗରେ ନଗ୍ନଗ୍ରୀବା ଓ ପୁଷ୍ପଶୋଭିତ ବିପୁଳ କୃଷ୍ଣ ଜୁଡ଼ାର ଶୋଭା ବି ପାନ କରି ଚାଲିଥିଲେ ।

କିନ୍ତୁ ହଠାତ୍ କ୍ଲିନରବାବୁ ଏମାନଙ୍କର ଏତାଦୃଶ ଅସଦାଚରଣ ଲକ୍ଷ୍ୟ କରି ପାରି ଏବଂ ନିଜେ ଅତ୍ୟନ୍ତ ଅସହ୍ୟ ବେଦନା ଅନୁଭବ କରି କହି ଉଠିଲେ—“ହେ କିଏ ସେ ଏଣେ ତେଣେ ଚାହିଁ ବିଡ଼ି ପିଉଛି ? ଜାଣିନ, ବସ ଭିତରେ ବିଡ଼ି ଟାଣିବା ମନା ?” ବିଡ଼ିଟଣା ଟୋକାମାନେ ଚମକି ପଡ଼ି ସଙ୍ଗେ ସଙ୍ଗେ ତଳକୁ ଆଖି କରି ଜଳନ୍ତା । ବିଡ଼ିଗୁଡ଼ାକୁ ବାହାରକୁ ଫିଙ୍ଗି ପକାଇଲେ । ସେମାନେ ଯେପରି ପ୍ରମାଣ କରି ଦେବାକୁ ଚାହାନ୍ତି ଯେ ସେମାନେ ବିଡ଼ି ପିଉ ନ ଥିଲେ କିମ୍ବା କୌଣସି ଆଡ଼େ ଚାହିଁ ନ ଥିଲେ ।

ଏହି ଭିତରେ କଣ୍ଡକ୍ଟରବାବୁ କାର୍ଯ୍ୟ ବାହାନାରେ ଦୁଇ ତିନିଥର ଇଂଜିନ୍ ପାଖକୁ ଓ ନିଜ ସ୍ଥାନକୁ ଯିବା ଆସିବା କରି ସାରିଲେଣି । ତାଙ୍କର ପୂର୍ବ ଶୁଷ୍କ ଅଧରରେ ଅପୂର୍ବ ଆର୍ଦ୍ର ହାସ୍ୟରେଖା ଟାଣି ହୋଇଯାଇଛି ।

କିଛି କ୍ଷଣପରେ ଗୋଟାଏ ସହର ପଡ଼ିଲା । ଅପର ଶ୍ରେଣୀରେ ପୂର୍ବୋକ୍ତ ମହାବିଦ୍ୟାଳୟ ସମତେ ଅନେକ ଯାତ୍ରୀ ଓହ୍ଲେଇଗଲେ । ଜଣେ ଯାତ୍ରୀଙ୍କୁ କଣ୍ଡକ୍ଟର ବାବୁ ଦୁଇଟଙ୍କା ବାରପଇସା ଫେରାଇବାର ଥିଲା । ସେ ଯାତ୍ରୀ ଏହି ସ୍ଥାନରେ ଓହ୍ଳାଇ ଯାଉଥିବାରୁ ତାଙ୍କୁ ଫେରସ୍ତ ଦିଆଗଲା ଦୁଇଟଙ୍କା ପଚିଶି ପଇସା; କାରଣ କଣ୍ଡକ୍ଟରବାବୁଙ୍କ ପାଖରେ ବାର ପଇସା ଦେବାକୁ ରେଜା ନ ଥିଲା ।

ବାସ୍‍ଟି ଏଥର ଅନେକ ପରିମାଣରେ ଖାଲି ହୋଇଗଲା । ତରୁଣୀ ଜଣକ ବେଶ୍ ଆରାମରେ ବସିଲେ । ସେ ବସିଲେ ବାତାୟନ ଧାରକୁ, ସାଧାରଣତଃ ବାନ୍ତି ଭୟରେ ଯେଉଁଠି ତରୁଣୀମାନେ ବସିବାର ଲୋଭକୁ ଏଡ଼ି ପାରନ୍ତି ନାହିଁ । ତାଙ୍କର କୋମଳ ଦେହଲତା ପାଖକୁ ଦୁଇଟା ହାତଭାଗ୍ୟ ସିଟି ଖାଲି ପଡ଼ିଲା ।

କିଛିକ୍ଷଣ ପରେ କଣ୍ଡକ୍ଟରବାବୁ ସେହି ଦୁଇଟିରୁ ଗୋଟାଏ ଅଧିକାର କରି ଟିକେଟ ବାହି ଏବଂ ବାକି ପଡ଼ିଥିବା ଲେଖାଲେଖି ଶେଷ କରିବାକୁ ଆରମ୍ଭ କରିଦେଲେ ।

ଏତିକିବେଳେ ଚାରି କ୍ଵିଣ୍ଟାଲ ଲଗେଜ୍ ଆଣିଥିବା ଯାତ୍ରୀ ଜଣକ କଣ୍ଡକ୍ଟରବାବୁଙ୍କ ନିଜ ହିସାବଟା ତୁଟାଇ ଦେବାକୁ ଅନୁରୋଧ କରନ୍ତେ ସେମାନଙ୍କ ମଧ୍ୟରେ ନିମ୍ନୋକ୍ତ ପ୍ରକାରେ କଥୋପକଥନ ଚାଲି ହିସାବ ତୁଟିଲା ।

“କଣ୍ଡକ୍ଟରବାବୁ, ଲଗେଜ୍ ବାବଦରେ ମୋତେ ଆଉ କେତେ ଦେବାକୁ ହେବ ?”

 

“ଆପଣଙ୍କ ନାମରେ ମୁଁ ଭୁଲରେ ଚାରି କ୍ଵିଣ୍ଟାଲର ଲଗେଜ୍ କରିଦେଇଛି । ଆପଣଙ୍କ ଦେବା କଥା ଛ’ ଟଙ୍କା ଅଶୀ ପଇସା । ଯାହା ଦେବେ ଦିଅନ୍ତୁ ।”

 

“ଆପଣ ଯେତେବେଳେ ଟିକେଟ୍ କାଟି ସାରିଲେଣି, ଆଉ କ’ଣ ନିଜ ହାତରୁ କମ୍ପାନୀକୁ ପଇସା ଗଣିବେ ?”

 

“ନାଇଁ ଦୁଇ କ୍ଵିଣ୍ଟାଲ୍ ଲଗେଜରେ ଭଡ଼ା ଦିଅନ୍ତୁ । ତିନି ଟଙ୍କା ଚାଳିଶି ପଇସା ।”

 

“ନା ଆପଣଙ୍କର ମୁଁ କ୍ଷତି କରିବି ନାହିଁ । ନିଅନ୍ତୁ, ଆପଣ ଯେବେ ଭୁଲ କରିଛନ୍ତି ବୋଲି ସ୍ଵୀକାର କରୁଛନ୍ତି, ତେବେ ଭବିଷ୍ୟତରେ ଅନ୍ୟ ଯାତ୍ରୀଙ୍କ ପାଖରେ ସୁଧାରି ନେବେ ।”

 

ଆଉ ଗଳ୍ପ ସମୟ ପରେ ବସ୍‍ଟି ଗନ୍ତବ୍ୟ ସ୍ଥାନରେ ପହଞ୍ଚିଯିବ; ଯଦିଓ ବସ୍ ଟି ଆଉ କିଛି ଦୂର ଯାଇପାରିଥିଲେ କାହାର କିଛି ଆପତ୍ତି ନ ଥିଲା, କାରଣ ବସ୍‍ଟିର ଯେଉଁ ଗୋଳମାଳିଆ ଗ୍ରହ ପଡ଼ିଥିଲା, ତାହା ଏହି ତରୁଣୀଙ୍କର ଆବିର୍ଭାବ ଘଟିବା ପରେ ବିଖଣ୍ଡିତ ହୋଇଯାଇଛି ।

 

ବସ୍ ଚାଲିଛି ଶାନ୍ତ ସୁନ୍ଦର ତରୁଣ ଯୁବକଟିଏ ପରି । କିନ୍ତୁ ଏତିକିବେଳକୁ ତରୁଣୀ ବାନ୍ତି କରି ପକାଇ ସବୁ ମାରା କରିଦେଲେ । ଏପରି ସୁନ୍ଦରୀ ତରୁଣୀଙ୍କୁ ବି ବସରେ ବାନ୍ତି ଦେଖାଏ ? ଏକଥା ଜାଣିଥିଲେ କଣ୍ଡକ୍ଟରବାବୁ ଆଦୌ ସେଠାରେ ବସି ନ ଥାନ୍ତେ । ତେବେ ଯାହାହେଉ ତରୁଣୀ ତାଙ୍କର ସମସ୍ତ ବମନ ଦ୍ରବ୍ୟ କଣ୍ଡକ୍ଟରବାବୁଙ୍କ ଦେହରେ ନ ଢାଳି ସେଥିରୁ କେତେକାଂଶ ବସ୍ ଦେହରେ ଢାଳି ଦେଇ ଘଟଣାଟିକୁ ଖୁବ୍ ଚଞ୍ଚଳ କ୍ଲାଇମାକ୍ସରେ ପହଞ୍ଚାଇ ଦେଲେ ।

 

ସେତେବେଳକୁ ତରୁଣୀଙ୍କ ପ୍ରତି ଅଜସ୍ର ନୀରବ ଓ ସରବ ସହାନୁଭୂତି ଚତୁର୍ଦ୍ଦିଗରୁ ଉଛୁଳି ଆସିବାରୁ ସଙ୍ଗେ ସଙ୍ଗେ କଣ୍ଡକ୍ଟରବାବୁ ଓ କ୍ଲିନରବାବୁ ତରୁଣୀଙ୍କୁ ସେବା ପାଇଁ ଲେମ୍ବୁ ଓ ଜଳ ପରିବହନ ଓ ଯୋଗାଣ ଆଦି କାର୍ଯ୍ୟ କରିବାକୁ ଅପୃଷ୍ଟ ଓ ଅନିମନ୍ତ୍ରିତ ଭାବେ ସ୍ୱେଚ୍ଛା ସେଵକତ୍ଵ ବରଣ କରି ନେଉଥିଲେ, କିନ୍ତୁ ଦୁର୍ଭାଗ୍ୟ—ଡ୍ରାଇଭର୍ ଙ୍କ କର ତରିଆ ଦୋଷ ଯୋଗୁଁ ବସ୍‍ଟି ଅବାଞ୍ଛିତ ଭାବେ ଶୀଘ୍ର ବାଞ୍ଛିତ ସ୍ଥାନରେ ପହଞ୍ଚିଗଲା ଏବଂ ତରୁଣୀ ସମସ୍ତଙ୍କୁ ଉପେକ୍ଷା ତଥା ହତାଶ କରି ଅତି ନିର୍ଦ୍ଦୟ ଭାବେ ବସ୍‍ରୁ ଓହ୍ଲେଇ ଚାଲିଗଲେ ।

Image

 

ଶୋଭନା ଶୋଭାହୀନା

 

ଶୋଭନା ନାମ୍ନୀ ସେ ଶୋଭାହୀନା ଝିଅଟାର ଭବିଷ୍ୟତ ପାଇଁ ଯେଉଁମାନେ ସନ୍ଦୀହାନ ଥିଲେ, ସେମାନଙ୍କର ସକଳ ସନ୍ଦେହ ମୋଚନ କରିବା ପାଇଁ ସେଦିନ ସେ ଗୋଟାଏ ଅପ୍ରତ୍ୟାଶିତ ପଦକ୍ଷେପ ନେଲା !

 

ସେ ପ୍ରାପ୍ତ ବୟସ୍କା ହୋଇଥିଲା ସତ, ବିଧାତା କିନ୍ତୁ ତା ଦେହରେ ରଙ୍ଗ ବୋଳି ନ ଥିଲେ-। ଦେହଟାକୁ ଗୋରା କଲେ କ’ଣ ହେବ, ଆଖିରେ ଅପାଙ୍ଗ ଖଞ୍ଜିଲେ ନାହିଁ, ଓଠରେ ମଧୁ ସଞ୍ଚିଲେ ନାହିଁ କି ଛାତିରେ କନ୍ଦର୍ପର ମନ୍ଦିର ତୋଳିଲେ ନାହିଁ ।

 

ସେ ଥିଲା ତନୁପାତଳୀମାନଙ୍କଠାରୁ ବି ଆହୁରି ପତଳା । ତେଣୁ ବେଶୀ ଡେଙ୍ଗା ଦେଖାଯାଉଥିଲା । ତା ଛଡ଼ା ଛାମୁ ଦାନ୍ତ ଦୁଇଟି ବେଶି ଟିକିଏ ବଡ଼ ଥିବାରୁ ମୁହଁଟା ପୁରୁଷ ମୁହଁ ପରି ଦିଶୁଥିଲା ।

 

କଲେଜ ଟୋକାମାନଙ୍କର ସେ ଥିଲା ବ୍ୟଙ୍ଗ ବିଦ୍ରୂପର ସାମଗ୍ରୀ । ସେମାନେ ତାକୁ ବହୁ ନାମରେ ନାମିତ କରିଥିଲେ । ତେବେ ସେଥିରୁ କେତେକ ଅର୍ଥ ଜାଣିବା ଦୂରୂହ ବ୍ୟାପାର ହୋଇପଡ଼ିଥିବାରୁ ସେ ନାମକରଣର ଯଥାର୍ଥତା ପ୍ରତିପାଦନ କରିବା ସମ୍ଭବ ନ ଥିଲା ।

 

ତାର ଯେଉଁ ନାମଗୁଡ଼ିକ ବିଶେଷ ଖ୍ୟାତି ଅର୍ଜ୍ଜନ କରିଥିଲେ, ତନ୍ମଧ୍ୟରେ ସରୁଚକୁଳି, ଅଣ୍ତିରା ତାଳଗଛ, ସିଲିପଟ୍, ଲହକାଖାଡ଼ି, ଗୁରୁବାର କୋଠା ପ୍ରଧାନ । କେହି ଜଣେ ବଙ୍ଗାଳୀ ଟୋକା ବି କଥାଟାକୁ ଟିକେ ଲମ୍ୱେଇ ନୂଆ ଢଙ୍ଗରେ ତାକୁ କହେ—“ଖାଙ୍ଗେଡ଼ା କାଠିର ଉପରେ ଆଲୁର୍ ଦମ୍ ।”

 

କଲେଜର ଦେଢ଼ ବର୍ଷ ମଧ୍ୟରେ ଏସବୁ ନାମ ଲାଭ କରିବା ପୂର୍ବରୁ ସ୍କୁଲ ଜୀବନରେ ତା ନାମ ଥିଲା, “ଅଣ୍ଡିରାଚଣ୍ଡୀ” ଓ “ରଣଚଣ୍ଡୀ” । କଲେଜର ଏ ଅତ୍ୟାଧୁନିକ ନାମଗୁଡ଼ିକର ସମୁଦ୍ର ଭିତରେ ସ୍କୁଲର ସେ ମରହଟ୍ଟିଆ ନାମ ଦିଟା ଦିନା କେତେ ଉବେଇ ଟୁବେଇ ହୋଇ କେଉଁଦିନୁ ବୁଡ଼ି ସାରିଲାଣି ।

 

କଲେଜରେ ସେ ଆଉ ଚଣ୍ଡୀ ହୋଇ ନାହିଁ । ସବୁ ବ୍ୟଙ୍ଗ ଆକ୍ଷେପକୁ କବଳିତ କରି ଆଖିର ଲୁହକୁ ସମ୍ବଳ କରିଛି । ପ୍ରାପ୍ତ ବୟସରେ ଚାପାରେ ତାର ଅପ୍ରାପ୍ତ ଅଙ୍ଗଯଷ୍ଟି ଯେପରି ମଡ଼ ମଡ଼ ହୋଇ ଭାଙ୍ଗି ପଡ଼ୁଛି । ଯେଉଁ ସହପାଠିନୀମାନଙ୍କର ସେ ସ୍କୁଲ ଜୀବନରେ “ରକ୍ଷାର କବଚ” ହୋଇଥିଲା, ସେମାନେ ବି ତାକୁ ବିଦ୍ରୂପ କରିବା ଆରମ୍ଭ କରି ଦେଇଛନ୍ତି । ଶୋଭନା ଭାବେ ସେମାନଙ୍କ ଦେହର ଯୌବନ ଢେଉ ଯେପରି ଉନ୍ନତ୍ତ ହୋଇ ତାର ଯୌବନହୀନ ହାଲୁକା ଫମ୍ପା ଦେହଟାକୁ ବାଲୁକା ତଟରେ ଫିଙ୍ଗି ଦେଉଛି ।

 

ନିଜ ନାମଟା ତାକୁ ସବୁଠାରୁ ବେଶି ଅଟ୍ଟହାସ କରେ । ସଙ୍ଗିନୀ କେହି ତାକୁ “ଶୋଭନା” ନାମରେ ଡାକିଦେଲେ ସେ ସଂକୁଚିତ ହୋଇଯାଏ । କିନ୍ତୁ ସେ ମନେ କରେ କଲେଜ ଟୋକାଏ ଦେଇଥିବା କୌଣସି ଏକ ନାମରେ ତାକୁ ଡାକିଲେ ସେ ବରଂ ତାହା ଶ୍ରେୟସ୍କର ମଣନ୍ତା-। ବାପା ବୋଉ ଏପରି ଏକ ଅସଙ୍ଗତ ପୂର୍ଣ୍ଣ ନାମଟାକୁ ତାର ଶୋଭାହୀନ ଦେହଟାରେ କାହିଁକି ଲଦିଦେଲେ ଭାବି ଆଖିରେ ଗୁପ୍ତ ପଡ଼ିଥିବା ଛଳନା କରେ ।

 

ସ୍କୁଲ ଜୀବନରେ ସେ କେବେ ଲୁହ ଡାଳି ନ ଥିଲା । ସେ ଥିଲା ନିର୍ଭୀକା ଓ ସ୍ପଷ୍ଟବାଦିନୀ-। ସ୍କୁଲର ପାଞ୍ଚଶହ ଛାତ୍ର ମଧ୍ୟରେ ସେମାନେ ଥାଆନ୍ତି ତିରିଶିଜଣ ଛାତ୍ରୀ ତାଙ୍କ ଶ୍ରେଣୀର ଚାଳିଶଜଣ ମଧ୍ୟରେ ସେମାନେ ପାଞ୍ଚଜଣ । ଶ୍ରେଣୀରେ ସେ ପ୍ରଥମ ହେଉଥାଏ । ଯେଉଁ ଛାତ୍ରଟି ପ୍ରଥମ ହେବା ପାଇଁ ତା ସହିତ ପ୍ରତିଯୋଗିତା ଚଳାଇଥାଏ, ପାରେନି । ଶ୍ରେଣୀରେ ଅନେକ ସମୟରେ ପୁଅପିଲାମାନେ ଉତ୍ତର ଦେଇ ପାରନ୍ତି ନାହିଁ । କିନ୍ତୁ ଶୋଭନା ଉତ୍ତର ଦେଇ ବିଜୟନୀ ହୁଏ । ପୁଅପିଲାମାନଙ୍କର ମୁଣ୍ତ ତଳକୁ ହୋଇଯାଏ । ଶ୍ରେଣୀରେ ବେଳେ ବେଳେ ଶିକ୍ଷକଙ୍କୁ ସେ ଏପରି ପ୍ରଶ୍ନ କରେ ଯେ, ଶିକ୍ଷକ ବି ଅଡ଼ୁଆରେ ପଡ଼ି ଯାଆନ୍ତି । ତେଣୁ ଭଲ ଭାବରେ ପ୍ରସ୍ତୁତ ନ ହୋଇ ଶିକ୍ଷକ ସେ ଶ୍ରେଣୀକୁ ଗଲେ ନିଷ୍ପିତ ଭାବେ ଅପଦସ୍ତ ହୋଇଫେରନ୍ତି ।

 

ସେ ଲାଜ କ’ଣ ଜାଣେନି । ଅନ୍ୟ ସହପାଠିନୀମାନଙ୍କ ପରି ମୁହଁ ପୋତିବା କିମ୍ବା ହସିବା ତା ଦେହି ସମ୍ଭବ ହେଲା ନାହିଁ । ଶ୍ରେଣୀରେ କୌଣସି ହସ କଥା ପଡ଼ିଗଲେ ପୁଅପିଲାମାନେ ହସି ହସି ଝିଅମାନଙ୍କ ମୁହଁକୁ ଚାହାଁନ୍ତି, ତାଙ୍କ ମୁହଁରେ ହସ ଦେଖି ନିଜ ମୁହଁର ହସକୁ ଅଧିକ ମଧୁର କରିବା ପାଇଁ । ସେତେବେଳେ ଅନ୍ୟ ଝିଅ ପିଲା ସବୁ ମୁହଁ ପୋତି ହସୁ ଥାଆନ୍ତି । କିନ୍ତୁ ଶୋଭନା ନିର୍ବିକାର ମୁହଁରେ ଚାହିଁ ରହିଥାଏ । ମୁହଁକୁ ହସାଇବା ପାଇଁ ଯେଉଁ ସ୍ନାୟୁଗୁଡ଼ିକ ମୁଖ ଗହ୍ଵରରେ ଅଛନ୍ତି, ଶୋଭନାର ସେଗୁଡ଼ିକ ଗଣ୍ଠି ପଡ଼ି ଟାଣ ହୋଇଯାଇଛି ଯେପରି । ସେ ମୁହଁଟା ସେତେବେଳେ ମହିଷାସୁର ମର୍ଦ୍ଦନ ସମୟରେ ମୁହଁ ପରି ଭୟଙ୍କର ଦିଶୁଥାଏ । ପୁଅଗୁଡ଼ାକ ଭୟରେ ହସ ବନ୍ଦ କରି ଶିକ୍ଷକଙ୍କୁ ଅନାଇ ବସନ୍ତି ।

 

ସ୍କୁଲରେ କେହି ଛାତ୍ର କୌଣସି ଛାତ୍ରଙ୍କୁ କଣେଇ ଚାହିଁଦେଲେ କିମ୍ବା ଦେଖେଇ ଶୁଣେଇ କିଛି କହିଦେଲେ ସଙ୍ଗେ ସଙ୍ଗେ ଶୋଭନା ତାଙ୍କୁ ପଚାରିଦିଏ—“ମହାଶୟ, ଏପରି ଅଭିନୟ କରିବାକୁ ଆପଣଙ୍କୁ ରଙ୍ଗମଞ୍ଚ ମିଳିଲା ନାହିଁ ? ଆପଣ ନିଜର ଭଉଣୀଙ୍କୁ କ’ଣ ଏପରି ପରିହାସ କରନ୍ତି ?” ତେଣୁ ଛାତ୍ରମାନେ କୌଣସି ଛାତ୍ରୀଙ୍କୁ ଅସଦ୍ ବ୍ୟବହାର ପ୍ରଦର୍ଶନ କରିବା ପ୍ରଶ୍ନ ବି ଉଠୁ ନ ଥିଲା । ସେଥିରେ ପୁଣି ଶୋଭନାକୁ ଅନାଇବା ଅର୍ଥ ବିପଦ ଶିକୁଳି ଟାଣିବା । କେବଳ କେତୁଟା ଲଫଙ୍ଗା ଟୋକା ତାକୁ ଲୁଚେଇ ଡାକୁଥିଲେ ଅଣ୍ଡିରାଚଣ୍ଡୀ ଓ ରଣଚଣ୍ଡୀ । କ୍ରମେ ଏହି ଦୁଇ ଡାକର ଉତ୍ପାଦକ ବାହାର କରି ସଂକ୍ଷିପ୍ତରେ ତାକୁ ଡାକୁଥିଲେ ଚଣ୍ଡୀ । ତେଣୁ ତାର ଆଢ଼ୁଆଳରେ ରହିବାକୁ ନିରୀହ ଛାତ୍ରୀମାନେ ଖୁବ୍ ନିରାପଦ ମଣୁଥିଲେ ।

 

ଶୋଭନାର ମା’ ରୁଗ୍ଣ । ତେଣୁ ତାକୁ ଅନେକ ସମୟରେ ଘରକାମ କରିବାକୁ ପଡ଼େ । ସକାଳଟା ତାର ରୋଷେଇ ଘରେ ବିତିଯାଏ । କାମ ଭିଡ଼ି ପଡ଼ିଲେ ଦିନେ ଦିନେ ସେ ସ୍କୁଲକୁ ଯାଇପାରେ ନାହିଁ । ସାନ ଭଉଣୀ ଅନୀତା ତା ଠାରୁ ଦୁଇବର୍ଷ ସାନ । ଭାରି ଅଳସେଇ । ଘରକାମ ପଡ଼ିବ ବୋଲି ବାହାରେ ବୁଲେ । ଯେନ ତେନ ପଢ଼ି ଖାଲି ପାସ କରି ଚାଲିଛି ।

 

ତା ତଳକୁ ସାନ ସାନ ଆଉ ଦି ଭଉଣୀ ଓ ଦି ଭାଇ ଅଛନ୍ତି । ବାପା ମଧୁସୂଦନ ସ୍କୁଲ ଶିକ୍ଷକ ।

 

ବାପା ମା’ ବେଶି ଭଲ ପାଆନ୍ତି ଶୋଭନାକୁ । ଶୋଭନା ତାଙ୍କର ଘରର ମଣି । ତାର ଗୃହକର୍ମ ଓ ଅଧ୍ୟୟନ ଦେଖି ଯେ କୌଣସି ବାପା ମା’ ଗର୍ବ କରିବା ସ୍ଵାଭାବିକ୍ । ବାପାଙ୍କର ଇଚ୍ଛା ତାକୁ ମେଡ଼ିକଲରେ ପଢ଼ାଇବେ । ଡାକ୍ତରାଣୀ ହୋଇ ତା ଶାଶୁଶଶୁରକୁ ପୋଷୁ ବା ବାପା ବୋଉଙ୍କୁ ପୋଷୁ ବା ସାବିତ୍ରୀ ପରି ଦୁଇ କୂଳକୁ ଉଦ୍ଧାର କରୁ । ସେଇ ତାଙ୍କର ଝିଅ ସିନା, ହେଲେ ପୁଅ ।

 

ପିଲାଦିନେ ସେ ପୁଅ ହେବାକୁ ଭଲ ପାଉଥିଲା । ବାପା ମା’ ତାକୁ ଝିଅ ବୋଲି ଡାକିଦେଲେ ମୁହଁ ଶୁଖେଇ କହୁଥିଲା—‘ମୁଁ ପରା ପୁଅ ?’ ସାତବର୍ଷ ବୟସ ଯାଏଁ ସେ ଫ୍ରକ୍ ନ ପିନ୍ଧି ପ୍ୟାଣ୍ଟ୍ ସାର୍ଟ ପିନ୍ଧୁ ଥିଲା । ମୁଣ୍ଡରେ ଝଡ଼ା ବାଳ ନ ରଖି ପୁଅ ଢଙ୍ଗରେ ବାଳ କାଟୁଥିଲା । ପ୍ରାଇମେରୀ ପାଠ ଶେଷ କରି ସେ ଯେତେବେଳେ ହାଇସ୍କୁଲକୁ ଗଲା, ସେବେଠୁ ଯାଇ ସେ ଝିଅ ରୂପ ଧରିଲା ।

 

ଅନୀତାଟିର ଖାଣ୍ଟି ଝିଅ ଗଢ଼ଣ । ପିଲାଦିନରୁ ମୁଣ୍ଡ ସଜାଇବା, ଅଳତା, କଜ୍ଜଳ ନାଇବା, ପାଉଡ଼ର୍ ମାଖି ହେବା ପ୍ରଭୃତି ସଉକି ପାଇଁ ତାର ଭାରି ଝୁଙ୍କ । ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ତାଠି ଅଭାବ ନାହିଁ ।

 

ବାପା ମା ଭାବୁଥିଲେ ବୟସ ପାଇଲେ ଶୋଭନାର ସ୍ୱାସ୍ଥ୍ୟ ଆସିଯିବ । ନବମ ଶ୍ରେଣୀ ବର୍ଷ ସେ ବୟସ ପାଇଲା । କିନ୍ତୁ ଏକାଦଶ ଶ୍ରେଣୀ ହେଲାଣି । ସ୍ୱାସ୍ଥ୍ୟ ଉନ୍ନତିର କୌଣସି ସୂଚନା ନାହିଁ । ମୁହଁ ପାଉଁଶିଆ ଦିଶୁଛି । ହାତ ଗୋଡ଼ରେ ପାଉଁଶ ଲାଗୁନି । ତାର ସାଙ୍ଗ ସାଥୀ ପିଲାଏ ପୂରିଲା ପୂରିଲା ଦିଶୁଛନ୍ତି । କିନ୍ତୁ ଶୋଭନାର ସେଥିପାଇଁ ଖାତିର ନାହିଁ । ସେ ଯେମିତି ତା ପାଠ ଭିତରେ ବୁଡ଼ି ରହିବାକୁ ଚାହେଁ । ଦେହଟା ସାଧକ ମାତ୍ର, ସାଧନ ନୁହେଁ । ସେ ସାଧନ ଚାହେଁ । ସେ ଚାହେଁ ମରୁଭୂମିର ରୁଦ୍ରତାପ ବାଲୁକା ପରି କ୍ଳିଷ୍ଟ ସାଧନା । ପ୍ରତିଯୋଗୀମାନଙ୍କ ଠାରୁ ଅଧିକ ନମ୍ବର ରଖି ସେ ସିଦ୍ଧି ଲାଭ କରିବାକୁ ଚାହେଁ । ବସନ୍ତର ମଧୁ ହିଲ୍ଲୋଳ ତାର ଦରକାର ନାହିଁ । ଶରତର ଶୃଙ୍ଗାର ପୁଷ୍ପ ତାକୁ ସୁରଭିତ ନ କରୁ । ନିଦାଘ ଦଗ୍ଧ ଧରଣାର ଉଚ୍ଛ୍ୱାସ ହୋଇ ସେ ଉଠିବ ଊର୍ଦ୍ଧ୍ଵକୁ । ଯୌବନର ରଜତ ଜ୍ୟୋତ୍ସ୍ନା ତା ଅଙ୍ଗ ଅଙ୍ଗନକୁ ପ୍ରକ୍ଷାଳିତ ନ କରୁ !

 

ଅନୀତା ଏ ବର୍ଷ ବୟସ ପ୍ରାପ୍ତ ହେଲା । ଗୋଲାପ କଢ଼ିଟିଏ ପରି ଧୀରେ ବିକଶିତ ହେଉଛି । ମୁହଁରେ ଉଷାକାଳୀନ ଅବିର ବିଞ୍ଚି ହୋଇ ଆସୁଛି । କଳିଙ୍ଗ ଶିଳ୍ପୀ ସତେ ଅବା ତା କୋଣାରକ ପାଇଁ ଗୋଟିଏ ପ୍ରତିମା ଗଢ଼ୁଛି ।

 

ଶୋଭିନା ମାଟ୍ରିକ୍ ପାସ୍ କଲା ଫାଷ୍ଟ ଡ଼ିଭିଜନରେ ତାଙ୍କ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି । କଲେଜରେ ଆଡ଼୍ମିସନ୍ ନେଲା ସାଇନ୍ସରେ । ସରକାରୀ ବୃତ୍ତି ପାଇଲା ମାସିକ ପଚାଶ ଟଙ୍କା । ପିତା-ମାତାଙ୍କର ଛାତି କୁଣ୍ଢେ ମୋଟ ହୋଇଗଲା ।

 

ଶୋଭନାର ବିଶ୍ରାମ ନାହିଁ । ଛ’ମାସ ପରେ ପରୀକ୍ଷା । ଏ ଦୁଇବର୍ଷ ଫାଷ୍ଟ ଡିଭିଜନ୍ ପାଇଲେ ବାପାଙ୍କର ଇଚ୍ଛା ଓ ଆଶୀର୍ବାଦ ନେଇ ସେ ମେଡ଼ିକଲ୍ ଯିବ ।

 

ତାର ରହିବା ଘର ସ୍ୱତନ୍ତ୍ର । ସେଇଟା ତାର ଏକାଧାରରେ ଷ୍ଟଡ଼ି ରୁମ, ଡ୍ରଇଁ ରୁମ୍, ଡ୍ରେସିଂ ରୁମ୍ ଓ ବେଡ଼୍ ରୁମ୍ ।

 

ୱାୟାର୍ ଯୋଡ଼ି ବ୍ଳାକଟେପ ଗୁଡ଼ାଇ ପ୍ଳଗପଏଣ୍ଟ ଲାଇଟ୍ ଆଣିଛ ଷ୍ଟଡ଼ି ଟେବୁଲକୁ । ଟେବୁଲଟା ବି ସଜେଇଛି ଥାକ ଥାକ ବହିରେ । ଗୋଟିଏ ଛୋଟ ମନ୍ଦିର ଗଢ଼ିବା ପାଇଁ ବହି ସବୁ ଇଟା ହୋଇ ରଖା ହୋଇଛନ୍ତି ଅବା ! ଘରକାମ କରିବା ବେଳେ ଓ ଖାଇବା ବେଳେ ଯେତିକି ସେ ଅନ୍ୟତ୍ର ଯାଏ । ନୋହିଲେ ଶୋଭନା କଲେଜରେ ନାହିଁ ମାନେ ଅଛି ତା ଖାସ୍ କାମେରାରେ !

 

ସାଙ୍ଗ ସାଥୀମାନଙ୍କ ଘରକୁ ପ୍ରାୟ ସେ ଯାଏନା । ସାଙ୍ଗମାନେ ଭାରୀ ଦେଖାଇ ହୁଅନ୍ତି । ଛାତି ଠେଲି ଚାଲନ୍ତି । ଆଖିରେ ବି କଥା କହନ୍ତି । ହସି ହସି ଲୋଟି ପଡ଼ନ୍ତି । ଶୋଭନା ସେ ସବୁ ପାରେନା । ପାଠ ପଢ଼ାଟା ଦେଖାଇବା ଛଡ଼ା ତାର ଆଉ କ’ଣ ଦେଖାଇବାକୁ ଅଛି । ତେଣୁ ସେ ସେଇଥିରେ ଲାଗିଥାଏ । ଯାହାର ପାଠ ଶାଠ ନାହିଁ, ସେ ରୂପ ଦେଖାଉଥାନ୍ତୁ ! ରୂପ ଦେଖାଇ ହେବା ପାଇଁ କେବେ କେବେ ସେମାନେ ଶୋଭନା ପାଖରେ ପହଞ୍ଚନ୍ତି । ସେ ସମୟତକ ସେ ଭାରି ଛାଟିପିଟି ହୁଏ ।

 

ନିରୋଳାରେ ସାଙ୍ଗ ସାଥୀମାନଙ୍କର ଚାଲିଚଳନ ଅନୁକରଣ କରିବାକୁ ତାର ବେଳେ ବେଳେ ଇଚ୍ଛା ହୁଏ । ଦର୍ପଣ ଆଗରେ ଠିଆହୋଇ ଓଠ ବଙ୍କେଇ ହସିବାର ସେ ଅଭିନୟ କରେ । ମୂଳ-ଚଳଚିତ୍ରର ଛବିପରି ପାଟି ପାକୁ ପାକୁ କରି କହେ । ଭ୍ରୂଲତା ନଚାଇ କଣେଇ ଚାହେଁ । ଛାତି ଠେଲି ଚାଲି ଅନୁକରଣ କରେ । ଜବରଦସ୍ତି ବସନ୍ତ ଋତୁକୁ ତା ଦେହକୁ ଟାଣି ଆଣିବାକୁ ବ୍ୟର୍ଥ ଉଦ୍ୟମ ଚଳାଏ । କିନ୍ତୁ ଦର୍ପଣରେ ସେ ସବୁର ପ୍ରତିବିମ୍ବ ଦେଖି ସେ ନିଜେ ହିଁ ହସେ । ଭାରି ହସେ-। ନିଜକୁ ହିଁ ସେ ପରିହାସ କରେ । ଏକୁଟିଆ ଘରଟା ତାକୁ ଖିଁ ଖିଁ ହସି ଉଠିଲା ଭଳି ଜଣାପଡ଼େ । ଆଖି ତାର ଓଦା ହୋଇ ଆସେ । ହସ ଭିତରେ ଆତ୍ମଗୋପନ କରିଥିବା ଅଶ୍ରୁ ନିଗାଡ଼ି ହୋଇ ଝରି ଆସେ ।

 

ହାଇସ୍କୁଲରେ ଓଡ଼ିଆରେ ସେ ସର୍ବାପେକ୍ଷା ବେଶି ନମ୍ବର ଆଶୁଥିଲା । ସାହିତ୍ୟ ଶିକ୍ଷକ କହନ୍ତି—ସାହିତ୍ୟରେ ସେ କୁଆଡ଼େ ଜଣେ ସାହିତ୍ୟିକ ପରି ଲେଖୁଛି । ଉତ୍ତର ଖାତାରେ ଗଳ୍ପ ଓ କବିତା ପରି ସେ ଭାରି ସରସତା ଫୁଟାଇ ଥାଏ । ଶୁଖିଲା ମରୁ ଜୀବନଟାରେ ଏ ସରସତା ବାସ୍ତବିକ୍ ମରୁଦ୍ୟାନର ଝରଣା ! କଲେଜରେ ଓଡ଼ିଆ ଅଛି । ସେମିତି ବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତଥାପି ସେ ସାହିତ୍ୟକୁ ଭଲ ପାଇଛି । ସମୟ ପାଇଲେ ଉପନ୍ୟାସ ପଢ଼େ । ଉପନ୍ୟାସ ଗୁଡ଼ିକରେ ଥିବା ଜୀବନ ଓ ଦହନ ତାକୁ ଭଲ ଲାଗେ । “ଧୋବୀ” ଆଖିର ଲୁହ ସଙ୍ଗେ ନିଜ ଆଖିର ଲୁହ ମିଶାଇବା ପାଇଁ କାହ୍ନୁ ଚରଣଙ୍କ “ଶାସ୍ତି” ସେ ବାରମ୍ବାର ପଢ଼ିଛି ।

 

ଶୋଭନାର ଜୀବନ ଯେମିତି ଏବେ କିମିତି ବଦଳି ଯାଇଛି । ତାର ସେ ଚଣ୍ଡୀ ଢଙ୍ଗ ଆଉ ନାହିଁ । କଲେଜରେ ତା ପ୍ରତି ନୂତନ ଅବଦାନ ‘ନୀରବ-ଅଶ୍ରୁପାତ ।’ ଅଶ୍ରୁ ସାଙ୍ଗକୁ ସହିଷ୍ଣୁତା ତାର ଡେଙ୍ଗା ଦେହଟାକୁ ନୁଆଁଇ ଦେଲାଣି । କଲେଜ ଟୋକାଙ୍କର ପରିହାସକୁ ପ୍ରତିବାଦ ଜଣାଇବାକୁ ତାର ଆଉ ବଳ ନାହିଁ । ସ୍କୁଲ ଜୀବନର ସ୍ପଷ୍ଟବାଦିତା ଓ ନିର୍ଭୀକତା ଏପରି ଗୋଟିଏ ସମ୍ବଳହୀନ ଦେହରେ ଆଉ ଭରସା ନ ରଖିପାରି ଛାଡ଼ି ଚାଲିଗଲେ ଅବା !

 

ବାପା ଲକ୍ଷ୍ୟ କରନ୍ତି—ଶୋଭନାର କ’ଣ ଗୋଟାଏ ହୋଇଛି । ସେ କିମିତି ଦିନକୁ ଦିନ ଉଦାସୀନ ହୋଇପଡ଼ୁଛି । ଘରର କାମଦାମ କରୁଛି, କିନ୍ତୁ ଯନ୍ତ୍ର ପରି । ବାପା ତାକୁ ବେଳେ ବେଳେ ପାଖକୁ ଡାକି ତାର ପଢ଼ା, ଅଧ୍ୟାପକ, ସାଙ୍ଗ ସାଥୀମାନଙ୍କ କଥା ପଚାରି ତାର ଉଦାସୀନତା ଭାଙ୍ଗିବାକୁ ଚେଷ୍ଟା କରନ୍ତି ଓ ଭରସା ଦିଅନ୍ତି ଯେ ଡାକ୍ତରାଣୀ ହୋଇ ସେ କିପରି ଜଗତର କଲ୍ୟାଣ ପାଇଁ ତା ଜୀବନର ସାର୍ଥକ ବିନିଯୋଗ କରି ପାରିବ ।

 

ସେ ବର୍ଷ ସେ ପି.ଇଉ.ସି.ବି. ପାସ୍ କଲା ପ୍ରଥମ ଶ୍ରେଣୀରେ । ବୃତ୍ତି ବି ପାଇଲା ପୂର୍ବ ପରି ।

 

ଶୋଭନା ନିଜ ଉପରେ ଭରସା ରଖି ଚାଲିଲା ଆଗକୁ । ଏ ବର୍ଷଟା ପରେ ମେଡ଼ିକଲ୍ ଯିବ । ବେଶି ପରିଶ୍ରମ କରିବାକୁ ପଡ଼ିବ ଏ ବର୍ଷ । ବହୁ ସମୟ ସେ ପଢ଼ିବାରେ କଟାଇଦିଏ । ବହିଗୁଡ଼ାକ ତାର ଅନ୍ତରଙ୍ଗ ବନ୍ଧୁ ହୋଇ ପଡ଼ିଛନ୍ତି । କିନ୍ତୁ ନିନ୍ଦା ତା ଜୀବନର ସହଚରୀ ବୋଧହୁଏ । ଏ ବର୍ଷ କଲେଜ ଟୋକାଏ ତ କାମରେ ଗୋଟାଏ ନୂଆଁ ଗୁଜବ ସୃଷ୍ଟି କଲେଣି । ସେ କୁଆଡ଼େ କେମେଷ୍ଟ୍ରି ଲେକ୍ଚର୍ରଙ୍କ ପ୍ରେମରେ ପଡ଼ିଛି ।

 

ଗୁଜବର ଡେଣା ଅଛି । ସେ ଉଡ଼ିବୁଲେ । କିନ୍ତୁ ଏ ଗୁଜବଟାର ଡେଣା ଦେହ ଭିତରୁ ନ ବାହାରି ବୋଧହୁଏ ବାହାରୁ ଯୋଡ଼େଇ କରା ହୋଇଛି । ଯେ ଶୁଣିଲା ସେ ବିଶ୍ୱାସ କଲା ନାହିଁ । ଏପରି ଝିଅ କ’ଣ ପ୍ରେମରେ ପଡ଼ନ୍ତି ? ଏପରି ଝିଅର ପ୍ରେମରେ ପଡ଼ିବ ବା କିଏ ? ବାପା ମା’ଙ୍କ କାନକୁ ଏ କଥା ଯାଇଥିବ । କିନ୍ତୁ ଝିଅର ଚରିତ୍ର ନିଷ୍ଠା ଏତେ ନିର୍ଭରଯୋଗ୍ୟ ଯେ, ସେମାନେ ସେକଥା ମନକୁ ନେଇ ନ ଥିବେ । ପ୍ରତ୍ୟେକ ଗୁରୁଜନ ତା ଚରିତ୍ର କ’ଣ ଜାଣନ୍ତି । ତେଣୁ ନୂଆ ବର୍ଷା ଦେଖି ଉଇ ଦେହରେ ଯେଉଁ ଗୁଜବ ଡେଣା ଯୋଡ଼ି ହୋଇଥିଲା, ତାହା ଛିଣ୍ଡି ଛିଣ୍ଡି ଆସିଲା । ଶୋଭନା ମଧ୍ୟ ଟେଷ୍ଟରେ ଭଲ କଲା ।

 

ଅନୀତା ମଧ୍ୟ ଟେଷ୍ଟରେ ପାସ୍ କରିଛି । ଏ ବର୍ଷ ସେ ମାଟ୍ରିକ୍ ପରୀକ୍ଷା ଦେବ । ହଠାତ୍ ଦିନେ ମଧୁସୂଦନଙ୍କର ଜଣେ ପୁରୁଣା ବନ୍ଧୁ ଅନୀତା ପାଇଁ ଗୋଟିଏ ବିବାହ ପ୍ରସ୍ତାବ ଧରି ପହଞ୍ଝଲେ-। ପାତ୍ରଟି ବି.ଇଡ଼ି. ପାସ୍ କରି ଶିକ୍ଷକ ହୋଇଛନ୍ତି । ଭୂମି ବାଡ଼ କିଛି ଅଛି । ଘରେ ମା’ ଓ ଏକମାତ୍ର ପୁଅ । ଯୌତୁକ ଦାବୀ ନାହିଁ । ରାଜି ହେଲେ ଏଇ ମାଘରେ ବିବାହ ବଢ଼ିଯିବ । ମାଘ ମାସ ଆଉ କାହିଁ ? ପୌଷ ତ ସରିବା ଉପରେ ।

 

ମଧୁସୂଦନ କ’ଣ କରିବେ ? ହୁଏତ ଏ ଗୋଟାଏ ସୁଯୋଗ । ତେବେ ବଡ଼ ଭଉଣୀ ଥାଉ ଥାଉ ସାନ ଭଉଣୀର ବିବାହ କିପରି ହେବ ? ବଡ଼ ଅଡ଼ୁଆରେ ପଡ଼ିଲେ । ଶୋଭନା ପ୍ରତି ତାଙ୍କର ଏ ଏକ ବିରାଟ ଅମାନୁଷିକତା ହେବ; ତଥାପି ନାହିଁ କରି ପାରିଲେ ନାହିଁ ।

 

ରାତି ଖିଆପିଆ ଶେଷ ହେବା ପରେ ମଧୁସୂଦନ ଶୋଭନାର ରୁମ୍ ରେ ପ୍ରବେଶ କଲେ-। ଖାଇବା ଶେଷ କରି ପଢ଼ା ଆରମ୍ଭ ପୂର୍ବରୁ ଶୋଭନା ବ୍ଲାକ୍ଟେଟେପ୍‍ ଗୁଡ଼ାଇ ଷ୍ଠଡ଼ି ଲ୍ୟାମ୍ପଟାର ତାରକୁ ଯୋଡ଼ୁଥିଲା । ବାପାଙ୍କୁ ଦେଖି ସାଙ୍ଗେ ସାଙ୍ଗେ ଗୋଟିଏ ବିଜ୍ଞାନ ବହି ଭିଡ଼ି ଆଣି ପଢ଼ି ବସିଲା । ନାରୀ ପୁରୁଷର ଯୁଗ୍ମ ଛବି ଥିବା ଗୋଟିଏ ବହି ଆଗରୁ ମେଲା ହୋଇ ଟେବୁଲ୍ ଉପରେ ପଡ଼ିଥିଲା । ସାଙ୍ଗେ ସାଙ୍ଗେ ତାକୁ ଲୁଚାଇ ପଳାଇଲା । କିଛି କହିବା ପାଇଁ ଆସି ମଧୁସୂଦନ କିଛି କହି ନ ପାରି ଟେବୁଲ ପାଖରେ ବସିଲେ । ଅନ୍ୟମନସ୍କତାକୁ ଲୁଚାଇ ଶୋଭନା ରହି ରହି ଖାଲି ବହିର ପୃଷ୍ଠା ଓଲଟାଉ ଥିଲା ।

ଅନେକ ସମୟ ପରେ ଶୋଭନା ପଚାରିଲା—“ବାପା, ଦେହ ଭଲ ନାହିଁ କି ? ମୁହିଁ କିମିତି ଫଣଫଣିଆ ଦିଶୁଛି, ଶର୍ଦ୍ଦି ଧରିପାରେ ।”

ଶୋଭନାର ସ୍ନେହବୋଳା କଥା ଶୁଣି ମଧୁସୂଦନଙ୍କର ମୁହଁଟା ପ୍ରକୃତରେ ଫଣଫଣିଆ ହୋଇ ଉଠିଲା । ଆଖିରୁ କେତେ ବୁନ୍ଦା ଲୁହ ବି ଖସି ପଡ଼ିଲା । ସେ ଭଗ୍ନ କଣ୍ଠରେ କହିଲେ–‘ଗୋଟିଏ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇ ତୋ ପାଖକୁ ଆସିଛି ଶୋଭନା । ତୋ ବାପାର ନିଷ୍ଠୁରତା ବିଚାରହୀନତା ଓ କୃତଘ୍ନତାକୁ ଯେବେ କ୍ଷମା ଦେବୁ, ତେବେ କହିବି ।’ ଶୋଭନା କିଛି ବୁଝି ପାରିଲା ନାହିଁ । କେବଳ ଆଶ୍ଚର୍ଯ୍ୟ ହେଲା । ବାପାଙ୍କୁ ଏକ ଲୟରେ ଚାହିଁ କହିଲା–’ଯଦି ତାହା ନ ପାରିବ, ତେବେ ମୁଁ ତୁମ ପ୍ରତି ଅଧିକ ନିଷ୍ଠୁର, ଅବିଚାରୀ ଓ କୃତଘ୍ନ ହେବିନି କି ବାପା ?’

ମଧୁସୂଦନ କାନ୍ଦି ଉଠିଲେ । ବାପାଙ୍କର ଏ କାନ୍ଦିବା ସେ କେବେ ଦେଖି ନ ଥିଲା । ପିଲାଦିନେ ବାପା ତାଙ୍କ ବୋଉଙ୍କ ପାଖରେ ଏମିତି ହୁଏତ କାନ୍ଦିଥିଲେ କାନ୍ଦିଥିବେ । ଶୋଭନା କିଛି ବୁଝି ପାରିଲା ନାହିଁ, ତଥାପି ବିଚଳିତ ହେଲା ନାହିଁ ।

ବାପାଙ୍କୁ ପ୍ରକୃତିସ୍ଥ କରିବାକୁ ଶୋଭନା ରହସ୍ୟ କରି କହିଲା—“ବାପା, ପିଲାଦିନେ ତୁମେ ଏମିତି ତୁମ ବୋଉଙ୍କ ପାଖରେ କାନ୍ଦୁଥିଲ ନା ?”

 

ମଧୁସୂଦନ କହିଲେ–“ହଁ ମା’, ବୋଉ ପାଖରେ ମୁଁ ଏମିତି ଅଳି କରୁଥିଲି । ଆଉ ତୁ ଆଜି ମୋ ବୋଉ । ଗୋଟିଏ ଅଳି ପାଇଁ ମୁଁ ଆଜି ତୋ ପାଖରେ ଖୁବ୍ କ୍ଷୁଦ୍ର ହୋଇ ପଡ଼ିଛି ମା’ ! ତୁ ପିଲାଦିନେ ନିଜକୁ ପୁଅ ବୋଲି ପରିଚୟ ଦେବାକୁ ଭଲ ପାଉଥିଲୁ । ତୋତେ ଝିଅ ବୋଲି ଡାକିଦେଲେ ତୁ ରାଗି ଉଠୁଥିଲୁ । ତୁ ମୋର ସେହି ପୁଅ ହୋଇ ମୋ ପାଖରେ ସବୁଦିନ ପାଇଁ ରହି ପାରିବୁ ମା’ ? ତୁ ମେଡ଼ିକଲ୍‍ରେ ପଢ଼ିବୁ । ଡାକ୍ତରାଣୀ ହେବୁ । ଆଉ ତୋର ଏ ଅପଦାର୍ଥ ବାପାଟାକୁ ପୋଷିବା ପାଇଁ...... ! ଅନୀତାକୁ ରୁ କେତେ ଭଲ ପାଉ ! ସେହି ଭଲ ପାଇବା ବଦଳରେ ତାକୁ ତୁ ନିଜେ ତା ସ୍ଵାମୀ ହାତରେ ଟେକିଦେଇ ପାରିବୁ ମା’ ? ତା ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିଛି । ଏଇ ମାଘ ମାସ ତିଥିରେ । ଯୌତୁକ ଦାବୀ ନାହିଁ ।”

 

ଶୋଭାନା ସେହିପରି ଏକଲୟରେ ବାପାଙ୍କୁ ଚାହିଁ କହିଲା—ଏଇ ସାମାନ୍ୟ କଥା ମୁଁ ପାରିବି ନାହିଁ ବାପା ? ଏ ଦେଶରେ ଭୀଷ୍ମ ଥିଲେ, ରଘୁପତି ଥିଲେ । ପ୍ରତିଜ୍ଞ ପାଳନ କରିବା ଦୃଷ୍ଟାନ୍ତରେ ଏ ଦେଶର ଐତିହ୍ୟ ସମୃଦ୍ଧ ବାପା: ଏ ଦେଶରେ ଗାର୍ଗୀ ଥିଲେ । ଏ ଦେଶରେ ଲୋପାମୁଦ୍ରା ଥିଲେ । ଶାସ୍ତୁ ଅଧ୍ୟୟନ ପାଇଁ ଚିରକୁମାରୀ ଭାବେ ବ୍ରହ୍ମବାଦିନୀ ରହିବାର ଆଲେଖ୍ୟ ଏ ଦେଶର ଇତିହାସରେ ଅଭାବ ନାହିଁ ବାପା !! ଆଉ ମୁଁ ପାରିବି ନାହିଁ ? ପାରିବି, ପାରିବାକୁ ଚେଷ୍ଟା କରିବି ! ଏତେ ପାଠ ପଢ଼ିଛି ! ଚେଷ୍ଟା ମୋର ସଫଳ ହେବ ନାହିଁ ? ତୁମେ ଶୋଇବାକୁ ଯାଅ ପାପା, ରାତି ଅନେକ ହେଲାଣି ।

 

ମଧୁସୂଦନ ଦେଖିଲେଏ ସେ କହି ଚାଲିଛି, ମୁହଁରେ ଲୁହ ନାହିଁ, ଉଲ୍ଲାସ ନାହିଁ, କ୍ରୋଧ ନାହିଁ, ଅଭିମାନ ନାହିଁ, ଅସନ୍ତୋଷ ନାହିଁ, ସନ୍ତୋଷ ନାହିଁ ! ଗୋଟିଏ ନିର୍ବିକାର ସ୍ଵନ୍ଦନହୀନ ମୁଖ ଯେପରି ତ୍ୟାଗର ବାଣୀ ଶୁଣାଇ ଚାଲିଛି ବୌଦ୍ଧ ଭିକ୍ଷୁଣୀ ପରି ! ଭାବ ପ୍ରବଣତା ନୁହେଁ ତ ଆଉ !

 

ସେ ଶୋଇବାକୁ ଗଲେ । ଶୋଭା ଠିଆ ହୋଇ ଇଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଣତି ଅର୍ପଣ କଲା । ତା’ ପରେ ବସି ଭାବିଲା-ସେମାନେ ଚାରି ଭଉଣୀ । ଏ ଯୌତୁକ ସର୍ବସ୍ଵ ଯୁଗରେ ଝିଅଟିଏ ବାହା ଦେବା ମଧ୍ୟବିତ୍ତ ପରିବାରରେ କି କଠିନ ବ୍ୟାପାର । ଗୋଟିଏ ଝିଅ ଯଦି ସୁବିଧାରେ ଏକ ସତ୍‍ପାତ୍ର ହସ୍ତକୁ ଖସିଯାଏ ! ତା’ ପରେ ସେ ଅଧ୍ୟୟନରେ ମନ ଦେଲା । ଏଇ ଅଧ୍ୟୟନ ସହିତ ତାର କେଉଁଦିନୁ ବିବାହ ହୋଇ ସାରିଛି । ପରୀକ୍ଷା ମୁଣ୍ଡ ଉପରେ । ଲୁଚାଇ ଦେଇଥିବା ସେ ନାରୀ ପୁରୁଷ ଛବି ଥିବା ରଙ୍ଗୀନ ବହିଟାକୁ ଚିରି ନିଆଁ ଲଗାଇଦେଲା ।

 

ରାତିରେ ତାକୁ ଭଲ ନିଦ ହେଲା ନାହିଁ । ପରୀକ୍ଷା ପୂର୍ବରୁ ଭଲ ନିଦ ନ ହେବାହିଁ ଭଲ ।

 

ଅନୀତାର ବାହାଘର ପାଇଁ ପିଠା–ପଣା କରିବା, ଘର ଲିପା-ପୋଛା କରିବା, ବନ୍ଧୁ ସମ୍ପାଦିକା ଆଦି କାର୍ଯ୍ୟ ଶୋଭନା ନିଜ ହାତରେ କଲା । ଅନୀତାର ବେଦି ମଣ୍ଡପକୁ ନାନାରଙ୍ଗର ବିଜୁଳୀବତୀରେ ମଣ୍ଡି ଦେଲା । ବରକନ୍ୟା ବିଦାୟ ନେବା ଯାଏଁ ତାକୁ ଆଉ ଫୁରୁସତ ନ ଥିଲା ।

 

ବିବାହର ଚତୁର୍ଥୀ ସେଦିନ । ଅନୀତା ଘରକୁ ମଧୁଶଯ୍ୟା ସାମଗ୍ରୀ ପଠାଗଲା । ଶୋଭନା ନିଜ ହାତରେ ସଜାଡ଼ି ଦେଲା ସେ ସମସ୍ତ ସାମଗ୍ରୀ । ଅନୀତାର ବର ପାଇଁ ଜରି ଧଡ଼ିରେ ସରୁ ଧୋତି, ମଖମଲ କନାର ପଞ୍ଜବୀ, ଅନୀତା ପାଇଁ ଝୀନ ରେଶମୀ ଶାଢ଼ୀ, କାଞ୍ଚଲା, ପାନ ସଜ, ଅତର, ସ୍ନୋ, ଦୀପ ପାଇଁ ଗୁଆ ଘିଅ, ହୋମ ନଡ଼ିଆ ଆଦି ଯାବତୀୟ ସରଞାମ ।

 

ପରଦିନ ସକାଳ କଥା । ଶାଭନାର ଦ୍ଵାର ଖୋଲି ନାହିଁ । ଏତେବେଳ ପର୍ଯ୍ୟନ୍ତ ସେ କେବେ ଶୁଏନି । ବାପା ଭାବିଲେ-ପରୀକ୍ଷା ପାଇଁ ଝିଅ ବହୁ ସମୟ ଯାଏଁ ପଢ଼ିଛି । ନିଦ ଭାଙ୍ଗି ନାହିଁ-

 

ଦିନ ଆଠଟା ଯାଏଁ ନ ଉଠିବାରୁ ବାପା ଡ଼ାକିଲେ, ମା’ ଡ଼ାକିଲେ, ସାନ ଭାଇ ଭଉଣୀ ଆସି ଡାକ ପକାଇଲେ । ଘରେ ଏକ ଅଜଣା ଆଶଙ୍କା ଖେଳିଗଲା । ସାଇ ପଡ଼ିଶାରେ ଚହଳ ପଡ଼ିଗଲା । ଲୋକେ ଧାଇଁ ଆସିଲେ । ଶୋଭନା ରୁମ୍ରେ କୌଣସି ସ୍ଵର ଶବ୍ଦ ଶୁଣାଗଲା ନାହିଁ । ସମସ୍ତେ ଆଶଙ୍କାକୁଳ ହୋଇ ଉଠିଲେ । ଦ୍ଵାର ଭାଙ୍ଗି ଦିଆଗଲା ।

 

ସମସ୍ତେ ଏ କ’ଣ ଦେଖିଲେ ! ଶୋଭନା ଚୌକିରେ ବସିଛି । ଦେହ ନେଳିଆ ପଡ଼ି ଯାଇଛି । ଦି ଚାରିଟା ଛିଣ୍ଡା ବ୍ଳାକ୍ଟେପ୍ ଟେବୁଲ ଉପରେ ପଡ଼ିଛି । ବିଜ୍ଞାନ ବହିଟିଏ ସାମ୍ନାରେ ଖୋଲା ଅଛି । ହାତଟା ଷ୍ଟଡ଼ିଲ୍ୟାମ୍ଫକୁ ସଂଯୋଗ କରିଥିବା ବିଜୁଳି ତାର ସହିତ ଲାଗି ରହିଛି । ଦେହରେ ପ୍ରାଣ ନାହିଁ ।

 

ତେଣେ ଗତ ରାତିରେ ଅନୀତା ତାର ମଧୁଶଯ୍ୟା ରଚନା କରିଥିବ, ଏଣେ ଶୋଭନା ପାଇଁ ସେ ନିଜେ କିମ୍ବା ବିଧାତା ଏ ଅନ୍ତିମ ଶଯ୍ୟା ରଚନା କରି ଦେଇଛି । ସମସ୍ତେ କାନ୍ଦି ଉଠିଲେ ।

 

ଗୁରୁଜନମାନେ କହିଲେ—“ଆହା, ପଢ଼ୁ ପଢ଼ୁ ପିଲାଟାର ହାତ ତାରରେ ବାଜିଗଲା ।” କଲେଜରେ ସେ ପୁରୁଣା ଗୁଜବଟା ଏଥର ପୁଣି ଡ଼େଣା ଲଗାଇ କହି ବୁଲିଲା—“ଗୋପନ ପ୍ରଣୟର ପାପ ଗର୍ଭକୁ ଲୁଚାଇବା ପାଇଁ ସେ ଆତ୍ମହତ୍ୟା କରିଛି ।” ବାପା କିଛି କହି ପାରିଲେ ନାହିଁ-। କେବଳ ଥକ୍କା ହୋଇ ବସି ପଡ଼ିଲେ ମୁଣ୍ଡରେ ହାତ ମାରି । ଭାବୁଥିଲେ—”ସେଦିନ ରାତିର ପ୍ରତିଜ୍ଞା ପାଳନ କରିବାକୁ ଚେଷ୍ଟା କରିବ ବୋଲି ଭାବପ୍ରବଣ ହୋଇ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ସେ ପାରିଲା ନାହିଁ ।”

 

କଲେଜ ଓ ସ୍କୁଲର ଛାତ୍ରୀ ତଥା ଶିକ୍ଷକ ସମେତ ବହୁ ସ୍ଥାନୀୟ ବ୍ୟକ୍ତି ଶୋକ-ସନ୍ତପ୍ତ ଚିତ୍ତରେ ଶୋଭନାର ଅନ୍ତିମ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ଏବଂ ତା ଆତ୍ମାର ସଦ୍‍ଗତି କାମନା କରିଥିଲେ ।

Image

 

ଆତ୍ମାର ଯୌନକ୍ରୀଡ଼ା

 

ସେଦିନ ଥିଲା ଏହିଭଳି ଏକ ଫାଲ୍‍ଗୁନ ପୂର୍ଣ୍ଣିମା । ବାହାରେ ବିଚ୍ଛୁରିତ ହୋଇଥିଲା ଜ୍ୟୋତ୍ସ୍ନାର ଅସୀମ ଶୁଭ୍ରତା । ଶୁଭ୍ରାଙ୍ଗିନୀ ମାହାରୀର ପୂଜା ପ୍ରକୋଷ୍ଠରେ ଏହି ଶୁଭ୍ରତାର କିୟଦଂଶ ଏକ ଜ୍ୟୋତିର୍ମୟ ରୂପଧରି କହିଯାଇଥିଲା ତାକୁ—‘ତୋର ଉଦ୍ଧାର କର୍ତ୍ତା ଆସୁଛନ୍ତି । ସେ ଆସୁଛନ୍ତି ଏହିପରି ଏକ ପୂର୍ଣ୍ଣିମାରେ ତୋ ପାଇଁ ପୂର୍ଣ୍ଣତାର ଆଲୋକ ଧରି ।’

ଇତି ମଧ୍ୟରେ ଅନେକ ଫାଲ୍‍ଗୁନ ପୂର୍ଣ୍ଣିମା ଗଲାଣି । କିନ୍ତୁ କାହାନ୍ତି ତାର ସେ ଉଦ୍ଧାର କର୍ତ୍ତା ?

ସେଦିନ ଥିଲା ତା ଅନୁଶୋଚନାର ଚରମ ପର୍ଯ୍ୟାୟ । ନିଜ ଯୌବନ ଓ ରୂପକୁ ତିଳ ତିଳ ଦେଇ ଯେଉଁ ଉଦ୍‌ବେଳିତ ଆନନ୍ଦ ଜୁଆରରେ ସମୟ ବିତାଉଥିଲା, ସେଥିରେ ତାର ଆସିଥିଲା ଆକସ୍ମିକ ଭଟ୍ଟା ।

ଦେହ ଆଉ ମନର ଦୁର୍ନିବାର କ୍ଷୁଧା ନିବାରଣ କରିବାକୁ ସେ ଯେଉଁ ପନ୍ଥା ବାଛି ନେଇଥିଲା, ସେଥିରେ ସେ ପୂର୍ଣ୍ଣ ନିସ୍ଫଳତା ହୃଦୟଙ୍ଗମ କରିଥିଲା । ଦେହର ବର୍ହିତ୍ଵକ୍‍ ଠାରୁ ଆରମ୍ଭ କରି ଗଭୀରତମ ଅଂଶ ପର୍ଯ୍ୟନ୍ତ ଯେଉଁ ନିବିଡ଼ ଆକର୍ଷଣ ରହିଛି ବିଭିନ୍ନ ପୁରୁଷଙ୍କର ବିଭିନ୍ନ କ୍ରିୟାରେ ସେ ସବୁକୁ ସେ ଉପଭୋଗ କରିଛି । ତଥାପି ସେ ନିଜକୁ ଅପୂର୍ଣ୍ଣ ବୋଲି ମନେ କରେ । କାମାନଳରେ ବହୁସମିଧ ଓ ଘୃତ ଆହୁତି ଦେଇ ତାର ଶିଖା ପ୍ରଜ୍ଜ୍ଵଳିତ କରିଛି, ତଥାପି ସେ ଶିଖା ଆହୁରି ଲେଲିହାନ ହେବାକୁ ଦାବୀ କରିଛି । ଦେହ ଓ ମନର ସୂକ୍ଷ୍ମତମ କୋଷାଣୁର ଆହାନକୁ ଯଥାର୍ଥ ପ୍ରତ୍ୟୁତ୍ତର ଦେବା ପାଇଁ ଯୋଗ୍ୟ ପୁରୁଷର ସନ୍ଧାନ ପାଇ ପାରି ନାହିଁ ଏ ପର୍ଯ୍ୟନ୍ତ । ସାହିତ୍ୟିକ, ସଙ୍ଗୀତଜ୍ଞ ଓ ଚିତ୍ରଶିଳ୍ପୀର କାନ୍ତ କୋମଳ ସୂକ୍ଷ୍ମମନ ତା ସୂକ୍ଷ୍ମସତ୍ତାକୁ ସ୍ପର୍ଶ କରି ଅସୀମ ଆନନ୍ଦର ଅନୁଭୂତି ପ୍ରଦାନ କରିଛି, ତଥାପି ସେ କାହିଁକି ଆଉ କିଛିକୁ ଅନ୍ୱେଷଣ କରିଛି ! ବିଭିନ୍ନ ମନ ସହିତ ନିଜର ବହୁମୂଖୀ କ୍ଷୁଧାକୁ ସଂଯୋଗ କରି ନିଜ ଚେତନାକୁ ଗଭୀର କରିଛି, ତଥାପି ଖୋଜିଛି ଗଭୀରତର ଅନ୍ୟ ଏକ ଅନୁଭୂତି ! ଯୋଗୀମାନଙ୍କର ସଂଯମଶୀଳ ରୂପରେ ଗଭୀରତମ ଚେତନାର ସୂଚନା ପାଇ ସେ କାମନା କରିଛି ଯୋଗୀର ପ୍ରେମ । ଭାବିଛି-ଧନ୍ୟ ସେହି କରତା ! ଋଷ୍ୟଶୃଙ୍ଗକୁ ଯେ କ୍ଷଣିକ ପାଇଁ ହେଉ ପଛେ ଭୋଗ କରିଥିଲା ! ଧନ୍ୟ ସେହି ମେନକା, ଯେ ଜଣେ ଯୋଗୀଙ୍କ ଔରସରୁ ଶକୁନ୍ତଳାକୁ ସୃଷ୍ଟି କରି ଗୋଟାଏ ଦେଶର ନାମକରଣ ପାଇଁ ପ୍ରାକ୍‍ଭିତ୍ତିକ ପ୍ରସ୍ତୁତ କରିଥିଲା । ଗୋଟିଏ ଯୋଗୀର ଆଲିଙ୍ଗନ ତା ପକ୍ଷରେ ନିତାନ୍ତ ଆବଶ୍ୟକ ହୋଇ ପଡ଼ିଲା ଦିନୁ ଦିନ ।

ସେ ନିଜକୁ କରି ପାରିନି ପୂର୍ଣ୍ଣ, ଅନ୍ୟକୁ ବି ପୂର୍ଣ୍ଣତା ପ୍ରଦାନ କରିବାକୁ ସେ ସମର୍ଥ ହୋଇ ପାରିନି । ସେ ଯାହା ଭାବୁଥିଲା—ଯୌନକ୍ରିୟା ମାଧ୍ୟମରେ ସେ କ୍ରମଶଃ ପୂର୍ଣ୍ଣତର ହୋଇଉଠୁଛି ଏବଂ ଅନ୍ୟକୁ ପୂର୍ଣ୍ଣତର କରିବାରେ ସହାୟକ ହୋଇ ଭଗବାନଙ୍କର ସୃଷ୍ଟିକୁ ପୂର୍ଣ୍ଣତମ ଆଡ଼କୁ ଉତ୍ତୋଳିତ କରି ନେଉଛି, ତାହା ଏକ ବିକାରଗ୍ରସ୍ତ ଚିନ୍ତାଧାରା ବୋଲି ପ୍ରମାଣିତ ହୋଇଛି ତା ନିକଟରେ ।

ଖାଦ୍ୟବସ୍ତ୍ର ଗୃହ ଯୋଗାଇ ସମାଜସେବୀଗଣ ଯେପରି ଗର୍ବ କରନ୍ତି ଯେ ସେମାନେ ଭଗବତ ସେବା କରୁଛନ୍ତି, ଗଣିକାଗଣ ସେହିପରି ଭାବିଥାନ୍ତି ସମାଜର ଦୁଃପ୍ତ ଓ ବିକାରଗସ୍ତ ଦେହମନକୁ ଖୋରାକ ଯୋଗାଇ ସେମାନେ ଭଗବତ୍ ସେବା କରୁଛନ୍ତି; କିନ୍ତୁ ତାହା କେତେବଡ଼ ଭ୍ରାନ୍ତ ଧାରଣା ? ଦେହ ମନର ଅନ୍ତରାଳରେ ଯେଉଁ ଆତ୍ମ ସତ୍ତା ବିଦ୍ୟମାନ, ତାହାକୁ ଉପେକ୍ଷା କରି କେହି ପୂର୍ଣ୍ଣତାର ସେବକ ହୋଇ ପାରେନା । ଅନ୍ୟର ବାହ୍ୟ ପ୍ରକୃତିକୁ ନିଜର ବାହ୍ୟ ପ୍ରକୃତି ପରିବେଷଣ କରି କେହି କେବେ ଭଗବତ୍ ରାଜ୍ୟରେ ପଦାର୍ପଣ କରିଛି ବୋଲି ଦାମ୍ଭିକତା ପ୍ରଦର୍ଶନ କରି ପାରେନା !

କିନ୍ତୁ ମୁକ୍ତି କାହିଁ ? କିଏ ତାକୁ ଏହି ନିମ୍ନ ପ୍ରକୃତିର ଜଘନ୍ୟ ଆବର୍ତ୍ତ ମଧ୍ୟରୁ ଉଦ୍ଧାର କରିବ ? ଶୁଭ୍ରାଙ୍ଗିନୀର ରୂପାଗ୍ନି ଏବେ ବି ପ୍ରଜ୍ଜ୍ଵଳିତ ରହିଛି ! ଏହି ଅଗ୍ନିରେ ଝାସ ଦେବାକୁ ପତଙ୍ଗର ଅଭାବ ନାହିଁ । ତାର ଅର୍ଦ୍ଧମୁକ୍ତ ଶଙ୍ଖ ଶୁଭ୍ର ପୃଷ୍ଠ, ନଗ୍ନଗ୍ରୀବାର ଶୁଭ୍ରବର୍ଣ୍ଣାଢ଼୍ୟ ବିଭବ, ଅମୃତ ଗର୍ଭ ଅଧରର ଆହ୍ୱାନ, ରସିକତା ପରିପୂର୍ଣ୍ଣ ନୟନର ଲୀଳା ଲୋଭରେ ବହୁ ସମ୍ଭ୍ରାନ୍ତ ରୂପବାନ୍ ଯୁବା ଏବେ ବି ଉନ୍ମାଦ ହୋଇ ଉଠନ୍ତି ।

କିନ୍ତୁ ସେ ମୁକ୍ତି ଚାହେଁ ! କାହିଁ ମୁକ୍ତି !!

ଦୁଇ ବର୍ଷ ତଳର କଥା । ଜଣେ ପୌଢ଼ଙ୍କର ଆଗମନ ଘଟିଲା । ନାମ ତାଙ୍କର ମହାପାତ୍ର ଧନପତି ଭୂୟାଁ । ନିବିଡ଼ ପ୍ରେମାଲିଙ୍ଗନରେ ସେ ଆବଦ୍ଧ କରିଥିଲେ ମାହାରୀ ଶୁଭ୍ରାଙ୍ଗିନୀକୁ ! ସେ ରାତିରେ ଅନୁଭୂତି ଥିଲା ତା ପକ୍ଷରେ ଅନନୁଭୂତ । କେବଳ ଶରୀର ନୁହେଁ, ତା ମନର ଗଭୀର ଅଂଶ ସହଯୋଗ କରିଥିଲେ ସେହି କ୍ରୀଡ଼ାରେ । ସେ ଚାହଁଥିଲା ଏହାଙ୍କୁ ଯଦି ସେ ସ୍ଥାୟୀ ଭାବରେ ପାଇପାରନ୍ତା ! ତାହାହେଲେ ତାର ଅନନ୍ତ କ୍ଷୁଧା ଉପଶମ ହୋଇ ଯାଆନ୍ତା । ସେ ସକଳ ଦୁର୍ବାଞ୍ଛିତ ବାତାବରଣରୁ ମୁକ୍ତ ହୋଇଯାଆନ୍ତା !

ଆଶ୍ଚର୍ଯ୍ୟର କଥା—ବିଦାୟ କାଳରେ ଧନପତି ଭୂୟାଁ ନିଜେ ପ୍ରସ୍ତାବ ବାଢ଼ିଥିଲେ—ଶୁଭ୍ରା, ତୁମ ସହିତ ମୋର ପ୍ରେମାନୁଭୂତି ଅଦ୍ଭୁତ ପୂର୍ବ । ଏ ଯେମିତି ମନୁଷ୍ୟତୀତ ଯୌନାନୁଭୂତି । ହୁଏତ ତାହା ହୋଇପାରେ ଦେବସୁଲଭ, ଅବା ପଶୁସୁଲଭ । ତୁମକୁ ଯଦି ମୁଁ ସ୍ଥାୟୀ ଭାବେ ପାଇ ପାରନ୍ତି ! ପୋ ଅଭିଶସ୍ତ ନିର୍ଜ୍ଜନ ଜୀବନ ଧନ୍ୟ ହୋଇଯାଆନ୍ତା । ମୁଁ ଜାଣେ ତୁମେ ଦୁଇଟି ଶିଶୁ କନ୍ୟାର ଜନନୀ । କିନ୍ତୁ ତୁମର ଏ ମାତୃତ୍ଵ ଅସାମାଜିକ ଓ ଅସ୍ଵୀକୃତ । କନ୍ୟା ଦୁହିଁଙ୍କର ସାମାଜିକ ସ୍ଵୀକୃତି ମୁଁ ଦେବି ସେମାନଙ୍କର ପିତା ଭାବରେ । ଆଜି ଯଦି ଚାହିଁ, ମୋ ହସ୍ତରେ ସେମାନଙ୍କୁ ଅର୍ପଣ କରିଦିଅ । ତାଙ୍କର ସମସ୍ତ ଭାର ମୋ ଉପରେ ନ୍ୟସ୍ତ ରହିଲା । ଆଉ ଯଦି ପାରିବ—ଅନ୍ୟମାନଙ୍କ ପାଇଁ ତୁମର ଦ୍ଵାର ରୁଦ୍ଧ କରିପାର । ଅବଶ୍ୟ ଏହା ତୁମର ସଂପୂର୍ଣ୍ଣ ଇଚ୍ଛାଧୀନ ।

 

ଶୁଭ୍ରାଙ୍ଗିନୀ ଆଶ୍ଚର୍ଯ୍ୟ ହୋଇ ଶୁଖୁଥିଲା—ଧନପତି ଭୂୟାଁଙ୍କ କଣ୍ଠରେ ନିଜ କାମନାର ପ୍ରତିଧ୍ଵନୀ ।

 

ଶିଶୁ ଦୁଇଟିର ଦାୟିତ୍ଵ ସେ ନେଇଗଲେ ସେହିଦିନଠାରୁ ଏବଂ ନିୟମିତ ଭାବରେ ରାତ୍ରିର ଶେଷ ପ୍ରହରଗୁଡ଼ିକ ବତାଇ ଲାଗିଲେ ଶୁଭ୍ରାଙ୍ଗିନୀଙ୍କ ସାନ୍ନିଧ୍ୟରେ ।

 

ତଥାପି ଶୁଭ୍ରାଙ୍ଗିନୀ ପୂର୍ଣ୍ଣ ହେଲେ ନାହିଁ । ପୁଣି ତାଙ୍କର ଅନ୍ତର ମଧ୍ୟରେ ଅପୂର୍ଣ୍ଣତାର ଅଭିଯୋଗ ! ତାହାହେଲେ ଶରୀର ଓ ମନର ଯୌନ ସମ୍ଭୋଗ କ’ଣ ପୂର୍ଣ୍ଣତା ଆଣେ ନାହିଁ । କେବଳ ଆଙ୍କି ଦେଇଯାଏ ତାର ଏକ ଅସ୍ପଷ୍ଟ ପ୍ରତିବିମ୍ବ !! ତାର କୈନ୍ଦ୍ରିକ ଚେତନା ମଧ୍ୟରୁ ଏକ ଅନିର୍ବାଣ ଅଗ୍ନିଶିଖା ଜଳି ଉଠୁଛି ଅହରହ ସମସ୍ତ ଚେତନାକୁ ଅତିକ୍ରମ କରି । ସେ ପୂର୍ଣ୍ଣତାର ଛାୟା ଚାହୁଁନି, ଚାହୁଁଛି ପୂର୍ଣ୍ଣତାର ପୂର୍ଣ୍ଣାଲୋକ । ଅଥଚ ତାର ଶକ୍ତି ନାହିଁ ପୂର୍ଣ୍ଣମାତ୍ରାରେ ଅସ୍ୱୀକାର କରିବାକୁ ଛାୟାର ଇନ୍ଦ୍ରଜାଲକୁ !

 

ଦାସୀ ତିଳୋତ୍ତମା କେଉଁଠୁ ଶୁଣି ଆସି ସମ୍ବାଦ ଦେଇଛି—ଜଣେ ଯୋଗୀ ଆସିଛନ୍ତି । ଦୀର୍ଘ ଶୁଭ୍ର ତନୁ ! ପୂର୍ଣ୍ଣ ଶୃଶ୍ରୂ ! ଅବିନ୍ୟସ୍ତ କୃଷ୍ଣ କେଶ ! ପରିଧାନ ଶୁଭ୍ର ଧୋତି ଓ ଉତ୍ତରୀୟ ! ପାଦରେ ସୌଖୀନ ଚର୍ମ ପାଦୁକା ! ଗଳି ଶେଷରେ ଥିବା ପୁଷ୍କରିଣୀ ସଂଲଗ୍ନ ପୂଜାପୀଠରେ ଅବସ୍ଥାନ କରୁଛନ୍ତି । କେହି କେହି ତାଙ୍କୁ ଭେଟ ନିଜର ଦୁଃଖ ନିବେଦନ କରୁଛନ୍ତି । ସେ ମଧ୍ୟ ଦୁଃଖୀଙ୍କର ଦୁଃଖ ଲାଘବ କରିବାକୁ ଘରେ ଘରେ ପଦାର୍ପଣ କରି ଭଗବତ୍ କୃପା ବିତରଣ କରୁଛନ୍ତି-

 

ଶୁଭ୍ରାଙ୍ଗିନୀ ଉତ୍କଣ୍ଠାର ସହ ପଚାରିଥିଲା—ସେ କ’ଣ କାଲି ମୋ ପୁରକୁ ଆସିବେ, ତିଳୋତ୍ତମା ? କାଲି ଯେ ଦୋଳପୂର୍ଣ୍ଣିମା !

 

ଦାସୀ କହିଥିଲା—ମୁଁ କିପରି ଜାଣିବି ମା’, କେବେ ତାଙ୍କର କୃପାଦୃଷ୍ଟି ଆମ ଉପରେ ପଡ଼ୁଛି !

 

ଶୁଭ୍ରାଙ୍ଗିନୀ ଅସ୍ଥିର ଭାବେ କହୁଥିଲା—ମୁଁ ଜାଣିଛି, ତିଳୋତ୍ତମା, କାଲି ସେ ନିଶ୍ଚୟ ଆସୁଛନ୍ତି । ଏତେଦିନେ ଜ୍ୟୋତିର୍ମୟ ପୁରୁଷଙ୍କର ବାଣୀ.... !

 

ଶୁଭ୍ରାଙ୍ଗିନୀ ପରଦିନ ବ୍ରହ୍ମମୁହୂର୍ତ୍ତରୁ ନିତ୍ୟକର୍ମ ସମାପନ କରି ଶୁଚିପୂତ ହୃଦୟରେ ଅପେକ୍ଷା କରି ରହିଲା ତାର ତ୍ରାଣକର୍ତ୍ତାଙ୍କୁ ।

 

କେତେବେଳେ ଆସିବେ ! ପ୍ରାତଃକାଳରେ, ନା ଅପରାହ୍ନରେ, ନା ରାତ୍ରିରେ ! ରାତ୍ରିରେ ଆସନ୍ତେ କି ! ନା, ନା, ସେ ଯୋଗୀ, ସେ ସନ୍ନ୍ୟାସୀ, ରାତ୍ରିରେ କାହିଁକି ଗୋଟାଏ ରୂପଜୀବୀର ଗଡ଼କୁ ଆସିବେ !!

 

ହୁଏତ ଆସୁଥିବେ । ଶୃଶ୍ରୂ ଆଉ କେଶ ଅସ୍ତବ୍ୟସ୍ତ ହୋଇଥିବ ! ତାକୁ ବିନ୍ୟାସ କରିଦେବା ପାଇଁ ଅନୁମତି ଦିଅନ୍ତେ କି !

 

ଏଠି ଆସି ଖାଲି ମୁକ୍ତିର ମନ୍ଦ୍ରବାଣୀ ପରିବେଷଣ କରିବେ । କିନ୍ତୁ ଯୋଗୀଙ୍କ କଣ୍ଠରେ ବନ୍ଧନର ବାଣୀ ଗୋଟାଏ ବାରଙ୍ଗନା ପକ୍ଷରେ କେତେ ବେଶୀ ମୁକ୍ତି ପ୍ରଦାୟକ ହୁଅନ୍ତା !

 

ମୋର ଦୂଷ୍କୃତ ପ୍ରକ୍ଷାଳିତ କରିବାକୁ ଆସୁଥିବେ ! କିନ୍ତୁ ମୋ ସତ୍ତାର ଗଭୀର ଭଣ୍ଡାରରେ ସଂଚିତ ରାଶି ରାଶି ଦୁଷ୍କୃତ ! ଏତେ ଦୁଷ୍କୃତ ଧୋଇ ଦେବା ପାଇଁ ତାଙ୍କର ଶୁଷ୍କବାଣୀରେ କ’ଣ ଏତେ ଆର୍ଦ୍ରତା ଥିବ !

 

ମୁଁ ଯଦି ତାଙ୍କର ସ୍ପର୍ଶ ପ୍ରାର୍ଥନା କରେ !! ...ଆଉ ସେ ଯଦି ସ୍ୱୀକୃତି ଦିଅନ୍ତି ! ...ଏବଂ ତାହା ଯଦି ନଗ୍ନସର୍ତ୍ତ ବିନିମୟରେ !! ସେ ଯଦି ବାଢ଼ି ବସନ୍ତି—ଶୁଭ୍ରା, ତୁମ କୃତ ପାପର ସକଳ ପୁଣ୍ୟ କାହାଣୀ ମୋ ସମକ୍ଷରେ ମୁକ୍ତ କଣ୍ଠରେ ସ୍ୱୀକାର କରି ଯାଅ ! ଅହଂ ତ୍ଵାଂ ସର୍ବ ପାପେଭ୍ୟଃ ମୋକ୍ଷୟିଷ୍ୟାମି ମା’ ଶୁଚ ।

 

ତେବେ ମୁଁ ମଧ୍ୟ ଏକ ସର୍ତ୍ତ ଦାବୀ କରି ବସିଛି—ମୋର ସକଳ ପାପ କାହାଣୀ ଶୁଣିବାକୁ ଆପଣ ସମୟ ଦେଇ ପାରିବେ ତ ? ସେ ନିଶ୍ଚୟ କହିବେ—ହଁ ମୁଁ ପ୍ରସ୍ତୁତ । ବାସ୍ ଏତିକିରେ ସେ ହୋଇଯିବେ ପରାଜିତ ! ମୁଁ ବିବୃତ କରି ଚାଲିବି ମୋର ଅସରନ୍ତି ପାପ କାହାଣୀ ଯୁଗ ଯୁଗ ଧରି । ଆଉ ସେ ପ୍ରତିଶ୍ରୁତି ରକ୍ଷା କରିବାକୁ ମୋ ପୁରରେ ବନ୍ଦୀ ହୋଇ ରହିଯିବେ ଅନନ୍ତ କାଳ !!

 

କିନ୍ତୁ କିଛି ଦିନ ଅନ୍ତେ—ମୋ ପାପ ଭରା କାହାଣୀର ବିଷକ୍ରିୟାରେ ଜର୍ଜରିତ ହୋଇ ସେ ଅତିଷ୍ଠ ହୋଇ ଉଠିବେ । କହିବେ—ଆଚ୍ଛା ଶୁଭ୍ରାଙ୍ଗିନୀ, ତୁମେ କ’ଣ ଏହିପରି ମୋ ସହିତ ଯୁଗ ଯୁଗ ଅବସ୍ଥାନ କରିବାକୁ ଚାହୁଚ ? ତେବେ ମୋଠୁଁ ଆଗ ଶୁଣିନିଅ—ଆମ ଜନ୍ମ ଜନ୍ମ ଯୁଗଳ ଜୀବନର ଅମରକାବ୍ୟ ଶାଶ୍ଵତ କାଲ ଯାଏଁ......

 

ତା’ ପରେ ଯୋଗୀରାଜ ବାଢ଼ି ଚାଲିବେ...ଜନ୍ମ ଜନ୍ମାନ୍ତରର ଅମର ଶତକ । ସେ ଥିଲେ ଋଷି ମୃଣାଳକ । ତାଙ୍କର ଥିଲା କ୍ଷୁଦ୍ର ଆଶ୍ରମ । ତପୋକର୍ମରେ ଅହର୍ନିଶ କାଳାତିପାତ କରୁଥିଲେ ସେ ।

 

ତାଙ୍କର ପତ୍ନୀଙ୍କ ନାମ ଥିଲା ମୃଣାଳିକା । ନାମଟି ଯେପରି ସୁନ୍ଦର ଥିଲା, ତତୋଧିକ ସୁନ୍ଦର ଥିଲା ତାଙ୍କର ରୂପ । ତପସାଧନାରେ ମୃଣାଳିକ ସିଦ୍ଧ ହେଉଥିଲେ ଦିନୁଦିନ । କିନ୍ତୁ ମୃଣାଳିକାର ଦେହ ଥିଲା ସଂପୂର୍ଣ୍ଣ ଉପେକ୍ଷିତ । କାମାଗ୍ନି ତାଙ୍କ ଦେହକୁ ଦଗ୍ଧ କରି ବହୁଶିଖାରେ ଜଳୁଥିଲା ଦିନୁଦିନ ଜ୍ୱାଳା ଓ ଯନ୍ତ୍ରଣା ଦେଇ । କ୍ରମଶଃ ତାଙ୍କର କାମନା ବହୁପୁରୁଷମୁଖୀ ହୋଇଉଠିଲା ଏବଂ ତାଙ୍କ ଚେତନା ମୃଣାଳଙ୍କଠାରୁ ଅପସରିଗଲା ଅନେକ ଦୂରକୁ ! ତା’ ପରେ...ତା’ ପରେ...

 

ପର ଜନ୍ମର କଥା...ସେ ଜନ୍ମ ନେଲା ତା ଅବଦମିତ କାମନାର ମୁକ୍ତ ବିନୋଦନ ପାଇଁ । ସେ ବାଢ଼ି ବସିଲା ଦେବତାର ମାହାର୍ଘ ଅବଦାନ ତାର ତନୁଶ୍ରୀ ଦୁଷ୍କୃତିର ପ୍ରତିରୂପ ଯୌନ ବିକୃତି ମାଧ୍ୟମରେ । ସେ ଜାଣେନା କ’ଣ କରୁଛି, କାହିଁକି କରୁଛି !!

 

ମୃଣାଳିକାର ଏହି ଅଧୋପତନ ଜାଣିପାରିଲେ ମୃଣାଳକ । ସେ ଅନୁସନ୍ଧାନରେ ବାହାରିପଡ଼ିଲେ । ତୁମେ କ’ଣ ତାଙ୍କୁ ଚିହ୍ନି ପାରିବ ଶୁଭ୍ରାଙ୍ଗିନୀ ? ସେ କିନ୍ତୁ ଚିହ୍ନିପାରିଲେ ତାଙ୍କର ମୃଣାଳିକାକୁ । ସେ ହଠାତ୍ ଡାକି ଉଠିଲେ ମୃଣାଳିକା, ମୃଣାଳିକା !! କିନ୍ତୁ ମୃଣାଳିକାଙ୍କୁ ସ୍ପର୍ଶ କଲେ ନାହିଁ !! ତା’ ପରେ...ତା ପରେ... ??

 

ଶୃଭ୍ରାଙ୍ଗିନୀ ଅଶ୍ରୁଳ ହୋଇଉଠିଲେ । ପଚାରିଲେ ଥରି ଥରି—ମୃଣାଳିକା କ’ଣ ତାଙ୍କୁ ଆଉ ସ୍ପର୍ଶକଲେ ନାହିଁ ?? ତା’ ପରେ କ’ଣ ହେଲା ? ତା’ ପରେ କ’ଣ ହେଲା, ମୃଣାଳକ ??

 

ଶୃଭ୍ରାଙ୍ଗିନୀ ଏଥର ପ୍ରକୃତିସ୍ଥା ହେଲା । ଆରେ, ଏପରି ଗୁଡ଼ାଏ କ’ଣ ସେ ଭାବି ଚାଲିଛି-? ଏପର୍ଯ୍ୟନ୍ତ ଆସିଲେ ନାହିଁ ଯୋଗୀ ! କେତେବେଳେ ଆଉ ଆସିବେ ? ସେ କ’ଣ ଆସିବେ ନାହିଁ-? ଆଜି ଯେ ଫାଲ୍ଗୁନ ପୂର୍ଣ୍ଣିମା ! ଆଉ କ’ଣ ମୋତେ ଅପବିତ୍ର ଭାବି ଡରିଗଲେ ? ଆମ୍ବପାଲିର ପ୍ରତୀକ୍ଷା କ’ଣ ବ୍ୟର୍ଥ ଯିବ ? ନା, ନା, ବୁଦ୍ଧ ତାର ଆସିବେ ! ସେ ତାର ଶ୍ରେଷ୍ଠ ପ୍ରେମିକ ମଗଧରାଜ ବିମ୍ବିସାରଙ୍କୁ ଉପେକ୍ଷା କରି ଅପେକ୍ଷା କରିଛି ଗୌତମଙ୍କୁ ! ଗୌତମ ନିଶ୍ଚୟ ଆସିବେ ! ସେ ତାଙ୍କର ପଦ କଞ୍ଜରେ ପ୍ରଣତି ନିବେଦନ କରି ଏ ଜନ୍ମକୁ ସାର୍ଥକ କରିବ !

 

ସୁଦୀର୍ଘ ପ୍ରତୀକ୍ଷା ! ଅପରାହ୍ନ ହେଲା ! ତଥାପି ଦେଖା ନାହିଁ । ଉପାସିକା ତାର ଉପାସକଙ୍କ ପାଇଁ ପ୍ରତୀକ୍ଷା କରିଛି ପବିତ୍ର ମନରେ । ଆଜି ପ୍ରାତଃକାଳରେ ଯେ ମହୋଦଧିରେ ଶତବାର ନିମଜ୍ଜନ କରି କଳଙ୍କିତ ଦେହକୁ ପବିତ୍ର କରିଛି ! ପ୍ରାଣ ସତ୍ତାକୁ କରିଛି ଅନନ୍ୟମୁଖୀ । ସକାଳକାର ପୁରୁଷଙ୍କୁ ସ୍ମୃତିରୁ ବିତାଡ଼ିତ କରିଛି କିନ୍ତୁ ତାର କେନ୍ଦ୍ରୀୟ ଚେତନାକୁ ଉଙ୍କିମାରୁଛି କିଏ ? ତାର ଆତ୍ମସତ୍ତା କ’ଣ ଜାଗ୍ରତ ହୋଇଛି ! ! ଆତ୍ମା ଜାଗ୍ରତ ହେଲେ ଆଉ କିଏ ତାର ଐଛିକଶକ୍ତିକୁ ଉପକ୍ଷା କରିବ ?

 

ତା’ ହେଲେ ସେ ଆସୁନାହାନ୍ତି କାହିଁକି ? ତାର କଳଙ୍କ ବୋଝ ଲଘୁ କରିବାକୁ ସେ ଏତେ ବିଳମ୍ବ କରୁଛନ୍ତି କାହିଁକି ? ଏତେବେଶୀ କଳଙ୍କକୁ ପ୍ରକ୍ଷାଲିତ କରିବା ପାଇଁ ତାଙ୍କର କ’ଣ ସାମର୍ଥ୍ୟ ନାହିଁ ? ଜଘନ୍ୟ କ ଙ୍କ ସ୍ପର୍ଶରେ ନିଜେ କଳଙ୍କିତ ହୋଇଯିବେ ଭାବି ଭୟଭୀତ ହୋଇଯାଉ ନାହାନ୍ତି ତ ଆଉ ?

 

ପୁରୁଷୋତ୍ତମ କ୍ଷେତ୍ରର ଏହି ବସ୍ତିରେ ବାସ କରୁଥିଲା ଏକ ଐତିହାସିକ ବାରାଙ୍ଗନା ! ନାମ ତାର ମାଣିକ ! ଦିନେ ଜଗନ୍ନାଥ ମହାପ୍ରଭୁଙ୍କ ପୂଜାପଣ୍ଡା ଦେଖିବାକୁ ପାଇଲେ—ଗୋରା କାଳିଆ ଦୁଇଟା ଟୋକା ଭୋର ସକାଳୁ ମାଣିକ ବେଶ୍ୟା ଘରେ ପଶି ଉଚ୍ଛିଷ୍ଟ ଖେଚୁଡ଼ି ଖାଇ ଚାଲିଛନ୍ତି । ପୂଜାପଣ୍ଡାଙ୍କୁ ଦେଖ ଟୋକା ଦୁଇଟା ଆଉ ମୁହଁ ହାତ ଧୋଇବେ କ’ଣ ? ଉଚ୍ଛିଷ୍ଟ ମୁହଁ ହାତ ସବୁ ମାଣିକର ଅପାଲଟା ଶାଢ଼ୀ ପଣତରେ ପୋଛିପକାଇ ଦୌଡ଼ି ପଳାଇଗଲେ । ଟୋକା ଦୁଇଙ୍କର ଏଇମିତି ଲୁଗାଛାପା କାରବାର ଚାଲିଲା ଅନେକ ଦିନ ! ପରେ ଧରାପଡ଼ିଲେ ଦୁହେଁ ! ସେ ଦୁହେଁ କିଏ ଜାଣିଛୁ, ତିଳୋତ୍ତମା ?

 

ତିଳୋତ୍ତମା କିଛି ବୁଝି ନପାରି ଖାଲି ବଲ ବଲ କରି ଅନାଇ ରହିଲା । ଶୁଭ୍ରାଙ୍ଗିନୀ କହିଚାଲିଲା—ସେଥିରୁ ଗୋଟିଏ ଜଗା କାହ୍ନୁ, ଆଉ ଅନ୍ୟଟି ତାଙ୍କ ବଡ଼ଭାଇ ବଳିଆ ! ତିଳୋତ୍ତମା, ଦୁହେଁ କ’ଣ ଖାଲି ମାଣିକର ଉଚ୍ଛିଷ୍ଟ ଖେଚୁଡ଼ି ଖାଉଥିଲେ ! ଆଉ କିଛି ଖାଇ ନଥିବେ ତାର ? ଖାଇଥିବେ ଲୋ...ତୋର ସର୍ବସ୍ଵ ଲୁଟି ଖାଇଥିବେ !

 

ପତନ ଯେତେ ଗଭୀର ହୁଏ, ପତିତପାବନଙ୍କ କୃପା ସେତେ ଝରି ଆସେ ପରା ! ତେବେ ମୋ ଦେବତା କାହିଁକି ଆଜି ଏତେ ନିଷ୍ଠୁର ହୋଇଛନ୍ତି ? ମୋର ପତନ କ’ଣ ନିମ୍ନତମ ହୋଇ ନାହିଁ ? ଆହୁରି ବାକି ଅଛି ? କାହିଁକି ତେବେ ଆସୁନାହାନ୍ତି ? ରାତି ଆସି ଏତେ ହେଲାଣି-!!

 

ତିଳୋତ୍ତମା ବାହାରକୁ ଯାଇ ସମ୍ବାଦ ମୁଖରେ ଫେରି ଆସିଲା—ମା’, ସେ ଆସୁଛନ୍ତି ! ଶୁଭ୍ରାଙ୍ଗିନାରୀ ନୟନ ଯୁଗଳରୁ ଅଶ୍ରୁଧାର ଝରି ଆସିଲା ଅତିଥିଙ୍କ ପଦ ଯୁଗଳ ଅବଗାହି ଦେବା ପାଇଁ । ସବାଂଙ୍ଗ ରୋମାଞ୍ଚିତ ହୋଇଉଠିଲା ତାର ! ଦୌଡ଼ିଗଲା ପାଗଳିନୀ ପରି ପିଛୋଟି ଆଣିବା ପାଇଁ ।

 

ସେ ଆସିଲେ ! ସେ ଆସିଲେ ରାତ୍ରିର ନିର୍ଜନତା ମଧ୍ୟରେ ଅନ୍ୟମାନଙ୍କ ପରି । ଅନ୍ୟମାନେ ଆସନ୍ତି ଲୁଚି ଦେହର ଜ୍ଜାଳା ଧରି । ଶୁଭ୍ରାଙ୍ଗିନାରୀ ସ୍ପର୍ଶରେ ଜ୍ଜାଳା ନିଭାନ୍ତି । ପୁଣି ଫେରି ଯାଆନ୍ତି ସେ ଜ୍ଜାଳା ଧରି । ଏ କ’ଣ ଜ୍ଜାଳା ନେଇ ଆସି ନଥିବେ ? ନୋହଲେ କାହିଁକି ରାତ୍ରରେ ଆସନ୍ତେ ! ତାଙ୍କରି ଜ୍ଜାଳା ମୋତେ କ’ଣ ଦେଇଯିବ ନାହିଁ ? ଆଉ ନେଇଯିବେ ନାହିଁ ମୋ... !

 

ସେ ଆସିଲେ, ଆଉ ଚାହିଁ ରହିଲେ ଦୃଷ୍ଟିରେ ଅସୀମ ପିପାସା ଧରି ! କି ତୀବ୍ର ସେ ପିପାସା ! ସେ ପିପାସିତ ଦୃଷ୍ଟି ସହ୍ୟ କଲା ଭଳି ଦୁଃସାହସ କେଉଁ ରମଣୀର ଅଛି ? ତା ଅନ୍ତରଟା କ’ଣ ହୋଇଯାଉଛି ଯେପରି !

 

ଏକ ଆଚ୍ଛନ୍ନ ଭାବ ମଧ୍ୟରେ ସେ ଅତିଥିଙ୍କ ଚରଣ ପ୍ରକ୍ଷାଳିତ କରି ସର୍ବୋତ୍କୃଷ୍ଟ ଆସନ୍ନ ପାତି ଦେଲା । ଯୋଗୀ ଉପବେଶନ କଲେ । ଭୋଜନ ପାଇଁ ବାଢ଼ିଦେଲା ମିଷ୍ଟ ଫଳ ନାନା ଜାତିର-!

 

ସେ କହିଲେ—ଆଶ୍ଚର୍ଯ୍ୟ ହେଉଛ ମୃଣାଳିକା ? ଶୁଭ୍ରାଙ୍ଗିନୀ ଅଧ୍ୱକତର ଆଶ୍ଚର୍ଯ୍ୟ ହୋଇଗଲେ ମୃଣାଳିକା ଡ଼ାକ ଶୁଣି । ଏ କ’ଣ ! ଏ କାହାକୁ ମୃଣାଳିକା ବୋଲି ଡ଼ାକୁଛନ୍ତି ! ଏ କ’ଣ ଋଷି ମୃଣାଳକ ! ଆଉ ସେ... ! ମୋ ସ୍ଵପ୍ନ କାହାଣୀ ଏ ଜାଣିଲେ କିପରି ? ଯୋଗୀ କହିଲେ—ଜଣେ ଯୋଗୀ ବିଭିନ୍ନ ବସ୍ତୁକୁ ଏପରିକି ବାୟୁ ଓ ଆଲୋକରୁ ମଧ୍ୟ ନିଜ ଖାଦ୍ୟ ଆହରଣ କରିଥାଏ-! ତେଣୁ ବାହ୍ୟ ଦୃଷ୍ଟିରେ ସେ ଖାଦ୍ୟ ଗ୍ରହଣ କରି ବି ନ ପାରେ ।

 

ଶୁଭ୍ରାଙ୍ଗିନୀ ପ୍ରଶ୍ନ କଲେ—ଆପଣ ମୋ ସ୍ଵପ୍ନ ବିବରଣ ଅବଗତ ହେଲେ କିପରି ? ଯୋଗୀ ଉତ୍ତର ଦେଲେ—ସ୍ଵପ୍ନ ନୁହେଁ ମୃଣାଳିକା, ତାହା ରୁମ ଆତ୍ମା ସତ୍ତାର ଜାଗରଣ ଲକ୍ଷଣ । ଯେତେବେଳେ ମୋର ସୁକ୍ଷ୍ମଶରୀର ତୁମକୁ ଆବିଷ୍କାର କଲା, ସେତେବେଳେ ଏକ ଆସ୍ତିକ ଶକ୍ତି ତୁମ ଉପରେ ଚାପ ପ୍ରୟୋଗ କଲା ଏବଂ ତୁମର ଆତ୍ମୋପଲବ୍‍ଧି ଘଟିଲା । ତୁମେ କିଛି ସମୟ ତୁମକୁ ସଚେତନ କରି ଜାଣି ପାରିଲି ତୁମେ କିଏ, ଆଉ କାହିଁକି ତୁମର ଏ ଅଧୋପତନ !

 

ଆକୁମାରୀ ହିମାଚଳ ସନ୍ଧାନ କରି ବୁଲୁଛି ମୁଁ । ମୁଁ ଜାଣେ ପୁଣ୍ୟଭୂମି ଭାରତରେ ତୁମର ଜନ୍ମ ଘଟିଥିବ, ଆଉ ଭାରତ ସରସୀର ପଦ୍ମ ଶ୍ରୀକ୍ଷେତ୍ରଧାମରେ ତୁମେ ଅବସ୍ଥାନ କରୁଥିବ ।

 

ତା’ପରେ ଶୁଭ୍ରାଙ୍ଗିନୀ ଅନୁଭବ କଲା ଏକ ନୂତନ ଅନୁଭୂତି—ସେ ଯେପରି ତୁମେ ଯୋଗୀଙ୍କର ନିବିଡ଼ ଆଲିଙ୍ଗନ ମଧ୍ୟରେ ନିଜକୁ ହରାଇ ବସୁଛି । ପୁଲକ ସୃଷ୍ଟି ଦେଉଛି ସମଗ୍ର ସତ୍ତାରେ । ଯୋଗୀରାଜାଙ୍କର ସୁକ୍ଷ୍ମ ଶରୀର ଯେପରି ତାଙ୍କର ପ୍ରତି କୋଷାଣୁରେ ନିବିଡ଼ ଚାପ ପ୍ରଦାନ କରୁଛି । ଚକ୍ଷୁଯୁଗଳ ମୁଦ୍ରିତ ହୋଇଯାଉଛି । ମୁଖରୁ ବାକ୍ୟ ସ୍ଫୁରୁ ନାହିଁ । ଯୋଗୀ ମଧ୍ୟ କ୍ରମେ ଏକ ଗଭୀର ଆଚ୍ଛନ୍ନତା ମଧ୍ୟରେ ନିସ୍ଵନ୍ଦ ହୋଇଗଲେ । ଶୁଭ୍ରାଙ୍ଗିନୀ ଅନୁଭବ କରୁଥିଲେ ଏକ ବୃହତ୍ତର ଆନନ୍ଦର ସୁକ୍ଷ ସ୍ରୋତି ତାଙ୍କର ପ୍ରଶିରା ଉପଶିରାରେ ଅନିବୀଚନୀୟ ଶିହରଣ ସୃଷ୍ଟି କରୁଛି-। ଯୌନ ସମ୍ଭୋଗକାଳୀନ ସମସ୍ତ ଆନନ୍ଦକୁ ଅତିକ୍ରମ କରି ସେ ଯେପରି ଏକ ଶାଶ୍ଵତପ୍ରେମ ମଣ୍ଡଳରେ ପ୍ରବେଶ କରୁଛି ! ତା ଶରୀରର ସୁକ୍ଷ୍ମତମ ଅଂଶରେ ସେ ଉପଭୋଗ କରୁଛି ଏକ ମହତ୍ତର ଆଲୋକର କ୍ରୀଡ଼ା । ପ୍ରାଣର ସୁକ୍ଷ୍ମତମ ଭୂମିରେ କୋଟି କୋଟି ରତି ସମ୍ଭୋଗର ଉନ୍ନାଦନା-! ମନୋରାଜ୍ୟର ସୂକ୍ଷ୍ମାତି ସୁକ୍ଷ୍ମ ପରମାଣୁରେ ବୃହତ୍ତର ପ୍ରେମର ରାସନୀଳା । ପ୍ରତ୍ୟେକ ଯୌନ ସମ୍ଭୋଗ ସମୟରେ ଯେଉଁ ଅଭାବ ସେ ସନ୍ତତ ଅନୁଭବ କରୁଥିଲା, ତାହାର ଅନୁପସ୍ଥିତି ସେ ଏବେ ବେଶ୍ ଉପଲବ‌୍‍ଧ କରୁଥିଲା । ସେ ଏକ ଦୀର୍ଘସ୍ଥାୟୀ ସଂପଦର ଅଧିକାରିଣୀ ହୋଇ ରୁଚ୍ଛ ମଣୁଥିଲା ପୂର୍ବର ଅସ୍ଥାୟୀ ଯୌନାନନ୍ଦକୁ ।

 

ସେ ଏହି ଅବସ୍ଥାକୁ ଉପଭୋଗ କରୁ କରୁ ପ୍ରଶ୍ନ କଲା—ମୋତେ କେବେ ଉଦ୍ଧାର କରୁଛନ୍ତି ଯୋଗୀରାଜ ? ଯୋଗୀ ଉତ୍ତର କଲେ—ତାହା ତୁମର ଅନ୍ତ-ଚେତନାର କୈନ୍ଦ୍ରିକ ଅସ୍ଫୃହା ଉପରେ ନିର୍ଭର କରେ ଶୁଭ୍ରାଙ୍ଗିନୀ । ମୃଣାଳିକା ତାର ଆତ୍ମକେନ୍ଦ୍ରରେ କାମନା କଲା ବହୁ ପୁରୁଷର ସ୍ପର୍ଶ । ତାହା ଲାଭ କଲା ସେ ପରଜନ୍ମରେ । ତେଣୁ ଶୁଭ୍ରାଙ୍ଗିନୀ ଯେତେବେଳେ ତାର କେନ୍ଦ୍ରୀୟ ଚେତନାର ଅସ୍ଫୃହା କରିବ ତାର ବିଶୁଦ୍ଧ ସ୍ଵଭାବର ପରିପର୍ଣ୍ଣତା । ସେତେବେଳେ ସେ ଅଶୁଦ୍ଧ ଆବର୍ତ୍ତରୁ ଉତ୍‍ଥିତ ହୋଇଯିବ ଆପେ ଆପେ ।

 

ଶୁଭ୍ରାଙ୍ଗିନୀ ପଚାରିଲେ—ଆପଣଙ୍କ ସାନ୍ନିଧ୍ୟରେ ମୁଁ ଯେଉଁ ଅପୂର୍ବ ଅନୁଭୂତି ଲାଭ କଲି, ତାହା କ’ଣ କୌଣସି ସୂକ୍ଷ୍ମ ଯୌନକ୍ରିୟା ? ଠିକ୍ ସେମିତି ଅନୁଭୂତି ! ଅବଶ୍ୟ ଏକ ଊର୍ଦ୍ଧ୍ଵତର ଅନୁଭୂତି !

 

ଯୋଗୀ ଉତ୍ତର କଲେ—ଆମର ଶ୍ୱାସକ୍ରିୟା ପାଇଁ ଶ୍ୱାସକ୍ରିୟା ସମାହିତ ହେଉଛି । ଅସଲ ଶ୍ୱାସକ୍ରିୟା ସଂଘଠିତ ହୁଏ, ଶରୀରର ପ୍ରତ୍ୟେକ ଜୀବନକୋଷ ମଧ୍ୟରେ ଠିକ୍ ସେହିପରି ଯୌନକ୍ରିୟା ପାଇଁ ସ୍ଵତନ୍ତ୍ର ଇନ୍ଦ୍ରିୟ ଥିଲେ ମଧ୍ୟ ଯଥାର୍ଥ ଯୌନକ୍ରିୟା ସମାହିତ ହୁଏ ସୁକ୍ଷ୍ମ ଅଙ୍ଗମନଙ୍କରେ କିନ୍ତୁ ଆହୁରି ସୁକ୍ଷ୍ମତମ ରୂପ । ଆଉ ତାହା ତୁମେ ଏବେ ଅନୁଭବ କରିଛ । ଏହା ଖୁବ୍ ସୁକ୍ଷ୍ମତମ ଅଙ୍ଗରେ ସଂଘଠିତ ହେଉଥିବାରୁ ଏଥିରେ ସନ୍ତୋଷ ଅଛି, ଶାନ୍ତ ଅଛି, ପୂର୍ଣ୍ଣତା ଅଛି, ଆଉ ନାହିଁ ଅଭାବ, ନାହିଁ ଅବସାଦ, ନାହିଁ ଅନୁତାପ ।

 

ଆତ୍ମାର ଏହିକ୍ରିୟା ପାଇଁ କୌଣସି ସ୍ତୁଳ ଶରୀରର ସାହାଯ୍ୟ ନିଆଯାଏ ନାହିଁ କିନ୍ତୁ ସ୍ଥୂଳ ଶରୀରର ଅଭ୍ୟନ୍ତରରେ ଏହା କ୍ରିୟାଶୀଳ ହୁଏ । ଏହି କ୍ରିୟାର ପରିମାଣ ଯୌନକ୍ରିୟା ପରିମାଣଠାରୁ ସଂପୂର୍ଣ୍ଣ ଭିନ୍ନ । ଯୌନକ୍ରିୟାରେ ଶରୀରର କ୍ଷୟ ସାଧିତ ହୁଏ, ଆୟୁବଳ ହ୍ରାସ ଘଟେ-। କିନ୍ତୁ ଏହି କ୍ରିୟାରେ ଶରୀରର ସୃଷ୍ଟି, ଆୟୁର ବୃଦ୍ଧି ଓ ବଳର ବିକାଶ ଘଟେ । ଯୌନକ୍ରିୟାରେ ଘୃଣା, ଇର୍ଷା, ସନ୍ଦେହ, ସଂକୀର୍ଣ୍ଣତା ଅବସାଦ ଜାତ ହୁଏ କିନ୍ତୁ ଆତ୍ମକ୍ରୀଡ଼ାରେ ବିଶ୍ଵ ଓ ବିଶ୍ୱାତୀତକୁ ଆଲିଙ୍ଗନ କରିବା ପାଇଁ ପ୍ରେରଣା ଜନ୍ମେ । ନିମ୍ନ ପ୍ରକୃତିର ସକଳ ଦୁର୍ଗଣ ନିଷ୍କ୍ରିୟ ହୋଇପଡ଼େ । ଉଚ୍ଚତର ପ୍ରକୃତ ଯଥା, ପ୍ରସନ୍ନତା, ବ୍ୟାପକ ଚିତ୍ତତା, ନିର୍ମଳ ପ୍ରେମାନୁରାଗ ଉଦ୍ଭୁତ ହୁଏ । ବହୁ ଦୂରରେ ଥାଇ ମଧ୍ୟ ଜଣେ ଅନ୍ୟ ସହିତ ଏହି ଆତ୍ମକ୍ରୀଡ଼ାରେ ମଗ୍ନ ରହିପାରେ । ପଶୁପକ୍ଷୀ ଉଦ୍ଭିଦ ଏପରିକି ଜଡ଼ବସ୍ତୁ ସହିତ ମଧ୍ୟ ମନୁଷ୍ୟ ଏହି ଲୀଳା ରଚନା କରିପାରେ ।

 

ଏଇ ହେଲା ଆତ୍ମପୁରୁଷର ରାସ କ୍ରୀଡ଼ା । ଯେଉଁଦିନ ଜଣେ ଅନ୍ୟର ଆତ୍ମ ପୁରୁଷ ସଙ୍ଗେ ନିଜକୁ ଦ୍ରବୀଭୂତ କରିଦେବ, ଏକ ବୃହତ୍ତର ସମ୍ଭୋଗାନନ୍ଦର ଅଧିକାରୀ ହୋଇଯିବ ସେହିଦିନ । ସେହିଦିନଠାରୁ ହିନତର ଯୌନ ସମ୍ଭୋଗ ପ୍ରତି ତାର ଆଉ ଦୁର୍ବଳତା ରହିବ ନାହିଁ । ସେ ଉଠିଯିବ ଏକ ଉଚ୍ଚତର ପାବଚ୍ଛକୁ । ବ୍ୟକ୍ତିଗତ ଯୌନ ଆନନ୍ଦକୁ ଅତିକ୍ରମ କରିଯିବା ପାଇଁ ଏହିପରି ଏକ ସୁକ୍ଷ୍ମ ବ୍ୟବସ୍ଥାକୁ ମନୁଷ୍ୟ ଅପେକ୍ଷା କରିଛି । ଯୋଗୀ ତାର ସ୍ଵାଧୀନ ପଥରେ ଏହି ଅନୁଭୂତି ପ୍ରାନ୍ତ ହୁଏ ଓ ବିଶ୍ଵର ପ୍ରତିଟି ରେଣୁରେ ଉକ୍ତ ରତିକ୍ରିୟା ସଂପାଦକ କରେ । ନିଜ ଆତ୍ମାରେ ସେ ରମଣ କରେ ବିଶ୍ଵତ୍ମାକୁ । ତୁମ ସହିତ ମୋର ଯେଉଁ ସମ୍ଭୋଗ ଘଟିଲା, ତାହା ତୁମ ପାଖରେ ଅସ୍ଥାୟୀ । କାରଣ ତୁମ ଭିତରେ ଯୌନ ଲାଳସା ଅଦ୍ୟପି ସୁପ୍ତ ରହିଛି । ତୁମେ ଯଦି ନିଜ ଭିତରେ ଏହାକୁ ସ୍ଥାୟୀଭାବ ପ୍ରତିଷ୍ଠା କରିବାକୁ ଚାହଁ, ତେବେ ସକଳ ଯୌନ ବିକୃତିରୁ ମୁକ୍ତ ହୁଅ । ସଂଯୋଗକୁ ବିୟୋଗ ମୟ କରିଦିଅ । ଦେଖିବ ଅଛି ନାହିଁ ମଧ୍ୟରେ ଥିବା ସୀମା ରେଖା ଅତିକ୍ରମ କରି ତୁମେ ମୁକ୍ତ ରାଜ୍ୟରେ ବିଚରଣ କରୁଛ ।

 

ଶୁଭ୍ରାଙ୍ଗିନୀ ଅଶ୍ରୁ ବିସର୍ଜନ କରୁ କରୁ କହିଲେ—ମୋତେ ଏ ଅପୂର୍ଣ୍ଣ ଅବସ୍ଥାରେ ଗ୍ରହଣ କଲାଭଳି ସାମର୍ଥ କ’ଣ ଆପଣ ଅର୍ଜନ କରି ନାହାନ୍ତି ? ଯୋଗୀ କହିଲେ—କିନ୍ତୁ ତାହା ସ୍ଥାୟୀ ହେବ ନାହିଁ । ତୁମର ଅପୂର୍ଣ୍ଣ କାମନା ପାଇଁ ତୁମେ ପୁଣି ଦୂରେଇ ଯିବ ମୋଠୁଁ । ପ୍ରଥମେ ତୁମ କାମନାକୁ ବିନାଶ କର ଅବା ତାହାକୁ ନିଷ୍କାମତାରେ ରୂପାନ୍ତରିତ କରିଦିଅ, ତା’ ପରେ ସବୁକିଛି ଠିକ୍ ହୋଇଯିବ । ମୁଁ ଆସିଥିଲେ—ମୋର ଏ ଜନ୍ମର ଯୋଗୋପଲବଧିକୁ ସମଭାଗ କରି ମୋର ସହଧର୍ମିଣୀକୁ ଦେଇଥିବା ପାଇଁ, ମୋ ଆସିବା ସାର୍ଥକ ହୋଇଛି । ମୋତେ ଏଥର ବିଦାୟ ଦିଅ ମୄଣାଳିକା ।

 

ମୃଣାଳିକା କହିଲେ—କିମିତି ବିଦାୟ ଦେବି ପ୍ରଭୁ । ସାହସ ପାଉ ନାହିଁ ଚରଣ ସ୍ପର୍ଶ କରିବାକୁ । ଆଲିଙ୍ଗନ ତ ସ୍ୱପ୍ନର କଥା । ଆପଣଙ୍କ ବିଶାଳ ବକ୍ଷରେ କେତେ ଧାରା ଅଶ୍ରୁଢ଼ାଳି ଅବା ନିରାଜନା କରନ୍ତି । ସବୁଥିରୁ ସେ ଉପେକ୍ଷିତା । ଯୋଗିବର କହିଲେ—ଆଚ୍ଛା, ତୁମର ମନୋବଞ୍ଛା ପୂର୍ଣ୍ଣ ହେଉ । ମୋତେ ବିଦାୟ ଦିଅ ।

 

ଶୁଭ୍ରାଙ୍ଗିନୀ ପ୍ରଥମେ ମସ୍ତକ ସ୍ଥାପନ କରି ଅଶ୍ରୁରେ ଯୋଗୀଙ୍କ ଚରଣ ପ୍ରକ୍ଷାଳନ କଲେ । ତା’ପରେ ଦଣ୍ଡାୟମାନ ହୋଇ ନିବିଡ଼ ଆଲିଙ୍ଗନ କଲେ ଯୋଗୀଙ୍କୁ । ଅଶ୍ରୁ ଢାଳି ସିକ୍ତ କଲେ ଯୋଗୀଙ୍କ ବକ୍ଷ ସ୍ଥଳ । ଆଉ କହିଲେ—ଏ ଜନ୍ମର ସମସ୍ତ ପାତକ ମୋର ଧୋଇଦେଇ ମୃଣାଳକ । ପାପର ହୁଏତ ଏକ ପୁଣ୍ୟଫଳ ଥାଏ; ଆଉ ସେହି ପୁଣ୍ୟବଳରେ ମୁଁ ଲାଭ କଲି ମୋର ଦୁର୍ଲଭ ରତ୍ନକୁ ! ନୁହେଁ ? ତୁମରି ବକ୍ଷ ଦେଶରେ ମସ୍ତକ ରଖି ଶପଥ କରିଛି ମୃଣାଳକ, ଏ ଜନ୍ମର ସମସ୍ତ ଅସ୍ଥାୟୀ ସମ୍ପଦ ମୁଁ ଆଜିଠାରୁ ଛିନ୍ନ କାଲି । ମୋତେ ବିଶ୍ୱାସ କର...ଆଉ କେବେ ଆସି ଏହାର ସଭ୍ୟତା ଦେଖିଯାଅ ।

 

ଯୋଗୀ କହିଲେ—ମୁଁ ପୁଣି ବର୍ଷକ ପରେ ଏଇ ଫାଲ୍‍ଗୁନ ପୂର୍ଣ୍ଣମୀରେ ଆସି ଦେଖିଯିବ ତୁମେ କେତେଦୂର ଯୋଗ୍ୟ କରି ଗଢ଼ି ପାରିଛ ନିଜକୁ । ଆଉ ଯଦି ପାରିଥାଅ...

 

ଯୋଗୀ ଚାଲିଗଲେ । ମାହାରୀ ଶିଭ୍ରାଙ୍ଗିନୀର ମନ ଆକାଶକୁ ଏକମାତ୍ର ସାଧ୍ୟ ଜ୍ୟୋତିଷ୍କ କକ୍ଷଚ୍ୟୁତ ହୋଇ କୌଣସି ରହସ୍ୟମୟ ଆଲୋକଭୂମି ଆଭିମୁଖରେ ଅନ୍ତହିତ ହୋଇଗଲା । ଆଉ ମୃଣାଳକଙ୍କର ମନ୍ଦ୍ର ମଧୁର ଶ୍ୱାଶତ ପ୍ରେମରେ ଅମର ମୂର୍ଚ୍ଛନା ନିକ୍ଵଣିତ ହୋଇ ଉଠିଲା ମହାମାରୀର ବକ୍ଷସ୍ଥଳରେ ତୀବ୍ର ଶିହରଣ ତୋଳି ।

 

ଶୁଭ୍ରାଙ୍ଗିନୀ ଦୃଢ଼ ସଂକଳ୍ପ କଲା—ନିମ୍ନ ପ୍ରକୃତିର ସକଳ ବିକୃତିକୁ ଛିନ୍ନ କରି ସେ ସନ୍ନ୍ୟାସୀ ଜୀବନ ଯାପନ କରିବ ! ଆଉ ଆଗାମୀ ଫାଲ୍‍ଗୁନ ପୂର୍ଣ୍ଣମୀରେ ଚାଲିଯିବ ତାର ଶାଶ୍ଵତ ପ୍ରେମିକଙ୍କ ଅନୁଗାମୀ ହୋଇ ।

 

କେତେ ବିକ୍ଷୁବ୍ଧ ପ୍ରାଣ ନୈରାଶ୍ୟ ଜର୍ଜ୍ଜରିତ ଚିତ୍ତରେ ଫେରିବାକୁ ଲାଗିଲେ ଶୁଭ୍ରାଙ୍ଗିନୀର ଦ୍ଵାର ଦେଶରୁ । ତିଳୋତ୍ତମା ସମସ୍ତଙ୍କୁ ନିରାଶବାଣୀ ଶୁଣାଇବା ପାଇଁ ସେପରି ନିର୍ଦ୍ଦେଶ ପାଇଥିଲା-। ମାହାରୀ ଶୁଭ୍ରାଙ୍ଗିନୀ ସନ୍ନାସିନୀ ହୋଇଗଲା ବୋଲି ବି ପ୍ରଚାରିତ ହୋଇଗଲା । ଧନପତି ଭୂୟାଁ ଏହି ଜନରବରେ ହଠାତ୍ ବିଚଳିତ ହୋଇପଡ଼ିଲେ । କାଳବିଳମ୍ବ ନ କରି ସେ ଉପନୀତ ହେଲେ ଶୁଭ୍ରାଙ୍ଗିନୀଙ୍କ ପ୍ରକୋଷ୍ଠରେ । ପ୍ରଶ୍ନ କଲେ—ମୁଁ ଯାହା ଶୁଣିଛି, ତାହା କ’ଣ ସତ୍ୟ ଶୁଭ୍ରା-? ଶୁଭ୍ରାଙ୍ଗନୀଙ୍କ ଅସ୍ତିସୂଚକ ଉତ୍ତରରେ ସେ ଭୀଷଣ ମର୍ମାହତ ହେଲେ । କହିଲେ—ତୁମରି ରକ୍ତ ମାଂସରେ ଗଠିତ ସୁଲଳିତ କନ୍ୟା ଯୁଗଳ ଏବଂ ତାଙ୍କୁ ସ୍ଵୀକୃତି ପ୍ରଦାନ କରିଥିବା ତାଙ୍କର ପିତାଙ୍କୁ ପ୍ରତ୍ୟାଖାନ କରି ଚାଲିଯିବା ପାଇଁ କିପରି ନିଷ୍ପତ୍ତି ନେଇ ପାରିଲ ଶୁଭ୍ରା ?

 

ଫାଲ୍‍ଗୁନ ପୂର୍ଣ୍ଣିମା ଏକ ମାସ ବାକିଥାଏ । କନ୍ୟା ଦୁଇଟିକୁ ସଂଗରେ ଧରି ପହଞ୍ଚିଗଲେ ସେ । କନ୍ୟା ଯୁଗଳ ମା’ କୁ ରୂପରେ ପ୍ରତିଦ୍ୱନ୍ଦିତା କରି ବଢ଼ି ଲାଗିଛନ୍ତି ! ଭୂୟାଁ କହିଲେ—ନିଅ, ଏଥର ତୁମ ରକ୍ତର ଦାୟିତ୍ଵ ତୁମେ ନିଜେ ବହନ କର । ମୁଁ ଯେଉଁ ନିର୍ଜ୍ଜନତାରୁ ଆସିଥିଲି, ସେହି ନିର୍ଜ୍ଜନତା ମଧ୍ୟକୁ ଫେରିଯାଏ !

 

ଶୁଭ୍ରାଙ୍ଗିନୀର ଅନ୍ତର ଆର୍ଦ୍ରହୋଇ ଆସିଲା । ଚକ୍ଷୁରେ ଭରିଗଲା ଲୋତକର ବନ୍ୟା । ପୁଣି ଦୁର୍ବଳତା ! ଆସକ୍ତି ! ତାଙ୍କୁ ବୋଧହେଲା—ତାଙ୍କରି ଦୁଇଟି ପାଦକୁ ଦୁଇଟି ମମତା ବେଡ଼ିରେ ଛନ୍ଦି ଲାଗିଛନ୍ତି ଦୁଇଟି ସୁକୁମାର ତନୁ, ଆଉ ପୁଭୋଭାଗରେ ବଳିଷ୍ଠ ହସ୍ତ ପ୍ରସାରଣ କରି ଦଣ୍ଡାୟମାନ ହୋଇଛି ବାସ୍ତବତାର ଜଳନ୍ତା ନିଷ୍ଠୁରତା !

 

ଭୂୟାଁ କହିଲେ—ଏହି ମୋର ଶେଷୋକ୍ତି ତାହା ଶୁଣିବ ବୋଲି ଅନୁରୋଧ କରୁନାହିଁ, ଆଶା ପୋଷଣ କରୁଛି—ଜୀବନରେ ବହୁ ହତାଶାର ଉତ୍ପୀଡ଼ନ ସହ୍ୟ କରିବାପରେ, ଭାବିଥିଲି ଜୀବନକୁ ନଷ୍ଟ କରିଦେବି ବୋଲି ! କିନ୍ତୁ ତୁମେ ହିଁ ଜାଳିଦେଲ ରଙ୍ଗୀନ୍ ଆଶାର ପ୍ରଦୀପ ! ତୁମରି ଭିତରେ ମୁଁ ମୋର ଜୀବନକୁ ବଞ୍ଚାଇ ରଖିଲି । ତୁମ ପାଇଁ ନିନ୍ଦା, ଅପବାଦ, ଲାଞ୍ଛନା ଅକାତରେ ବରଣ କରିନେଲି । ଅବଶ୍ୟ ସେ ସବୁ ପ୍ରକାଶ କରିବାରେ ମୋର ସମସ୍ତ ପୂଣ୍ୟ ହରାଉଛି । କିନ୍ତୁ ପ୍ରତିଦାନରେ ମୁଁ ପାଇଲି କ’ଣ ? ଯାହା ଦେଇଛ ତାହା ଯଦିଓ ଅମୂଲ୍ୟ, କିନ୍ତୁ କ’ଣ ଯଥେଷ୍ଟ ?

 

ଅଶ୍ରୁ ଛଳ ଛଳ ହେଲେ ଭୂୟାଁ । କଣ୍ଠ ବାଷ୍ପରୁଦ୍ଧ ହୋଇଗଲା । ବାକ୍ୟ ଆଉ ସ୍ପୁରିଲା ନାହିଁ । ଶୁଭ୍ରାଙ୍ଗିନୀ ଚାହିଁଥିଲେ ଅଶ୍ରୁଭରା ନେତ୍ରରେ । ଦେଖିଥିଲେ ଗୋଟିଏ ଦୃଶ୍ୟରେ ଧନପତି ଭୂୟାଁଙ୍କର କାରୁଣ୍ୟ ବିଜଡ଼ିତ ନିର୍ଜ୍ଜନ ଉପେକ୍ଷିତ ଜୀବନ । ଅନ୍ୟ ଦୃଶ୍ୟରେ ସୁଶ୍ରୀ କନ୍ୟାଙ୍କର କରୁଣ ମଧୁର ନିଃସହାୟ ଦୃଷ୍ଟି !

 

ଆଉ ସମ୍ଭାଳି ପାରିଲେ ନାହିଁ ଶୁଭ୍ରାଙ୍ଗିନୀ । କନ୍ୟା ଦୁହିଁଙ୍କୁ ଦୁଇହସ୍ତରେ ତୋଳି ଆଣିଲେ କୋଳକୁ । ଚୁମ୍ବନ ପରେ ଚୁମ୍ବନ ଆଙ୍କିଗଲେ ସେମାନଙ୍କର କପୋଳ ଓ ଗଣ୍ଡରେ ! ତା’ ପରେ ଦୃଷ୍ଟି ବିନିମୟ କଲେ ଦଣ୍ଡାୟମାନ ପୁରୁଷଙ୍କୁ ଯେ ଦୁଇଟି ଅମାୟିକ ସନ୍ତାନର ପିତୃତ୍ଵ ଅଯାଚିତ ଭାବେ ବରଣ କରି ଗୋଟାଏ ପତିତାକୁ ଗୌରବ ଟୀକା ପିନ୍ଧାଇ ଦେଇଛନ୍ତି । ତା’ ପରେ ଅଶ୍ରୁମୁଖରେ ପୁରୁଷ ପୁଂଗବଙ୍କର ଗ୍ରିବାବେଷ୍ଟନ କରି କହି ଲାଗିଲେ ଉନ୍ମାଦିନୀ ପରି—ନା, ନା...ମୁଁ ଯିବିନାହିଁ । ମୁଁ ସନ୍ନ୍ୟାସିନୀ ନୁହେଁ, ମୁଁ ନୁହେଁ ମୃଣାଳିକା । ମୁଁ ମାହାରୀ ଶୁଭ୍ରାଂଗିନୀ !! ତୁମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି କୃତାଘ୍ନ ହେବନାହିଁ । ସ୍ଵାର୍ଥପର ହେବି ନାହିଁ !

 

ଧନପତି ଭୂୟାଁ ରାତ୍ରି ଯାପନ କଲେ ପୁଣି ଶୁଭ୍ରାଂଗିନୀଙ୍କ ଶଯ୍ୟାରେ ।

 

ବର୍ଷକ ପରେ ଆସିଛି ଫାଲ୍ଗୁନ ପୂର୍ଣ୍ଣିମା ! ଆଜି ଆସିବେ ମୃଣାଳିକା ! କ’ଣ ଦେଇ ଏଥର ବନ୍ଦନା କରିବ ତାଙ୍କର ପାଦପଦ୍ମ ! ତାର ଅଶ୍ରୁ ବି ଅପବିତ୍ର ହୋଇ ଯାଇଛି । ମନ ଆଉ ଦେହରେ ପଙ୍କିଳତା ଧରି କି ଅର୍ଘ୍ୟ ବାଢ଼ିବ ତାର ପୂଜ୍ୟ ଅତିଥିଙ୍କୁ !

 

ତଥାପି ବ୍ରାହ୍ମମୁହୂର୍ତ୍ତରୁ ଶୁଚିକର୍ମ ସମାପନ କରି ଅପେକ୍ଷା କରି ବସିଲା ସେ ।

 

ସେ ଆସିଲେ । ସେହି ନିର୍ମଳ ଅନାସକ୍ତ ଦୃଷ୍ଟି ! ଯୋଗଗମ୍ଭୀର ମୁଖମଣ୍ଡଳ ! ଅବିକମ୍ପ ତନୁ ଭଂଗିମା ସେହି ପୂର୍ବୋକ୍ତ ସ୍ଥାନରେ, ସେହି ନିର୍ଦ୍ଦିଷ୍ଟ ଆସନରେ ପୂର୍ବ ପରି ନିର୍ଲିପ୍ତ ଧ୍ୟାନମୁଦ୍ରାରେ ଉପନିବେଶ କଲେ ସେ ! ଦେବତାର ପୂଜା ପାଇଁ ସୁମିଷ୍ଟ ଫଳ ବାଢ଼ି ଦେଇ ଶୁଭ୍ରାଂଗିନୀ ବସିଲା ସ୍ୱଳ୍ପ ଦୂରରେ ।

 

ନୀରବତା ମଧ୍ୟରେ ଦୁହେଁ ଅନେକ ମୁହୂର୍ତ୍ତ ଅତିବାହିତ କଲାପରେ ଯୋଗୀରାଜ କରୁଣ ନିସ୍ତବ୍ଧତା ଭଙ୍ଗ କଲେ ଗୋଟିଏ ଦୀର୍ଘଶ୍ୱାସରେ । ଫଳଗୁଡ଼ିକ ସଂକୁଚିତ ହେଲେ ନାହିଁ କିମ୍ବା ଶୁଭ୍ରାଂଗିନୀ ଆତ୍ମରମଣର ପୂର୍ବଜ୍ଞାନ ଲାଭ କଲେ ନାହିଁ !

 

ହତାଶ ହୋଇ ପ୍ରଶ୍ନ କଲେ ଶୁଭ୍ରାଂଗିନୀ—ଆଜି କ’ଣ ଏ ପତିତାର ନୈବେଦ୍ୟ ଗ୍ରହଣ କରିବେ ନାହିଁ, ଯୋଗୀରାଜ ?

 

ଯୋଗୀ ଉତ୍ତର ଦେଲେ—କ୍ଷୁଧା ମୋର ନାହିଁ ଏବଂ ମୋର କ୍ଷୁଧା ଉଦ୍ରେକ ପାଇଁ ତୁମ ନୈବେଦ୍ୟର କେନ୍ଦ୍ର ଭୂମିରେ ଯଥାର୍ଥ ବ୍ୟାକୁଳତା ବି ନାହିଁ ।

 

ଶୁଭ୍ରାଂଗିନୀ କହିଲେ—ଯୋଗୀରାଜଙ୍କର ଦୁର୍ଜ୍ଜୟ ଅଭିମାନ ଦୂର କରିବା ପାଇଁ କୌଣସି ଅପବିତ୍ରାର ସାମର୍ଥ୍ୟ ବି ନାହିଁ । ମୁଁ ପାରିବି ନାହିଁ ମୃଣାଳକ ! ମୋତେ କ’ଣ କ୍ଷମାଦେବେ ନାହିଁ ? ଆତ୍ମାର ଯେଉଁ ରାସକ୍ରୀଡ଼ା ସୁଖ ପ୍ରଦାନ କରି ମୋର ଜନ୍ମକୁ ସାର୍ଥକ କରିଥିଲେ, ସେଥିରେ ମୋର ଆଉ ଭାଗ ନାହିଁ ! ଆପଣଙ୍କ ଯୋଗ ସିଦ୍ଧିରେ ବି ମୋର ଆଉ ଅଧିକାର ନାହିଁ । ମୁଁ ଭାଗ୍ୟହୀନା । ଅଯୋଗ୍ୟ ! ଋଷି ମୃଣାଳଙ୍କର ସହଧର୍ମିୀ ହେବାପାଇଁ ପୂର୍ଣ୍ଣ ଅସମର୍ଥ !

 

ତାଙ୍କ ଭିତରେ ସମସ୍ତ ଅସମର୍ଥତା ବିକଳ କ୍ରନ୍ଦନ କଲା । ସେ ଅଶ୍ରୁ ବର୍ଷି ଲାଗିଲେ ଶ୍ରାବଣର ବର୍ଷା ଧାର ପରି ।

 

ଯୋଗୀ କହିଲେ—କିନ୍ତୁ ଏଥର ମୁଁ ଆସିଛି, ତୁମକୁ ସକଳ ଅପୂର୍ଣ୍ଣତା ସତ୍ତ୍ୱେ ନେଇଯିବା ପାଇଁ, ପାରିବ ?

 

ଶୁଭ୍ରାଂଗିନୀ ଉଲ୍ଲସିତ ହୋଇ ଉଠିଲେ । କିନ୍ତୁ ପରେ ଦେଖାଦେଲା ବିଷର୍ଣ୍ଣତା । ସେ କହିଲେ—ମୋତେ କିଛି ସମୟ ଦୁଅନ୍ତୁ, ଯୋଗୀରାଜ !

 

ଯୋଗୀ ସାମାନ୍ୟ ବି ବ୍ୟସ୍ତ ହେଲେ ନାହିଁ । କହିଲେ—ତେବେ ଆସ, ଏ ସଂଧ୍ୟାରେ ଥରେ ସାଗର ବେଳାରେ ବିହାର କରି ଆସିବା । ସେଠି ଦେଖିବା—କାମନା ସାଗରର ଶତ ଶତ ଲହରୀର ଉଦ୍‍ବେଳିତ ଆହ୍ଵାନ ଏବଂ ନିଷ୍କାମ ବେଳାଭୂମିର ନିରବଚ୍ଛିନ୍ନ ପ୍ରତ୍ୟାଖାନ !

ଇତ୍ୟବସରରେ ଧନପତି ଓ କନ୍ୟାଯୁଗଳ ଆସି ପହଞ୍ଚିଲେ ଏବଂ ଯୋଗୀଙ୍କ ସଂଗରେ ନ ଯିବା ପାଇଁ ଶୁଭ୍ରାଙ୍ଗିନୀଙ୍କୁ ଅଭିମାନ ପୂର୍ଣ୍ଣ ପ୍ରତିବାଦ ଜଣାଇ ଫେରିଗଲେ ।

ଯୋଗୀ କହିଲେ—ବ୍ୟସ୍ତ ହୁଅନା ମୃଣାଳିକା, ତୁମର ଏ ଶୋଚନୀୟ ଶକ୍ତିହୀନତା ପାଇଁ ଦାୟୀ ସମଗ୍ର ମାନବ ସମାଜର ଅସମର୍ଥତା । ଏହି କାପୁରୁଷତାରୁ କେବେ ଏ ମାନବ ମୁକ୍ତି ପାଇବ କେଜାଣି ! ଏ ଜନ୍ମରେ ତୁମକୁ ଯେଉଁମାନେ ଅନୁରାଗ ବାଢ଼ିଛନ୍ତି, ସେମାନଙ୍କ ପାଇଁ ବି ତୁମକୁ କର୍ତ୍ତବ୍ୟ ରହିଛି । ତଥାପି ମୋର ଆସିବା ଯେ ବ୍ୟର୍ଥ ହୋଇଛି ତାହା କହିବି ନାହିଁ । କାରଣ ମୁଁ ଦେଖି ଯାଉଛି ସମର୍ଥ ହେବା ପାଇଁ ତୁମେ ଆପ୍ରାଣ ସଂଗ୍ରାମ ଚଳାଇଛ । ମୁଁ ଏବେ ଯାଉଛି ଏବଂ ପରବର୍ତ୍ତୀ ଫାଲ୍ଗୁନ ପୂର୍ଣ୍ଣିମାରେ ହୁଏତ ଆସିବି ।

ଚାଲିଗଲେ ଯୋଗୀରାଜ ! ଶାଶ୍ୱର ପ୍ରେମର ମୂର୍ଚ୍ଛନାରେ ଏଥର ସୃଷ୍ଟି ହେଲା ବିଭଙ୍ଗ ରାଗିଣୀ ।

ଶୁଭ୍ରାଙ୍ଗୀନୀ ଚିନ୍ତାମଗ୍ନ ହେଲେ । ତାଙ୍କ ମୁଖରୁ ସମସ୍ତ ପ୍ରସନ୍ନତା ଅନ୍ତର୍ହିତ ହୋଇଗଲା । ଖାଦ୍ୟ, ବସ୍ତ୍ର, ଅଙ୍ଗବିନ୍ୟାସ ଅରୁଚିକର ବୋଧହେଲା । କନ୍ୟା ଓ ଧନପତି ବିଷସମ ବୋଧ ହେଲେ-। ସ୍ମୃତିର ଦିଗ୍‍ବଳୟରେ ଉଙ୍କି ମାରିଲେ କେବଳ ଋଷି ମୃଣାଳକ ! ଉନ୍ମାଦିନୀସମ ସେ କହିଲେ—ଆସ । ମୃଣାଳକ ! ତୁମରି ଏ ଅସମର୍ଥ ମୃଣାଳକାକୁ ପୁଣି ଥରେ ତୋଳିନିଅ ବକ୍ଷକୁ । ସେ ଯେତେ ପତିତା ହେଲେ ମଧ୍ୟ ତୁମରି । ସେ ଯେତେ ଅପଳିପୂର୍ଣ୍ଣ ହେଲେ ମଧ୍ୟ ତୁମରି ! ନା, ନା, ସେ ଆସିବେ ! ହେ ମୋର ପ୍ରିୟତମ ମୃଣାଳକ, ତାକୁ ତୁମେ ଶାଶ୍ଵତ ଅର୍ଦ୍ଧାଙ୍ଗୀନୀ ରୂପେ ଗ୍ରହଣ ନକର ପଛେ, କେବଳ ଗୋଟାଏ ପତିତାକୁ ଆଉଥରେ ମାତ୍ର ଦର୍ଶନ ଦେବାପାଇଁ କରୁଣା କରି ଆସ । ନା, ଆଉ ଆସିବେନି ! ଏଭଳି ଏକ ଦୁର୍ବଳରୁ ଅକ୍ଷମ ମଣିଷ ପାଇଁ ସେ ପୁଣି କାହିଁକି କଷ୍ଟ ସ୍ଵୀକାର କରି ଆସିବେ ।

ବିତିଗଲା କେତେମାସ । ନୈରାଶ୍ୟ ତାଙ୍କର ବଢ଼ିଗଲା ଦିନୁଦିନ । ମୃଣାଳକ ଯେ ଆଉ ଫେରିବେ, ଏଥର ତାଙ୍କର ଆଉ ବିଶ୍ୱାସ ଜନ୍ମିଲା ନାହିଁ । ଧନପତି ଓ ସନ୍ତାନମାନଙ୍କଠାରୁ ଅପମାନିତ ହୋଇ ଫେରିଯାଇଛନ୍ତି ସେଦିନ ! ଦେଖି ଯାଇଛନ୍ତି ତାଙ୍କର ମୃଣାଳିକା କେତେ ହୀନବଳ । ସଂସାରର ମାୟା ବନ୍ଧନରେ ସେ କେତେ ଦୟନୀୟ ।

ତେଣୁ ଏପରି ଦେହ ଆଉ ମନକୁ ବଞ୍ଚେଇ ରଖିବାରେ କି ଲାଭ ? ଧନପତିଙ୍କୁ ପୁଣି ଦେହ ଅର୍ପଣ କରିଦେଲେ । ଯାଉ, ଏ ଦେହ ଆଉ ମନ ପୋଡ଼ି ଅଙ୍ଗାର ହୋଇଯାଉ ।

ଫାଲ୍‍ଗୁନ ପୂର୍ଣ୍ଣିମା ନିକଟତର ହେଲା । ଶୁଭ୍ରାଙ୍ଗିନୀ ଭାବୁଥିଲା ସତେ କ’ଣ ମୃଣାଳିକ ଫେରିବେ । ଆଉ ଯଦି ସେ ପ୍ରକୃତରେ ଫେରନ୍ତି । କେଉଁ ମୁହଁଧରି ସେ ତାଙ୍କୁ ସାକ୍ଷାତ କରିବ ।

ଆସିଲା ଫାଲ୍‍ଗୁନ ପୂର୍ଣ୍ଣିମା ! ଆସିଲା ସେ ତାର ସମସ୍ତ ସମ୍ଭାର ବହନ କରି । ମୃଣାଳକ ମଧ୍ୟ ଆସିଲେ । ସେ ଆସିଲେ ଶୁଭ୍ରାଙ୍ଗିନୀ ପାଇଁ ସମସ୍ତ ଶୁଭେଚ୍ଛା ବହନ କରି ।

ଦାସୀ ତିଳୋତ୍ତମା ଖଣ୍ଡିଏ ପତ୍ର ହସ୍ତାନ୍ତର କଲା ଯୋଗୀରାଜଙ୍କୁ । ମୃଣାଳକ ପଢ଼ିଗଲେ ଏକ ନିଶ୍ଵାସରେ ।

“ହେ ମୋର ଜନ୍ମଜନ୍ମାନ୍ତରର ସାଥୀ, ମୃଣାଳକ, ତୁମେ ହୁଏତ ମୋତେ ଉଦ୍ଧାର କରିବାକୁ ଆଗାମୀ ପୂର୍ଣ୍ଣିମାରେ ଆସିବ । କିନ୍ତୁ ତୁମରି ମୃଣାଳିକାକୁ ନ ପାଇ କ’ଣ ଭାବିବ ଜାଣେନା ! ଏ ଜନ୍ମରେ ଆଉ ହେବ ନାହିଁ ମୃଣାଳିକା । କାରଣ ସେ ନିଜକୁ ତୁମ ପାଇଁ ଯୋଗ୍ୟକରି ଗଢ଼ି ପାରିଲା ନାହିଁ । କହିଲ ଦେଖି, ଶାଶ୍ଵତପ୍ରେମିକଙ୍କୁ ଲାଭ କଲାପରେ ଏ ଜନ୍ମର ମାୟା ତା ପାଇଁ ଆଉ କି ଆବଶ୍ୟକ ଥିଲା ? କିନ୍ତୁ ସେ ପାରିଲା ନାହିଁ, ତୁମେ ଯେଉଁ ଏକ ନିଷ୍ଠତା ଭଲ ପାଅ, ତାର ସେ ଯଥାର୍ଥ ଅଧିକାରିଣୀ ହୋଇପାରିଲା ନାହିଁ । ଏପିରିକି ତୁମରି ଗଭୀର ସ୍ପର୍ଶ ଓ ଅମୂଲ୍ୟ ଯୋଗାନୁଭୂତି ପ୍ରଦାନ କରି ତାର ଯେଉଁ ଦେହ ଓ ମନକୁ କଳଙ୍କ ମୁକ୍ତ କରିଥିଲ, ତାହାକୁ ସେ ଶୁଦ୍ଧ ରଖି ପାରିଲା ନାହିଁ । ତେଣୁ କ’ଣ ସେ ଆଉ କରନ୍ତା ? ଏଭଳି ଏକ ଅଶୁଦ୍ଧ ଅପୂର୍ଣ୍ଣ ମଣିଷକୁ ନେଇ ତୁମେ ବା କ’ଣ କରିଥାନ୍ତ ? ଖାଲି ହନ୍ତସନ୍ତ ହୋଇ ଦୁଃଖ ପାଇଥାନ୍ତ ସିନା ! ତେଣୁ ସେ ଚାଲିଗଲା ମୋହଦଧି ଗର୍ଭକୁ । ତାର ଏ ଆତ୍ମବଳି ସମଗ୍ର ମାନବ ସମାଜର ଅସମର୍ଥତା । ଯଜ୍ଞପୀଠରେ ପୂର୍ଣ୍ଣାହୁତି ହେଉ ! କିନ୍ତୁ ଏ ଜନ୍ମରେ ମୋତେ ବ୍ୟର୍ଥ ଆବିଷ୍କାର କଲାଭଳି, ଆର ଜନ୍ମରେ ପୁଣି ଚେଷ୍ଟା ଚଳାଇବ ମୋତେ ଯୋଗ୍ୟ କରିବାକୁ ! ତୁମେ ପୁଣି ବିଫଳ ହେବ ।

କେବଳ ଗୋଟିଏ କ୍ଷୁଦ୍ର ଅନୁରୋଧ—ଏ ଜନ୍ମର ସ୍ମାରକୀସ୍ତମ୍ଭ ସ୍ୱରୂପ ମୋ ରକ୍ତର ଦୁଇଟି କୋମଳ କଳିକାଙ୍କୁ ଓ ପାତକକୁ ଭ୍ରୂକ୍ଷେପ ନକରି ଯେ ମୋ ଶିରରେ ସାମାଜିକ ମୁକୁଟ ପିନ୍ଧାଇ ଦେଇଛନ୍ତି ତାଙ୍କୁ ତୁମର ଆଶିଷ କଣିକାଏରୁ ବଞ୍ଚିତ କରିବ ନାହିଁ ! ଅବଶ୍ୟ ଯଦି ଏ ଅଭାଗିନୀ ପାଇଁ ପୁଣି କେବେ ଆସ । ଇତି ।

ତୁମର ଅମମର୍ଥା, ମୃଣାଳିକା ।”

ଯୋଗୀ ଦେଖିଲେ—ତାଙ୍କ ପାର୍ଶ୍ଵରେ ଅଶ୍ରୁନୟନରେ ଠିଆ ହୋଇଛନ୍ତି ଦୁଇଟି ନିଷ୍ପାପ ଶିଶୁ ଓ ତାଙ୍କର ପିତୃଦେବ ଧନପତି ଭୂୟାଁ । ସେ ତାଙ୍କର ଅଭୟ ହସ୍ତ ପ୍ରସାରିତ କରି ତିନିଙ୍କୁ ଆଲିଙ୍ଗନ କଲେ ନିବିଡ଼ ଭାବେ । ଭାବିଲେ—ଆହା ଏଇମାନେ ପ୍ରତିବାଦ କରି ଶୁଭ୍ରାଙ୍ଗିନୀକୁ ମୋ ସଙ୍ଗରେ ସମୁଦ୍ର ବେଳାକୁ ମଧ୍ୟ ପଠାଇଦେଇ ନଥିଲେ, ଅଥଚ ସେଇମାନେ ଛାଡ଼ିଦେଲେ ତାଙ୍କୁ ସମୁଦ୍ର ଗର୍ଭକୁ ? ଏମାନେ ବି ଶୁଭ୍ରାଙ୍ଗିଣୀ ପରି କେତେ ଅସମର୍ଥ ! କହିଲେ—ମୁଁ ଆଶୀର୍ବାଦ କରୁଛି—ତୁମେମାନେ ସମର୍ଥ ହୋଇଉଠ ! ଆଉ ସମଗ୍ର ମାନବ ସମାଜ ବି ସମର୍ଥ ହୋଇଉଠୁ ତୁମମାନଙ୍କ ସହିତ !

 

ତା’ପରେ......

 

ମୃଣାଳକ ଚକ୍ଷୁରେ ଜ୍ୟୋତି ସ୍ନିଗ୍ଧ ପ୍ରଲେପ ବୋଳି ଫେରିଗଲେ ! ସେ ଫେରିଗଲେ ରତ୍ନଗର୍ଭ ! ମହୋଦଧି ଅଭିମୁଖେ ଉତ୍ତାଳ ତରଙ୍ଗ ବକ୍ଷରୁ ରତ୍ନ କିଛି ତୋଳି ଆଣିବାକୁ ।

Image

 

କିଛି ନାହିଁ

 

ଶୂନ୍ୟ କହିଲେ କିଛି ନ ଥିବାକୁ ବୁଝାଯାଏ । କିନ୍ତୁ ଯେଉଁ ଶୂନ୍ୟ ‘କିଛି ନ ଥିବା’ ବୁଝାଇବାକୁ ଲେଖା ହୋଇଥାଏ, ନିଜେ ସେ ‘କିଛି ଥିବା’ର ଆକାର ଧରି ଉଭା ହୋଇଯାଏ । ପୁଣି ‘ଅରୂପ’ ‘ଅଣାକାର’ ପ୍ରଭୃତି ଶବ୍ଦଗୁଡ଼ିକ ଯେତେ ବଡ଼ ଅସ୍ୱୀକୃତି ପାଇଁ ବ୍ୟବହୃତ ହେଲେ ବି ନିଜେ ରୂପ ଓ ଆକାରକୁ ସ୍ୱୀକାର କରି ବସନ୍ତି । ସେହିପରି ଏହି ଗଳ୍ପ ବର୍ଣ୍ଣିତ ଘଟଣାଟି ‘କିଛି ନାହିଁ’ କି ସୂଚାଇବାକୁ ଯାଇ ‘କିଛି ଅଛି’ର ସୂଚନା ଦେଇଥିବା ଅସମ୍ଭବ ନୁହେଁ ।

 

ସ୍ଥାନ ଗୋଟିଏ ଛୋଟ ସହରର ମଝି ରାସ୍ତା । କାଳ-ଗମାପୂର୍ଣ୍ଣମୀର ଦ୍ଵି ପ୍ରହର । ପାତ୍ର–ଗୋଟିଏ ବୁଢ଼ାବଳଦ ।

 

ଏହି ସ୍ଥାନ କାଳ ପାତ୍ରକୁ ବେଖାତିର କରି ସେଦିନ ବର୍ଷା ଢୁ ଢୁ କୁଢ଼େଇଲା । ରାସ୍ତାଟିରେ ପାଣିର ସୁଅ ଛୁଟିଲା । ରାସ୍ତା ମଝିରେ ଗହ୍ମାଡ଼ିଆଁ ପାଇଁ ବନ୍ଧା ହୋଇଥିବା ମନୋହରୀ ପୁରସ୍କାର ଓଦା ହୋଇଗଲା । ସାଇକେଲ, ମଟର ଚଳାଚଳ ବନ୍ଦ ହୋଇଗଲା । ଲୋକମାନଙ୍କର ଗହଳି ଚହଳି ବଦଳରେ ଶୁଭିଲା ବର୍ଷାର ତାଣ୍ଡବ ଧ୍ଵନି ।

 

ପାତ୍ର ବୁଢ଼ା ବଳଦ କିନ୍ତୁ ରାସ୍ତା ମଝିରେ ଠିଆ ହୋଇଛି । ବର୍ଷା ଯେପରି ବେଖାତିର କରି ନୃତ୍ୟ କରୁଛି, ବୁଢ଼ା ବଳଦଟି ସେପରି ବର୍ଷାକୁ ବେଖାତିର କରି ବର୍ଷାପାତ ସହୁଛି । ସେ ଏହି ସ୍ଥାନ ଓ କାଳର ହିରୋ ଭୂମିକା ଧରି ଠିଆ ହୋଇଛି ଯେପରି !

 

ତାର କର୍ତ୍ତବ୍ୟ ଶେଷ ହୋଇଯାଇଛି । ଜୀବନରେ କାମ କରି କରି ଆଜି ସେ କାମହୀନ; ନିଷ୍କାମ । ମୁନିବ ତାକୁ ଆଉ ଖୋଜେ ନାହିଁ । ସେ ଆଜି ମୁନିବହୀନ, ଦାସତ୍ୱହୀନ, ମୁକ୍ତ ।

 

ଘରେ ଭଲମନ୍ଦ ଖାଇବାର ଲାଳସା ନାହିଁ । ବାହାରେ ବାହାରେ ବୁଲି ଯା’ କିଛି ଖାଇପକାଏ । ସେ କ୍ଷୁଧା ଜୟ କରିଛି । ଯେଉଁଠି ହୁଏ, ସେଠାରେ ଶୋଇଯାଏ । ନ ଶୋଇବାରେ ବ୍ୟଥା ନାହିଁ । ସେ ଜିତ-ନିଦ୍ର ।

 

ଗହ୍ନାପୂର୍ଣ୍ଣମୀରେ ତା ଲାଲାଟରେ କେହି ଚନ୍ଦନ ସିନ୍ଦୁର ଲେପନ କଲେ ନାହିଁ । ଗହ୍ନାମଣ୍ଡା ଖାଇବାକୁ ଦେଲେ ନାହିଁ । ଗାଧୋଇ ଦେଲେ ନାହିଁ । ତା’ର ଏଥିରେ ଆସନ୍ତି ନାହିଁ । ସେ ନିରାସକ୍ତ ।

 

ସ୍ତମ୍ଭପରି ତାର ଚାରିଟି ଗୋଡ଼ ଉପରେ ଢ଼ୋଲପରି ଗୋଟିଏ ବିରାଟ ପେଟ ହାଡ଼ୁଆ ହାଡ଼ୁଆ ପଞ୍ଜରା ଭିତରେ ଅବସ୍ଥାନ କରିଛି । ମୁଣ୍ଡରେ ଦୁଇଟି ଶିଙ୍ଘ ପାଉଁଶିଆ ରଙ୍ଗ ଧରି ବଙ୍କା ହୋଇ ସାରିଛି । ଧର୍ମ-ଅର୍ଥ-କାମ-ମୋକ୍ଷର ଚତୁର୍ବଗ ମାର୍ଗ ଦେଖାଇ ଗୋଟିଏ ବ୍ରହ୍ମାଣ୍ଡ ଢ଼ିରା ଦେଇ ରହିଛି ଯେପରି ! ହାଡ଼ୁଆ ପଞ୍ଜରାଗୁଡ଼ିକ ଗୋଟିଏ ଅଶ୍ଵତ୍ଥ ପତ୍ରର ଶିରା ବିନ୍ୟାସ । ଏ ଅଶ୍ଵତ୍ଥ ଗଛର ମୂଳ ଊର୍ଦ୍ଧ୍ଵରେ, ଶାଖା ନିମ୍ନରେ । ଅଦ୍ଵୈତ-ମସ୍ତକରୁ ନିଃସୃତ ହୋଇଛି ଦ୍ଵୈତବାଦର ଯୁଗଳ ଶୃଙ୍ଗ ।

 

ଅଜ୍ଞାନ ସଂସାରୀର ସେ ଏବେ ଅଲୋଡ଼ା । କେବଳ ସେ ଅଛି, ନ ଥାଇ ଥିବା ପରି; ଯିମିତି ଶୂନ୍ୟ ।

 

ଭାରି ବର୍ଷା ! ସେ ଶୀତେଇ ଉଠୁନି । ଲାଞ୍ଜ ତାର ହଲୁନି । କାନ ଚଳୁନି । ଆଖି ଦୁଇଟା ମିଟିକା ମାରୁଛନ୍ତି କି ନା ଜଣାପଡ଼ୁନି । ସେ କିନ୍ତୁ ଚାହିଁଛି । ଧୀର-ଉଦାର ନାୟକ ପରି ଅଚଞ୍ଚଳ ତାର ଦୃଷ୍ଟି ।

 

ପୁଣି ସେ ପାକୁଳି କରୁଛି । କ’ଣ ସେ ପାକୁଳି କରୁଛି ? କିଛି ତ ଖାଇ ନାହିଁ । ତେବେ ଅତୀତ ଜୀବନକୁ ପାକୁଳି କରୁଛି ! ମୁଷ୍କଛିନ୍ନ ବଳଦଟାର ପୁଣି ଅତୀତ ଜୀବନ କ’ଣ ? ଅନୁଭୂତିବିହୀନ ଜୀବନ କ’ଣ ଆଉ ଜୀବନରେ ଗଣା ? ଅତୀତରେ ସେ ଯାହା ଖାଲି ଖାଇଲା, ପିଇଲା, ହଳକଲା, ଶୋଇଲା । ଜୀବନକୁ କେତେବେଳେ ଚାଖିଲା ଯେ, ପାକୁଳି କରୁଛି ?

 

ତା’ହେଲେ କ’ଣ ସେ ପାକୁଳୁଛି ? ବିଚରା, କ’ଣ ଆଉ ପାକୁଳି କରିପାରେ ! କିଛି ନାହିଁ-

 

ହିଁ, କିଛି ନାହିଁକି ମଧ୍ୟ ପାକୁଳି କରାଯାଇପାରେ ! ବର୍ଷା ବଢ଼ୁଛି । ଆହା, କେତେ ଓଦା ହେଉଛି ବିଚରା ! ଆରେ କାହା ଓନି ତଳକୁ ଟିକେ ଯା ଭାରି ! ସେ ପାଖ ପିଣ୍ଡାଟା ଶୁଖିଲା ଅଛି, ସେଠିକି ଉଠିଯା ।

 

ନା ସେ ଯିବ ନାହିଁ ।

 

ସେଠାରେ ସେ କ’ଣ କାହାକୁ ଅପେକ୍ଷା କରିଛି ? କାହାକୁ ଅପେକ୍ଷା କରିଛିରେ !

 

ଆମକୁ ଘର ଭିତରେ ମଧ୍ୟ ଶୀତ ହେଲାଣି । ଗୃହିଣୀ ସବୁ ଝରକା ଦୁଆର ବନ୍ଦକରି ଚଦର ଭିତରେ । ନିଦ ହେଉ ନଥିବ । ଚଡ଼ଚଡ଼ି ଘଡ଼ଘଡ଼ି ସବୁକାଳରେ ଏ ଜାତିଟାର ବଇରି ହେଲା-

 

ଓଃ, କେଡ଼େ ବିଜୁଳିଟାଏ ମାରିଲା ! ଘଡ଼ଘଡ଼ି ହେବ ଏଇନେ । ଆରେ ! ଏଟା ତ ଘଡ଼ଘଡ଼ି ନୁହେଁ, ଗୋଟିଏ ଚଡ଼ଚଡ଼ି ! ବଜ୍ର ! ଇସ୍ ସେ ନଡ଼ିଆ ଗଛର ଅଗଟା ଜଳିଗଲା !

 

ଆରେ ହିରୋ ! ତୁ ସେମିତି ଠିଆ ହୋଇଛୁତ ! ସାବାସ ହିରୋ ! ତୋର ଆଖି ମିଟିକା ପଡ଼ିଲା ନାହିଁ, କାନ ଦୋହଲିଲା ନାହିଁ, ଲାଞ୍ଜ ହଲିଲା ନାହିଁ ।

 

ଓହୋ, ବର୍ଷା ଟିକିଏ କମିଲା । ଏଥର ପୂରାପୁରି କମିଯିବ । ଗହ୍ମାଡ଼ିଆଁ ଆରମ୍ଭ ହେବ । ଲୋଡ଼େଡ଼୍ ଟ୍ରକ୍ଟାଏ ଆସି ‘ନାୟକ’ର ପଛରେ ହର୍ଣ୍ଣ ବଜାଇଲାଣି । ନାୟକ ଶୁଣୁନାହିଁ । ପେଁ, ପେଁ..ଭଁ, ଭଁ ତଥାପି ସେ ଶୁଣୁ ନାହିଁ । ଲାଞ୍ଜଟା ସେମିତି ଟ୍ରକ୍ଆଡ଼କୁ ମୁହଁ କରି ନିର୍ଭୀକ ଭାବରେ ଲମ୍ବିଛି ପାକୁଳି । ଚାହାଣୀରେ ଖାତିରି ନାହିଁ ।

 

କ୍ଳିନର ଓହ୍ଲେଇ ତାକୁ ପେଲିଲାଣି । ପେଲୁ ପେଲୁ ନିଜେ କୁନ୍ଥେଇ ପକାଉଛି । ନାୟକ ମୋଟେ ଚଙ୍କୁ ନାହିଁ । ଡ୍ରାଇଭର ସେମିତି ପେଁ ପେଁ ହେଉଛି । ଇଞ୍ଜିନ୍‍ଟା ଉଷୁମ ପାଇ ଚୁଲିମୁଣ୍ଡ ବିରାଡ଼ି ପରି ଘଡ୍‍ ଘଡ଼୍‍ ହେଉଛି । ବର୍ଷା ଝିପିରି ଝିପିରି ଝରୁଛି ।

 

ଡ୍ରାଇଭର ଆଉ ଟିକିଏ ଗାଡ଼ି ଚଳାଇ ବନେଟଟାକୁ ତା ହାଡ଼ୁଆ ତିନିକୋଣିଆ ପିଚାରେ ଲଗାଇଲାଣି ।

 

ଆରେ ମୂର୍ଖ, ସେ ତିନିକୋଣିଆ ପିଚା ଉପରେ ତ୍ରିବେଣର ସଙ୍ଗମ । ଇଅଁଲା, ପିଅଁଳ, ସୁଷୁମ୍ନାର ତନ୍ତ୍ର ସେଇଠି । ସୁଷୁମ୍ନା-ଯମୁନା ତୀରରେ ରାଧାକୃଷ୍ଣଙ୍କର ଆନନ୍ଦ ଲୀଳା । ଏ ଲୀଳା ଅନାଦି, ଅନନ୍ତ । ଚୌରାଶି ସହସ୍ର କ୍ରୋଶ ଭୂମିରେ ବେନିଜନ ଏ ଲୀଳା କରୁଛନ୍ତି । ରାଧା ଓ କୃଷ୍ଣ-। ଇଅଁଲା ଓ ପିଅଁଲା !

 

ଏଇ ପ୍ରେମଲୀଳା ଦର୍ଶନ କରିପାରିଲେ ଯୋଗୀର ଯୋଗ ସିଦ୍ଧ ହୁଏ । ଜୀବନ ହୁଏ ଆନନ୍ଦମୟ । ଆରେ ମୂର୍ଖ, ଏ ଅସଲ ତତ୍ତ୍ଵ ବୁଝିଲେ ସିନା ତୋର ସଫଳ ହେବ !

 

ଏ ବୁଢ଼ା ନାୟକ ଲୟ ସୁତ୍ରଧରି ନିଶ୍ଚଳ–ଆସେନ ପଞ୍ଚ-ଆତ୍ମାଧ୍ୟାନ ମାଧ୍ୟମରେ ଏ ଲୀଳା ଦର୍ଶନ କରୁଛି ! ତୁ ମୂଢ଼, ଏ ଗୁଢ଼ତତ୍ତ୍ଵ ଦେଖି ପାରିବୁ କିପରି ?

 

ମୂଢ଼ କ୍ଳିନରଟା ବି ସେମିତି କୁନ୍ଥେଇ କୁନ୍ଥେଇ ପେଲୁଛି ।

 

ଏଥରର ଯୋଗାବିଷ୍ଟ ନାୟକ ଟିକେ ଘୁଞ୍ଚିଗଲା । ଲାଞ୍ଜ ହଲି ନାହିଁ । ମୁହଁ ବୁଲି ନାହିଁ । ପାକୁଳି ବନ୍ଦ ହୋଇ ନାହିଁ । ଯୋଗ ଭାଙ୍ଗି ନାହିଁ । ଖାଲି ଯାହା ସେ ସାମାନ୍ୟ ଘୁଞ୍ଚିଗଲା ।

 

ଟ୍ରକ୍ ଚାଲିଗଲା । ଶୂନ୍ୟ ପୁରୁଷ ସେମିତି ଉଦାସ ରହିଛି । ଶୂନ୍ୟ ପୁରୁଷକୁ କେତେ ଭଗାରି ବେଢ଼ିଛନ୍ତି । ଏକାଦଶ ଇନ୍ଦ୍ରିୟ କାମ-କ୍ରୋଧ-ମୋହ । ପଞ୍ଚମନ । ପଚିଶ ପ୍ରକୃତି । ଅସଂଖ୍ୟ ଭଗାରି । ତଥାପି ଶୂନ୍ୟ ପୁରୁଷ ଅଲଗା ରହିଛି । ସେ ଶୂନ୍ୟରେ ରହି ଲୀଳା କରୁଛି ।

 

ହିରୋ ସେମିତି ଠିଆ ହୋଇଛି । ତାର ପରିବର୍ତ୍ତନ ନାହିଁ । ଯାହାର ଆକାର ଅଛି, ତାର ପରିବର୍ତ୍ତନ ଅଛି । ଯାହାର ଆକାର ଅଛି, ତାର ପରିବର୍ତ୍ତନ ଅଛି । କିନ୍ତୁ ଏହାର ଯେ ପରିବର୍ତ୍ତନ ନାହିଁ । ତେବେ ତାହାର କ’ଣ ରୂପ ନାହିଁ ?

 

ତାର ଆଉ ରୂପ କାହିଁ ? ସେଇତ ଅରୂପ ! ଜଳର ରୂପ ଥିଲା । ଜଳ ବାଷ୍ପ ହେଲା । ଅରୂପ ହେଲା । ରୂପ ପୁଣି ଅରୂପ ହେଲା । ସେ ବାଷ୍ପ ପୁଣି ମେଘ ହୋଇ ଧରିଲା ଆକାର । ସେହିଁ ଆକାର, ସେହିଁ ଅଣାକାର, ସେହିଁ ଦ୍ଵୈତ, ସେହିଁ ଅଦ୍ଵୈତ ! ନାୟକ ଚାହିଁଛି ସାଧକର ସ୍ଥିର ଅପଲକ ଦୃଷ୍ଟିରେ !

 

କ’ଣ ସେ ଦେଖଛି ?

 

ସେଠି କିଛି ତ ନାହିଁ !

 

କିଛି ନାହିଁ କି ଚାହିଁକି କାହିଁକି ?

 

ତେବେ ସେ କିଛି ନାହିଁକି ଚାହିଁଛି ! ସେ କିଛି ନାହିଁକି ଅପେକ୍ଷା କରିଛି । ସେ କିଛି ନାହିଁକି ପାକୁଳି କରୁଛି ।

 

ତା’ହେଲେ ସେଟା ବୁଢ଼ାବଳଦ ନୁହେଁ । ସେ ଗୋଟିଏ ‘କିଛି ନାହିଁ’ । ‘କିଛି ନାହିଁ’ ର ଗୋଟିଏ ରୂପ ମାତ୍ର !

Image